ଇତିହାସର ତନ୍ଦ୍ରା ଭଂଗ

 

 

 

 

 

 

 

 

 

 

 

ଇତିହାସର ତନ୍ଦ୍ରାଭଂଗ

ଅଧ୍ୟାପକ ପୀତାମ୍ୱର ପ୍ରଧାନ

 

ଉତ୍ସର୍ଗ

 

...........‘ସାନବାବୁ’ ଡକ୍ଟର ହେମନ୍ତ କୁମାରଙ୍କୁ

ତାଙ୍କ କଥାର

‘ବଡ଼ବାବୁ’..........

 

ନେପଥ୍ୟେ

 

ସନ ଊଣେଇଶ ସତସ୍ତରୀ...ବସନ୍ତ ସମୟ । ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷୀ (ସୁପର୍‍ଭାଇଜର) ଭାବରେ ଗୋପବନ୍ଧୁ ଚୌଧୁରୀ କଲେଜ, ରାମଚନ୍ଦ୍ର ପୁରରେ ସାତଦିନ ଅବସ୍ଥାନ ।

 

ଅପ୍ରେଲ୍ ତିନି ତାରିଖ...ସେଦିନ ଥାଏ ରବିବାର । ସକାଳ ୮ଟା ୧୫ ମିନିଟ୍‌ରେ ବରି ଅତିଥିଶାଳାରୁ ରତ୍ନଗିରି ଯାତ୍ରା......ସଙ୍ଗରେ ଥାଆନ୍ତି ଉକ୍ତ କଲେଜର ଗଣିତ ଅଧ୍ୟାପକ...ସିଂହାଇ ନିବାସୀ ବନ୍ଧୁ ଶ୍ରୀ ସୁରେନ୍ଦ୍ର କୁମାର ନାୟକ ।

 

ତାଙ୍କ ଉତ୍ସାହରେ ଇତିହାସର ସେ ତନ୍ଦ୍ରାବାଉଳା ଭୂଇଁକୁ ଗୋଡ଼ କାଢ଼ିଲୁ । ରତ୍ନଗିରିର ଦୂରତା ଏଠୁଁ ପ୍ରାୟ ଦୁଇତିନି କିଲୋମିଟର । ରତ୍ନଗିରିକୁ ଲାଗି ରତ୍ନଗିରି ମୌଜା...ତା’ ପୂର୍ବରୁ ‘ରାଉତ ସାହି’...ଏ ଉପନ୍ୟାସରେ ‘ରାଉତ ରାୟପୁର’ ବୋଲି ବର୍ଣ୍ଣିତ ।

 

ବ୍ରାହ୍ମଣୀ ଏପାରିରେ ରାମଚନ୍ଦ୍ରପୁର......ସେପାରିରେ ରାମପୁର, ହାଟସାହି ଓ ମୁଜାଫର୍‍ପୁର ଇତ୍ୟାଦିକୁ ନେଇ ବାରଗାଁ । ବାରଗାଁ ଭିତର ଦେଇ ରତ୍ନଗିରି ଚାଲିଲୁ ।

 

ଜାଣିବା ଶୁଣିବା ଲୋକେ କହନ୍ତି ରତ୍ନଗିରିର ଖୋଦନ କାର୍ଯ୍ୟ ପ୍ରଥମେ ଆରମ୍ଭ ହୋଇଥିଲା । ୧୯୫୨ରେ....ଭାରତ ସରକାରଙ୍କର ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏ ଦାୟିତ୍ୱରେ ଥିଲେ ଶ୍ରୀଯୁକ୍ତା ବେଲାରାଣୀ ମିତ୍ର ।

 

ବରି–ରାମଚନ୍ଦ୍ରପୁରର ଶ୍ରମିକମାନଙ୍କଠାରୁ ଶୁଣାଯାଏ ଯେ ଖନନ କାଳରେ ଏକ କଉଡ଼ି-ପାତ୍ର ମଧ୍ୟରୁ ଶୁଦ୍ଧ ସୁବର୍ଣ୍ଣ ନିର୍ମିତ ଏକ ବୁଦ୍ଧମୂର୍ତ୍ତି ବାହାରିଥିଲା ।

ଏ ଖୋଦନ ଓ ଏହାର ପରବର୍ତ୍ତୀ ଖୋଦନ, ଓଡ଼ିଶା–ଇତିହାସର ଏକ ବିଡ଼ମ୍ୱିତ ଅଧ୍ୟାୟକୁ ଲୋକଲୋଚନକୁ ଆଣିଥିଲା । ଖନନ ପୂର୍ବରୁ ଗାଈଆଳ ପିଲାମାନେ ରତ୍ନଗିରି ବେଢ଼ାର ମଧ୍ୟଦେଶରେ ଥିବା ଅଙ୍ଗନକୁ ରାଣୀହଂସପୋଖରୀ ଏବଂ କଡ଼ରେ ଥିବା ପ୍ରାଚୀରକୁ ଏହାର ହୁଡ଼ା ବୋଲି କହୁଥିଲେ । ଥରେ ପ୍ରବଳ ଝଡ଼ତୋଫାନ ଓ ବର୍ଷା ପରେ ସେମାନେ ଏଇ ହୁଡ଼ାରୁ ଭୂଗର୍ଭରେ ବହୁକାଳ ପୋତି ହୋଇ ରହିଥିବା ସ୍ଵର୍ଣ୍ଣମୁଦ୍ରା ପାଇ ପୋଲିସ୍ ଜିମା ଦେଇଥିଲେ ।

ମୋଟକଥା, ଭଙ୍ଗାରୁଜା ସ୍ତୂପ ମଧ୍ୟରୁ ବାହାରିଥିବା ପ୍ରାଚୀନ ଭାସ୍କର୍ଯ୍ୟ ମଧ୍ୟରେ ଧ୍ୟାନଗମ୍ଭୀର ବୁଦ୍ଧଙ୍କର ପ୍ରକାଣ୍ଡକାୟ ମୂର୍ତ୍ତି, ଅଶ୍ୱାରୋହୀ ସୈନ୍ୟ, ମୟୂର ଓ ସିଂହ ତଥା ବଜ୍ରଯାନକାଳୀନ ଯୌନ ସମ୍ଭୋଗଭିତ୍ତିକ ଚିତ୍ରଗୁଡ଼ିକ ଉଲ୍ଲେଖଯୋଗ୍ୟ ।

ନୀଳ ପଥରରେ ନିର୍ମିତ ରତ୍ନଗିରିର ମୁଖ୍ୟ ତୋରଣର ସୂଚୀକଳା କୋଣାର୍କର ଶିଳ୍ପଭାସ୍କର୍ଯ୍ୟ ସହିତ ତୁଳନୀୟ ।

ରତ୍ନଗିରିସ୍ଥିତ ମହାଭୈରବ ମନ୍ଦିର ଏ ଯୁଗରେ ମହାକାଳୀ ମନ୍ଦିର ରୂପେ ଚିହ୍ନିତ । ପ୍ରତିବର୍ଷ ପଣାସଂକ୍ରାନ୍ତି ଦିନ ଏଠାରେ ଏକ ମେଳା ହୁଏ...ବେଶ୍ ଜନସମାଗମ ଘଟେ ।

ରତ୍ନଗିରିର ବୌଦ୍ଧକୀର୍ତ୍ତି ଦର୍ଶନରେ ମୁଁ ସେଦିନ ତନ୍ମୟ ହୋଇଉଠିଥିଲି । ଭଙ୍ଗାରୁଜା ଓ ଦରଭଙ୍ଗା ମୂର୍ତ୍ତିଗୁଡ଼ିକରେ ହାତ ବୁଲାଇ ବିହ୍ୱଳ କଣ୍ଠରେ ମୁଁ ସେଦିନ ମୂକ, ମୌନ ଓ ତନ୍ଦ୍ରାଚ୍ଛନ୍ନ ଶିଳାକୁ ପଚାରିଚାଲିଥିଲି–“ପାଷାଣ ତୁମେ କହ......"

ମୋର ଏ ପାଗଳାମିରେ ବନ୍ଧୁ ସୁରେନ୍ଦ୍ରବାବୁ ହସିଉଠିଥିଲେ । ତଥାପି ମୁଁ ସେଦିନ ନିରାଶରେ ଫେରି ନ ଥିଲି ।

ପାଷାଣ ମୋତେ କହିଥିଲା ରତ୍ନଗିରିର ରୂପକଥା......ଯାହା ମଧ୍ୟରେ ଲୁଚିରହିଛି ପ୍ରାୟ ହଜାର ବର୍ଷ ତଳର ଇତିହାସ ।

ଅବଶ୍ୟ ଇତିହାସ ଏଠି ତନ୍ଦ୍ରାତୁର, ବିମିଶ୍ର...କଳ୍ପନା, କିମ୍ବଦନ୍ତୀ, ରୂପକଥା, ଉପକଥା ଓ ନୀରୋଳ ଐତିହ୍ୟର ମିଶାମିଶି ରୂପ......ଏହାର ତନ୍ଦ୍ରା ଭାଙ୍ଗିବାକୁ ପ୍ରୟାସ କରାଯାଇଥିଲେ ମଧ୍ୟ ଏଠି କିମ୍ବଦନ୍ତୀର ବସୁକଳ୍ପଙ୍କ ରାହା ଧରି ଆସିଛନ୍ତି କାଳ୍ପନିକ ବୈରିଗଞ୍ଜନ, ଅମିତାଭ, ସମର, ବସୁଧାରା, ରତ୍ନମଞ୍ଜରୀ ଓ ଆଉମାନେ......

ଇତିହାସର ଢୁଆ ଧରି ଦେଖାଯାଇଛି ଭୌମକର ଓ ଶୈଳୋଦ୍‍ଭବମାନଙ୍କର ରାଜତ୍ୱକାଳୀନ ଧର୍ମଧାରା, ବହୁ ପଦପଦବୀ, ବିଧିବିଧାନ ଓ ଶାସନ ତଥା ସଙ୍କଟର...କେତୋଟି ଚିତ୍ର......

ଖ୍ରୀଷ୍ଟୀୟ ନବମ ଶତାବ୍ଦୀର ଅର୍ଦ୍ଧପାଦରୁ ପ୍ରାୟ ଦଶମ ଶତାବ୍ଦୀ ମଧ୍ୟରେ ଏ ଉପନ୍ୟାସର ସମୟ ସୀମାବଦ୍ଧ । ଐତିହାସିକ ଉପନ୍ୟାସ ହେଲେ ମଧ୍ୟ ଇତିହାସ ଏଠି ଅବବାହିକା.....କଳ୍ପନା ହିଁ ପ୍ରବାହ ।

ଇତିହାସର ପଦଚିହ୍ନିକୁ ଏଠି ଚିହ୍ନାଇ ଦେବା ଆବଶ୍ୟକ ପଡ଼େ ନାହିଁ । ତାହା ଟୀକାଟିପପ୍‍ଣୀ ନିରପେକ୍ଷ......ସ୍ୱତଃସ୍ଫୂର୍ତ୍ତ । ଉପନ୍ୟାସର ଅଙ୍ଗ ଓ ଆତ୍ମାରେ ଛାଏଁ ଛାଏଁ ଧରାଦିଏ......ଓଡ଼ିଆ ଇତିହାସରେ ଅବହିତ ଯେ କେହି ବ୍ୟକ୍ତିର ସମ୍ମୁଖକୁ ଆସେ ବିୟୋଗାନ୍ତକ ପର୍ବର ଛାୟା ଠେଲି ଠେଲି ।

 

‘ଇତିହାସର ତନ୍ଦ୍ରାଭଙ୍ଗ’ର ଏହା ହିଁ ନେପଥ୍ୟ ସଙ୍ଗୀତ......ଚାରିବର୍ଷ ତଳେ ଏହାର ସ୍ୱରସାଧନା... । ଏବେ ଏହାର ଶେଷମୂର୍ଚ୍ଛନା......ବର୍ଷ ବର୍ଷର ବ୍ୟବଧାନ, ଏହାର ‘ସ୍ଥାୟୀ’ ଓ ‘ଅନ୍ତରା’କୁ ଅସଂଲଗ୍ନ କରି ନାହିଁ ବୋଲି ଭରସା ।

 

ଶେଷରେ ମୋ ଝିଅ ‘ଶେଲୀ’କୁ......ନେପଥ୍ୟ ସଙ୍ଗୀତରୁ ମୁଁ ବାଦ ଦେଇପାରୁ ନାହିଁ । ତା’ ହାତରେ ଏ ଉପନ୍ୟାସଟିର ପାଣ୍ଡୁଲେଖ ପ୍ରସ୍ତୁତି...ମୋର ଅଧିକାଂଶ ଲେଖାର ପାଣ୍ଡୁଲିପି ପରି ତାକୁ ବହୁତ ଜଞ୍ଜାଳରେ ପକାଇଛି । ତାକୁ ମୋର ଆଶିଷ ଦେଉଛି...ସାହିତ୍ୟ–ସେବାରେ ତା’ ଦିନ ବିତୁ......ରତ୍ନଗିରିର ଆତ୍ମ–ସଙ୍ଗୀତରେ ସେ ବୁଝୁ ଏ ଦେଶ ଓ ଏ ଜାତିର ଗୌରବ ଗୀତିକା......

 

ଲେଖକ

 

॥ ଏକ ॥

 

ଚଇତର କଅଁଳ ପାହାନ୍ତି । ସୁଲୁସୁଲୁ ପବନରେ ଦେହ ଉଲୁସି ଉଠୁଥାଏ । କୁଆଁତାରାକୁ ଚାହିଁ ସେ ଦୁହେଁ ଘୋଡ଼ା ଛୁଟାଇ ଚାଲିଥାନ୍ତି । ଆଜି ରତ୍ନମଞ୍ଜରୀଙ୍କର ଅଶ୍ଵର ଗତି ମନ୍ଥର । ସେ ପଛରେ ପଡ଼ିଯାଇଥିଲେ । ନିଜ ଅଶ୍ଵଟିର ଲଗାମ୍ କଷି ସମର ସିଂହ ତାଙ୍କୁ ଅପେକ୍ଷା କରୁଥିଲେ ।

 

ରତ୍ନମଞ୍ଜରୀ ପାଖେଇ ଆସିଲେ । ତାହାଙ୍କର ଅଳସ ଆଖିପତା ନିଦରେ ଭାରୀ ହୋଇ ଉଠୁଥାଏ । ହାତର ଲଗାମ୍ ମଧ୍ୟ କୋହଳ । ଆଶ୍ୱର ଗତିରେ ଶିଥିଳତା ପ୍ରକାଶ ପାଇଥାଏ ।

 

ହସି ହସି ତାଙ୍କୁ ସେ ବିଷୟରେ ସତର୍କ କରାଇଦେଲେ ସମର ସିଂହ । ଲାଜୁରା ହୋଇ ଲଗାମ୍ ଭିଡ଼ି ଧରିଲେ ରତ୍ନମଞ୍ଜରୀ ।

 

“ନା, ପଡ଼ିଯିବାର କୌଣସି ଭୟ ନାହିଁ । ଅଶ୍ଵଟି ମୋର ଖୁବ୍ ପ୍ରଭୁ ଭକ୍ତ । ଚାଲନ୍ତୁନା ଏଥର ! କ’ଣ ଏତିକିରେ ଥକିପଡ଼ିଲେ ? ପିତାମାତାଙ୍କଠାରୁ ଅନୁମତି ନେଇ ମୁଁ ନବରରୁ ବାହାରିଲାବେଳେ ଦେବୀ–ପୀଠକୁ ଯିବି ବୋଲି କହିଆସିଛି । ତେଣୁ ଆମକୁ ଯେକୌଣସିମତେ ଉଲ୍ଲାସିନୀଗିରି ପର୍ଯ୍ୟନ୍ତ ଯିବାକୁ ହେବ ।”

 

ଏଥରକ ଆହୁରି ଜୋର୍ ରେ ହସି ଉଠିଲେ ସମର ସିଂହ । କିଛି ବୁଝି ନ ପାରି ଅଧିକ ଲାଜୁରା ହେଲେ କୁମାରୀ ।

 

ଉଲ୍ଲାସିନୀ ଗିରି ଯେ ଛାଡ଼ିଆସିଲେ ! ଆଗକୁ ପୁଷ୍ପଗିରି ବିହାର । ଲଳିତଗିରି ଓ କୋହ୍ଲଣଗିରି କୁହେଳୀର ଝୀନ ପରଦା ତଳୁ ହାତ ହଲାଇ ଆମକୁ ଡାକ ଦେଉଛନ୍ତି !

 

“ଆମକୁ ନୁହେଁ ଯେ ତୁମକୁ, ତୁମପରି ବହୁ ପଥହରା ପଥିକଙ୍କୁ”–ଦୁଷ୍ଟାମିର ହସ ହସି କହି ଉଠିଲେ ରତ୍ନମଞ୍ଜରୀ ।

 

–ଆଉ ମଧ୍ୟ ତୁମ ପରି ବହୁ କୁମାରୀଙ୍କୁ–ଉତ୍ତର ଦେଲେ ସମର ସିଂହ ।

 

ଉଭୟ ଅଶ୍ୱରୁ ଅବତରଣ କଲେ । ଅଶ୍ଵ ଦୁଇଟିକୁ ନିକଟସ୍ଥ ଦୁଇଟି ବୃକ୍ଷରେ ବାନ୍ଧି ଦୁହେଁ ବିମୁଗ୍‌ଧ ଦୃଷ୍ଟିରେ କିଛିକ୍ଷଣ ପାଇଁ ପାହାନ୍ତି ଆକାଶକୁ ଚାହିଁ ରହିଲେ । ଦେବୀ ଉଲ୍ଲାସିନୀଙ୍କର ପ୍ରାତଃ ଉପାସନାର ଘଣ୍ଟଘଣ୍ଟା ଓ ଶଙ୍ଖଧ୍ୱନୀ ପବନ ଦୋଳାରେ ଭାସି ଆସୁଥାଏ । ସକାଳ ହେବାକୁ ତଥାପି ଅନେକ ସମୟ ବାକି ।

 

–‘ଆଃ, ପରମ ପବିତ୍ର ଏ ତାନ’–ତନ୍ମୟ ଚିତ୍ତରେ କହି ଉଠିଲେ ସମର ସିଂହ ।

 

“ଆଉ ପରମ ପବିତ୍ର ଏ ବେଳା”–ତାଙ୍କ କଥାର ପ୍ରତିଧ୍ୱନି ଦେଲେ ରତ୍ନମଞ୍ଜରୀ ।

 

“ମନେଥିବ ରତ୍ନ, ଜନ୍ମେଜୟଙ୍କ ସହିତ ଦୀର୍ଘକାଳ ଯୁଦ୍ଧ କରି କରି ଠିକ୍ ଏଇ ବେଳାରେ ଆମେ ବିଜୟୀ ହୋଇଥିଲୁ । ନିଶାକାଳ ହୋଇଥିଲେ ମଧ୍ୟ ସେଦିନ ଯୁଦ୍ଧ ବନ୍ଦ ହୋଇନଥିଲା । ମହାରାଜାଧିରାଜ ବସୁକଳ୍ପଙ୍କର ଆଦେଶରେ ଆମ୍ଭମାନଙ୍କର ବିଜୟ–ଘୋଷଣା ପ୍ରଚାରିତ ହୋଇଥିଲା ଏହି ମହାମାୟାଙ୍କର ପୀଠରୁ ?

 

–ହଁ, ଠିକ୍ ମନେପଡ଼ିଛି କୁମାର ! ଏ ଅକାଳୀ ଯୁଦ୍ଧରେ କ୍ଷତବିକ୍ଷତ ହୋଇ ତୁମେ ପୁଷ୍ପଗିରିର ପାଦଦେଶରେ ମୂର୍ଚ୍ଛା ଯାଇଥିଲ । ସଖୀ ବସୁଧାରାଙ୍କର ଅନୁରୋଧରେ ମୁଁ ନେଇଁଥିଲି ତୁମକୁ ବଞ୍ଚାଇବାର ଭାର ।

 

“ସଖୀ ବସୁଧାରା ?” –ଶିହରି ଉଠିଲେ ସମର ସିଂହ । ସତେ ଯେପରି ସେ ନାମଟି ଶୁଣିବାକୁ ସେ ଆଦୌ ପ୍ରସ୍ତୁତ ନଥିଲେ ।

 

–ନା, ନା, ମୁଁ ମୋର ସ୍ଵଇଚ୍ଛାରେ–କଥାର ସୂତ୍ର ବଦଳାଇ ନିଜ ଭୁଲ ନିଜେ ସଂଶୋଧନ କଲାପରି କହି ଉଠିଲେ ରତ୍ନମଞ୍ଜରୀ ।

 

ସମର ସିଂହ ଆଶ୍ୱସ୍ତ ହେଲେ । କିନ୍ତୁ ନିଜ କଥାରେ ନିଜେ କିପରି ଅପ୍ରତିଭ ହୋଇ ଉଠୁଥିଲେ ରତ୍ନମଞ୍ଜରୀ । ସମର ସିଂହଙ୍କର ଦେହର ଅନାବୃତ ଅଂଶରେ ଦେଖାଯାଉଥିବା ଦୁର୍ଦ୍ଦିନର ସେ କ୍ଷତଚିହ୍ନଗୁଡ଼ିକୁ ସେ ଏକଲୟରେ ଅନାଇ ରହିଥିଲେ । ସତେ ଅବା ସେ ଆଜି ନୂଆକରି ଦେଖୁଛନ୍ତି ସେ କ୍ଷତ ଚିହ୍ନଗୁଡ଼ିକୁ । ରାଜବାଟୀର ତୂଳୀତଳ୍ପରେ ନିଦ୍ରାହୀନା କେଉଁ ସୁକୁମାରୀ ବସୁଧାରାଙ୍କର ଆତ୍ମାକୁ ସେ ଆବିଷ୍କାର କରୁଥିଲେ ପ୍ରତି କ୍ଷତି ଚିହ୍ନର ଅନ୍ତରାଳରେ ।

 

–କ’ଣ ଦେଖୁଛ ?

 

‘ନା କିଛି ନାହିଁ, ସେସବୁ ମୋର ପାଗଳାମି’–ସଂତର୍ପିତ କଣ୍ଠରେ ଉତ୍ତର ଦେଲେ କୁମାରୀ ।

 

–ପାଗଳାମି ! ରତ୍ନଗିରିର ମହାସାମନ୍ତଙ୍କର କନ୍ୟା ରତ୍ନମଞ୍ଜରୀଙ୍କର ? କାହିଁ, ଏହା ତ ମୁଁ ବିଶ୍ଵାସ କରିପାରୁନାହିଁ ।

 

“–ମହାସାମନ୍ତଙ୍କର କନ୍ୟା ହେଲେ ମଧ୍ୟ ମୁଁ ମନୁଷ୍ୟ । ତେଣୁ ମନୁଷ୍ୟପାଇଁ ମନୁଷ୍ୟର ପାଗଳାମି ରହିବ ହିଁ ରହିବ ।”

 

–କିଏ ସେହି ଭାଗ୍ୟବାନ, ଯାହାପାଇଁ ତୁମର ଏ ପାଗଳାମି ?

 

“ଭାଗ୍ୟବାନ ନୁହେଁ ଭାଗ୍ୟବତୀ । ତେବେ ଛାଡ଼ନ୍ତୁ ସେ କଥା । ରାତି ପାହି-ଆସିଲା ପରି । ଦେବୀ ଦର୍ଶନ କରି ଆମେ ଶୀଘ୍ର ଗଡ଼କୁ ଫେରିଯିବା । ରତ୍ନମଞ୍ଜରୀ ଖୁବ୍ ବିଷଣ୍ଣ ଭାବେ ଏତକ କହିଦେଇ ଯିବାପାଇଁ ପ୍ରସ୍ତୁତ ହୋଇପଡ଼ିଲେ ।

 

ଅଶ୍ଵ ଦୁଇଟିକୁ ଫିଟାଇ ଆଣୁ ଆଣୁ ସମର ସିଂହ କୁମାରୀଙ୍କର ମୁଖମଣ୍ଡଳକୁ ଲକ୍ଷ୍ୟ କରୁଥିଲେ । ତହିଁରେ ପୂର୍ବର ଉଲ୍ଲାସ ନାହିଁ, କିପରି ଏକ ଉଦାସୀନତା–ନିରାଶାର ମଝି ଦରିଆରେ ବିପର୍ଯ୍ୟସ୍ତ ନାବିକର ବିକଳ ଭାବ ।

 

ତାହାଙ୍କର ଏ ଆକସ୍ମିକ ଭାବାନ୍ତରର କାରଣ ବୁଝି ପାରୁ ନ ଥିଲେ ସେ । ତଥାପି ତାଙ୍କର ମନ ପରିବର୍ତ୍ତନ କରିବା ଲାଗି ସେ କହି ଉଠିଲେ–“କ୍ଷମା କରିବେ କୁମାରୀ‍ ! ମୁଁ ବୋଧହୁଏ ମୋ ଅଜ୍ଞାତରେ ତୁମ ମନରେ କିଛି ଆଘାତ ଦେଇଛି ।”

 

ସମର ସିଂହଙ୍କର ଏ ଅନୁଯୋଗରେ ମୁହୂର୍ତ୍ତକ ପାଇଁ ସବୁ କିଛି ବିସ୍ମୃତ ହେଲା ପରି ଅନୁଭବ କଲେ ରତ୍ନମ‍ଞ୍ଜରୀ । ତଥାପି ତାଙ୍କର ମୁଖରୁ ଅବସାଦର ମେଘ କଟି ନ ଥାଏ ।

 

–ସେପରି କାହିଁକି ଭାବୁଛନ୍ତି କୁମାର ? ପ୍ରାତଃଦର୍ଶନର ବେଳ ଗଡ଼ିଯାଉଥିବାରୁ ମୁଁ ବ୍ୟଗ୍ର ।

 

କୁମାରୀଙ୍କର ଏ ଉତ୍ତରରେ ସମର ସିଂହ ସନ୍ତୁଷ୍ଟ ହୋଇପାରିଲେ ନାହିଁ । ଶୂନ୍ୟ ହୃଦୟରେ ସେ ତାଙ୍କୁ ଅନୁସରଣ କଲେ । ଅଶ୍ଵଦୁଇଟି କଦମ୍ କଦମ୍ ପକାଇ ଆଗେଇ ଯାଉଥିଲେ ଉଲ୍ଲାସିନୀ ଗିରିଆଡ଼େ ।

 

।। ଦୁଇ ।।

 

ସମ୍ମୁଖରେ ଉଲ୍ଲାସିନୀ ଗୁମ୍ଫା ।

 

ଡାକନାମ ଓଳାସୁଣୀ । ଦେବୀଙ୍କ ମଣ୍ଡପ ତଳୁ ଝରଣାଟିଏ ଝରି ଆସି ତଳର ଏକ ଛୋଟ ନଈରେ ମିଶିଯାଇଛି । ମଣ୍ଡପ ଚୌଦିଗରେ ବିଶେଷ କିଛି ଗଛପତ୍ର ନ ଥିଲେ ବି ମଣ୍ତପ ପଛର ବରଗଛଟି ମଣ୍ତପଟିକୁ ତିନିଦିଗରୁ ଘୋଡ଼ାଇ ରଖିଛି । ମଣ୍ତପ ସାମ୍ନାର ମାଳତୀ ଗଛଟି ଲତାପତ୍ର ମେଲାଇ ବରଗଛକୁ ଲଟାଇ ଯାଇ ଦେବୀଙ୍କର ମଥା ଉପରେ ସୃଷ୍ଟି କରିଛି ଡାଳପତ୍ରର ଏକ ସୁଦୃଶ୍ୟ ଆସ୍ତରଣ । ବର୍ଷାଦିନେ ଏଇ ଆସ୍ତରଣଟି ଫୁଲରେ ଭାରି ହୋଇ ଦେବୀଙ୍କ ପାଦରେ ଫୁଲର ପସରା ଉଝାଇ ଦିଏ ।

 

ସର୍ବମଙ୍ଗଳା ଉଲ୍ଲାସିନୀଙ୍କର ନାମ ଏ ଅଞ୍ଚଳରେ ସୁବିଦିତ । ରତ୍ନଗିରିରେ ରାଜପଣ କରୁଥିବା ଭୌମକର ବଂଶର ମାନନୀୟା ଦେବୀ, ମହାମାୟା ଭୈରବୀ ସେ । ବୌଦ୍ଧଧର୍ମ ପତନର କିଞ୍ଚିତ୍ ପୂର୍ବରୁ ଓଳାସୁଣୀର ଶୂନ୍ୟ ଗୁମ୍ପାର ବହୁ ଊର୍ଦ୍ଧ୍ୱରେ ଉଲ୍ଲାସିନୀଙ୍କର ମଣ୍ଡପ ଗଢ଼ି ଉଠିଥିଲା । ଭୌମକରମାନେ ବୌଦ୍ଧ ଥିଲେ ହେଁ ଶୈବ ଓ ଶାକ୍ତମତର ପ୍ରସାର ତାଙ୍କ ରାଜ୍ୟରେ ନିଷିଦ୍ଧ ନ ଥିଲା । ସେମାନଙ୍କର ପ୍ରେରଣାରେ ଲଳିତଗିରି, ରତ୍ନଗିରି ଏବଂ କୋହ୍ଲଣଗିରିରେ ପ୍ରଖ୍ୟାତ ବୌଦ୍ଧବିହାର ପୁଷ୍ପଗିରି ବ୍ୟତୀତ ବନ୍ଦରେଶ୍ୱରଠାରେ ଈଶ୍ୱର–ମୂର୍ତ୍ତି ଓ ଉଲ୍ଲାସିନୀଗିରିରେ ଦେବୀ ମହାଭୈରବୀଙ୍କର ମୂର୍ତ୍ତି ସ୍ଥାପିତ ହୋଇଥିଲା । ଓଡ଼ିଶାର ପଶ୍ଚିମାଂଶରେ ରାଜତ୍ୱ କରୁଥିବା ସୋମବଂଶୀମାନେ ବୌଦ୍ଧଧର୍ମର ବିରୋଧୀ ଥିବାରୁ ସେମାନଙ୍କର ଲୋଲୁପ ଦୃଷ୍ଟି ବାରମ୍ବାର ପଡ଼ୁଥିଲା ପୁଷ୍ପଗିରି ଉପରେ । ବୌଦ୍ଧମତକୁ ନିଶ୍ଚିହ୍ନ କରିବା ଲାଗି ସେମାନେ କଳିଙ୍ଗ, କଙ୍ଗୋଦ ଓ ଉତ୍କଳରେ ପରିବ୍ୟାପ୍ତ ବସ୍ତୁକଳ୍ପଙ୍କ ରାଜ୍ୟକୁ ବାରମ୍ବାର ଆକ୍ରମଣ କରୁଥିଲେ । ତେଣୁ ପୁଷ୍ପଗିରି ଓ ଉଲ୍ଲାସିନୀ–ପୀଠ ଭୌମକରମାନଙ୍କର ଅପ୍ରତିଦ୍ୱନ୍ଦ୍ୱୀ ବୀରତ୍ୱର ମୂକସାକ୍ଷୀ ସ୍ୱରୂପ ବିଦ୍ୟମାନ ଥିଲା ।

 

ସମର ସିଂହ ଓ ରତ୍ନମଞ୍ଜରୀ ସେପାନ ପରେ ସୋପାନ ଅତିକ୍ରମ କରି ଦେବୀ ମଣ୍ଡପ ନିକଟରେ ପହଞ୍ଚିଲେ । ଉଭୟେ ଦେବୀଙ୍କୁ ପ୍ରଣିପାତ କଲେ । ସେବାୟତମାନେ ତାଙ୍କୁ ଦୋ’ ଦୋ’ ଚିହ୍ନା ହେଉଥିଲେ ମଧ ରତ୍ନଗିରିର ଯୁବରାଜ ଓ ଯୁବରାଜ୍ଞୀ ଭାବି ଠାକୁରାଣୀଙ୍କର ଛଡ଼ାଫୁଲ ଓ ସିନ୍ଦୂର ଦେଇ ଆଶୀର୍ବାଦ କଲେ ।

 

ସର୍ପିଳ ଗତିରେ ଉପରକୁ ଉଠିଥିବା ସୋପାନ ଶ୍ରେଣୀ ଅତିକ୍ରମ କରି ତଳକୁ ଫେରୁଥିବା ବେଳେ ତଳେ ବନ୍ଧା ହୋଇଥିବା ଅଶ୍ୱ ଦୁଇଟି ଥରେ ଥରେ ସମର ସିଂହଙ୍କର ଦୃଷ୍ଟିପଥରେ ପଡ଼ିଯାଉଥିଲେ । ଅପଲକ ନେତ୍ରରେ ସେମାନେ ସେମାନଙ୍କର ଆରୋହୀ ଏବଂ ଆରୋହିଣୀଙ୍କୁ ଚାହିଁ ରହିଥିଲେ । ସମର ସିଂହ ଦେଖାଇଦେଲେ–“ଦେଖନି ରତ୍ନ ! ଆମର ଏ ଅଶ୍ଵଦୁଇଟିକୁ–କେଡ଼େ ପ୍ରଭୁଭକ୍ତ ଓ କୃତଜ୍ଞ ସେମାନେ, ଆଉ........କ’ଣ ଭାବି ତୁଣ୍ଡର କଥା ତାଙ୍କର ତୁଣ୍ଡରେ ଅଟକିଥିଲା । ଦୀର୍ଘନିଶ୍ୱାସଟିଏ ଛାଡ଼ି ସୋପାନ ତଳକୁ ଅବତରଣ କଲେ ରତ୍ନମଞ୍ଜରୀ ।

 

“ଆଉ........ ?” ସମର ସିଂହଙ୍କର ଦୃଷ୍ଟି ପ୍ରଶ୍ନିଳ । –ସବୁ ‘ଆଉ’ର କ’ଣ ଉତ୍ତର ଥାଏ, କୁମାର, ନା, ସବୁ ଅକୁହା କଥା କ’ଣ କହିହୁଏ ?”–

 

ରତ୍ନମଞ୍ଜରୀଙ୍କର ଏ ଉତ୍ତରରେ ବିସ୍ମିତ ହେଲେ ସମର ସିଂହ । ଆଜିର ପ୍ରତି କଥାରେ କ୍ରମେ କ୍ରମେ କିପରି ଦୁର୍ବୋଧ୍ୟ ହୋଇ ଉଠୁଥିଲେ ସେ ।

 

ତାଙ୍କଠାରୁ ଅଧିକ ଉତ୍ତର ଆଶା ନ କରି ସେ ଧୀରେ ଧୀରେ ତାଙ୍କ ସଙ୍ଗତରେ ତଳକୁ ଓହ୍ଲାଇ ଆସିଲେ । ତଳେ ପହଞ୍ଚିଲାବେଳକୁ ସକାଳ ସୂର୍ଯ୍ୟର ସୁନେଲୀ କିରଣ ଗଛପତ୍ରରେ ଭଳିଭଳିର କୁହୁକ ଲଗାଇ ଦେଇଥାଏ ।

 

॥ ତିନି ॥

 

ଉଲ୍ଲାସିନୀଗିରିରୁ ଫେରିବାର ଦିନ । ସମର ସିଂହଙ୍କର ମନ କି ଏକ ଅହେତୁକ ଅବସାଦରେ ଭରିଯାଇଥାଏ । ମହାସନ୍ଧି ବିଗ୍ରହୀ ବୈରୀଗଞ୍ଜନ ବସୁକଳ୍ପଙ୍କ ଦରବାରର ଏକ ଜରୁରୀ ଅଧିବେଶନରେ ଯୋଗଦେବା ପାଇଁ ରତ୍ନଗିରି ଦରବାର ଲୋକାରଣ୍ୟ । ବନ୍ଦରେଶ୍ୱର, କୁଶପୁର, ରତ୍ନଗିରି, ରାଉତରାୟର, ଅମଠପୁର, କମ୍ପଗଡ଼ ଓ ଇନ୍ଦୁପୁର ପ୍ରଭୃତି ଖଣ୍ତାୟତ ଚୌପାଢ଼ୀର ସାମନ୍ତମାନେ ଏଠି ଉପସ୍ଥିତ ଥାଆନ୍ତି । ସଭିଙ୍କ ମନରେ ସେଇ ଗୋଟିଏ ଆଶଙ୍କା–ଜନ୍ମେଜୟ ପୁଣି ହୁଏତ ଆକ୍ରମଣର ଆହ୍ୱାନ ଦେଇଛନ୍ତି । ରାଉତରାୟପୁରର ଶ୍ରୀ ସଦାଶିବ ମହାସାମନ୍ତ ପ୍ରଥମେ ଆରମ୍ଭ କଲେ–

 

–ମହାରାଜାଙ୍କର ଏ ଜରୁରୀ ଆହ୍ୱାନର କାରଣ ଅବଗତ ହେବାକୁ ଉପସ୍ଥିତ ସାମନ୍ତ ଓ ଖଣ୍ତାୟତ ମହାନାୟକମାନଙ୍କ ସହିତ ମୁଁ ବିଶେଷ ଉଦ୍‌ବିଗ୍ନ । ତେଣୁ ତାହା ପ୍ରକାଶ କରିବାକୁ ଶ୍ରୀଛାମୁଙ୍କୁ ଆମେ ଅନୁରୋଧ ଜଣାଉଛୁ ।

 

“ସାଧୁ । ସାଧୁ...... !!” ମହାସାମନ୍ତଙ୍କର ଏ ଅନୁରୋଧକୁ ସାଧୁବାଦ ଜଣାଇ ଖଣ୍ତାୟତ ଦଳପତିମାନେ ସଭାଗୃହକୁ ପ୍ରକମ୍ପିତ କରିଦେଲେ ।

 

–“ହଠାତ୍ ଚୀନ୍ ପ୍ରତ୍ୟାଗତ ବୌଦ୍ଧପଣ୍ତିତ ପ୍ରଜ୍ଞାଙ୍କର ଶୁଭାଗମନର ସମ୍ୱାଦ ଲାଭ କରି ଆମ୍ଭେ ଏ ଜରୁରୀ ଅଧିବେଶନ ଆହ୍ୱାନ କରିଅଛୁଁ । ସେ ବହୁବର୍ଷକାଳ ଚୀନରେ ଅବସ୍ଥାନ କରିବା ପରେ ପୁଷ୍ପଗିରି ବିହାରରେ ଏକ ମେଳାର ଆୟୋଜନ ଲାଗି ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ପ୍ରଭୁ ତଥାଗତଙ୍କର ଚରଣ ଦର୍ଶନ ପାଇଁ ବୌଦ୍ଧାଚାର୍ଯ୍ୟ ଶୀଳଭଦ୍ର ଓ ପରିବ୍ରାଜକ ଫାହିୟାନ୍ ଏବଂ ହୁଏନ୍‍ସା ଆମ୍ଭମାନଙ୍କର ପୂର୍ବପୁରୁଷମାନଙ୍କର ରାଜତ୍ୱ କାଳରେ ଏ ବିହାରରେ ପଦାର୍ପଣ କରି ଆମ୍ଭମାନଙ୍କୁ କୃତାର୍ଥ କରିଅଛନ୍ତି । ବିଶ୍ଵବିଖ୍ୟାତ ନାଲନ୍ଦା ଓ ତକ୍ଷଶିଳା ପରେ ପୃଷ୍ପଗିରି ବିହାରର ଯେଉଁ ଗୌରବ ରହିଛି, ତାହା ଅକ୍ଷୁଣ୍ଣ ରଖିବା, ଏ ଅବକାଶରେ ଆମ୍ଭମାନଙ୍କର କର୍ତ୍ତବ୍ୟ ନୁହେଁକି ? ପାରିଷଦମାନଙ୍କୁ ଏ ବିଷୟରେ ଅବଗତ କରାଇବାକୁ ଆଜିର ଅଧିବେଶନ ଆହୂତ ହୋଇଛି ।”

ସୋମବଂଶୀମାନଙ୍କର ଆକ୍ରମଣର ଆଶଙ୍କା, ବୌଦ୍ଧପଣ୍ଡିତ ପ୍ରଜ୍ଞାଙ୍କର ଆଗମନରେ ପର୍ଯ୍ୟବସିତ ହୋଇଥିବାରୁ ବାରମ୍ବାର ରଣକ୍ଳାନ୍ତ କ୍ଷତ୍ରିୟମାନେ ଟିକିଏ ସ୍ୱସ୍ତିର ନିଃଶ୍ୱାସ ନେଲେ । ନିଶ ଓ ଗାଲମୁଛା ସାଉଁଳି ବନ୍ଦରେଶ୍ଵରର ପାଟଶାଣୀ ମହାଶୟ ପ୍ରସ୍ତାବ ଦେଲେ– “ରାଉତରାୟପୁରର (ଆଧୁନିକ ରାଉତ ସାହି) ମହା ସାମନ୍ତ ମହାଶୟ ଦୂରଦେଶାଗତ ବୌଦ୍ଧପଣ୍ଡିତଙ୍କର ଏ ଶୁଭାଗମନ ଓ ଆନୁଷଙ୍ଗିକ ବୌଦ୍ଧମେଳା ଆୟୋଜନର ମୁଖ୍ୟ ଆୟୋଜକ ରହନ୍ତୁ । ତାଙ୍କୁ ସବୁମନ୍ତେ ସାହାଯ୍ୟ କରିବାକୁ କୁଶପୁରର ବଳ, ରତ୍ନଗିରିର ଜେନା, କାଇପଡ଼ାର ଧଳ, କମ୍ପଗଡ଼ର ସିଂହ, ଅମଠପୁରର ସାମଲ ଓ ବାରଗ୍ରାମ–ଇନ୍ଦୁପୁରର ତଥା ଅଲୟାବାଦ ଚୌପାଢ଼ୀର ଶ୍ରୀସାମନ୍ତମାନଙ୍କୁ ମଧ୍ୟ ମୁଁ ଅନୁରୋଧ କରୁଛି । ଆମ୍ଭେ ବନ୍ଦରେଶ୍ଵରର ପାଟଶାଣୀମାନେ ମଧ୍ୟ ଏଥିରେ ସବୁ ପ୍ରକାର ଅଂଶଗ୍ରହଣ କରିବାକୁ ପ୍ରସ୍ତୁତ ।”

ପୁଣିଥରେ ସାଧୁ ! ସାଧୁ !! ନାଦରେ ଦରବାର ଗୃହ ମୁଖରିତ ହେଲା ।

କମ୍ପଗଡ଼ର ମହାସନ୍ଧି ବିଗ୍ରହୀ ଶ୍ରୀ ବୈରୀଗଞ୍ଜନ ସିଂହ ହାତଯୋଡ଼ି ପୁଣି କିଛି ଜଣାଇବାକୁ ଉଦ୍ୟତ ହେଉଥିଲେ । “କ’ଣ କହିବାକୁ ଚାହାନ୍ତି ପ୍ରକାଶ କରନ୍ତୁ”–ବସୁକଳ୍ପ ନିର୍ଦ୍ଦେଶ ଦେଲେ । ସଭାଗୃହ ପୁଣିଥରେ ନିଶ୍ଚଳ ହୋଇ ଆସିଲା ।

 

ମହାସନ୍ଧି ବିଗ୍ରହୀ ଶ୍ରୀ ବୈରୀଗଞ୍ଜନ ସିଂହ ବିନମ୍ର ଭାବରେ କହିଉଠିଲେ–“ଇତ୍ୟବସରରେ ଜନ୍ମେଜୟ ଯଦି ପୁଣି ଉତ୍କଳ ଆକ୍ରମଣର ଆୟୋଜନ କରନ୍ତି ?”

 

“ତାହା ମଧ୍ୟ ଅସମ୍ଭବ ନୁହେଁ । ଆମ୍ଭମାନଙ୍କର ଏହି ଅସାମାନ୍ୟ ଭାଗ୍ୟୋଦୟରେ କ୍ଷୁବ୍‌ଧ ହୋଇ ସମୁଦାୟ ଆୟୋଜନକୁ ପଣ୍ଡ କରିବାକୁ ସେ ଉଦ୍ୟମ କରିପାରନ୍ତି । “

 

କାଇପଡ଼ା, ଇନ୍ଦୁପୁର, ବାଲିଆ, ଗୋଳକୁଣ୍ଡ ଏବଂ ଅମଠପୁରର ସାମନ୍ତମାନେ ଏଥର ଉତ୍ତେଜିତ ହୋଇ ଉଠିଲେ । କ୍ରୋଧରେ ସେମାନଙ୍କର ମୁଖମଣ୍ଡଳ ଆରକ୍ତ ହୋଇ ଉଠିଲା ।

 

ଖଡ଼୍‍ଗ ଝମକାଇ ସେମାନଙ୍କ ମଧ୍ୟରୁ କେତେକ ଶପଥ କରି ଉଠିଲେ–“ସୋମବଂଶୀମାନେ ଏଥର ଆକ୍ରମଣ କଲେ ସମୁଚିତ ଶାସ୍ତି ପାଇବେ । ସେମାନଙ୍କର ଆଉ ନିସ୍ତାର ନାହିଁ । ସେମାନଙ୍କୁ ତ୍ରିକଳିଙ୍ଗର ସୀମା ପାର କରାଇ ସେମାନଙ୍କର ପିତୃଭୂମି ଶ୍ରୀପୂର (ଆଧୁନିକ ରାୟପୁର)ରେ ଛାଡ଼ି ଆସିବୁ । କାରଣ ଏ ଆକ୍ରମଣ ରାଜା ବିରୁଦ୍ଧରେ ରାଜାର ବା ଧର୍ମ ବିରୁଦ୍ଧରେ ଧର୍ମର ନୁହେଁ । ସମଗ୍ର କଳିଙ୍ଗ ଓ ଉତ୍କଳର ମାନରକ୍ଷା ଲାଗି ଏ ହେବ ଆମ୍ଭମାନଙ୍କର ଶେଷ ଅଭିଯାନ । ବୃହତ୍ ପୁଷ୍ପଗିରି ବିହାର କେବଳ ତ୍ରିକଳିଙ୍ଗର ଗୌରବ ନୁହେଁ; ଏହା ସମଗ୍ର ଏସିଆ ତଥା ପୃଥିବୀର ସମ୍ପଦ । ସୁତରାଂ ମହାମାନ୍ୟ ବୌଦ୍ଧ ଭିକ୍ଷୁ ‘ପ୍ରଜ୍ଞା’ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ରାଜ୍ୟର ସମ୍ମାନିତ ଅତିଥି । ତାଙ୍କ ଆଗମନରେ ସାମାନ୍ୟତମ ବିଘ୍ନ ଜନ୍ମାଇବାର ପ୍ରୟାସ କଲେ, ଆମ୍ଭେମାନେ ନୀରବ ଦର୍ଶକ ସାଜି ବସିରହିବୁ ନାହିଁ ।’’

 

–“ଧନ୍ୟବାଦ ! ସମ୍ପୂର୍ଣ୍ଣ ବୀରୋଚିତ ଏ ସଙ୍କଳ୍ପ !!” ସାମନ୍ତମାନଙ୍କର ଏ ସିଦ୍ଧାନ୍ତରେ ସାଧୁବାଦ ଜଣାଇ ଆସନ ଗ୍ରହଣ କଲେ ମହାରାଜ ବସୁକଳ୍ପ ।

 

ବୈରୀଗଞ୍ଜନ ଆଶ୍ଵସ୍ତ ହେଲେ । ସଭା ଭଙ୍ଗପରେ ମହାବଳାଧିକୃତ (ମୁଖ୍ୟ ସେନାପତି)ଙ୍କୁ ଚାଟ (ସାମୟିକ ସୈନ୍ୟ), ଭଟ (ସ୍ଥାୟୀ ସୈନ୍ୟ) ଓ କୁଟକୋଳ (ଦୁର୍ଗସ୍ଥିତ) ସେନା)ମାନଙ୍କୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇ ସେ ରତ୍ନଗିରିରୁ ବିଦାୟ ନେଲେ ।

 

॥ ଚାରି ॥

 

ରତ୍ନଗିରିରୁ କମ୍ପଗଡ଼ । ଅଶ୍ଵପୃଷ୍ଠରେ ନିମିଷକର ପଥ । ତେଣୁ ବୈରୀଗଞ୍ଜନ ଖୁବ୍ ଶୀଘ୍ର କମ୍ପଗଡ଼ରେ ପହଞ୍ଚିଗଲେ । ଜରୁରୀ ଅଧିବେଶନର ସମ୍ୱାଦ ଡଗରମାନଙ୍କ ମୁଖରୁ ପାଇବା ମାତ୍ରେ ସାମନ୍ତମାନେ ସେମାନଙ୍କ ଅଧୀନସ୍ଥ ଆୟୁକ୍ତକ (ଜିଲ୍ଲାପାଳ ସ୍ତରୀୟ କର୍ମଚାରୀ), ଗ୍ରାମିକ, ବିଷୋୟୀ (ଗ୍ରାମର ମୁଖ୍ୟ),ପୁସ୍ତକପାଳ (ହିସାବପତ୍ର ରକ୍ଷକ/କାଗଜପତ୍ର ରକ୍ଷକ) ସ୍ଥାନାନ୍ତରିକ (ନିମ୍ନତମ ପୋଲିସ କର୍ମଚାରୀ), ରାଉତ, ମାହୁନ୍ତ ଓ ମଲ୍ଲମାନଙ୍କୁ ଜାଗ୍‍ତିଆର୍ ରହିବାକୁ ସମ୍ବାଦ ପ୍ରେରଣ କରିଥିଲେ । ଫଳତଃ ବୈରୀଗଞ୍ଜନଙ୍କ ପ୍ରତ୍ୟାବର୍ତ୍ତନ ସମୟକୁ କମ୍ପଗଡ଼ର ଚୌପାଢ଼ୀ ଜନାକୀର୍ଣ୍ଣ ହୋଇ ଉଠୁଥାଏ । ବୈରୀଗଞ୍ଜନଙ୍କର ସହାସ୍ୟ ବଦନରୁ ସମସ୍ତ ବୃତ୍ତାନ୍ତ ଶୁଣିସାରିବା ପରେ ଲୋକାରଣ୍ୟ ଟିକେ କ୍ଷୀଣ ହେବାକୁ ଲାଗିଲା ଓ ବୈରୀଗଞ୍ଜନ ସ୍ନାନ ଶୌଚ ଓ ଭୋଜନ ସମାପନ କରି ବିଶ୍ରାମ ନେବାକୁ ବାହାରିଲେ ।

 

ଶଯ୍ୟାରେ ବହୁକ୍ଷଣ ଧରି ପଡ଼ିରହିଲେ ମଧ୍ୟ ନିଦ୍ରା ଆସିଲା ନାହିଁ । ରାଜାଦେଶରେ ରତ୍ନଗିରି ଯାତ୍ରା କରୁଥିବା ସମୟରେ କୁମାର ସମର ସିଂହଙ୍କର ବିଷଣ୍ଣ ମୁଖମଣ୍ଡଳ ତାଙ୍କର ଦୃଷ୍ଟି ଏଡ଼ାଇ ପାରି ନ ଥିଲା । କିନ୍ତୁ ଏ ଵିଷୟରେ ତାଙ୍କୁ କିଛି ପ୍ରଶ୍ନ କରିବାକୁ ସେତେବେଳେ ତାହାଙ୍କର ଅବକାଶ ନ ଥିଲା । ରତ୍ନଗିରିକୁ ଫେରି ସମର ସିଂହଙ୍କର ମାନସିକ ପରିବର୍ତ୍ତନର କିଛି ସମ୍ବାଦ ପାଇବାକୁ ସେ ଆଶା ରଖିଥିଲେ । ତାହା ନ ପାଇ ଶଯ୍ୟାରେ ପଡ଼ି ଅସ୍ଥିର ହେବା ବ୍ୟତୀତ ଗତ୍ୟନ୍ତର ନ ଥିଲା । ଏକମାତ୍ର ପୁତ୍ର ସମରଙ୍କର ଏ ଦୁଃଖ ତାଙ୍କୁ ଅତିଶୟ ପୀଡ଼ା ଦେଉଥିଲା । ହେଲେହେଁ ତାଙ୍କୁ ମୁହାଁମୁହିଁ ପ୍ରଶ୍ନ କରିବାର ଶକ୍ତି ନ ଥିଲା ତାଙ୍କର । କୁମାର ସମର ଆଜିଯାଏ କେବେ ସିଧାସଳଖ ତାଙ୍କ ପାଖରେ ଠିଆ ହୋଇ ନାହାନ୍ତି । ତେଣୁ କେଉଁ ବୁଦ୍ଧିରେ ସେ ତାଙ୍କୁ ତାଙ୍କର ମାନସିକ ଅବସାଦର କାରଣ ପଚାରିବେ ? ପଚାରି ବା ଲାଭ କ’ଣ ? କୁମାର ଯଦି ତାଙ୍କର ମନର ଭାବକୁ ସମ୍ପୂର୍ଣ୍ଣ ଗୋପନ ରଖି ପିତାଙ୍କ ନିକଟରେ ମିଥ୍ୟାର ଆଶ୍ରୟ ନିଅନ୍ତି, ତାହାହେଲେ ସତ୍ୟତ ଚିରଦିନ ପାଇଁ ତାଙ୍କ ନିକଟରୁ ଗୋପନୀୟ ରହିଯିବ । ଏହିପରି ବହୁ ଅସମାହିତ ପ୍ରଶ୍ନ ଜାଲରେ କ୍ଳାନ୍ତ ଶ୍ରାନ୍ତ ହୋଇ ଉଠୁଥିଲେ ମହାସନ୍ଧି ବିଗ୍ରହୀ ବୈରୀଗଞ୍ଜନ ।

 

ଆକସ୍ମିକ ଭାବରେ ଧ୍ୟାନ ଗମ୍ଭୀର ବୋଧିସତ୍ତ୍ୱଙ୍କର ମୂର୍ତ୍ତି ତାଙ୍କର ଚକ୍ଷୁ ସମକ୍ଷରେ ଭାସି ଉଠିଲା । ‘ପ୍ରଭୁ ତଥାଗତ’ କହି ସେ ଶୂନ୍ୟମୂର୍ତ୍ତି ଉଦ୍ଦେଶ୍ୟରେ ପ୍ରଣାମ ଜଣାଇଲେ ।

 

ତାହାପରେ ବିସ୍ମୃତିର ଯବନିକା ଫିଟାଇ ଅନ୍ଧକାର ଫାଙ୍କରୁ ଝରିପଡ଼ିଲା ରାଶି ରାଶି ଆଲୋକ–

 

”ବୁଦ୍ଧଂ ଶରଣମ୍ ଗଚ୍ଛାମି

ସଂଙ୍ଘ ଶରଣଂ ଗଚ୍ଛାମି

ଧମ୍ମଂ ଶରଣଂ ଗଚ୍ଛାମି ॥”

 

କାନପାତି ଶୁଣୁଥିଲେ ବୈରୀଗଞ୍ଜନ । ବ୍ରାହ୍ମଣୀ ପବନରେ ଭାସିଆସୁଛି ସେ ଉଚ୍ଚାଟନ ବଂଶୀର ଲହର । ସେ ଲହର ମଧ୍ୟରେ ନିର୍ବିକାର କାଳ ପୁରୁଷର ଆବିର୍ଭାବ ଘଟିଲା । ତାହାର ଅଟ୍ଟହାସ୍ୟରେ ଭାଙ୍ଗିଚୂରି ଧୂଳିସାତ୍ ହୋଇଗଲା ରତ୍ନଗିରିର ଯେତେ କିଛି ଅବ୍ୟକ୍ତ ଐଶ୍ୱର୍ଯ୍ୟ । ରତ୍ନଗିରି କାନ୍ଦୁଛି । ଅଫୁରନ୍ତ ଏ ପାଷାଣ–କାବ୍ୟରୁ ଝରୁଛି ବିନ୍ଦୁ ବିନ୍ଦୁ ଲୁହ ।

 

ବିହ୍ୱଳ ହୋଇ ଉଠୁଥିଲେ ବୈରୀଗଞ୍ଜନ । ତାଙ୍କର ନୟନରୁ ଦରଦର ହୋଇ ଅଶ୍ରୁଧାର ନିଗିଡ଼ି ଆସୁଥିଲା । ସେ ବାଷ୍ପ ଗଦ୍‍ଗଦ୍ କଣ୍ଠରେ କେବଳ କହି ଚାଲିଥିଲେ–“ହେ ପାଷାଣ ତୁମେ କୁହ”–କିନ୍ତୁ ବୁଝିପାରୁ ନ ଥିଲେ ଆଜି ଆକସ୍ମିକ ଭାବରେ କାହିଁକି ତାଙ୍କର ଏ ଭାବପ୍ରବଣତା, ଏବଂ ପ୍ରଭୁ ତଥାଗତଙ୍କର ସ୍ମରଣରେ ତ୍ରିକାଳର ଏ କି ବିସ୍ମୟକର ଚିତ୍ର ଦେଖୁଛନ୍ତି ସେ । କ’ଣ ବା ହୋଇପାରେ ଏହାର ସଙ୍କେତ ??

 

ସ୍ମୃତିର ପରଦା ତଳୁ ପୁଣି ଦିଶିଯାଉଥିଲା କୁମାର ସମରେନ୍ଦ୍ରଙ୍କର କୈଶୋର ଢଳ ଢଳ ଠାଣି ଓ ଅନୁପମ କ୍ଷାତ୍ରତେଜ ।

 

ସେଦିନ ମହାବିଷୁବ ସଂକ୍ରାନ୍ତି । ରତ୍ନଗିରି ସମ୍ମୁଖସ୍ଥ ବିଶାଳ ପ୍ରାନ୍ତରରେ ଅଶ୍ଵଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହେଉଥାଏ । ରାଜ୍ୟର ବହୁ ରାଜପୁତ୍ର, ରାଜକନ୍ୟା, ସାମନ୍ତ, କୁମାରାମାତ୍ୟ, ମହାସେନାନାୟକ, ଦଣ୍ଡପାଣିକ (ମୁଖ୍ୟ ପୋଲିସ୍ କର୍ମଚାରୀ) ବିଷୟପତି, ବୃହଦ୍‌ଭୋଗୀଗଣ (ଗ୍ରାମର ପ୍ରଧାନ ଲୋକ) ରାଜାଦେଶରେ ଏଥିରେ ଯୋଗଦାନ କରିଥାଆନ୍ତି । ମହାବିଷୁବ ସଂକ୍ରାନ୍ତିକୁ ଉତ୍ସବମୟ କରିବାକୁ ଏସବୁର ବ୍ୟବସ୍ଥା କରାଯାଇଥାଏ । ଏହାର ପରିଚାଳନାର ସ୍ୱତନ୍ତ୍ର ଦାୟିତ୍ଵରେ ଥାଆନ୍ତି ସେ ନିଜେ ଏବଂ ମହାସାମନ୍ତ ଶ୍ରୀ ସଦାଶିବ । ଚୂଡ଼ାନ୍ତ ମୀମାଂସାର ଭାର ସ୍ୱୟଂ ମହାରାଜାଧିରାଜ ବସୁକଳ୍ପଙ୍କ ଉପରେ ନ୍ୟସ୍ତ ଥାଏ ।

 

ରାଜଜେମା ବସୁଧାରା ଓ ତାହାଙ୍କର ସଖୀ ରତ୍ନମଞ୍ଜରୀ ପ୍ରଥମେ ପ୍ରତିଯୋଗିତା ଆରମ୍ଭ କଲେ । କି ବିଚିତ୍ର ଗତି ! ପବନଠାରୁ ଚଞ୍ଚଳ ଓ ବିଦ୍ୟୁତ୍‍ଠାରୁ ଅଧିକ ଲାସ୍ୟମୟୀ ପାଣିରେ ଅଶ୍ୱଚାଳନା କରି ରତ୍ନମଞ୍ଜରୀ ନିର୍ଦ୍ଧାରିତ ସମୟର ବହୁପୂର୍ବରୁ ଲକ୍ଷ୍ୟ ସ୍ଥଳରେ ଉପନୀତ ହୋଇଥିଲେ ! କିନ୍ତୁ ଅର୍ଦ୍ଧ ପଥରେ ଘୋଟକ ପୃଷ୍ଠରୁ ପତିତ ହୋଇ ସଜ୍ଞାହୀନା ହୋଇଥିଲେ କୁମାରୀ ବସୁଧାରା ।

 

ତାହାପରେ କୁମାର ସମର ଓ ବନ୍ଦରେଶ୍ୱରର ପାଟଶାଣୀ ସଂଗ୍ରାମ ସହସ୍ର ବାହୁଙ୍କର ପାଳି ପଡ଼ିଲା । ଉଲ୍‌କାବେଗରେ ଦୁଇ ବୀରଙ୍କର ଅଶ୍ଵଚାଳନା, ଦର୍ଶକ ଗଣଙ୍କୁ ବିମୋହିତ କରିଥିଲା-। ବିଶେଷତଃ କୁମାର ସମର ଓ କୁମାରୀ ରତ୍ନମଞ୍ଜରୀଙ୍କର କୃତିତ୍ୱରେ ଆତ୍ମହରା ହୋଉ ଉଠିଥିଲେ ସ୍ୱୟଂ ବସୁକଳ୍ପ । ପ୍ରତିଯୋଗିତା ଶେଷରେ ସେ ବର୍ଷର କୃତୀ ପ୍ରତିଦ୍ୱନ୍ଦ୍ୱି ଓ ପ୍ରତିଦ୍ୱନ୍ଦ୍ୱୀନି ଭାବରେ ‘ପରମବୀର ଓ ‘ପରବୀରା’ ପଦବୀରେ ଭୂଷିତ ହୋଇଥିଲେ ଏ ଉଭୟ କିଶୋର–କିଶୋରୀ-

 

ପରାଜିତା ନିଜର ପରାଜୟକୁ ଭୁଲି ଯାଇଥିଲେ । ସେ ବର୍ଷ ମହାବିଷୁବ ଉତ୍ସବର ଉଦ୍‌ଯାପନ ଦିବସରେ ପ୍ରଥମ ‘କୁଳିଙ୍କ’କୁ(ମୁଖ୍ୟ ଶିଳ୍ପୀ)ଡାକଇ ସମର ସିଂହଙ୍କର ଅଶ୍ୱାରୋହୀ ମୂର୍ତ୍ତିଟି ପାଷାଣ ଗାତ୍ରରେ ଅଙ୍କନ କରିବାକୁ ମହାରାଜ ଆଦେଶ ଦେଇଥିଲେ । ରତ୍ନଗିରିରେ ଅଦ୍ୟାପି ସାଇତା ରହିଛି କୁମାର ସମର ସିଂହଙ୍କର କୈଶୋରର ସେ ଅଶ୍ୱାରୋହଣପଟୁ ଚିତ୍ର ଫଳକଟି । କି ଉଦ୍ଦେଶ୍ୟରେ କୁମାରୀ ରତ୍ନମଞ୍ଜରୀଙ୍କର ଚିତ୍ର ତହିଁରେ ଅଙ୍କିତ ହେଲା ନାହିଁ ତାହା ତାଙ୍କୁ ଅଜ୍ଞାତ । ତେବେ ଏତିକି ତାଙ୍କର ସ୍ମରଣ ହୁଏ ଯେ କୁମାର ସମର କୁମାରୀ ରତ୍ନମଞ୍ଜରୀ ତାଙ୍କର କୃତିତ୍ୱର ପୁରସ୍କାର ଶ୍ରୀଛାମୁରୁ ଗ୍ରହଣ କରିବାକୁ ଯିବା ସମୟରେ ସମର ଓ ରତ୍ନଙ୍କର ସପ୍ରେମ ଦୃଷ୍ଟି ବିନିମୟକୁ ସେ ଉଦାର ଦୃଷ୍ଟିରେ ଦେଖି ପାରି ନ ଥିଲେ । ବହୁ ଅବ୍ୟକ୍ତ ଆଶାରେ ଝଲସି ଉଠୁଥିବା ବସୁଧାରାଙ୍କର ପ୍ରେମସିକ୍ତ ଦୃଷ୍ଟି ହୁଏତ ତାଙ୍କୁ ଏଥିପାଇଁ ବାରଣ କରିଥିଲା । ସେଦିନ ଭାଟମାନେ ରାଜପ୍ରଶସ୍ତି ସହ ସମର ସିଂହଙ୍କର ପ୍ରଶସ୍ତି ଗାନ କରିଥିଲେ । କିନ୍ତୁ ରାଜ–ନିର୍ଦ୍ଦିଷ୍ଟ ପରି ସେମାନଙ୍କ କଣ୍ଠରୁ ପଦଟିଏ ହେଲେ ରତ୍ନମଞ୍ଜରୀଙ୍କର ପ୍ରଶସ୍ତି ପ୍ରକାଶ ପାଇ ନ ଥିଲା ।

 

ଏହାର କାରଣ କ’ଣ ତାହା ଜାଣିବାକୁ ତାଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା । ସୋମବଂଶୀ ଜନ୍ମେଜୟଙ୍କ ସହିତ ଗତ ସମରର ଅବ୍ୟାବହିତ ପୂର୍ବରୁ ସେ ରାଜାଙ୍କ ମୁଖରୁ ଶୁଣିବାକୁ ପାଇଲେ ଯେ ସମର ସିଂହଙ୍କୁ ଜାମାତା ପଦରେ ବରଣ କରିବାକୁ ସେ ଏକାନ୍ତ ଅଭିଳାଷୀ । ବସୁଧାରାଙ୍କର ଏହା ହିଁ ଆନ୍ତରିକ କାମନା । ତେଣୁ ଅଳ୍ପ ବୟସରୁ ମାତୃହୀନା ଏକମାତ୍ର କନ୍ୟା ବସୁଧାରାଙ୍କର ଇଚ୍ଛା ବିରୁଦ୍ଧରେ ଯିବାକୁ ସେ ଆଗ୍ରହୀ ନୁହନ୍ତି । ବିଶେଷତଃ ସମର ସିଂହ ପରି ବୀରଙ୍କୁ ଜାମାତା ଭାବରେ ପାଇ ସେ ବିଶେଷ ସୁଖୀ ହେବେ ।

 

ମହାରାଜାଙ୍କର ଏ ଅଭିଳାଷ ପ୍ରକାଶ ପାଇବା ପରେ ଗତ ଯୁଦ୍ଧରେ କୁମାର ସମରଙ୍କର ନିରାପତ୍ତା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ଓ ସ୍ୱତନ୍ତ୍ର ଅଙ୍ଗରକ୍ଷି ନିଯୁକ୍ତିରେ ସ୍ୱୟଂ ବସୁଧାରା ହସ୍ତକ୍ଷେପ କରିଥିବାର ବିଷୟ ତାଙ୍କୁ ଅଗୋଚର ନ ଥିଲା ।

 

ଏହା ମଧ୍ୟ କୁମାରଙ୍କୁ ଜଣା । ରତ୍ନଗିରିର ବୈଭବ ସଙ୍ଗକୁ ଏ ଅଯାଚିତ ରାଜାନୁଗ୍ରହ ସତ୍ତ୍ୱେ କୁମାର ଯେ କାହିଁକି ଚିନ୍ତାଗ୍ରସ୍ତ ତାହା ତାଙ୍କର କଳ୍ପନାତୀତ । ଅବଶ୍ୟ ଏ ଅପ୍ରତ୍ୟାଶିତ ରାଜାନୁଗ୍ରହରେ କୁମାରଙ୍କର ମନୋଭାବ କ’ଣ ତାହା ଜାଣିବାକୁ ସେ ଅଦ୍ୟାବଧି ଚେଷ୍ଟିତ ହୋଇ ନାହାନ୍ତି । ଯଥାସମୟରେ ନିଶ୍ଚୟ ସେ ତାହା ଜିଜ୍ଞାସା କରିବେ, ଏହିପରି ନିଷ୍ପତ୍ତି ନେବାପରେ ତାଙ୍କର ଅବସନ୍ନତା ଅନେକ ପରିମାଣରେ କଟିଆସିଲା ।

 

ପାରାବତ ପାଳିକାରୁ ପାରାବତମାନଙ୍କର ମିଳିତ ଶବ୍ଦରେ ସେ ଆତ୍ମସଚେତନ ହୋଇ ଗୃହର ବାହରକୁ ଦୃଷ୍ଟି ନିକ୍ଷେପ କଲେ । ସନ୍ଧ୍ୟା ସମାଗତ ପ୍ରାୟ । ଅଦୂରର ରତ୍ନଗିରି କୋଳରେ ହସି ହସି ସୂର୍ଯ୍ୟଦେବ ସେତେବେଳକୁ ବିଦାୟ ଘେନୁଥାନ୍ତି ।

 

॥ ପାଞ୍ଚ ॥

 

ସମାପ୍ତ ସୂର୍ଯ୍ୟର ଅସ୍ତାଲୋକ ‘ମାଣିକ୍ୟ ପୁରୀର’ ବାତାୟନ ଦେଇ ବସୁଧାରା ଓ ରତ୍ନମଞ୍ଜରୀଙ୍କର ମୁଖକୁ ଫଗୁରାଗରଞ୍ଜିତ କରି ଦେଉଥାଏ । ରାଣୀହଂସପୁର ମାଣିକ୍ୟ ପୁରୀରେ ଦାସୀ କେତେଜଣଙ୍କୁ ଛାଡ଼ିଦେଲେ ଆଉ କାହାର ପ୍ରାୟ ଚଳାଚଳ ନ ଥାଏ । ଧଳଭୂମି ରାଜଜେମା ମହାରାଣୀ ଅଂଶୁମାଳୀଙ୍କର ଅକାଳ ବିୟୋଗ ପରେ ବସୁକଳ୍ପ ଆଉ ସଂସାର କରିବାକୁ ମନବଳାଇ ନାହାନ୍ତି । ସ୍ୱର୍ଗତରାଣୀଙ୍କର ଏକମାତ୍ର ସନ୍ତାନ ବସୁଧାରାଟିକୁ ଚାହିଁ ସେ କାଳାତିପାତ କରିଛନ୍ତି । କେବେ କେମିତି ରାଜଜେମା ଅସୁସ୍ଥ ଥିବା ଅବସ୍ଥାରେ ତାଙ୍କୁ ସଂଖୋଳିବାକୁ ମହାରାଜ ମାଣିକ୍ୟପୁରକୁ ବିଜେ କରିଥିବେ । ନଚେତ୍ ମହାରାଣୀଙ୍କର ଦେହାନ୍ତ ପରେ ତାଙ୍କର ଏଠିକି ପାଦ ପଡ଼େ ନାହିଁ; କାରଣ ଏଠାରେ ପଦାର୍ପଣ କରିବାମାତ୍ରେ କାନ୍ଥ ବାଡ଼ର ଫୁଲଲତାକରା କର୍ଣ୍ଣିସ୍ ତଳେ ଜମାଟବନ୍ଧା ଅଳନ୍ଧୁ ମଧ୍ୟରେ ପୋତି ହୋଇ ଆସୁଥିବା ରାଣୀଙ୍କର ହସ ହସ ପ୍ରତିକୃତିଟି ତାହାଙ୍କର ଚକ୍ଷୁରେ ଲୋତକ ଭରିଦିଏ । ଜେମାଙ୍କୁ ଲୁଚାଇ ସେ ଲୋତକ ପୋଛିନିଅନ୍ତି ।

 

ତାହାଙ୍କର ବିବାହ ଉପଲକ୍ଷ୍ୟେ ଧଳଭୂମି ରାଜା ତାହାଙ୍କୁ ଯେତେଗୁଡ଼ିଏ ଉପହାର ଦେଇଥିଲେ ତନ୍ମଧ୍ୟରେ ଆକର୍ଷଣୀୟ ଥିଲା ଏକ କାଚନିର୍ମିତ ଘୂର୍ଣ୍ଣାୟମାନ ଝାଡ଼ । ବିଭିନ୍ନ ରଙ୍ଗର କାଚରେ ଅଦ୍ଭୁତ କାରିଗରୀ କୌଶଳରେ ଏ ଝାଡ଼ଟି ନିର୍ମିତ ହୋଇଥିଲା । ଦୂରରୁ ଚାହିଁଲେ ଏହା ବୃକ୍ଷଟି ପରି ବୋଧହୁଏ । କିନ୍ତୁ ପୂର୍ଣ୍ଣ ଆଲୋକରେ ଉଦ୍‌ଭାସିତ ଏ ଝାଡ଼ଟିର ପ୍ରତ୍ୟେକ କାଚ ଦେହରୁ ଉକୁଟି ଉଠେ ରାଜଧାନୀ ରତ୍ନଗିରିର କ୍ଷୁଦ୍ର କ୍ଷୁଦ୍ର ପ୍ରତିରୂପ । ଏହାର ଅଗ୍ରଭାଗରେ ଦେଶବିଦେଶର ବହୁଜାତି ପକ୍ଷୀ ମଧ୍ୟରେ ମୟୂରଟିଏ ପୁଚ୍ଛ ଉତ୍ତୋଳନ କରି ନୃତ୍ୟ କରୁଥିବାର ଦୃଶ୍ୟ ଅତ୍ୟନ୍ତ ମନଲୋଭା । ମୟୂରଟିର ଠିକ୍ ତଳକୁ ଦୁଇଟି ସପ୍ତରଙ୍ଗୀ କାଚଫଳକ । ଆଲୋକ ଓ ଅନ୍ଧାରରେ ଏ ଦୁଇଟିର ରଙ୍ଗ ବଦଳେ । ଏ ଫଳକ ଦୁଇଟିର ଭିତର ପାର୍ଶ୍ୱକୁ ମହାରାଜ ଓ ମହାରାଣୀଙ୍କର ମୂର୍ତ୍ତି ଦୁଇଟି ଏପରି କୌଶଳରେ ଖଞ୍ଜା ଯେ କାଚଫଳକ ଦୁଇଟି ଝାଡ଼ର ମଧ୍ୟଭାଗ ସହ ଘୂର୍ଣ୍ଣାୟମାନ ଅବସ୍ଥାରେ ଥିଲାବେଳେ ରାଜାରାଣୀଙ୍କର ସୁଖାଳାପକୁ ମଧୁମୟ କରି ରାଣୀଙ୍କ ପାର୍ଶ୍ଵରୁ ରାଜାଙ୍କର ଛବି ଓ ରାଜାଙ୍କ ପାର୍ଶ୍ଵରୁ ରାଣୀଙ୍କର ଛବି ପ୍ରତିଫଳିତ ହୁଏ । ରାଣୀମହଲର ମର୍ମର ନିର୍ମିତ ଚଟାଣର କିଞ୍ଚିତ୍ ନିମ୍ନଦେଶରେ ଏ ଝାଡ଼ ସଂଲଗ୍ନ ଏକ ଶିକୁଳି ଏପରି ଭାବରେ ସଂଯୁକ୍ତ ହୋଇଥାଏ ଯେ ଚଟାଣରେ ପାଦ ଦେବା ମାତ୍ରେ ଝାଡ଼ଟି ଘୁରିବାକୁ ଆରମ୍ଭ କରେ । ଏ ଘୂର୍ଣ୍ଣାୟମାନ ଝାଡ଼ ଓ ମାଣିକ୍ୟପୁରୀର କାନ୍ଥ ବାଡ଼ରୁ ଝୁଲିରହିଥିବା ବହୁ କାଚବତୀ ଓ ଆଲୋକ ଉପକରଣ ବର୍ତ୍ତମାନ ଭାଙ୍ଗିତୁଟି ଗଲାଣି । ଚେମଣି ଓ ଘରଚଟିଆମାନଙ୍କର ତାହା ହୋଇଛି ଆଶ୍ରୟସ୍ଥଳ । ରାଜାଙ୍କର ବହୁ ଯତ୍ନରେ ରାଜଜେମା ବ୍ୟବହାର କରୁଥିବା କକ୍ଷ କେତୋଟି ଓ ସ୍ନାନଶୌଚାଗାରକୁ ଯଥାସମ୍ଭବ ପରଷ୍କାର ରଖାଯାଇଛି ।

 

ରତ୍ନଗିରିର ମେଘମେଦୁର ଆକାଶ ତଳେ ଘଡ଼ଘଡ଼ିର ବିକଟ ଶବ୍ଦ ଶୁଣି ଅସୁସ୍ଥ ଅବସ୍ଥାରେ ବସୁଧାରା କହିଉଠନ୍ତି–“ବାବା ! ମୋତେ ଭାରି ଭୟ ଲାଗୁଛି ଏ ଶୂନ୍ୟ ଉଆସରେ । ମୁଁ ଆପଣଙ୍କ ପାଖେ ପାଖେ ରହିବି । ମୋତେ ପ୍ରାଚୁର୍ଯ୍ୟର ଏ ଶୂନ୍ୟପୁରୀରୁ ମୁକ୍ତି ଦିଅନ୍ତୁ ।”

 

ବସୁକଳ୍ପ ବୁଝାଇ ଦିଅନ୍ତି–“ଛି’ ମା, ତୁମେ ରାଜଜେମା । ତୁମର ମାନସଂଭ୍ରମ ପାଇଁ ତୁମେ ମାଣିକ୍ୟପୁରୀରେ ରହିବା ଆବଶ୍ୟକ । ରାଣୀ ମା’ ସେପୁରରୁ ତୁମକୁ ଅନାଇ ରହିଛନ୍ତି । ସେ ଥାଉଁ ଥାଉଁ ତୁମର କିଛି ଅନିଷ୍ଟ ହେବ ନାହିଁ ମା’ । ତାଙ୍କର ପ୍ରତିକୃତିକୁ ଚାହିଁ ଆନନ୍ଦରେ କାଳାତିପାତ କର ।”

 

ବସୁଧାରା ବୁଝନ୍ତି । ତଥାପି ମନ ତାଙ୍କର ମାନେ ନାହିଁ । ରାଜକୁକରେ ଜନ୍ମ ହେବା ବା ରାଜଜେମା ହେବା କେଡ଼େ ଅଭିଶାପ, ତହା ସେ ମର୍ମେ ମର୍ମେ ଉପଲବ୍‍ଧି କରନ୍ତି ।

 

ତାହାଙ୍କର ମୁଦୁସୁଲୀ ସୌରିନ୍ଧ୍ରୀର କଥା ମନେପଡ଼େ ।

 

ଦରିଦ୍ର ଘରେ ତାହାର ଜନ୍ମ । ବାପମା’ଙ୍କର କୋଡ଼ପୋଛା ଝିଅ ସେ । ଭାଇମାନେ କିଏ କୁଆଡ଼େ ମରି ଉଡ଼ିଗଲେ । ଭିକ ଦୁଃଖ କରି ବାପମା’ ତାକୁ ବଢ଼ାଇକୁଢ଼ାଇ ଷୋଳ ବରଷର କରିଥିଲେ । ସଞ୍ଜବେଳେ ବାପମା’ ଗାଁ ଗଣ୍ଡାରୁ ଆସିଲେ ବାରମିଶା ଚାଉଳ ଗଣ୍ଡିକ ସିଝାଇ ତାକୁ ପାଖରେ ବସାଇ ଆଗଦୁଇମୁଠି ଖୁଆଇ ଦିଅନ୍ତି । ତିନି ପ୍ରାଣୀଙ୍କର ଚଳାଚଳ ପାଇଁ ଘର ବୋଲି ଖଣ୍ଡିଏ କୁଡ଼ିଆ । ବର୍ଷାବତାସୀ ବା ଶୀତ କାକରରେ ତାହାର ଫୁଙ୍ଗୁଳା ଦେହ ଥୁରୁଥୁରୁ ହେଉଥାଏ ।

 

ବାପା ଡାକନ୍ତି–“ସଉରୀ ଲୋ, ମୋ ପାଖକୁ ଆ ।”ମା ଡାକନ୍ତି, ‘ଆ, ମା ସଉରୀ, ଆମ ମଝିରେ ଶୋଇ ପଡ଼ିବୁ ।” ଛିଡ଼ା ଲୁଗା ଖଣ୍ଡିକରୁ କାନିଏ ପାରି କାନିଏ ଘୋଡ଼ାଇ ଦିଅନ୍ତ ତାକୁ । ବାପମା’ଙ୍କର ଦେହ ଉଷୁମରେ ଘୁଙ୍ଗୁଡ଼ିମାରି ସେ ନିଶ୍ଚିନ୍ତରେ ଶୋଇଆସେ ।

 

ଆଃ, କି ସୁନ୍ଦର ଆଉ କି ନିବିଡ଼ ମମତାଭରା ଏ ଜୀବନ ! ବାପା, ମା ଏବଂ ଝିଅ ଗୋଟିଏ ପରିବାରର ତିନୋଟି ପ୍ରାଣୀ–ଏକା ସୁରରେ ବନ୍ଧା ତିନୋଟି ଜୀବନ । ମାନ, ମହତ୍ତ୍ୱ ବା ଆଭିଜାତ୍ୟର ଭୟ ଭିନ୍ନ ଭିନ୍ନ କରି ପାରି ନାହିଁ ଏ ଅବିଭକ୍ତ ଆତ୍ମାକୁ ।

 

କିନ୍ତୁ ତାଙ୍କର ଜୀବନ–କି ତୁଚ୍ଛ ଆଉ ଉତ୍‍ପୀଡ଼କ ! ! ମନ ଚାହୁଥିଲେ ମଧ୍ୟ ପିତୃକୋଡ଼ର ଉଷ୍ମତାରୁ ସେ ଚିରଦିନ ପାଇଁ ବଞ୍ଚିତା । ଆଉ ମା’ ? ସେ ତ ସ୍ୱର୍ଗରେ । କଳ୍ପନାରେ ଯାତାୟାତ କରନ୍ତି । ରୋଗଶଯ୍ୟାରେ ସେ ତାଙ୍କର ସ୍ନେହମୟ କରର ଯରଶ ପାଇଥିବେ ଏକ ଅଶରୀରି ଛାୟାମୂର୍ତ୍ତିଠାରୁ । ତଥାପି ସେ ମା’–ମା’ର ସା’ । ସ୍ନେହର ବନ୍ଧନ ତୁଟାଇ ନ ପାରି ସେପାରିରୁ ଧାଇଁ ଆସନ୍ତି ଏ ପାରିର ଡାକରା ଶୁଣିବାକୁ ।

 

ରାଜକନ୍ୟାଙ୍କର ଚକ୍ଷୁ ଆର୍ଦ୍ର ହୋଇଆସେ । ମା’ଙ୍କର ପ୍ରତିକୃତିକୁ ଚାହିଁ ସେ ନୀରବରେ ଲୋତକ ଝରାଇ ଦିଅନ୍ତି ।

 

ଜେମାଙ୍କର ଆଖିରେ ଲୁହ ଦେଖି ଦାସୀମାନେ ପ୍ରମାଦ ଗଣନ୍ତି । ଅବଶ୍ୟ ଏ ଦୃଶ୍ୟ ସେ ପାଇଁ ନୂତନ ନୁହେଁ । ତଥାପି ଏ ସମ୍ୱାଦ ମହାରାଜାଙ୍କ କର୍ଣ୍ଣରେ ପଡ଼ିଲେ ସେମାନଙ୍କର ଦଶା କ’ଣ ହେବ, ଏହା ଭା‍ବି ଅସ୍ଥିର ହୋଇ ଉଠନ୍ତି ସେମାନେ ।

 

ମାଳନୀ ଓ ଚପଳା ଜେମାଙ୍କର ପ୍ରିୟତମା ଦାସୀ । ତେଣୁ ଜେମାକୁ ଆଶ୍ୱାସନା ଦେବାକୁ ସେ ଦୁହେଁ ଆଗେଇ ଆସନ୍ତି ।

 

ସର୍ବପ୍ରଥମେ ମାଳିନୀର ତୁଣ୍ଡ ଖୋଲେ–“ଜେମାମଣି ଗୋ, ଆମେ ଏତେ ପୋଇଲୀ ପରିବାରୀ ଥାଇଁ ଆପଣଙ୍କ ଆଖିରୁ ଯଦି ଲୁହ ଲିଭାଇ ନ ପାରିଲୁ, ତାହାହେଲେ କି ଲାଭ ଏ ପୋଡ଼ା ଜୀବନରେ ? ବଞ୍ଚି ରହିବା ଅପେକ୍ଷା ମରିଯିବା ବରଂ ଭଲ । ଆମକୁ ଟିକେ ଟିକେ ଜହର ଦେଇ ମାରି ଦିଅନ୍ତୁ ପଛକେ, ଆପଣଙ୍କର ଏ ଅବସ୍ଥା ଦେଖି ଆଉ ଦେହ ଧରି ରହିପାରିବୁ ନାହିଁ ।”

 

–ଛି ମାଳିନୀ ! ଛି ଚପଳା !! ତୁମମାନଙ୍କ ମୁଖରେ ଏପରି କଥା ଶୋଭା ପାଏନା । ଏହା କହି ମୋ ମନରେ କେତେ କଷ୍ଟ ହେଉଛି, ବୁଝିପାରୁଛ ତ ? ତୁମମାନଙ୍କୁ କେବେ କ’ଣ ମୁଁ ଦାସୀ ଦୃଷ୍ଟିରେ ଦେଖି ଆସିଛି ? ତୁମେମାନେ ମୋର ସଖୀ, ମୋର ପ୍ରିୟ ସହଚରୀ । ଏ ନିର୍ମାଖୀ ଜୀବନରେ ତୁମ୍ଭମାନଙ୍କୁ କେଉଁ ଭାଷାରେ ବୁଝାଇବି ? –ଶୁଖିଲା ହସଟିରେ ମନର ସବୁ ବେଦନା ଲୁଚାଇ ଏମିତି କେତେ କ’ଣ କହି ବୋଧ ଦିଅନ୍ତି ସେମାନଙ୍କୁ । ଏ ହେଲା ଜେମାଙ୍କର ସାଧାରଣ ଜୀବନ ।

 

ବହୁଦିନ ପରେ ଆଜି ପ୍ରିୟସଖୀ ରତ୍ନମଞ୍ଜରୀଙ୍କୁ ପାଇ ରାଜକୁମାରୀ ଖୁବ୍ ଉଲ୍ଲସିତା ଥାଆନ୍ତି । ତାଙ୍କର ଚିର ବିଷଣ୍ଣଭାବ ବହୁ ଅଂଶରେ କଟିଯାଇଥାଏ । ହେଲେ ହେଁ ଶରତ ଆକାଶର ଭସାମେଘ ଫାଙ୍କରେ ପ୍ରଚ୍ଛନ୍ନ ବର୍ଷା ବିନ୍ଦୁପରି ତାହାଙ୍କର ଚକ୍ଷୁ ଧାରରେ ଉଦାସୀ ଆର୍ଦ୍ରତାର ଛିନ୍ନ ମେଘଖଣ୍ଡ ଲାଗିରହିଥାଏ ।

 

–“ଦୀର୍ଘଦିନପରେ ଏ ଅଭାଗିନୀ ସଖୀଟିକୁ କିମିତି କ’ଣ ମନେ ପକାଇଲ ରତ୍ନ ?”

 

–“ନା ଜେମାମଣି । ସଖୀ ନିକଟରେ ସଖୀ କ’ଣ କେବେ ଅଭାଗିନୀ ହୋଇପାରେ ? ହୀରାନୀଳା ଓ ଜହରତ୍‍ର ମାଣିକ୍ୟ ପୁରୀରେ ପାଳିତା ମହାରାଜାଧିରାଜଙ୍କର ଦୁଃଖ ପାସୋରା ରାଜଜେମା ଅଭାଗିନୀ ହେବା ତ ଅନ୍ୟ ଏକ ଆଶ୍ଚର୍ଯ୍ୟର ବିଷୟ ।” –ହସି ହସି ବସୁଧାରାଙ୍କର ଅଭିମାନ ବୋଳା ଭକ୍ତିର ଉତ୍ତର ଦେଲେ ରତ୍ନମଞ୍ଜରୀ ।

 

ସ୍ନେହରେ ତାଙ୍କୁ କୋଳାଗ୍ରତ କରି ତାହାଙ୍କର ଖୁବ୍‌ ନିକଟରେ ବସିପଡ଼ିଲେ ବସୁଧାରା । ରତ୍ନମଞ୍ଜରୀଙ୍କର ସ୍ୱଭାବସୁଲଭ ଥଟ୍ଟା ପରିହାସରେ ସେ ନିତ୍ୟନୈମିତ୍ତିକ ଜୀବନର ସବୁ ଅବସାଦ ଭୁଲି ଆସୁଥିଲେ ।

 

ମାଣିକ୍ୟପୁରୀ ଆଲୋକିତ ହେଲା । ପୁଷ୍ପଗିରି ବିହାରର ମହସ୍ର ସହସ୍ର ବୌଦ୍ଧାଚାର୍ଯ୍ୟ ଓ ଭିକ୍ଷୁ ଭିକ୍ଷୁଣୀଙ୍କ କଣ୍ଠରୁ ଭାସି ଆସିଲା ସମ୍ମିଳିତ ପ୍ରାର୍ଥନାର ସ୍ୱର–

 

ବୁଦ୍ଧଂ ଶରଣଂ ଗଚ୍ଛାମି....

ସଂଙ୍ଘ ଶରଣଂ ଗଚ୍ଛାମି ।

 

ରତ୍ନଗିରିର ଚୌଦିଗରେ ବେଢ଼ିରଥିବା ଗଡ଼ଖାଇ ‘ରତ୍ନ–ମେଖଳା’ ତହିଁରେ ପ୍ରତିଧ୍ୱନି ଦେଲା–

 

ବୁଦ୍ଧ ଶରଣଂ ଗଚ୍ଛାମି....

ସଂଙ୍ଘ ଶରଣଂ ଗଚ୍ଛାମି ।

 

ଦୁଇସଖୀ ନିବିଷ୍ଟ ଚିତ୍ତରେ ଶୁଣୁଥିଲେ ଯୁଗଯୁଗର ସେ ବରାଭୟ ବାଣୀ । ଖ୍ରୀ.ପୂ. ୬ଷ୍ଠ ଶତାବ୍ଦୀର ଖ୍ରୀଷ୍ଟୀୟ ୧୦ମ ଶତାବ୍ଦୀ, ପ୍ରାୟ ଦେଢ଼ହଜାର ବର୍ଷ । କାହିଁ, ବିଲୟ ହୋଇନି ତ ସେ ବାଣୀ ? ପାଲୁର, ତୋଷାଳୀ, ନାଗାର୍ଜୁନ କୋଣ୍ଡା ଏବଂ ପୁଷ୍ପଗିରି; ସବୁଠି ବିଦ୍ୟାମାନ ସେ ଅନାହତ ମୂର୍ଚ୍ଛନା–ଇତିହାସର ସେ ଅବିନାଶୀ ସ୍ମୃତି । ଖ୍ରୀ.ପୂ. ୫୪୩ । ଅର୍ହତ ‘ଖେମାଥେର’ କଳିଙ୍ଗରାଜା ବ୍ରହ୍ମଦତ୍ତକୁ ପବିତ୍ର ବୁଦ୍ଧ–ଦନ୍ତ ଉପହାର ଦିଅନ୍ତି । ଉକ୍ତ ଦନ୍ତ–ପୂଜା ନିମିତ୍ତ ସ୍ତୂପନିର୍ମିତ ହୋଇ ଦନ୍ତପୁରର (ପାଲୁର) ପ୍ରତିଷ୍ଠା ଆରମ୍ଭ ହୁଏ । ସେଦିନୁ ଉତ୍କଳର ଗଗନ ପବନ ମୁଖରିତ ହୁଏ ଏହି ପବିତ୍ର ଧ୍ୱନିରେ । ତାହା ପରେ ଖ୍ରୀଷ୍ଟୀୟ ୧ମ ଶତାବ୍ଦୀ । କୃଷ୍ଣାନଦୀ ତୀରସ୍ଥ ଶ୍ରୀ ପର୍ବତର ନାଗାର୍ଜୁନ କୋଣ୍ଡାରୁ ଆସନ୍ତି ମହାଯାନପନ୍ଥୀ ବୌଦ୍ଧାଚାର୍ଯ୍ୟ ନାଗାର୍ଜୁନ । ସେତେବେଳେ ଓଡ଼ିଶାର ନରପତି ଥାନ୍ତି ମହାରାଜା ‘ମୁଂଜ’ । ଆଚାର୍ଯ୍ୟ ନାଗାର୍ଜୁନଙ୍କ ଦ୍ୱାରା ସେ ବୌଦ୍ଧଧର୍ମରେ ଦୀକ୍ଷିତ ହୁଅନ୍ତି । ଓଡ଼ିଶାର ଗିରିଦ‍ରୀ ଓ କାନନ କାନ୍ତାରରେ ଶୂନ୍ୟବାଦ ପ୍ରସରିଯାଏ । ଉପାସିକା ‘ବୋଧିଶ୍ରୀ’ଙ୍କ ଦ୍ୱାରା ସେ କାଳରେ ପୁଷ୍ପଗିରିଠାରେ ନିର୍ମିତ ହୁଏ ଶିଳାସ୍ତମ୍ଭ । ବୋଧିଶ୍ରୀ ରତ୍ନଗିରିରେ ଯୋଗସାଧନା କରନ୍ତି । ତାଙ୍କର ସାଧନାର ପବିତ୍ର ପୀଠରେ ଗଢ଼ିଉଠେ ପୁଷ୍ପଗିରି ବିହାର । କେତେ ରାଜା ଓ ରାଜବଂଶ–ପୌରାଣିକ ‘ଗୁହ’ ଦେବଙ୍କଠାରୁ ବ୍ରହ୍ମଦତ୍ତ, ଚେଦୀବଂଶ, ବାଶିଷ୍ଠକୁଳ, ଶୈଳୋଦ୍‍ଭବ ଓ ଭୌମକର, ଗଙ୍ଗା–ବଂଶୀ ଏବଂ ସୋମବଂଶୀ–କଳିଙ୍ଗ, କୋଙ୍ଗଦ, ଉତ୍କଳ ଓ ଦକ୍ଷିଣ ଓ କୋଶଳରେ ରାଜତ୍ୱ କରିଯାଇଛନ୍ତି । ଓଡ୍ର ଦେଶର ସୀମା ସଙ୍କୁଚିତ ଓ ପ୍ରସାରିତ ହୋଇଛି । କିନ୍ତୁ କାଳ କାଳ ନିମିତ୍ତ ନିର୍ଭୀକ ପୁରୁଷକାରର କାଳ ନେଇ ଦଣ୍ଡାୟମାନ ହୋଇଛି ଏହି ପୁଷ୍ପଗିରି । ସତେ ଯେପରି ଦୃପ୍ତ ଚିରନ୍ତନତାର ଶାଶ୍ଵତ ବିଜୟଲେଖ ଏ ।

 

ମହାଯାନ, ହୀନଯାନ, ବଜ୍ରଯାନ ଓ ସହଜିଆ ପନ୍ଥୀର ବହୁ ବାଦବିସମ୍ବାଦର ପ୍ରତ୍ୟକ୍ଷଦ୍ରଷ୍ଟା ସେ । ତାହାର ଐଶ୍ୱର୍ଯ୍ୟ ସନ୍ଧାନ କରି ଆସିଛନ୍ତି ପରିବ୍ରାଜକ ଫାହିୟାନ, ହୁଏନ୍‌ସାଂ, ଶୀଳଭଦ୍ର, ଚନ୍ଦ୍ରଗୋମୀ, ଅଜସ୍ର ବୌଦ୍ଧପଣ୍ଡିତ ଓ ଅସଂଖ୍ୟ ଭିକ୍ଷୁଭିକ୍ଷୁଣୀ–ସମଗ୍ର ଏସିଆ ଖଣ୍ଡରୁ ଓ ଏସିଆର ବହିର୍ଭାଗୁରୁ । ନାଲନ୍ଦା, ପାଟଳିପୁତ୍ର ଓ ତକ୍ଷଶିଳା ପ୍ରତ୍ୟାଗତ ଅସଂଖ୍ୟ ଶିଷ୍ୟ ଶିଷ୍ୟା–କାହାର ଜନ୍ମଭୂମି ଚୀନ୍ କାହାର ଜାପାନ୍, କାହାର କାମ୍ବୋଡ଼ିଆ ତ କାହାର ଜାଭା । କିଏ ଆସିଛି ସ୍ୱର୍ଣ୍ଣଦ୍ୱୀପ ଲଙ୍କାରୁ ତ କିଏ ବ୍ରହ୍ମଦେଶ ଓ ତିଦ୍ଦତରୁ । ସମସ୍ତେ ଜ୍ଞାନପିପାସା ଚରିତାର୍ଥ ପୂର୍ବକ ନିର୍ବାଣ ଓ ଶାନ୍ତିର ମାର୍ଗ ଅନ୍ୱେଷଣ କରିଛନ୍ତି ଏ ସନାତନ ପୀଠରେ ।

 

ସ୍ଥଳପଥରୁ ଜଳପଥ । କାବୁଲ କାନ୍ଦାହାରରୁ ତାମ୍ରଲିପ୍ତ । ବଙ୍ଗୋପସାଗରରୁ ବ୍ରାହ୍ମଣୀ, ବ୍ରାହ୍ମଣୀରୁ ରତ୍ନମେଖଳା, ରତ୍ନମେଖଳାରୁ ରତ୍ନଗିରି, ଲଳିତଗିରି ଓ କୋହ୍ଲଣଗିରି–ଏ ତିନିଗିରିକୁ ନେଇ ବୃହତ୍ ବୌଦ୍ଧବିହାର ପୁଷ୍ପଗିରି ବିସ୍ତୃତ । ‘ରତ୍ନମେଖଳା’ରୁ କ୍ଷୁଦ୍ର ପୋତରେ ଏଠି ଅନାୟାସରେ ଅବତରଣ କରି ହେଉଥିଲା । ଏହିପରି କେତେ ପବିତ୍ର ସନ୍ଧ୍ୟାରେ ସ୍ଵଦେଶ ଓ ବିଦେଶାଗତ ମହାସାଙ୍ଘିକମାନଙ୍କୁ ଅଭ୍ୟର୍ଥନା କରିବା ଲାଗି ସଂଘାରାମରୁ ରତ୍ନମେଖଳା ଯାଏ ଛୁଟୁଥିଲା ଏ ନିତ୍ୟ ସମର୍ପଣର ଶାଶ୍ୱତ ଲହର–

 

ବୁଦ୍ଧଂ ଶରଣଂ ଗଚ୍ଛାମି.....

 

ଆଜି ମଧ୍ୟ ଅବିନାଶୀ ସେ ସଙ୍ଗୀତର ଧାରା । କିନ୍ତୁ ବୋଧିସତ୍ତ୍ୱଙ୍କର ମହାନିର୍ବାଣ ପରେ ମହାଯାନ ଓ ହୀନଯାନ, ବଜ୍ରଯାନ ଓ ଗ୍ୟୁହକ ସମ୍ପ୍ରଦାୟର ମତମତାନ୍ତରରେ ବୌଦ୍ଧବିହାରଗୁଡ଼ିକ ଖଣ୍ଡିତ । ତହିଁରେ ପୂର୍ବର ସେ ମହତ୍ତ୍ୱ ବା ଗାମ୍ଭୀର୍ଯ୍ୟ ନାହିଁ । ବିଶୃଙ୍ଖଳା, ବ୍ୟଭିଚାର, ବୈରତା ଏବଂ ସ୍ୱୈରାଚାରରେ ପଙ୍କିଳ ହୋଇଉଠିଛି ଶାଶ୍ଵତ ଶାନ୍ତିର ସେହି ପବିତ୍ର ପୀଠଗୁଡ଼ିକ ।

 

ଭୈବମ ବା ଭୂୟାଁ ଜାତିର ଉତ୍କଳୀୟ ବଣିକ ‘ତପସୁ’ ଓ ‘ଭଲ୍ଲିକ’’ ବୋଧଗୟା’ ଠାରେ ବୁଦ୍ଧଦେବଙ୍କୁ ତାହାଙ୍କର ଦୀର୍ଘକାଳର ଅନଶନ ପରେ ଭୋଜନ ଅର୍ପଣ କରି ସର୍ବପ୍ରଥମେ ତାହାଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ । ସେମାନଙ୍କୁ ବୈର–ଶାନ୍ତି ସମ୍ୱନ୍ଧରେ ଉପଦେଶ ଦେଇ ପ୍ରଭୁ ତଥାଗତ କହିଥିଲେ–

 

“ନହିବେରେନ ବେରାନି ସମ୍ମନ୍ତୀଧ କୁଦାଚନଂ ।

ଅବେରେନ ଚ ସମ୍ମନ୍ତି ଏସ ଧମ୍ମୋ ସନାତନୋ ॥”

 

ଅର୍ଥାତ୍ ଶତ୍ରୁତା ଦ୍ୱାରା ଶତ୍ରୁତାକୁ କେବେହେଲେ ଶାନ୍ତ କରାଯାଇ ପାରେନା । ବରଂ ମୈତ୍ରୀ ଦ୍ୱାରା ଏହା ସମ୍ଭବ ହୁଏ ଏବଂ ଏହା ହିଁ ସନତାନ ନିୟମ–

 

–କି ହୃଦୟସ୍ପର୍ଶୀ ଏ ବାଣୀ ! କେତେ ଭାଗ୍ୟବାନ୍ ସେହି ଉତ୍କଳୀୟ ସାଧବଦ୍ୱୟ ଯେଉଁମାନେ ଭଗବାନ ବୁଦ୍ଧଙ୍କର ସ୍ୱମୁଖରୁ ଏ ଉପଦେଶ ଶ୍ରବଣ କରି ଧନ୍ୟ ହୋଇଛନ୍ତି ବୌଦ୍ଧ ।

 

ଅପୂର୍ବ ଉଲ୍ଲାସରେ ବସୁଧାରାଙ୍କର ନୟନ ଉଜ୍ଜ୍ୱଳି ଉଠିଲା ।

 

ସେ ପୁଣି ଅତୀତକୁ ଫେରି ଚାଲିଲେ । ସେଥର ବୌଦ୍ଧ ସଭାରେ ଭିକ୍ଷୁ ‘ଧର୍ମ୍ମ–ରକ୍ଷିତ’ କହିଥିବାର ତାଙ୍କର ସ୍ମରଣ ହେଉଛି–‘ମହାଭଗ୍ନ’ ଏବଂ ‘ମଝିମନିକାୟ’ ଗ୍ରନ୍ଥରେ ଉତ୍କଳର ଉକ୍ତ ସାଧବଦ୍ୱୟଙ୍କର ବିଷୟ ବର୍ଣ୍ଣିତ ହୋଇଅଛି । –“ସତେ କେତେ ଭାଗ୍ୟବାନ୍ ସେମାନେ ! ବୁଦ୍ଧଦେବଙ୍କର ଅଭୟବାଣୀ ସଦୃଶ କାଳ କାଳକୁ ଅମର ହୋଇ ରହିଲା ସେମାନଙ୍କର ନାମ । ସଂଘ ସଂଘାରାମ, ବିହାର ଓ ଭିକ୍ଷୁ ଭିକ୍ଷୁଣୀମାନଙ୍କର ବିଲୟ ଘଟିପାରେ । କିନ୍ତୁ ଲୋକ ଚିତ୍ତରେ ଯୁଗଯୁଗାନ୍ତରେ ବଞ୍ଚି ରହିବ ସତ୍ୟର ଅମର ଝଙ୍କାର”–ମନକୁ ମନ ଗୁଣି ହେଉଥିଲେ ରାଜଜେମା । ତାହାଙ୍କର ଭା‍ବାବେଶରେ ବାଧା ନ ଦେଇ ରତ୍ନମଞ୍ଜରୀ, ‘ମେଖଳା’ର (ରତ୍ନ ମେଖଳା) ପ୍ରତି ଉର୍ମିଭଙ୍ଗରେ ଶୁଣୁଥିଲେ ପଳାୟିତ ମୂର୍ଚ୍ଛନାର ସେ ଶାନ୍ତ, ସମାହିତ ଧ୍ରୁପଦଟିକୁ ।

 

ଦୁଇ ସଖୀଙ୍କର ଏ ଗଭୀର ଭାବାବେଗ ମଧ୍ୟରେ ମାଳିନୀ କେତେବେଳେ ଦୁଇଟି ଫଳପୂର୍ଣ୍ଣ ରୌପ୍ୟପାତ୍ର ଓ ସୁବର୍ଣ୍ଣ ଝରୀରେ ପନୀର ତଥା ରଜନୀଗନ୍ଧାର ଦୁଇଟି ସଦ୍ୟ ପ୍ରସ୍ଫୁଟିତ ସ୍ତବକ ସେ ଦୁହିଁଙ୍କ ମଧ୍ୟରେ ସଜ୍ଜାଇ ଦେଇ ଯାଇଛି, ତାହା ସେମାନଙ୍କୁ ଜଣା ନାହିଁ ।

 

ଦକ୍ଷିଣାପବନର ପରଶରେ ପୁଷ୍ପସ୍ତବକର ଭୂରୁ ଭୂରୁ ଗନ୍ଧ ସେ ଦୁହିଁକୁ ଆତ୍ମହରା କଲା ।

 

–“ଆରେ ଏ ସମସ୍ତ ?” ବିସ୍ମିତ ହୋଇ ଉଠିଲେ ସଖୀଦ୍ୱୟ ।

 

“ନିଶ୍ଚୟ ମାଳିନୀର କାର୍ଯ୍ୟ”–ବସୁଧାରା ସପ୍ରଶଂସ ଅଭିମତ ଦେଲେ ।

 

ମୁଖ ପ୍ରକ୍ଷାଳନ ପରେ ବସୁଧାରା ନିଜ ପାତ୍ରରୁ ଫଳଖଣ୍ଡିଏ ଉଠାଇ ରତ୍ନମଞ୍ଜରୀଙ୍କ ତୁଣ୍ଡରେ ଦେଲେ । ରତ୍ନମଞ୍ଜରୀ ରାଜକୁମାରୀଙ୍କ ତୁଣ୍ଡରେ ଏକ ସମୟରେ ଦୁଇଖଣ୍ଡି ଫଳଗୁଞ୍ଜିଦେଇ କହିଉଠିଲେ–

 

“କି ତୁମେ କ’ଣ ଅନଶନ ବ୍ରତପାଳନ କରିବ କି ?”

 

–ନା’ ସଖି, ବିଶ୍ୱାସ କର, ତୁମ ଉପସ୍ଥିତିରେ ମୁଁ କ୍ଷୁଧାତୃଷା ସୁଦ୍ଧା ଭୁଲିଯାଏ ।

 

“ଆଉ ତାଙ୍କ ଉପସ୍ଥିତିରେ ମୋତେ ଭୁଲିନଗଲେ ହେଲା”–ରାଜକୁମାରୀଙ୍କର ଚିବୁକ କରି ଲୀଳାୟିତ ଭଙ୍ଗୀରେ ଅପାଙ୍ଗ ଢାଳୁଥିଲେ ରତ୍ନମଞ୍ଜରୀ ।

 

–ଛି, ତୁମର ସର୍ବଦା ଏ ପରିହାସ ।

 

“ତୁମକୁ ବୋଧହୁଏ ଭଲଲାଗେ ନାହିଁ କୁମାରୀ ?”–

 

ହସ୍ତର ଲୀଳାକମଳ ଦୋଳାୟିତ କରି ପ୍ରଶ୍ନ କରୁଥିଲେ ରତ୍ନମଞ୍ଜରୀ । “ତାହାହେଲେ ମୁଁ ନୀରବ ରହୁଛି ।”

 

ଛଳକ୍ରୋଧ ପ୍ରକାଶ କରି କ୍ଷଣ ପାଇଁ ମୌନହୋଇ ବସିଲେ ରତ୍ନ ।

 

ସଖୀଙ୍କର କେତେ ଅନୁନୟ ବିନୟ ପରେ ତାହାଙ୍କର ଛଳ ଅଭିମାନର ଅବସାନ ଘଟିଲା । ତଥାପି ଓଷ୍ଠାଧରରୁ ପୂର୍ବର ସେ ଦୁଷ୍ଟାମି ପୂରାପୂରି ଅପସରି ନଥାଏ ।

 

ରତ୍ନମଞ୍ଜରୀ ଆରମ୍ଭ କଲେ–

 

“ତାହାହେଲେ ଜାଣିଲି ତୁମେ ତାଙ୍କ କଥା ଶୁଣିବାକୁ ଭାରି ଭଲପାଅ । ମିଛରେ ଖାଲି ମୋ ଉପରେ ବିରକ୍ତି ପ୍ରକାଶ କରୁଥିଲ ସିନା ।”

 

ଲଜ୍ଜାରେ ପାଟଳି ଆସିଲା ରାଜଜେମାଙ୍କର ଗଣ୍ଡମଣ୍ଡଳ । ଆଶା ନିରାଶାର ବହୁ ସଂଘର୍ଷ ମଧ୍ୟରେ ସେ ଏକଧ୍ୟାନରେ ଚାହିଁ ରହିଥିଲେ ସଖୀଙ୍କର ମୁଖକୁ ।

 

–“ତାହାହେଲେ ଶୁଣ, ସେଦିନ ପାହାନ୍ତି ତାରା ନ ଲିଭୁଣୁ ଆମେ ଉଲ୍ଲାସିନୀ ଗିରି ପାର ହୋଇଯାଇଥାଉ । ଲଳିତ ଓ କୋହ୍ଲଣ ଗିରିରେ ପହଞ୍ଚିବାକୁ ଆଉ ଅଳ୍ପ ବାଟ ଥାଏ । ସମର ସିଂହଙ୍କର ସେଦିନର ମନୋବୃତ୍ତି ବିଶ୍ଳେଷଣ କରୁ କରୁ ମୁଁ ଟିକେ ଉନ୍ମନା ହୋଇପଡ଼ିଥାଏ । ପାହାନ୍ତି ପ୍ରହରର ତନ୍ଦ୍ରାରେ ମଧ୍ୟ ଦେହହାତ ଅବଶ ହୋଇଆସୁଥାଏ । ଏପରି ଅବସ୍ଥାରେ ଅଶ୍ୱପୃଷ୍ଠରୁ ପତନ ସେଦିନ ଅବଶ୍ୟମ୍ଭାବୀ ଥିଲା ।”

 

“ଅଶ୍ୱପୃଷ୍ଠରୁ ?” –ଚମକି ଉଠିଲେ ବସୁଧାରା । ତାହାହେଲେ କିପରି ରକ୍ଷାପାଇଲ ସଖୀ ?

 

–ସମର ସିଂହ ମୋତେ ସତର୍କ କରାଇଦେଲେ । ମୁଁ ଅଶ୍ୱର ଲଗାମ୍ ଭିଡ଼ିଧରି କୌଣସି ମତେ ବର୍ତ୍ତିଗଲି ନିଶ୍ଚିତ ଦୁର୍ଘଟଣା ମୁଖରୁ ।

 

ହଁ’ ତା’ପରେ ଶୁଣ ।

 

ଜନ୍ମେଜୟଙ୍କ ସହିତ ଯୁଦ୍ଧକାଳରେ କୁମାର ସମର ସିଂହଙ୍କ ପାଇଁ ତୁମର ଦରଦ ଓ ସେବାଯତ୍ନ, ସବୁ ସଙ୍କେତରେ ସ୍ମରଣ କରାଇ ଦେଲି ତାହାଙ୍କୁ ।

 

–ଛି, ମଞ୍ଜରୀ । ଏହା ଚେତାଇ ଦେବାକୁ ତୁମକୁ ସଙ୍କୋଚ ଆସିଲା ନାହିଁ ? କେଡ଼େ ଅଲାଜୁକୀ ତୁମେ ।

 

–“ଆରେ ଶୁଣ, ତାହାପରେ ଯାହା ଘଟିଲା ।”

 

–ହଁ, ତାହାପରେ କ’ଣ ଘଟିଲା ? –ଉଦ୍‌ଗ୍ରୀବ ହୋଇ ପ୍ରଶ୍ନ କରୁଥିଲେ ବସୁଧାରା ।

 

ହସି ହସି ଫାଟିପଡ଼ିଲେ ରତ୍ନମଞ୍ଜରୀ ।

 

–ଦେଖିଲ ସଖୀ, କିଏ ଅଲାଜୁକୀ ? ମୁଁ ନା ତୁମେ ? ଲାଜକଥା ଶୁଣିବାକୁ ଏଡ଼େ ଉଦ୍‍ଗ୍ରୀବ, ଅଥଚ ତାହା ଚେତାଇ ଦେବାରୁ ମୁଁ ହେଲି ଅଲାଜୁକୀ ।

 

ରାଜଜେମାଙ୍କର ଆଉ ତୁଣ୍ଡ ଖୋଲିଲା ନାହିଁ । ଚତୁରୀ ରତ୍ନମଞ୍ଜରୀଙ୍କ ନିକଟରେ ଦୋଷ ସ୍ୱୀକାର କରି ସେ କହିଉଠିଲେ–

 

–ନା, ଅଲାଜୁକୀ ମୁଁ, ସଖୀଟି ମୋର ନିର୍ମଳ ଲାଜକୁଳୀ ଲତା ।

 

ପୁଣି ରାଗିଲ କି ଜେମାମଣି ?"

 

ରତ୍ନମଞ୍ଜରୀଙ୍କ କଣ୍ଠରେ ଅନୁଯୋଗର ସ୍ୱର ।

 

ତାହାପରେ ବସୁଧାରାଙ୍କ କାନରେ ଚୁପ୍ ଚୁପ୍ କରି ସେଦିନର କେତେ କ’ଣ କଥା କହିଚାଲିଲେ । ଆନନ୍ଦରେ ଆତ୍ମହରା ହେଲେ ଉଭୟେ ।

 

ରାତ୍ରି ପ୍ରଥମ ଯାମ ଅବସାନର ଘଣ୍ଟା ବାଜି ଉଠିଲା ରତ୍ନଗିରି ଉଆସର ସିଂହଦ୍ଵାରରେ । ନିଜ ଉଆସକୁ ଫେରିବା ନିମିତ୍ତ ବ୍ୟସ୍ତ ହୋଇଉଠିଲେ ରତ୍ନମଞ୍ଜରୀ । ତାଙ୍କୁ ସ୍ନେହର ଚୁମ୍ବନ ଦେଇ ଦ୍ୱାର ଦେଶ ପର୍ଯ୍ୟନ୍ତ ପାଛୋଟିଗଲେ ରାଜଜେମା ।

 

ରତ୍ନମଞ୍ଜରୀ ଦୃଷ୍ଟିର ଅତୀତକୁ ଚାଲିଯିବାଯାଏ ସେ ଏକ ଦୃଷ୍ଟିରେ ଚାହିଁରହିଥିଲେ ତାଙ୍କର ଯିବାପଥକୁ ।

 

॥ ଛଅ ॥

 

ବସୁଧାରାଙ୍କ ନିକଟରୁ ଫେରି ଉଆସର ହଂସୁଲୀ ଶେଯରେ ରତ୍ନମଞ୍ଜରୀଙ୍କର ଆଖିପିଛଡ଼ା ପଡ଼ିଲା ନାହିଁ । ସେ ନିଜକୁ ଘୋର ଅପରାଧିନୀ ମନେକରି ମ୍ରିୟମାଣା ହୋଇଉଠୁଥିଲେ । ବସୁଧାରାଙ୍କୁ ସେ ପ୍ରତାରିତା କରି ଆସିଛନ୍ତି ଆଜିଯାଏ । ସମ୍ମୋହିତ ମିଥ୍ୟାର ମଧୁର ପ୍ରଲେପରେ ତାଙ୍କର ଭଙ୍ଗାମନକୁ ଯୋଡ଼ି ରଖିବାପାଇଁ ଏହା ହୁଏତ ତାଙ୍କର ଏକମାତ୍ର ପନ୍ଥା-। ତଥାପି ମିଥ୍ୟାର ଭୋଜବାଜୀ ଲଗାଇ ସେ ନିଷ୍ଠୁର ସତ୍ୟଠାରୁ ବହୁଦୂରକୁ ନେଇଯାଇଛନ୍ତି ତାଙ୍କୁ, ଯେଉଁଠୁ ଫେରାଇଆଣିବା ବିପଦ୍‍ଜନକ, ଅସମ୍ଭବ ମଧ୍ୟ । ସତ୍ୟଠାରୁ ଦୂରେଇଯିବାରେ ଯେତିକି ଆନନ୍ଦ, ମିଥ୍ୟାଠାରୁ ଫେରିଆସିବାରେ ଗ୍ଲାନିର ମାତ୍ରା ତତୋଽଧିକ । ଅବଶ୍ୟ ସତ୍ୟର ସୋପାନ ଏ କ୍ଷେତ୍ରରେ ଆତ୍ମଘାତୀ । ବହୁବିଳମ୍ବରେ ହେଲେ ମଧ୍ୟ ସତ୍ୟର ଦ୍ଵାର ଦିନେ ଉଦ୍‌ଘାଟିତ ହେବ । ସେତେବେଳକୁ ଉଜାଣି ଯମୁନାରେ ଆଉ ଥଳକୂଳ ଦେବାକୁ ଶକ୍ତି ନଥିବ ତାହାଙ୍କର । କାହିଁକି ତାଙ୍କର ଏହି କପଟ ଦୌତ୍ୟ ? କାହିଁକି ଏ ମିଥା ଅଭିନୟ ? ସତେ କ’ଣ ଉଜାଣି ଯମୁନାକୁ ସେ ବୁହାଇପାରିବେ ତାଙ୍କର ଇଚ୍ଛାଶକ୍ତିର ଅନୁକୂଳରେ ? .....ନିଜ ପ୍ରଶ୍ନରେ ନିଜେ ଅଧୀରା ହୋଇଉଠୁଥିଲେ ମହାସାମନ୍ତଙ୍କ କନ୍ୟା ରତ୍ନମଞ୍ଜରୀ ।

 

ସଖୀ ବସୁଧାରାଙ୍କର ଲୋତକ ପ୍ଲାବିତା ମୂର୍ତ୍ତି ତାଙ୍କ ସମ୍ମୁଖରେ ଆସି ଦଣ୍ଡାୟମାନ ହେଲା ।

 

–ସଖୀ ମଞ୍ଜରୀ, ତୁମେ ମୋତେ ପ୍ରବଞ୍ଚିତ କରିଛ । ମିଥ୍ୟାର କୁହୁକ କାଠି ଛୁଆଇଁ ସତ୍ୟଠାରୁ ବହୁଦୂରକୁ ନେଇଯାଇଛ ।

 

ସଖୀ ବସୁଧାରା !! ରାଜଜେମା !!!

 

ବସୁଧାରାଙ୍କର ଉପସ୍ଥିତି ଅନୁଭବ କରି ଆତଙ୍କରେ ଶିହରି ଉଠୁଥିଲେ ରତ୍ନମଞ୍ଜରୀ ।

 

ସେ ଶଯ୍ୟାତ୍ୟାଗ କରି ଚତୁର୍ଦ୍ଦିଗକୁ ଦୃଷ୍ଟିଦେଲେ । କେହି କୁଆଡ଼େ ନାହାନ୍ତି । ଶୂନ୍ୟ କକ୍ଷ-। ପିତା ସଦାଶିବଙ୍କର ଅଧ୍ୟୟନ–ଶାଳାର ଆଲୋକ କେତେବେଳୁ ସ୍ତିମିତ ହୋଇ ଆସିଲାଣି-। ଦୂରରୁ ଝିଙ୍କାରୀର ନାଦ ସଙ୍ଗେ ଶୃଗାଳମାନଙ୍କର ‘ହୁକେହୋ’ ଧ୍ୱନି ଭାସି ଆସୁଥାଏ ।

 

ଏ ତେବେ ନିଜର ବିଭ୍ରମ ! ମାନସିକ ବିଭ୍ରମ !! ପୁଣି ନିଦ୍ରାଯିବାକୁ ଚେଷ୍ଟା କଲେ ସେ !

 

କକ୍ଷଟି ସମ୍ପୂର୍ଣ୍ଣ ନିସ୍ତବ୍‍ଧ । ଉତ୍‍ପୀଡ଼କ ନୀରବତା ମଧ୍ୟରେ ନିଜ ହୃତ୍‍ପିଣ୍ତର ସ୍ପନ୍ଦନ ସୁଦ୍ଧା ସେ ସ୍ପଷ୍ଟ ବାରିପାରୁଥିଲେ ।

 

ଇତସ୍ତତଃ ବିକ୍ଷିପ୍ତ କେତେ କ’ଣ ଦୁଶ୍ଚିନ୍ତାରେ ମସ୍ତିଷ୍କ ଭାରିହୋଇ ଆସୁଛି । ପ୍ରତି ରକ୍ତବାହୀ ଶିରାପ୍ରଶିରାରେ ସତେ ଯେପରି ଛୁଟିଯାଉଛି ଅଗ୍ନିର ଅସମ୍ଭବ ଝଲକ । ସେ ତହିଁରୁ ରକ୍ଷାପାଇବା ପାଇଁ ପ୍ରଭୁ ବୁଦ୍ଧିଙ୍କର ନାମ ସ୍ମରଣ କଲେ ।

 

ରାତ୍ରିର ଦ୍ୱିତୀୟ ପ୍ରହର ଅତୀତ ପ୍ରାୟ । ତାଙ୍କର ଇଚ୍ଛା ହେଉଥିଲା ଏ ଅସମୟରେ ହେଲେ ମଧ୍ୟ ସେ ରାଜନବରକୁ ଧାଇଁଯାଆନ୍ତେ । ସଖୀ ବସୁଧାରାଙ୍କ ନିକଟରେ ସତ୍ୟପ୍ରକାଶ କରି ତାଙ୍କ ନିକଟରୁ କ୍ଷମା ମାଗି‍ନିଅନ୍ତେ । ସେ ହୁଏତ ବୁଝିବେ ନାହିଁ । ସଖୀ ନିକଟରେ ଅନ୍ତର୍ବ୍ୟଥା ଚିରଦିନ ପାଇଁ ଅବ୍ୟକ୍ତ ରହିଯିବ । ଯେଉଁ ଅପ୍ରିୟ ସତ୍ୟକୁ ପ୍ରକାଶ କରିବା ଲାଗି ସେ ଏତେ ବଡ଼ ଦୁଃସାହସ କରିବେ, ସେ ମଧ୍ୟ ସନ୍ଦେହର ମେଘତଳେ ଚିରକାଳ ଅଦୃଶ୍ୟ ରହିଯିବ । ତେବେ ଲାଭ କ’ଣ ଏ ସତ୍ୟ ପ୍ରକାଶରେ ? ସେ ଜଳିପୋଡ଼ି ଯାଆନ୍ତୁ ପଛକେ, ସୁଖ ଓ ଶାନ୍ତିରେ ରହନ୍ତୁ ତାହାଙ୍କର ପ୍ରାଣସଙ୍ଗୀନୀ ବସୁଧାରା । ସେଥିପାଇଁ ତୁଚ୍ଛ ଅଭିନେତ୍ରୀର ଜୀବନ ତାଙ୍କର ଏକମାତ୍ର ଅବଲମ୍ବନ । ଅଭିନୟ କରି କରି ସେ କ୍ଲାନ୍ତ ହୋଇପଡ଼ିଥିଲେ ମଧ୍ୟ ତାଙ୍କୁ ପୁଣି ଅଭିନେତ୍ରୀ ସାଜି ଜୀବନ ସହିତ ଖେଳିବାକୁ ପଡ଼ିବ । ଆଜିକୁ ପାଞ୍ଚବର୍ଷ ହେବ ଖେଳିଛନ୍ତି । ପୁଣି ଖେଳିବେ । ନିଷ୍ଟଳ ଓ ବେଦନାଦାୟକ ଏ ଖେଳ । ସତେ ଯେପରି ଅନ୍ତହୀନ ଓ ଅସରନ୍ତି ।

 

କ୍ଳାନ୍ତିରେ ଘନ ଘନ ହାଇ ଛାଡ଼ିଛାଡ଼ି ଅବଶ ହୋଇ ଉଠୁଥିଲେ ରତ୍ନମଞ୍ଜରୀ ।

 

ସ୍ତୂପ ସ୍ତୁପ ନୈରାଶ୍ୟ ଅନ୍ତରାଳରୁ ଆଶାର କ୍ଷୀଣ ସ୍ରୋତଟିଏ ଝରିପଡ଼ିଲା । ମଞ୍ଜରୀଙ୍କର ଯୌବନଦୀପ୍ତ ଚକ୍ଷୁଦ୍ୱୟ ଅପୂର୍ବ ଆବେଗରେ ଉଜ୍ଜ୍ୱଳ ହୋଇଉଠିଲା ।

 

ମଥା ଉପରୁ ଶକ୍ତି ବୋଝଟାଏ ଅପସରିଗଲା ପ୍ରାୟ ସେ ନିଜକୁ ବେଶ୍ ସୁସ୍ଥ ଓ ଉଶ୍ୱାସ ମନେ କରୁଥିଲେ । ଆଉ ଏଣିକି ଚିନ୍ତା ନାହିଁ । ସେ ଖୁବ୍ ନିଶ୍ଚିନ୍ତରେ ଶୋଇଯିବେ ।

 

ସ୍ୱସ୍ତିର ନିଶ୍ୱାସ ମାରି ଶୋଇବାକୁ ଆରମ୍ଭ କଲେ ରତ୍ନମଞ୍ଜରୀ । ରାତ୍ରିର ଶେଷଯାମ ହେବାକୁ ଆଉ ସ୍ୱଳ୍ପ ସମୟ ବାକି ଥାଏ ।

 

।। ସାତ ।।

 

ଉଲ୍ଲାସିନୀଗିରିରୁ ଫେରିବା ଦିନରୁ ଆଜିଯାଏ ସମର ସିଂହ ମାନସିକ ଅବସାଦରେ ସତେ ଯେପରି ଅସ୍ଥିର ହୋଇଉଠିଛନ୍ତି । ଦୀର୍ଘଦିନର ଚିନ୍ତା ପରେ ମଧ୍ୟ ମହାସାମନ୍ତ କନ୍ୟାଙ୍କର ପ୍ରକୃତ ଉଦ୍ଦେଶ୍ୟ କ’ଣ ତାହା ବୁଝିବାକୁ ସେ ଅସମର୍ଥ ହେଉଥିଲେ । ଉଲ୍ଲାସିନୀଗିରିକୁ ଯାତ୍ରା ଓ ସେଠାରୁ ପ୍ରତ୍ୟାବର୍ତ୍ତନ କାଳରେ ରତ୍ନମଞ୍ଜରୀଙ୍କର କେତେକ ଉକ୍ତି ଆଜିସୁଦ୍ଧା ତାଙ୍କୁ ଦୁର୍ବୋଧ୍ୟ ବୋଧ ହେଉଥିଲା ।

 

ରତ୍ନମଞ୍ଜରୀ ଓ ବସୁଧାରା–ଜଣେ ମହାସାମନ୍ତ କନ୍ୟା ଓ ଆଉ ଜଣେ ମହାରାଜାଧିରାଜ ବସୁକଳ୍ପଙ୍କର ନୟନମଣି । ଉଭୟଙ୍କ ମଧ୍ୟରେ ଐଶ୍ୱର୍ଯ୍ୟ ଏବଂ ପ୍ରାଚୁର୍ଯ୍ୟର ଆକାଶ ପାତାଳ ପ୍ରଭେଦ-। ତଥାପି ରତ୍ନମଞ୍ଜରୀଙ୍କୁ ସେ ଭଲପାଆନ୍ତି ।

 

ତାଙ୍କର ବୀରତ୍ୱରେ ସେ ମୁଗ୍‌ଧ । ବସୁଧାରା ସୁନ୍ଦରୀ, ସୌଭାଗ୍ୟବତୀ । ସମଗ୍ର ତ୍ରିକଳିଙ୍ଗର ବିଭବ ତାହାଙ୍କର ପାଦତଳେ ଥୁଆ । ହେଲେ ହେଁ, ରାଜରାଜେଶ୍ଵରୀର ବିପୁଳ ବିଭବକୁ ଅସ୍ୱୀକାର କରି ସେ ତାଙ୍କର ମାନସ–ପ୍ରତିମାକୁ ଆବିଷ୍କାର କରିଛନ୍ତି ରତ୍ନମଞ୍ଜରୀ ମଧ୍ୟରେ–ଖୁବ୍ ନୀରବରେ, ଗୋପନରେ ।

 

ପିତା ଜାଣନ୍ତି ନାହିଁ । ସ୍ୱୟଂ ବସୁକଳ୍ପଙ୍କୁ ମଧ୍ୟ ଏହା ଅଜ୍ଞାତ । ମହାବିଷୁବର ସେହି ଶୁଭଲଗ୍ନରେ ଦୁଇଟି ହୃଦୟ ଏବଂ ଚାରୋଟି ଚକ୍ଷୁ ଏ ଆନ୍ତରିକ ମିଳନର ସାକ୍ଷୀ । ପ୍ରଭୁ ‘ତଥାଗତ’ ଜାଣନ୍ତି, କାହିଁକି ଅପ୍ରତ୍ୟାଶିତ ଭାବେ ସେ ଭଲପାଇ ବସିଲେ ରତ୍ନମଞ୍ଜରୀଙ୍କୁ । ଶୟନେ, ସ୍ୱପନେ ତାହାଙ୍କର ଲୀଳା–ଚଞ୍ଚଳ ଅଶ୍ୱାରୋହିଣୀ ମୂର୍ତ୍ତିଟି କାହିଁକି ଆସି ବାରମ୍ୱାର ମୃଦୁ କରାଘାତରେ ଉନ୍ମୋଚିତ କଲା ତାହାଙ୍କର ବିମୁଗ୍‍ଧ ସ୍ମୃତିର ସେହି ବିହ୍ୱଳ ତୋରଣଦେଶକୁ । ସେଦିନୁ ରତ୍ନମଞ୍ଜରୀଙ୍କ ପାଇଁ ହୃଦୟରେ ସେ ସ୍ୱତନ୍ତ୍ର ଆସନ ପାତି ଦେଇଛନ୍ତି । ମହାରାଜାଧିରାଜ ବସୁକଳ୍ପଙ୍କର ବହୁ ଆଶା ଓ ଆକାଙ୍‌କ୍ଷା ସତ୍ତ୍ୱେ ସେ ବସୁଧାରାଙ୍କୁ ମନର ସେହି ସେପାନରେ ଥରେ ହେଲେ ଅଧିରୂଢ଼ କରାଇପାରି ନାହାନ୍ତି । ବସୁଧାରା ରାଜଜେମା–ତ୍ରିକଳିଙ୍କର ପ୍ରଭୁ ବସୁକଳ୍ପକର କନ୍ୟା । ତେଣୁ ସେ ମାନନୀୟା । ତାଙ୍କୁ ରାଜକୁମାରୀର ସମ୍ମାନ ଦେବାକୁ କେବେ ସେ ପଶ୍ଚାତ୍‍ପଦ ହୋଇ ନାହାନ୍ତି । କିନ୍ତୁ ହୃଦୟେଶ୍ୱରୀର ଗୌରବ, ସେତ ଏକ ଭିନ୍ନ ବିଷୟ । ମାନସିକ ଭିତ୍ତିଭୂମିରେ କେବଳ ଏହାର ଉତ୍ତର ଦିଆଯାଇପାରେ । ରତ୍ନମଞ୍ଜରୀଙ୍କୁ କ’ଣ ଏହା ଅଗୋଚର ? ତେବେ ବାରମ୍ବାର ‘ବସୁଧାରା’ଙ୍କ ପ୍ରସଙ୍ଗ ଉଠାଇ ତାଙ୍କ ହୃଦୟରେ ଝଡ଼ ସୃଷ୍ଟି କରିବାରେ କି ଅପୂର୍ବ ଆନନ୍ଦ ରହିଛି ତାଙ୍କର ? ପୁରୁଷର ହୃଦୟ ପରୀକ୍ଷା ଯଦି ଏହାର ଉଦ୍ଦେଶ୍ୟ ହୋଇଥାଏ, ତାହା ତ ବହୁଦିନୁ ସରିଛି । ପ୍ରଥମ ଦୃଷ୍ଟି ବିନିମୟ ପରେ ଦୀର୍ଘ କାଳଧରି ସେ କାହାପାଇଁ ପ୍ରତୀକ୍ଷା ରତ ? ରତ୍ନଗିରିର ରାଜାନୁଗ୍ରହକୁ ତୁଚ୍ଛ କରି କାହିଁକି ତାହାଙ୍କର ଏ ଶୂନ୍ୟ ସାଧନା ?? କେଉଁ ନିର୍ବିକଳ୍ପ ସମାଧି ବା ପରମ ନିର୍ବାଣ ପାଇଁ ?? କେବଳ କ’ଣ ତନ୍ୱୀର ତନିମା ବା ରକ୍ତମାଂସର ବୁଭୁକ୍ଷା ପାଇଁ ?? ନା, ପ୍ରେମ ବିନିମୟରେ ପ୍ରେମର, ହୃଦୟ ପାଇଁ ହୃଦୟର ଏ ସାଧନା । ସେ ବୀର । ବୀରତ୍ଵ ତାଙ୍କର ଉପାସନା । କୁମାରୀ ରତ୍ନମଞ୍ଜରୀ ବୀରତ୍ୱର ସେହି କାଉଁରୀ ସ୍ପର୍ଶରେ ତାଙ୍କୁ ଆତ୍ମହରା କରିଛନ୍ତି ।

 

ମନେପଡ଼େ, ଗତ ଯୁଦ୍ଧର ସେ ରୋମାଞ୍ଚକର ଅନୁଭୂତି । ଲଳିତଗିରିର ପାଦ ଦେଶରେ ସେ କ୍ଷତ ବିକ୍ଷତ ଅବସ୍ଥାରେ ପରିତ୍ୟକ୍ତ । ସର୍ବାଙ୍ଗରୁ ଅଜସ୍ର ରକ୍ତସ୍ରାବ ଫଳରେ ଶରୀର ତଳର ଭୂମି ରକ୍ତଲିପ୍ତ ହୋଇଯାଇଥାଏ । ସ୍ପଷ୍ଟ ଚନ୍ଦ୍ରାଲୋକରେ ସେ ତାହା ଦର୍ଶନ କରି ସଂଜ୍ଞାହୀନ ହୋଇ ପଡ଼ିଲେ । ଶତ୍ରୁପକ୍ଷର ସୈନ୍ୟ ସେନାଗଣ ଛତ୍ରଭଙ୍ଗ ଦେଇ ପଳାୟନ କରିଥାଆନ୍ତି । ବିଜୟ ଉଲ୍ଲାସରେ ରତ୍ନଗିରିର ସୈନ୍ୟମାନେ ସେତେବେଳକୁ ପ୍ରମତ୍ତ ।

 

ପରାଜୟର ନିଶ୍ଚିତ ସୂଚନା ପାଇ ସୋମବଂଶୀ ମହାସେନାୟକ ରାତ୍ରିର ଶେଷ ପ୍ରହରକୁ ପୁଣି କୂଟ–ଯୁଦ୍ଧ ଆରମ୍ଭ କଲେ । ପଳାୟିତ ସୈନ୍ୟମାନଙ୍କୁ ପୁନରାୟ ଯୁଦ୍ଧଭୂମିକୁ ପ୍ରତ୍ୟାବର୍ତ୍ତନ କରିବା ଲାଗି ଗୁପ୍ତ ନିର୍ଦ୍ଦେଶ ଦିଆଗଲା । ଅବଶ୍ୟ ଏ ପ୍ରତ୍ୟାବର୍ତ୍ତନ ଫଳରେ ଶତ୍ରୁପକ୍ଷର ସୈନ୍ୟଗଣ ପ୍ରାଣ ଭୟରେ ପରିତ୍ୟକ୍ତ ସେମାନଙ୍କର ବହୁ ଅସ୍ତ୍ରଶସ୍ତ୍ର ଓ କ୍ଷତବିକ୍ଷତ ଗଜବାଜୀ ଫେରିପାଇଲେ । ହେଲେ ହେଁ ରୁଦ୍ଧ କ୍ଷୁବ୍‍ଧ ସୈନ୍ୟଗଣଙ୍କର ପ୍ରତିଶୋଧର ବହ୍ନି ଏଥିରେ ଉପଶମିତ ହେଲାନାହିଁ । ସେମାନଙ୍କର ଅମେଣ୍ଟଣ ରକ୍ତପିପାସାକୁ ମେଣ୍ଟଣ କରିବା ପାଇଁ ସେମାନେ ଖୋଜି ବୁଲୁଥିଲେ ରତ୍ନଗିରିର ସ୍ଵତନ୍ତ୍ର ବଳାଧିକୃତ ସମର ସିଂହଁକର ଛିନ୍ନ ଶିର ।

 

ହଠାତ୍ ସମ୍ମୁଖରେ ତାହାଙ୍କର ରକ୍ତାପ୍ଲୁତ ଶରୀରକୁ ପାଇ ତାଙ୍କ ଉପରକୁ ବ୍ୟାଘ୍ର ପରି ଝାମ୍ପ ଦେଲା ଏକ ଉନ୍ମତ୍ତ ସୈନିକ । ତାହାପରେ ଶତଶତ ସୈନ୍ୟ ସେନା । ସେମାନଙ୍କର ବିକଟ ଚିତ୍‍କାରରେ ତାହାଙ୍କର ମୂର୍ଚ୍ଛା ଭାଙ୍ଗିଗଲା । ଏହି କ୍ଷୁଧିତ ଶାଦ୍ଦଳମାନଙ୍କ ମୁଖରୁ ତାହାଙ୍କର ପ୍ରାଣରକ୍ଷା କରିବା ସକାଶେ ରଣରଙ୍ଗିନୀ ମୂର୍ତ୍ତିରେ ବିଚକ୍ଷଣ ଆସି ଚାଳନା କରୁଥିଲେ ରତ୍ନମଞ୍ଜରୀ-। ତାହାଙ୍କର ଶରୀର ନିସ୍ତେଜ ହୋଇ ଆସୁଥିଲେ ମଧ୍ୟ ଏ ରକ୍ତମୁଖା ସୈନ୍ୟବ୍ୟୁହରୁ କୁମାରୀଙ୍କୁ ବଞ୍ଚାଇବା ପାଇଁ ସେ ତାଙ୍କ ବାରଣ ସତ୍ତ୍ୱେ ବର୍ଚ୍ଛା ହସ୍ତରେ ସୈନ୍ୟମାନଙ୍କର ଅଭିମୁଖେ ଅଗ୍ରସର ହେଲେ ।

 

ଉଭୟଙ୍କର ପ୍ରଚଣ୍ତ ସମରର ସମ୍ମୁଖୀନ ହେବାକୁ ଭୀରୁ ସୋମବଂଶୀ ବାହିନୀର ଆଉ ଶକ୍ତି ନଥିଲା । ତେଣୁ ପ୍ରାଣରକ୍ଷା ନିମିତ୍ତ ସେମାନେ ପୁଣି ପୃଷ୍ଠଭଙ୍ଗ ଦେଲେ । କିଛି ଦୂର ସେମାନଙ୍କର ପଶ୍ଚାଦ୍ଧାବନ ପରେ ରତ୍ନମଞ୍ଜରୀ ପ୍ରତ୍ୟାବର୍ତ୍ତନ କରି ଦେଖନ୍ତିତ ସମର ସିଂହଙ୍କର ଜୀବନ ସଂକଟାପନ୍ନ । ଆସନ୍ନ ମୃତ୍ୟୁ ଅପେକ୍ଷାରେ ତାହାଙ୍କର ଚକ୍ଷୁ ଦୁଇଟି ମୁଦ୍ରିତ ହୋଇ ଆସୁଥାଏ ।

 

“ହାୟ ସଖି !” –କହି ସେ ପାଗଳିନୀ ପରି ଲୋଟି ପଡ଼ିଲେ ତାହାଙ୍କର ରକ୍ତାକ୍ତ ବକ୍ଷଦେଶରେ । ତାହାପରେ କ’ଣ ହେଲା ସେ ଜାଣନ୍ତି ନାହିଁ ।

 

ତେବେ କିଏ ଏହି ସଖୀ ? କାହାପାଇଁ ମଞ୍ଜରୀଙ୍କର ଏ କାତର ବିଳାପ ? ନିଜର ଦୁର୍ଦ୍ଦଶାରେ ସଖୀଙ୍କୁ ସ୍ମରଣ କରି ସଖୀର ଏ ବିକଳ ଉକ୍ତି ନା ସଖୀଙ୍କର ଚରମ ବିପର୍ଯ୍ୟୟରେ ସଖୀ କଣ୍ଠରୁ ଅସହାୟତାର ଏ ଆର୍ତ୍ତସ୍ୱର ? –କିଛି ସ୍ଥିର କରି ପାରୁ ନଥିଲେ ସେ ।

 

ହଁ, ରାଜଜେମାଙ୍କର ସ୍ୱତନ୍ତ୍ର ପରାମର୍ଶରେ ମଞ୍ଜରୀ ତାହାଙ୍କର ଅଙ୍ଗରକ୍ଷାଭାର ନେଇଥିବା ବିଷୟ ଅସ୍ପଷ୍ଟ ଭାବେ ତାହାଙ୍କର ସ୍ମୃତିରେ ନାଚିଯାଉଥିଲା । ହେଲେ ହଁ ଏହା ସତ୍ୟ ହୋଇଥିଲେ ମାରାତ୍ମକ ! କାରଣ ସେ ମହାସନ୍ଧି ବିଗ୍ରହୀ ବୈରୀରଞ୍ଜନଙ୍କର ପୁତ୍ର ହେଲେ ମଧ୍ୟ ରାଜାନ୍ନପାଳିତ ଜଣେ କର୍ମଚାରୀ । ମହାବଳାଧିକୃତଙ୍କର ବିରୋଧ ସତ୍ତ୍ୱେ ତାଙ୍କୁ ସେଥର ସ୍ଵତନ୍ତ୍ର ବଳାଧିକୃତ (ସ୍ଵତନ୍ତ୍ର ସେନାନାୟକ) ପଦରେ ନିଯୁକ୍ତ କରାଯାଇଥିଲା । ଜନ୍ମେଜୟଙ୍କର ସୈନ୍ୟସେନାଙ୍କୁ ଚରମ ପରାଭବ ଦେବାଲାଗି ପିତା ବୈରୀଗଞ୍ଜନ ଓ ମହାସାମନ୍ତ ସଦାଶିବ ମଧ୍ୟ ଗତ ଯୁଦ୍ଧରେ ଯୋଗ ଦେବାପାଇଁ ପ୍ରସ୍ତୁତ ହୋଇପଡ଼ିଥିଲେ । ସେଥିରୁ ସେମାନଙ୍କୁ ନିବର୍ତ୍ତାଇ ସେ ଏକାଏକ ଏ ରଣ ପରିଚାଳନାର ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ଗଡ଼ରୁ ଯାତ୍ରା କରିବା ସମୟରେ ବିଜୟ ଅଥବା ‘ମୃତ୍ୟୁ’ ଥିଲା ତାହାଙ୍କର ସଂକଳ୍ପ ।

ପ୍ରାଣମୂର୍ଚ୍ଛା ସଂଗ୍ରାମରେ ସେଥର ସେ ବିଜୟୀ ହେଲେ । ଗଡ଼ପ୍ରାନ୍ତର ମୁକ୍ତ ସମ୍ମିଳନୀରେ ହସି ହସି ତାହାଙ୍କୁ ବିଜୟର ମାଲ୍ୟ, ପିନ୍ଧାଇ ଦେଲେ ସ୍ୱୟଂ ରାଜଜେମା ଓ ମହାମାମନ୍ତ କନ୍ୟା ରତ୍ନମଞ୍ଜରୀ । ନଗର ବାସିନୀ ଶତଶତ ନରନାରୀ ଦୂର୍ବାକ୍ଷତ, ଧୂପ ଦୀପ ଓ ଅର୍ଘ୍ୟଦାନରେ ତାହାଙ୍କୁ ଦେବତାର ପୂଜା ଦାନ କଲେ ।

ତରୁଣୀ କଣ୍ଠର ହୁଳହୁଳି ଧ୍ୱନିରେ ମୁଖରିତ ହେଲା ରତ୍ନମେଖଳା । ସମବେତ ଜନତାର ଦୃଷ୍ଟି ହର୍ଷୋତ୍‍ଫୁଲ୍ଲା କେବଳ ଦୁଇଟି ଶାଣିତ ଚକ୍ଷୁ ପ୍ରତିଶୋଧର ବହ୍ନିରେ ଦାଉ ଦାଉ ହୋଇ ଜଳି ଉଠୁଥାଏ । ଆନନ୍ଦର ଉଚ୍ଛ୍ୱାସରେ ଏଥିପ୍ରତି କାହାର ଭ୍ରୂକ୍ଷେପ ନଥାଏ ।

ସ୍ୱୟଂ ମହାରାଜାଧିରାଜ ବସୁକଳ୍ପ ମୁକ୍ତ କଣ୍ଠରେ ଘୋଷଣା କଲେ–ଏ ବିଜୟ ତାହାଙ୍କର ବିଜୟ ନୁହେଁ । କୁମାର ସମର ସିଂହଙ୍କର ଅପୂର୍ବ ରଣଚାଳନା ଓ ଦୁଃସାହସିକତାର ଏ ବିଜୟ ।

ତେଣୁ ଆଜିଠାରୁ ସାହସପୁର ଓ ସୁଜନପୁର ମଣ୍ତଳ ତାହାକୁ ରାଜ–ଉପଢ଼ୌକନ ସଦୃଶ ପ୍ରଦତ୍ତ ହେଲା । ଯାବତ୍ ଚନ୍ଦ୍ରାର୍କେ ଏ ମଣ୍ଡଳଦ୍ୱୟ ତାହାଙ୍କର ଅପୂର୍ବ ସାହସ ଓ ବୀରତ୍ୱର ସନ୍ତକ ହୋଇ ରହିବ ।

ମହାବଳାଧିକୃତିଙ୍କର ମୁଖମଣ୍ଡଳ କ୍ରୋଧରେ ଆରକ୍ତ ହୋଇ ଉଠିଥାଏ । ଏ ମାନସିକ ଉଗ୍ରତାକୁ ଯଥାସମ୍ଭବ ଚାପିରଖି ସେ ଜନତାର ହର୍ଷ ଧ୍ୱନିରେ କଣ୍ଠ ମିଳାଇବାକୁ ଚେଷ୍ଟା କରୁଥିଲେ-

 

ଆନନ୍ଦ ଓ ଉଲ୍ଲାସର କରତାଳିରେ ଗଡ଼ ନିକଟସ୍ଥ ପ୍ରାନ୍ତର ମୁଖରିତ ହେଲା । ହେଲେ ହେଁ ବିଜୟର ଏ ଅଭିନନ୍ଦନକୁ ସେ ପରାଜୟର ଗ୍ଲାନି ବୋଲି ଜ୍ଞାନ କରିଥିଲେ । ତାଙ୍କୁ ବୋଧ ହେଉଥିଲା ରାଜାନୁଗ୍ରହର ପ୍ରାବଲ୍ୟରେ ସେ କିପରି ଦୁର୍ବଳ ହୋଇଯାଉଛନ୍ତି । ତାହାଙ୍କର ସ୍ୱାଧୀନ ବିଚାର, ବୁଦ୍ଧି ଓ ବୀରତ୍ୱ କ୍ରମେ କିପରି ଖର୍ବୀକୃତ ହୋଇ ଆସୁଛି, ଏ ଅବାଞ୍ଛିତ ରାଜକୀୟ ଅଭିନନ୍ଦନ ଓ ଚାରଣ କଣ୍ଠର ଏ ଉଦ୍‌ଭଟ ପ୍ରଶସ୍ତି ଗାନରେ ।

 

ବୀରପାଇଁ ବୀରତ୍ଵ ଏକ କଳା । ଏହାର ସୃଷ୍ଟି ଓ ସ୍ପନ୍ଦନ–ସଂଘର୍ଷରେ । ବୀର ପୂଜାର ଏ ପ୍ରହେଳିକା, କଳାକୁ ବିକଳାଙ୍ଗ କରେ । ବୀର ତେଣିକି ପାଲଟିଯାଏ ଅଥର୍ବ ଓ ପଙ୍ଗୁ, ଉପଢ଼ୌକନ ଓ ଅଭିନନ୍ଦନର ଏକ ସ୍ଥିତି ସର୍ବସ୍ଵ ଅକର୍ମଶିଳା । ଯାହାପାଇଁ ସନନ୍ଦ ବା ତାମ୍ରଫଳକର କୌଣସି ସ୍ୱତନ୍ତ୍ର ଆବଶ୍ୟକତା ନଥାଏ ।

 

ସେହି ଅକର୍ମଶିଳାରେ ପରିଣତ ହେଉଛନ୍ତି ସେ । ଅଭିନବ ଯଯାତି ନଗ୍ରଠାରେ ଦକ୍ଷିଣ କୋଶଳର ଗୁପ୍ତଚରକୁ ବନ୍ଦୀ କରାଯାଇଛି । ଆଗାମୀ ବୌଦ୍ଧ ସମ୍ମିଳନୀର ଗୁପ୍ତ ସମ୍ୱାଦ ସଂଗ୍ରହ କରୁଥିବା ଅପରାଧରେ ସେ ଅପରାଧୀ । ରତ୍ନଗିରିର ରାଜମୁକୁଟ ଏଥିପାଇଁ ଅସ୍ଥିର । ମୁହର୍ତ୍ତକ ତଳେ ପିତାଙ୍କ ଠାରୁ ଏ ଗୋପନୀୟ ବାର୍ତ୍ତା ଶ୍ରବଣ କଲେ–ଅଥଚ ଏ ଚାଞ୍ଚଲ୍ୟକର ସମ୍ବାଦରେ ରକ୍ତ ତାଙ୍କର ଟକମକ ହୋଇ ଫୁଟି ଉଠୁନାହିଁ । ଦୁର୍ମଦ ଜନ୍ମେଜୟଙ୍କୁ ପରାଭବ ଦେବାପାଇଁ ଅଧୈର୍ଯ୍ୟ ଚିତ୍ତରେ ବୈଦ ବା ସୋନପୁରର ଘାଟି ଯାଏ ଛୁଟି ଯାଉନାହାନ୍ତି ସେ । ଅବସାଦର କି ଏକ ହିମ ପ୍ରବାହରେ ସର୍ବାଙ୍ଗ ତାହାଙ୍କର ଜଡ଼ୀଭୂତ । କେଉଁ ମାୟାବିନୀର ଗୁପ୍ତ ଜାଲରେ ସେ ଏପରି ପଙ୍ଗୁ ହୋଇଆସିଲେ ? କିଏ, କିଏ ସେହି ମାୟାବିନୀ ? ରତ୍ନମଞ୍ଜରୀ ! ନା ... ..ବସୁଧାରା ? ନା ସେମାନେ କେହି ନୁହନ୍ତି । ଦାୟୀ ସେ ନିଜେ, ତାହାଙ୍କର ବୀରତ୍ୱ... । ଉନ୍ମାଦ ପ୍ରାୟ ନିଜ ସ୍ଵର୍ଗତୋକ୍ତିରେ ନିଜେ ଅଧୀର ହୋଇ ଉଠୁଥିଲେ ସମର ସିଂହ । ତାହାଙ୍କର ଇଚ୍ଛା ହେଉଥିଲା ସେ ପ୍ରାଣଭରି କାନ୍ଦନ୍ତେ । କିନ୍ତୁ କାନ୍ଦି ପାରିଲେ ନାହିଁ । କାରଣ ତାଙ୍କ ଚକ୍ଷୁର ପ୍ରତ୍ୟେକ ଧାରା ଯେ ଆଜି ଶୁଷ୍କ । ବୀରତ୍ୱର ଅବସାଦ ତାଙ୍କୁ ପାଷାଣ କରି ଦେଇଛି । ଆଉ ହୁଏତ ସେ ମନୁଷ୍ୟ ହୋଇ ପାରିବେ ନାହିଁ । ପାଷାଣ କାରାର ଏ ଦୁରନ୍ତ ଗହ୍ୱର ମଧ୍ୟରୁ ଆଊ ବୋଧହୁଏ ନିଷ୍କୃତି ନାହିଁ ତାହାଙ୍କର ?

 

“ଓଃ, କି ଅସହ୍ୟ ଯାତନା ! କି ଦାରୁଣ ପୀଡ଼ା ! !”–ସମର ସିଂହ ତାହାଙ୍କର ବିଶ୍ରାମ କକ୍ଷର ଏ ପାର୍ଶ୍ଵରୁ ସେ ପାର୍ଶ୍ୱ ବାତୁଳଭଳି ପଦଚାରଣା କରୁଥିଲେ ।

 

।। ଆଠ ।।

 

ଦକ୍ଷିଣ କୋଶଳର ଗୁପ୍ତଚର ବନ୍ଦୀ–ଏ ଚାଞ୍ଚଲ୍ୟକର ସମ୍ୱାଦ ପାଇ ମହାରାଜ ଜନ୍ମେଜୟ ପାରିଷଦମାନଙ୍କ ସହିତ ଗୁପ୍ତ ପରାମର୍ଶ ଚଳାଇଥିଲେ । କଳେ, ବଳେ, କୌଶଳେ ଭୌମକରମାନଙ୍କର ଆଧିପତ୍ୟ ଲୋପ କରି ତ୍ରିକଳିଙ୍ଗରେ ସୋମବଂଶର ପ୍ରଭୃତ୍ୱ ପ୍ରତିଷ୍ଠା କରିବାକୁ ହେବ । ମହାଶିବଗୁପ୍ତ ବଳାର୍ଜୁନଙ୍କ ସମୟରୁ ସୋମବଂଶୀମାନେ ନ୍ୟାୟତଃ ତ୍ରିକଳିଙ୍ଗର ଅଧିକାରୀ-। ମହାଶିବଗୁପ୍ତ ଯଯାତି ଦସ୍ୟୁସମ କ୍ଷଣକାଳ ପାଇଁ ନିଜକୁ କଳିଙ୍ଗ, କଙ୍ଗୋଦ, ଉତ୍କଳ ଓ କୋଶଳର ଅଧିପତି ବୋଲି ଘୋଷଣା କରି ଯାଇଥିଲେ ମଧ୍ୟ ଏ ଘୋଷଣାକୁ ସମ୍ମାନ ଦେଇ ସୋମବଂଶୀଗଣ ଆଉ ଅଧିକ କାଳ ପଶ୍ଚିମ ଓଡ଼ିଶାର କେତେ ଖଣ୍ଡି କ୍ଷୁଦ୍ର ରାଜ୍ୟରେ ସନ୍ତୁଷ୍ଟ ରହିପାରିବେ ନାହିଁ-। ପୈତୃକ ରାଜ୍ୟ ଶ୍ରୀପୁର (ମଧ୍ୟପ୍ରଦେଶ ଅନ୍ତର୍ଗତ) ଠାରୁ ଦକ୍ଷିଣ କୋଶଳ ଓ ସମଗ୍ର ତ୍ରିକଳିଙ୍ଗର ଏକଛତ୍ର ସମ୍ରାଟ ହେବାକୁ ସେମାନେ କ’ଣ ଯଥେଷ୍ଟ ଶକ୍ତିଶାଳୀ ନୁହଁନ୍ତି ?

 

ଜନ୍ମେଜୟଙ୍କର ଏ ଆସ୍ଫାଳନକୁ ଉତ୍ସାହିତ କରିକାକୁ ଯାଇ ଜନୈକ ପାରିଷଦ କହି ଉଠିଲେ, ‘‘ନିଶ୍ଚୟ ଛାମୁ ! ଏ ବିଶାଳ ଭୂଖଣ୍ଡର ରାଜଚକ୍ରବର୍ତ୍ତୀ ହେବାକୁ ମହାମହିମ ମହାବାହୁଙ୍କଠାରୁ ଭୀରୁ ଭୌମକରମାନେ କେଉଁ ଗୁଣରେ ଅଧିକ ସମର୍ଥ ? ତଥାପି ଅଷ୍ଟାଦଶ ପୁରୁଷ ଧରି ସେମାନେ ତ୍ରିକଳିଙ୍ଗର ମଉଡ଼ମଣି ହେବା ଆମ୍ଭମାନଙ୍କ ପକ୍ଷେ ଲଜ୍ଜାର ବିଷୟ ।”

 

ଅନ୍ୟାନ୍ୟ ପାରିଷଦମାନେ ଜନ୍ମେଜୟଙ୍କର ଏ ଉକ୍ତିକୁ ଅଭ୍ରାନ୍ତ ବୋଲି ସମର୍ଥନ ଜଣାଉଥିଲେ ମଧ୍ୟ ଭୌମକରମାନଙ୍କ ବିରୁଦ୍ଧରେ ପୁଣି ଯୁଦ୍ଧଯାତ୍ରା କରିବାକୁ ସେମାନଙ୍କର ଆଉ ସାହସ ନଥିଲା । କାରଣ ନିକଟ ଅତୀତରେ ରତ୍ନଗିରି ରାଜ୍ୟରୁ ଦକ୍ଷିଣ କୋଶଳ କିପରି ପରାଭବ ସ୍ଵୀକାର କରିଥିଲା, ତାହା ଅଦ୍ୟାପି ସେମାନଙ୍କର ସ୍ମୃତିରୁ ଅପସୃତ ହୋଇନାହିଁ । ତ୍ରିକଳିଙ୍ଗ ବାହିନୀର ପ୍ରଚଣ୍ଡ ରଣୋନ୍ମାଦନା ସ୍ମରଣ କରି ଅଦ୍ୟାବଧି ଦକ୍ଷିଣକୋଶଳର ସୈନ୍ୟସେନାଗଣ ଭୟରେ ବିକମ୍ପିତ ହୁଅନ୍ତି । ତେଣୁ ବଳ ଅପେକ୍ଷା କୌଶଳରେ ଆଗାମୀ ବୌଦ୍ଧସମାଗମକୁ ପଣ୍ଡ କରି ତ୍ରିକଳିଙ୍ଗର ମାନ, ମର୍ଯ୍ୟାଦା ଓ ସଂଭ୍ରମକୁ ଭୂଲୁଣ୍ଠିତ କରିବାକୁ ହେବ । ଏଥି ନିମିତ୍ତ ଆବଶ୍ୟକ ପଡ଼ିଲେ କୋଶଳର ବୀରଗଣ ଅସି ଉତ୍ତୋଳନ କରିପାରନ୍ତି । ହେଲେ ହେଁ ଏହା ପୂର୍ବରୁ ଦକ୍ଷିଣକୋଶଳର ଗୁପ୍ତଚରଙ୍କୁ ମୁକ୍ତି କରାଇବା ଏ କ୍ଷେତ୍ରରେ ସେମାନଙ୍କର ପ୍ରଥମ କର୍ତ୍ତବ୍ୟ ।

 

ପାରିଷଦମାନଙ୍କର ଏ ନିଷ୍ପତ୍ତିରେ ମହାରାଜ ଜନ୍ମେଜୟ ସମ୍ମତି ପ୍ରକାଶ କଲେ । କିନ୍ତୁ କେଉଁ ଉପାୟରେ ଗୁପ୍ତଚରର ମୁକ୍ତି ଓ ରତ୍ନଗିରି ରାଜ୍ୟର ଆଗାଗୀ ବୌଦ୍ଧ ମେଳାର ଆୟୋଜନକୁ ପଣ୍ଡ କରାଯାଇ ପାରିବ, ତାହାର ପନ୍ଥା ନିର୍ଣ୍ଣୟ କରିବାକୁ ମହାମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇ ସେ ଏ ଜରୁରୀ ଅଧିବେଶନର ସମାପ୍ତି ଘୋଷଣା କଲେ ।

 

।। ନଅ ।।

 

ବୌଦ୍ଧମେଳାର ସମସ୍ତ ଆୟୋଜନ ପ୍ରାୟ ଶେଷ ହେବା ଉପରେ । ଦକ୍ଷିଣ କୋଶଳ ବ୍ୟତୀତ ତ୍ରିକଳିଙ୍ଗର ବହୁ ସାମନ୍ତ ଓ ମହାରାଜଗଣ, ମହାରାଜାଧିରାଜ ବସୁକଳ୍ପଙ୍କର ନିମନ୍ତ୍ରଣ ରକ୍ଷା କରି ରତ୍ନଗିରି ରାଜ୍ୟରେ ଉପଗତ । ତ୍ରିକଳିଙ୍ଗ ବାହାରୁ କନୌଜ, ପାଟଳିପୁତ୍ର, ତକ୍ଷଶିଳା ଓ ଭାରତର ଅନ୍ୟାନ୍ୟ ବୌଦ୍ଧପୀଠରୁ ମଧ୍ୟ ବହୁ ବୌଦ୍ଧପଣ୍ଡିତ ଏବଂ ଭିକ୍ଷୁଭିକ୍ଷୁଣୀମାନଙ୍କର ଆଗମନର ବିରତି ଘଟିନାହିଁ ଏଯାଏ । ବ୍ରହ୍ମଦେଶ, ଚୀନ୍, କାମରୂପ ଓ ନେପାଳ ପ୍ରଭୃତି ରାଜ୍ୟରୁ, ଶୁଭେଚ୍ଛାର ସ୍ରୋତମାନ ବହିଆସୁଛି । ପ୍ରଖ୍ୟାତ ବୌଦ୍ଧାଚାର୍ଯ୍ୟ ‘ପ୍ରଜ୍ଞା’ ତାମ୍ରଲିପ୍ତି ବନ୍ଦରରେ ପଦାର୍ପଣ କରିବାର ଶୁଭସମ୍ୱାଦ ବସୁକଳ୍ପଙ୍କର ହସ୍ତଗତ ହେଲାଣି । ମହାମାନ୍ୟ ପ୍ରଜ୍ଞାଙ୍କର ଆଗମନକୁ ସବୁପ୍ରକାରେ ସାଫଲ୍ୟମଣ୍ଡିତ କରିବାକୁ ବୌଦ୍ଧପଣ୍ଡିତ ମଞ୍ଜୁଶ୍ରୀ, ବୋଧିଶ୍ରୀ, ଧର୍ମପାଳ ଏବଂ ମହାକାଞ୍ଚନ ମହାରାଜଙ୍କ ଦ୍ୱାରା ସ୍ୱତନ୍ତ୍ର ଆୟୋଜକ ଭାବରେ ନିମନ୍ତ୍ରିତ ହୋଇ ରତ୍ନଗିରିରେ ଅବସ୍ଥାନ କରୁଛନ୍ତି । ସ୍ଥୂଳତଃ ଭାରତ ଓ ଭାରତ ବାହାରର ମୁଖ୍ୟ ବୌଦ୍ଧପୀଠମାନଙ୍କରୁ ଅସଂଖ୍ୟ ଯୋଗୀ, ସାଧକ, ଭିକ୍ଷୁଭିକ୍ଷୁଣୀ ଓ ଦର୍ଶକଦଶିକାମାନଙ୍କର ସମାଗମରେ ରାଜଧାନୀ ରତ୍ନଗିରି ସମେତ ସୁବର୍ଣ୍ଣରେଖାଠାରୁ ଖରସ୍ରୋତା ଓ ମହାନଦୀ ତଥା ଋଷିକୂଲ୍ୟା ପର୍ଯ୍ୟନ୍ତ ସମଗ୍ର ରାଜ୍ୟ ଆଜିଠାରୁ ଜନାକୀର୍ଣ୍ଣ ହୋଇ ଉଠିଲାଣି ।

 

ଆଉ ଅଳ୍ପଦିନ ପରେ ବୌଦ୍ଧ ଧର୍ମସଭାର ଶୁଭାରମ୍ଭ । ତ୍ରିଦିବସବ୍ୟାପୀ ଏହି ଶୁଭାନୁଷ୍ଠାନଟିର ନିର୍ବିଘ୍ନ ପରିସମାପ୍ତି ନିମିତ୍ତ ମହାରାଜାଧିରାଜ ବସୁକଳ୍ପ ତାହାଙ୍କର ଅନ୍ତରଙ୍ଗ ଅମାତ୍ୟ, କୁମାରାମାତ୍ୟ ଏବଂ ଉପରିକମାନଙ୍କ ସହିତ ଘନ ଘନ ଆଲୋଚନାରତ । ବ'ଧି–ଶ୍ରୀ’ଙ୍କର ପରାମର୍ଶରେ ବୋଧିସତ୍ତ୍ୱଙ୍କର ଦୁଇ ସୁବର୍ଣ୍ଣ ପ୍ରତିମା ନିର୍ମାଣ ଲାଗି ମହାକ୍ଷ ପଟଳାଧିକୃତ (ସୁନାରୂପା ବିଭାଗର ଅଧ୍ୟକ୍ଷ) ରାଜରତ୍ନଶାଳାରୁ ମୁକ୍ତ ହସ୍ତରେ ଶୁଦ୍ଧ ସୁବର୍ଣ୍ଣ ଯୋଗାଇ ଦେଇଛନ୍ତି । ଏଥିଲାଗି ସ୍ଵତନ୍ତ୍ର ମହାକ୍ଷପଟଳିକ (ସୁନାରୂପାର କାମ ଦେଖିବା ଲୋକ) ମଧ୍ୟ ନିଯୁକ୍ତ ଅଛନ୍ତି । ମୂର୍ତ୍ତିନିର୍ମାଣ ଓ ବୌଦ୍ଧମେଳାର ଅନ୍ୟାନ୍ୟ ବ୍ୟୟ ନିମିତ୍ତ ରାଜାଦେଶକୁ ଅପେକ୍ଷା ନକରି ଅକାତରରେ ଅର୍ଥ ଯୋଗାଇ ଦେବାକୁ ମହାମୁଦ୍ରାଧିକୃତ (ରାଜକୋଷର ଅଧ୍ୟକ୍ଷ)ଙ୍କୁ ମହାରାଜାଙ୍କର ଅଗ୍ରୀମ ନିର୍ଦ୍ଦେଶ ରହିଛି ।

 

ଏହାସତ୍ତ୍ୱେ ଦକ୍ଷିଣକୋଶଳ ପ୍ରତ୍ୟାଗତ ରତ୍ନଗିରିର ଚର ମୁଖରୁ ସମସ୍ତ ବୃତ୍ତାନ୍ତ ଶୁଣିବା ପରେ ବସୁକଳ୍ପ ବ୍ୟସ୍ତ, ବିବ୍ରତ ହୋଇ ପଡ଼ିଛନ୍ତି । ମହାସନ୍ଧିବିଗ୍ରହୀ ବୈରୀଗଞ୍ଜନ, ମହାସାମନ୍ତ ସଦାଶିବ ଓ ମହାବଳାଧିକୃତ ଅମିତାଭ ଭଞ୍ଜଙ୍କୁ ସେ ଗୋପନରେ ଆହ୍ଵାନ କରି ସେମାନଙ୍କ ସହିତ ଗୁପ୍ତ ମନ୍ତ୍ରଣାଳୟରେ ମନ୍ତ୍ରଣାରତ ଅଛନ୍ତି ।

 

ଜନ୍ମେଜୟଙ୍କର ଗୁପ୍ତଚରଙ୍କୁ ମୁକ୍ତି ଦେବାପାଇଁ ବସୁକଳ୍ପ ଆନ୍ତରିକ ଇଚ୍ଛା ପ୍ରକାଶ କରୁଥିଲେ ମଧ୍ୟ ଦେଶର ଏ ସଂକଟଜନକ ପରିସ୍ଥିତିରେ ମହାସାମନ୍ତ ସଦାଶିବ ମହାରାଜାଧିରାଜଙ୍କର ଏ ଅଭିଳାଷକୁ ସ୍ୱାଗତ ଜଣାଇ ପାରିନାହାନ୍ତି । ତାହାଙ୍କର ଇଚ୍ଛା ଥିଲା ବୌଦ୍ଧମେଳାର ସମସ୍ତ ଆୟୋଜନ ଅକ୍ଷୁଣ୍ଣ ରଖି ବୌଦ, ସୋନପୁର ଇତ୍ୟାଦି ଘାଟି ସ୍ଥଳରେ ଭୌମବାହିନୀର ନିଯୁକ୍ତି ପୂର୍ବକ ଜନ୍ମେଜୟଙ୍କର ରାଜ୍ୟକୁ ଅବରୋଧ କରି ରଖିବା ପାଇଁ । ଏହା ଫଳରେ ଜନ୍ମେଜୟଙ୍କର ଲୋଲୁପ ଦୃଷ୍ଟି ନିଶ୍ଚିତ ଭାବରେ ସ୍ଵରାଜ୍ୟର ନିରାପତ୍ତା ରକ୍ଷା ଲାଗି ବ୍ୟାକୁଳ ହୋଇ ଉଠିବ ।

 

ଦ୍ଵାରପାଳଠାରୁ ଆକସ୍ମିକ ଭାବେ ଜନ୍ମେଜୟଙ୍କର ସ୍ୱତନ୍ତ୍ର ଦୂତାଗମନର ସମ୍ବାଦ ପାଇ ମନ୍ତ୍ରଣାଳୟ କ୍ଷଣକାଳପାଇଁ ନୀରବ ହୋଇ ଆସିଲା ।

 

ବୈଦେଶିକ ଦୂତାବାସରେ ଦକ୍ଷିଣକୋଶଳାଗତ ଦୂତଙ୍କର ଅବସ୍ଥାନ ଓ ଅତିଥିଚର୍ଚ୍ଚାର ବନ୍ଦୋବସ୍ତ କରିବା ଲାଗି ସନ୍ଧିବିଗ୍ରହୀ (ବୈଦେଶିକ ବିଭାଗର ଉପମନ୍ତ୍ରୀ) ସୁବର୍ଣ୍ଣ କେଶରୀଭଞ୍ଜ ଓ ଜ୍ୟେଷ୍ଠ କାୟସ୍ଥ (ମୁଖ୍ୟ କାଗଜ ପତ୍ର ରକ୍ଷକ) ବୃଦ୍ଧ ସୁଭଦ୍ର ଦାସଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇ ମହାରାଜ ପୁନରାୟ ମନ୍ତ୍ରଣାରତ ରହିଲେ ।

 

ବହୁ ଆଲୋଚନାପରେ ମହାସାମନ୍ତଙ୍କର ପରାମର୍ଶ ଗ୍ରହଣ ଯୋଗ୍ୟ ବିବେଚିତ ହେଉଥିଲେ ମଧ୍ୟ ଜନ୍ମେଜୟଙ୍କର ଦୂତଙ୍କ ସହିତ ସାକ୍ଷାତ ପୂର୍ବରୁ ଏଭଳି ଏକ ନିଷ୍ପତ୍ତି ଗ୍ରହଣ କରିବା ଉଚିତ ହେବନାହିଁ ବୋଲି ମହାସନ୍ଧି ବିଗ୍ରହୀ ବୈରୀଗଞ୍ଜନ ମତ ଦେଲେ । ମହାରାଜ ବସୁକଳ୍ପ ସର୍ବାନ୍ତଃକରଣରେ ଏହାକୁ ଅନୁମୋଦନ କଲେ । ସନ୍ଧ୍ୟା କାଳରେ ପାରିଷଦମାନଙ୍କର ଏକ ପ୍ରକାଶ୍ୟ ଅଧିବେଶନରେ ଜନ୍ମେଜୟଙ୍କର ଦୂତଙ୍କୁ ସାକ୍ଷାତ କରିବାକୁ ସ୍ଥିର କରି ମହାରାଜାଧିରାଜ ବସୁକଳ୍ପ ମନ୍ତ୍ରଣାଳୟ ପରିତ୍ୟାଗ କଲେ ।

 

।। ଦଶ ।।

 

ମଣୋହୀ ଓ ବିଶ୍ରାମ ପରେ ସନ୍ଧ୍ୟାକାଳୀନ ପ୍ରକାଶ୍ୟ ଅଧିବେଶନରେ ଯୋଗ ଦେବା ଲାଗି ମହାରାଜା ବସୁକଳ୍ପ ପ୍ରସ୍ତୁତ ହୋଇ ସାରିଥିଲେ । ମହାସନ୍ଧିବିଗ୍ରହୀ ବୈରୀଗଞ୍ଜନ, ମହାସାମନ୍ତ ସଦାଶିବ ଏବଂ ମହାବଳାଧିକୃତ ଅମିତାଭ ଭଞ୍ଜଙ୍କର ଆଗମନ ପରେ ସେ ଦରବାର ଗୃହରେ ଉପସ୍ଥିତ ହେଲେ । ଏ ପ୍ରକାଶ୍ୟ ଅଧିବେଶନରେ ଯୋଗଦେବା ପାଇଁ ଚର ହସ୍ତରେ ଦକ୍ଷିଣ କୋଶଳର ରାଜଦୂତଙ୍କୁ ଯଥା ସମୟରେ ସମ୍ବାଦ ଦିଆଯାଇ ଥିଲା ।

 

ଦରବାର ଗୃହଟି ବହୁବର୍ଣ୍ଣର ଆଲୋକମାଳାରେ ବିମଣ୍ଡିତ । ମର୍ମର ବେଦିକାସ୍ଥିତ ମଣିମୟ ସିଂହାସନରେ ଉପବେଶନ କଲେ ମହାରାଜାଧିରାଜ ବସୁକଳ୍ପ କେଶରୀ । ତାହାଙ୍କର ପାର୍ଶ୍ୱଦେଶକୁ ଅନ୍ୟାନ୍ୟ ବହୁ ମହାରାଜା ଓ ମହାମାତ୍ୟଗଣ । ସଭାଗୃହର ଊର୍ଦ୍ଧ୍ୱଦେଶରେ ସଜ୍ଜିତ ଚାରୁ ଚନ୍ଦ୍ରାତପର ରତ୍ନଝାଲେରୀରେ ବହୁ ବର୍ଣ୍ଣର ଆଲୋକରଶ୍ମି ବିଚ୍ଛୁରିତ ହୋଇ ଗୃହଟିକୁ ବର୍ଣ୍ଣୋତ୍ସବମୟ କରୁଥାଏ । ଅଗୁରୁ ଚନ୍ଦନ ଗନ୍ଧରେ ସମଗ୍ର ଦରବାର ଗୃହଟି ସୁରଭିତ । ବୈତାଳିକମାନଙ୍କର ରାଜପ୍ରଶସ୍ତି ପରେ ଯଥାରୀତି ସଭା କାର୍ଯ୍ୟ ଆରମ୍ଭ ହେଲା ।

 

ଦକ୍ଷିଣକୋଶଳାଗତ ରାଜଦୂତଙ୍କର ଏ ଆକସ୍ମିକ ଆଗମନର ଅଭିପ୍ରାୟ ଜାଣିବା ନିମିତ୍ତ ଏ ଅଧିବେଶନଟି ଉଦ୍ଦିଷ୍ଟ ଥିବାରୁ ସର୍ବପ୍ରଥମେ ତାହାଙ୍କୁ ତାହାଙ୍କର ବକ୍ତବ୍ୟ ପ୍ରକାଶ କରିବା ପାଇଁ ଅନୁମତି ମିଳିଲା ।

 

ତ୍ରିକଳିଙ୍ଗର ରାଜସିଂହାସନ ଓ ସଭାସଦ୍‍ମାନଙ୍କ ପ୍ରତି ଯଥାରୀତି ସମ୍ମାନ ଜ୍ଞାପନ କରିବା ପରେ ଜନ୍ମେଜୟଙ୍କର ଦୂତ ତାହାଙ୍କର ଆଗମନର ଉଦ୍ଦେଶ୍ୟ ବ୍ୟକ୍ତ କଲେ । ତାହାଙ୍କର ବାର୍ତ୍ତା ଶ୍ରବଣ ମାତ୍ରେ ସଭାସସ୍ଥଳୀରେ ପ୍ରବଳ ଉତ୍ତେଜନା ଓ ତୀବ୍ର ଆଲୋଡ଼ନ ପ୍ରକାଶ ପାଇଲା । ସ୍ୱୟଂ ବସୁକଳ୍ପ ମଧ୍ୟ ଜନ୍ମେଜୟଙ୍କର ଏ ଆସ୍ପର୍ଦ୍ଧାରେ ସ୍ତମ୍ଭୀଭୂତ ହୋଇଉଠିଲେ ।

 

–ଜନ୍ମେଜୟଙ୍କର ଦୂତକୁ ବନ୍ଦୀ କରି ଦକ୍ଷିଣକୋଶଳର ଗୁପ୍ତଚରଙ୍କ ସହିତ ତାହାଙ୍କୁ ଜୀବନ୍ତଦଗ୍‌ଧ କରାଯାଉ । ନଚେତ୍ ଏ ଆସ୍ପର୍ଦ୍ଧାର ସମୁଚିତ ଶାସ୍ତି ଘଟିବ ନାହିଁ । –ଉତ୍‍କ୍ଷିପ୍ତ ପରିଷଦମାନଙ୍କର ଏ ହିଂସ୍ର ନିଷ୍ପତ୍ତିରେ ମହାରାଜାଧିରାଜ ବିବ୍ରତ ହୋଇଉଠିଲେ । ସଭାସଦ୍‍ମାନଙ୍କୁ ପ୍ରକୃତିସ୍ଥ କରାଇବା ନିମିତ୍ତ ସେ ଆସନ ତ୍ୟାଗ କରି ଦଣ୍ଡାୟମାନ ହେଲେ ।

 

‘‘ଯେ କୌଣସି ପରିସ୍ଥିତିରେ ହେଲେ ମଧ୍ୟ ଗୁପ୍ତଚର ଏବଂ ରାଜଦୂତ ଅବଧ୍ୟ । ରାଜାନ୍ନପାଳିତ କର୍ମଚାରୀ ରାଜାଦେଶ ପାଳନ କରିବାକୁ ବାଧ୍ୟ । ତେଣୁ ସେମାନେ ସେମାନଙ୍କର କର୍ତ୍ତବ୍ୟ ମାତ୍ର ସମ୍ପାଦନ କରିଛନ୍ତି । ଜନ୍ମେଜୟଙ୍କର ଅକ୍ଷମଣୀୟ ଅପରାଧ ନିମିତ୍ତ ସେମାନଙ୍କୁ ଏଭଳି ଜଘନ୍ୟ ଶାସ୍ତି ପ୍ରଦାନ କରିବା, ଆମ୍ଭମାନଙ୍କ ପକ୍ଷେ ବୀରୋଚିତ ହେବନାହିଁ । ବିଶେଷତଃ, ରାଜନୀତି ବହିର୍ଭୂତ ଏ ପାଶବିକ ପ୍ରତିଶୋଧ ଫଳରେ ତ୍ରିକଳିଙ୍ଗର ସିଂହାସନ କାଳ କାଳ ଲାଗି କଳଙ୍କିତ ହୋଇ ରହିଯିବ । ତେଣୁ ମହିମାମୟ । କଳିଙ୍ଗର ପବିତ୍ର ଐତିହ୍ୟ ରକ୍ଷା ପୂର୍ବକ ଶାସନଦଣ୍ଡକୁ ବିଜ୍ଞପରାମର୍ଶ ଦେବା ନିମନ୍ତେ ଆମ୍ଭେ ସଭାସଦ୍‍ମାନଙ୍କର ସହୃଦୟତା କାମନା କରୁଛି ।”

 

ବସୁକଳ୍ପଙ୍କର ନିବେଦନ ପରେ ସଭାଗୃହ ପ୍ରାୟ ଶାନ୍ତି ହୋଇ ଆସୁଥିଲା ।

 

ମହାରାଜ ଆସନ ଗ୍ରହଣ କଲେ ।

 

ତ୍ରିକଳିଙ୍ଗର କ୍ଷମାମୟ ରାଜସିଂହାସନ ଓ ଦିବ୍ୟଦର୍ଶୀ ରାଜଭକ୍ତ ପାରିଷଦ୍‍ମାନଙ୍କର ଏ ବିଚକ୍ଷଣ ଶୃଙ୍ଖଳାବୋଧରେ ବିସ୍ମିତ ହୋଇଉଠୁଥିଲେ ଜନ୍ମେଜୟଙ୍କର ରାଜଦୂତ ।

 

ଏ ପବିତ୍ର ଭୂମିରେ ଜୀବନ୍ତ ଦଗ୍‍ଧ ହେବା ଅପେକ୍ଷା ମୌନପରାଭବର ବାର୍ତ୍ତାନେଇ ସ୍ଵଦେହରେ ଦକ୍ଷିଣ କୋଶଳକୁ ପ୍ରତ୍ୟାବର୍ତ୍ତନ କରିବା ତାଙ୍କ ପକ୍ଷେ ଶ୍ରେୟସ୍କର ବୋଧ ହେଉନଥିଲା-

 

ତେଣୁ ସ୍ୱପ୍ରଭୁଙ୍କର ଆଦେଶ ପାଳନ ନିମିତ୍ତ ସେ ମହାରାଜାଧିରାଜଙ୍କ ଅନୁମତି କ୍ରମେ ପୁନଶ୍ଚ କିଛି କହିବାପାଇଁ ଦଣ୍ଡାୟମାନ ହେଲେ ।

 

–ମହାମହିମ ସାମ୍ରାଟ ଓ ବିଜ୍ଞ ପାରିଷଦ ଗଣ; ରତ୍ନଗିରିର ରାଜଛତ୍ରତଳେ ମହାବାହୁ ଜନ୍ମେଜୟଙ୍କର ଏ ବନ୍ଧୁତ୍ୱପୂର୍ଣ୍ଣ ନିବେଦନ, ପ୍ରତ୍ୟାଖ୍ୟାତ ହେବା ବାସ୍ତବରେ ଦୁର୍ଭାଗ୍ୟଜନକ । ରାଜଜେମା ବସୁଧାରାଙ୍କର ଚରଣତଳକୁ ଦକ୍ଷିଣ କୋଶଳର ଅଭିନନ୍ଦନ ଧରି ମୁଁ ତ୍ରିକଳିଙ୍ଗର ଗୌରବ ରତ୍ନଗିରିରେ ପଦାର୍ପଣ କରିଥିଲି । ଆଶା ଥିଲା, କଳିଙ୍ଗର ମହାନୁଭବ ମହାରାଜାଧିରାଜ ବସୁକଳ୍ପ କେଶରୀ ଓ ତାହାଙ୍କର ବିଜ୍ଞ ପାରିଷଦ ଗଣ, କୋଶଳାଧିପତିଙ୍କର ଏ ପ୍ରସ୍ତାବକୁ ଭୁଲ ବୁଝିବେ ନାହିଁ । ବରଂ ଏହାକୁ ସାଦର ଚିତ୍ତରେ ଗ୍ରହଣ କରି ତ୍ରିକଳିଙ୍ଗ ଏବଂ ଦକ୍ଷିଣ କୋଶଳର ମୈତ୍ରୀବନ୍ଧନକୁ ଚିରକାଳ ଲାଗି ଦୃଢ଼ କରାଇବେ । କିନ୍ତୁ ମୋର ସେ ଆଶା, ନୈରାଶ୍ୟରେ ପରିଣତ ହୋଇଛି । ‘‘ତ୍ରିକଳିଙ୍ଗ କନ୍ୟାଦାୟର ଭୂମି ହେବ ନାହିଁ”–ଏହା ହିଁ କ’ଣ ଶ୍ରୀଛାମୁଙ୍କର ଚୂଡ଼ାନ୍ତ ନିଷ୍ପତ୍ତି-?? ଏହା ହିଁ ତ୍ରିକଳିଙ୍ଗର ରାଜସିଂହାସନ ଓ କୋଟି କୋଟି ରାଜଭକ୍ତ ପ୍ରଜାଙ୍କର ଚୂଡ଼ାନ୍ତ ନିଷ୍ପତ୍ତି ।

 

ହଁ, ଯିବାପୂର୍ବରୁ ଆହୁରି ମଧ୍ୟ ଶୁଣିଯାଅ ଦୂତ, ତୁମ୍ଭର ସେ ମହାରାଜ ଜନ୍ମେଜୟଙ୍କୁ ସ୍ମରଣ କରାଇଦେବ ଯେ ତାଙ୍କ ସଦୃଶ ଗୋଷ୍ପଦ ପରିମିତ ଭୂମିର ଜଣେ ସାମାନ୍ୟ ଶାସକର ଏ ଆସ୍ପର୍ଦ୍ଧା ଯଥାର୍ଥରେ ନିନ୍ଦନୀୟ । ଜନ୍ମେଜୟଙ୍କର ପୁତ୍ର ବଳାଦିତ୍ୟ ତୁମ୍ଭର ଯୁବରାଜ ହୋଇପାରନ୍ତି । କିନ୍ତୁ ରାଜଜେମା ବସୁଧାରାଙ୍କର ପଦରେଣୁ ସ୍ପର୍ଶ କରିବାପାଇଁ ତାଙ୍କୁ କୋଟି କୋଟି ଯୁଗ ତପସ୍ୟା କରିବାକୁ ହେବ । ଆଉ ରତ୍ନଗିରିକୁ କନ୍ୟାଦାୟର ଭୂମି ରୂପେ ଲାଭ କରିବାର ଦୁଃସ୍ୱପ୍ନ ଦେଖୁ ଦେଖୁ ତୁମ୍ଭର ସେ ଜନ୍ମେଜୟଙ୍କର ସ୍ପର୍ଦ୍ଧିତ ମସ୍ତକ ହୁଏତ ଲୋଟିଯାଇଥିବ ଏହି ରତ୍ନଗିରିର ପାଦ ଦେଶରେ– ।

 

ମହାରାଜାଧିରାଜ ବସୁକଳ୍ପଙ୍କ ମୁଖରୁ ଜନ୍ମେଜୟଙ୍କର ଅଧିକ ନିନ୍ଦାବାଦ ଶୁଣିବାକୁ କୋଶଳାଗତ ରାଜଦୂତଙ୍କର ଆଉ ଧୈର୍ଯ୍ୟ ନଥିଲା । ତେଣୁ ବିଷଣ୍ଣ ବଦନରେ ସେ ତତ୍‍ଗିରିରୁ ବିଦାୟ ନେଲେ । ତାହାଙ୍କର ପ୍ରତ୍ୟାବର୍ତ୍ତନ ପରେ ଦକ୍ଷିଣ କୋଶଳର ଏ ହୀନ ଅଭିଳାଷର ଉପଯୁକ୍ତି ପ୍ରତିଶୋଧ ନେବାପାଇଁ ପାରିଷଦମାନେ ରାଜାଦେଶକୁ ଅପେକ୍ଷା କରି ରହିଥିଲେ ।

 

ମହାବଳାଧିକୃତଙ୍କର ପୂର୍ବ ପରାମର୍ଶକୁ ମହାରାଜା ସାଗ୍ରହ ଚିତ୍ତରେ ଗ୍ରହଣ କରି ନେଇଥିବା ବିଷୟ ଘୋଷିତ ହେବା ମାତ୍ରେ ସଭାଗୃହରେ ଆନନ୍ଦର ତରଙ୍ଗ ଖେଳିଯାଇଥିଲା ଓ ପାରିଷଦବୃନ୍ଦ ବୀର ବିକ୍ରମରେ କଟୀ ଲମ୍ବିତ ତରବାରୀକୁ କୋଷମୁକ୍ତ କରି ‘‘ଜୟ ମହାରାଜାଧିରାଜ ବସୁକଳ୍ପ କେଶରୀଙ୍କର ଜୟ” ନାଦରେ ସଭାଗୃହ ପ୍ରକମ୍ପିତ କରି ଦେଲେ ।

 

।। ଏଗାର ।।

 

ଇତିମଧ୍ୟରେ ସମର ସିଂହଙ୍କର ପୂର୍ବବର୍ଣ୍ଣିତ ଅବସାଦ କେତେକାଂଶରେ କଟି ଆସିଛି । ପିତାଙ୍କର ଆହ୍ୱାନ କ୍ରମେ ସେ ତାହାଙ୍କର ମନୋଭାବ ଅତି ସ୍ପଷ୍ଟଭାବରେ ତାହାଙ୍କୁ ଜଣାଇ ଦେଇଛନ୍ତି । ଅବଶ୍ୟ ସେ ଏଥିରେ ସନ୍ତୁଷ୍ଟ ଥିବା ପରି ମନେ ହୁଏ ନାହିଁ । କାରଣ ସେଦିନରୁ ସେ ବିଶେଷ ଚିନ୍ତାଗ୍ରସ୍ତ ଥିବାର ଲକ୍ଷ୍ୟ କରାଯାଏ । ଯାହାହେଉ ସେ ତାହାଙ୍କର କର୍ତ୍ତବ୍ୟ ସମ୍ପାଦନ କରି ଦେଇଥିବାରୁ କିଞ୍ଚିତ୍ ପରିମାଣରେ ଆଶ୍ୱସ୍ତ ଅନୁଭବ କରୁଛନ୍ତି ।

 

ଅବଶ୍ୟ ମହାରାଜାଧିରାଜ ବସୁକଳ୍ପ ଅଦ୍ୟାପି ଏ ଦୁଃସମ୍ବାଦ ପାଇନଥିଲେ । ଜନ୍ମେଜୟଙ୍କ ବିରୁଦ୍ଧରେ ଅତର୍କିତ ଆକ୍ରମଣ ସଙ୍ଗକୁ ବୃହତମ ବୌଦ୍ଧମେଳାର ଆୟୋଜନ ନେଇ ସେ ଚିନ୍ତିତ ଥିଲେ । ତେଣୁ ଏ ଗୁରୁଦାୟିତ୍ୱ ଏବଂ ସଂକଟଜନକ ପରିସ୍ଥିତିର ଉଦ୍ ବେଳନରେ ରତ୍ନଗିରିର ରାଜସିଂହାସନ ସମେତ ସମଗ୍ର ରାଜ୍ୟବାସୀ ଯେତେବେଳେ ଅସ୍ଥିର ଓ ଉଦ୍‍ବିଗ୍ନ, ରାଜନୀତି ନିପୁଣ ମହାସନ୍ଧିବିଗ୍ରହୀ, ସେହିକାଳରେ ଏହିଭଳି ବ୍ୟକ୍ତିଗତ ଦୁଃସମ୍ବାଦ ଦେଇ ରାଜଚିତ୍ତକୁ ଅଧିକ ଉଦ୍‌ବେଳିତ କରାଇନଥିଲେ ।

 

ଏହା ମହାରାଜାଧିରାଜଙ୍କ ଗୋଚରକୁ ଆସିଥିଲେ, ସେ ହୁଏତ ଅବାଞ୍ଛିତ ରାଜାନୁଗ୍ରହର ପ୍ରାବଲ୍ୟରୁ ଶୀଘ୍ର ନିଷ୍କୃତି ଲାଭ କରି ଥାଆନ୍ତେ ଅଥବା ତାହାଙ୍କର ତୀବ୍ର ବିଷ ଦୃଷ୍ଟିରେ ପଡ଼ି ସ୍ଵବୀରତ୍ୱର ଏକ ନିର୍ବିକଳ୍ପ ପରୀକ୍ଷା ଆରମ୍ଭ କରିଥାଆନ୍ତେ ଏକକ ସଂଗ୍ରାମରେ । କିନ୍ତୁ ନିସଙ୍ଗ ଯାତ୍ରାର ସେ ସୁଯୋଗ ଏତେ ଶୀଘ୍ର ସେ ଲାଭ କରିପାରିଲେ ନାହିଁ । ଏହି ଅବଶୋଷ ନେଇ ତାହାଙ୍କୁ ପୁଣି ଥରେ ସମରାନଳରେ ଝାସ ଦେବାକୁ ହେବ–ଆଗୁଆବାହିନୀ ସହ ବୌଦ ଓ ସୋନପୁର ଘାଟି ଜଗିରହିବାକୁ ପଡ଼ିବ । ତାଙ୍କ ପଛେ ପଛେ ଅବଶ୍ୟ ମହାବଳାଧିକୃତ ଅମିତାଭ ଭଞ୍ଜ, ଗଜାରୋହୀ, ଅଶ୍ୱାରୋହୀ ଓ ପଦାତିକ ବାହିନୀ ସହ ସମଗ୍ର ଦକ୍ଷିଣ କୋଶଳକୁ ଅବରୋଧ କରି ରହିବେ । ଆବଶ୍ୟକସ୍ଥଳେ ପ୍ରଚଣ୍ଡ ସମ୍ମୁଖ ସମରରେ ଦକ୍ଷିଣକୋଶଳକୁ ଧ୍ୱସ୍ତବିଧ୍ୱସ୍ତ କରିଦେବାପାଇଁ ମହାବଳାଧିକୃତଙ୍କୁ ଗୁପ୍ତ ନିର୍ଦ୍ଦେଶ ରହିଛି ।

 

ଏହିଭଳି ଏକ ଘଡ଼ି ସନ୍ଧି ମୁହୂର୍ତ୍ତରେ ରତ୍ନମଞ୍ଜରୀଙ୍କର ଶେଷ ଭିକ୍ଷା ତାଙ୍କୁ ଅସମ୍ଭବ ବୋଧ ହେଉଥିଲା । ସେ ଛଦ୍ମବେଶରେ ଆଗୁଆ ବାହିନୀର ଜଣେ ସୈନିକ ଭାବେ ତାଙ୍କ ପାଖେ ପାଖେ ରହିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ମହାରାଜାଧିରାଜ ବସୁକଳ୍ପ ଏବଂ ମହାବଳାଧିକୃତଙ୍କର ଅଜ୍ଞାତରେ ସେ ଅକାରଣରେ କାହିଁକି ଏଭଳି ଏକ ଦୁର୍ନୀତିକୁ ପ୍ରଶ୍ରୟ ଦେବେ ? ତ୍ରିକଳିଙ୍ଗ ତ ବୀରଶୂନ୍ୟ ହୋଇନାହିଁ । ତେବେ ଅନ୍ତଃପୁରଚାରିଣୀ ଲବଣୀପିତୁଳା ଏକ ସୁକୁମା‍ରୀର କାହିଁକି ଏ ଗୁପ୍ତ ଅଭିଯାନ ? ରତ୍ନମଞ୍ଜରୀ ଅବଶ୍ୟ ବୀରା । ଭୌମ ବଂଶରେ ମହାଦେବୀ ଲକ୍ଷ୍ମୀଙ୍କଠାରୁ ମହାରାଣୀ ଦଣ୍ତୀ ମହାଦେବୀଙ୍କ ପର୍ଯ୍ୟନ୍ତ ବହୁ ଅନ୍ତପୁରଚାରିଣୀ ଅପୂର୍ବ ରଣକୌଶଳରେ ତ୍ରିକଳିଙ୍ଗର ବୀରତ୍ୱ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଯାଇଛନ୍ତି । ସେହି ବିଶ୍ଵବିଦିତ କୀର୍ତ୍ତିକୁ କେବଳ ଅକ୍ଷୁଣ୍ଣ ରଖିବାକୁ କ’ଣ ମଞ୍ଜରୀଙ୍କର ଏ ଅପ୍ରତ୍ୟାଶିତ ଅନୁରୋଧ ?

 

ନା’ ତା ହୁଏତ ହୋଇ ନଥାଇପାରେ । ତାହାଙ୍କର ସଜଳ ଚକ୍ଷୁର ନୀରବ ଅନୁଯୋଗରେ କେବଳ ଭରି ରହିଥାଇପାରେ ତାହାଙ୍କର (ସମର ସିଂହଂକର) ଭବିଷ୍ୟତ ନିରାପତ୍ତା ଲାଗି ବ୍ୟାକୁଳତା ତାଙ୍କ ପାଇଁ ଶୁଭେଚ୍ଛାରେ ଆଶଙ୍କାପ୍ରବଣ ନାରୀଚିତ୍ତର ଏ ହୁଏତ ହୋଇପାରେ ଏକ ସୁଚତୁର ଅଭିଯାନ ।

 

ଯାହାହେଉ ସେ ତାହାଙ୍କର ଅନୁଯୋଗ ରକ୍ଷା କରିବାକୁ ଯେପରି ଅସମର୍ଥ, ତାହାକୁ ଅସ୍ୱୀକାର କରିବାକୁ ସେପରି ଦୁର୍ବଳ । ଏ ଅବସ୍ଥାରେ ବାସ୍ତବ ମୁହୂର୍ତ୍ତର ନିଷ୍ପତ୍ତିକୁ ଅପେକ୍ଷା କରୁଥିଲେ ସମର ସିଂହ ।

 

ହଠାତ୍ ରାଜପଥ ଉପରୁ ରଣଯାତ୍ରାର ମିଳିତ କୋଳାହଳ ଭାସିଆସିଲା । ଭୋରୀ, ତୂରୀ ଓ ଦାମାମା ନିର୍ଘୋଷରେ ପ୍ରତିଧ୍ୱନିତ ହେଲା କମ୍ପଗଡ଼ର ପ୍ରାସାଦଶ୍ରେଣୀ । ବୀରତ୍ୱର ସେ ଆଗ୍ନେୟ ଆହ୍ଵାନରେ ସେ ସମସ୍ତ ଅବସାଦ ଭୁଲି ଆସିଲେ । ତାଙ୍କୁ ବୀରବେଶରେ ଭୂଷିତ କରବା ଲାଗି ତାହାଙ୍କର ଅଶ୍ରୂମୁଖୀ ଧାଈମା ତାଙ୍କ ନିକଟରେ ଉପସ୍ଥିତ ହେଲେ । ତାଙ୍କ ପଛକୁ ବୀରପରିଚ୍ଛଦ ପରିହିତ ଜଣେ ସୈନିକ, ଯାହାକୁ ରତ୍ନଗିରିରେ କେବେ ଦେଖିଲାପରି ତାହାଙ୍କର ମନେ ହେଉନଥିଲା । ତଥାପି ସୈନିକଟିର ମୁଖମଣ୍ତଳକୁ ନିରୀକ୍ଷଣ କଲେ ସେ ତାହାଙ୍କର ସମ୍ପୂର୍ଣ୍ଣ ଅପରିଚିତ ବୋଲି ମଧ୍ୟ କହିହେବ ନାହିଁ । ଏଭଳି ଏକ ସୈନିକର ଏ ଅସମୟରେ କାହିଁକି ଯେ ଗଡ଼ ଅଭ୍ୟନ୍ତରକୁ ଯାତ୍ରା, ତାହା ସେ ସ୍ଥିର କରି ପାରୁନଥିଲେ ।

 

।। ବାର ।।

 

ଗତ ରାତ୍ରିରୁ ଅତର୍କିତ ଭାବରେ ଜନ୍ମେଜୟଙ୍କର ରାଜ୍ୟକୁ ଚତୁର୍ଦ୍ଦିଗରୁ ଅବରୋଧ କରାଯାଇଛି । ମହାବଳାଧିକୃତଙ୍କର ସମସ୍ତ ସୈନ୍ୟସେନା ଅଦ୍ୟାପି କୋଶଳ ସୀମାରେ ଉପନୀତ ହୋଇ ନଥିଲେ ମଧ୍ୟ ଆଗୁଆ ବାହିନୀର ସ୍ଵଳ୍ପସଂଖ୍ୟକ ଅଶ୍ୱାରୋହୀ ସୈନ୍ୟମାନଙ୍କ ସାହାଯ୍ୟରେ ସମର ସିଂହ ଅକ୍ଳେଶରେ ଦକ୍ଷିଣ କୋଶଳର ଘାଟିଗୁଡ଼ିକରେ ନିଜର ଆସ୍ଥାନ ଦୃଢ଼ କରିପାରିଛନ୍ତି । ଭୌମକରମାନେ ମାଡ଼ି ଆସୁଥିବାର କୋକୁଆ ଭୟରେ ଦକ୍ଷିଣ କୋଶଳର ବହୁ ଅଞ୍ଚଳ ବର୍ତ୍ତମାନ ଜନଶୂନ୍ୟ ଜନଶୂନ୍ୟ । ତେଣୁ ସେ ନିର୍ଜନ ଓ ଶ୍ମଶାନ ସଦୃଶ ଅପନ୍ତରା, ଗୋପନ୍ଥ, କଣିଆ, ଭଣିଆ, ନଦୀ ପର୍ବତ ଇତ୍ୟାଦିକୁ ଅଧିକାର କରିନେବା ପାଇଁ ରତ୍ନଗିରିର ସୈନ୍ୟବାହିନୀକୁ କୌଣସି ଆୟାସ ସ୍ଵୀକାର କରିବାକୁ ପଡ଼ିନାହିଁ ।

 

ବୌଦ ଘାଟିର ଅଦୂରରେ ମହାନଦୀର କୂଳେ କୂଳେ ସେମାନଙ୍କ ମଧ୍ୟରୁ କେତେକଙ୍କ ପାଇଁ ପ୍ରକାଶ୍ୟ ଶିବିର ସ୍ଥାପିତ ହୋଇଛି । ଦନ୍ତାମତ୍ତା ପାଞ୍ଚଶ ଘର ହସ୍ତୀ ଓ ରାଉତ ମାହୁନ୍ତ ଇତ୍ୟାଦି ତାହାଙ୍କର ଅନୁସରଣ କରୁଛନ୍ତି । ଏକ ହଜାର ଅଶ୍ୱାରୋହୀ ସୈନ୍ୟ ବ୍ୟତୀତ ମାତ୍ର ପାଞ୍ଚ ହଜାର ବାଣୁଆ, ଦୁଇ ହଜାର ଧନୁକୀ, ଏକ ହଜାର ‘ଚାଟ’ (ସାମୟିକ ସୈନ୍ୟ), ଏକ ହଜାର ‘ଭଟ’ (ସ୍ଥାୟୀ ସେନା)କୁ ସଙ୍ଗରେ ଧରି ସମର ସିଂହ ଗଡ଼ରୁ ଯାତ୍ରା କରିଥିଲେ ।

 

ନତୁବା ଅବଶିଷ୍ଟ ସୈନ୍ୟସେନା ଅନ୍ୟାନ୍ୟ ଘାଟି ନିକଟସ୍ଥ ପର୍ବତ ଖୋଲ ଓ ଘଞ୍ଚ ଅରଣ୍ୟ ମଧ୍ୟରେ ଏପରି ଗୁପ୍ତଭାବରେ ଅବସ୍ଥାନ କରୁଛନ୍ତି ଯେ ସ୍ଵପକ୍ଷର ସାଧାରଣ ସୈନ୍ୟ ସେମାନଙ୍କର ଚିହ୍ନବର୍ଣ୍ଣ ଜାଣିବାର କୌଣସି ଉପାୟ ନାହିଁ । ସେମାନଙ୍କୁ କେଉଁ ସ୍ଥଳରୁ କିପରିଭାବେ ଖାଦ୍ୟପାନୀୟ ଏବଂ ଅସ୍ତ୍ରଶସ୍ତ୍ରର ଯୋଗାଣ ଅବ୍ୟାହତ ରହିଛି ତାହା ମଧ୍ୟ ଅତ୍ୟନ୍ତ ଗୋପନୀୟ । ତେଣୁ ଦକ୍ଷିଣ କୋଶଳ ଓ ତ୍ରିକଳିଙ୍ଗର ସୀମାରେ କୌଣସି ବିପଦର ଆଶଙ୍କା ନାହିଁ । ତ୍ରିକଳିଙ୍ଗର ସୀମା ସମ୍ପୂର୍ଣ୍ଣ ନୀରପଦ୍ରୁତ । ଗଙ୍ଗା କୂଳରୁ ଗୋଦାବରୀଯାଏ ଏବଂ ସୁରନଦୀ କୂଳରୁ କୃଷ୍ଣାବେଣୀଯାଏ ସାଧାରଣ ଜୀବନ–ଯାତ୍ରା ସମ୍ପୂର୍ଣ୍ଣ ନିରାପଦ ।

 

ଭ୍ରାମ୍ୟମାଣ ଚର ମୁଖରୁ ଏ ଗୁପ୍ତ ସମ୍ବାଦ ପାଇବା ପରେ ଆଜି ପ୍ରତ୍ୟୁଷରୁ ମହାସମାରୋହରେ ଏସିଆ ମହାଦେଶର ବୃହତ୍ତମ ବୌଦ୍ଧମେଳାର ଶୁଭାରମ୍ଭ ହୋଇଅଛି । ଏ ଉପଲକ୍ଷ୍ୟେ ଧ୍ୟାନରତ ବୋଧିସତ୍ତ୍ୱଙ୍କର ଦୁଇଟି ଶୁଦ୍ଧ ସୁବର୍ଣ୍ଣ ପ୍ରତିମା ବ୍ୟତୀତ ଆହୁରି ଏକଶତ ପାଷାଣ ମୂର୍ତ୍ତି ଏବଂ ସ୍ତୂପ ନିର୍ମିତ ହୋଇ ରତ୍ନଗିରି ତଥା ଭୌମକର ବଂଶର ପ୍ରାଚୀନ ରାଜଧାନୀ ଗୁହେଶ୍ୱର ପାଟକଠାରେ ସ୍ଥାପନ କରାଯାଇଅଛି । ଏଥିମଧ୍ୟରୁ ଅର୍ଦ୍ଧଶତ ବିଶାଳକାୟ ମୂତ୍ତି ଓ ସ୍ତୂପ କେବଳ ରତ୍ନଗିରି ଓ ଲଳିତଗିରିଠାରେ ସ୍ଥାପିତ ହୋଇଅଛି ।

 

ଏହା ଭିନ୍ନ ପୁଷ୍ପଗିରି ଅନ୍ତର୍ଗତ ମୁଖ୍ୟ ବିହାର ଓ ରତ୍ନଗିରିର ପ୍ରବେଶଦ୍ୱାର ଜୀର୍ଣ୍ଣ ହୋଇ ଆସିଥିବାରୁ ତାହାର ସଂସ୍କାର ପାଇଁ ନୀଳଗିରି ଆନୀତ ସୁନୀଳ ପ୍ରସ୍ତରରେ ଏକ ଅପୂର୍ବ ଶୋଭାମୟ ତୋରଣ ନିର୍ମିତ ହୋଇଅଛି । କଳିଙ୍ଗର ଦୂରଦୂରାନ୍ତରୁ ଆଗତ ଭାସ୍କରମାଙ୍କର ଅପୂର୍ବ ସ୍ଵପ୍ନ ଓ ସୂଚୀଶିଳ୍ପର ପରାକାଷ୍ଠା ଏ ତୋରଣଟିର ଗାତ୍ରରେ ମୂର୍ତ୍ତିମନ୍ତ ।

 

ମାହେନ୍ଦ୍ର ମୁହୂର୍ତ୍ତରେ ଶୋଭାଯାତ୍ରା ଆରମ୍ଭ ହେଲା । ସର୍ବାଗ୍ରରେ ବୌଦ୍ଧାଚାର୍ଯ୍ୟ ପ୍ରଜ୍ଞା, ତାହାଙ୍କର ପଶ୍ଚାଦ୍ଦେଶରେ ବୌଦ୍ଧପଣ୍ଡିତ ମଞ୍ଜଶ୍ରୀ, ବୋଧିଶ୍ରୀ, ଧର୍ମପାଳ ଓ ମହାକାଞ୍ଚନ । ରକ୍ତବର୍ଣ୍ଣର ‘ଅନ୍ତର ବାସକ’ ଓ ପୀତ ବର୍ଣ୍ଣର ‘ଉତ୍ତର ସଂଗ’ ପରିହିତ, ଭିକ୍ଷାପାତ୍ରଧାରୀ ମୁଣ୍ଡିତ ମସ୍ତକ ଲକ୍ଷ ଲକ୍ଷ ଭିକ୍ଷୁଭିକ୍ଷୁଣୀ ତାହାଙ୍କର ଅନୁସରଣ କରୁଥାଆନ୍ତି ।

 

ଆଚାର୍ଯ୍ୟ ପ୍ରଜ୍ଞାଙ୍କର ଦକ୍ଷିଣ ପାର୍ଶ୍ଵରେ ସ୍କନ୍ଧ ଦେଶରେ ପ୍ରଭୁ ବୁଦ୍ଧଙ୍କର ସୁବର୍ଣ୍ଣ ପ୍ରତିମାଟିକୁ ସ୍ଥାପନା କରି ପଦବ୍ରଜରେ ଲଳିତଗିରି ପର୍ଯ୍ୟନ୍ତ ଯାତ୍ରା କରି ଚାଲିଛନ୍ତି ସ୍ୱୟଂ ମହାରାଜାଧିରାଜ ବସୁକଳ୍ପ କେଶରୀ । ତାହାଙ୍କର ଅମାତ୍ୟ ପାରିଷଦ ଏବଂ ଦଣ୍ଡପାଣିଗଣ (ପୋଲିସ୍ ଅଧ୍ୟକ୍ଷ) ଭିକ୍ଷୁ-ଭିକ୍ଷୁଣୀମାନଙ୍କର ବହୁ ପଶ୍ଚାତ୍ ଭାଗରେ ରହି ଶୋଭାଯାତ୍ରାରେ ଶୃଙ୍ଖଳାରକ୍ଷାପୂର୍ବକ ଲଳିତ ଗିରି ଅଭିମୁଖେ ଅଗ୍ରସର ହେଉଥାଆନ୍ତି ।

 

ସେମାନଙ୍କ ପଛକୁ ଅଭିଗଣିତ ଜନ ସ୍ରୋତ । ବିରଜାସ୍ଥାନରୁ ଗୁହେଶ୍ଵର ପାଟକ ଏବଂ ଗୁହେଶ୍ଵର ପାଟକରୁ ରତ୍ନଗିରି ତଥା ଲଳିତଗିରି ଅର୍ଥାତ୍ ସମଗ୍ର ପୁଷ୍ପଗିରି ବିହାର ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବରେ ଲାଗିରହିଥାଆନ୍ତି ।

 

ଲଳିତଗିରି ପାଦଦେଶରେ ଶୋଭାଯାତ୍ରାର ଗତି ବନ୍ଦ ହୋଇ ଆସିବା ମାତ୍ରେ ଉଦ୍‌ଗ୍ରୀବ ଜନସ୍ରୋତ କ୍ରମେ ଏକ ବୀଚି ବିକ୍ଷୁବ ଉତ୍ତାଳ ସାଗରରେ ପରିଣତ ହେଲା । ମହାରାଜାଧିରାଜଙ୍କର ଏ ଭିକ୍ଷୁ ବେଶ ଦର୍ଶନପୂର୍ବକ ତାହାଙ୍କର ସ୍କନ୍ଧଦେଶରେ ସ୍ଥାପିତ ପ୍ରଭୁ ତଥାଗତଙ୍କୁ ଦର୍ଶନ କରିବା ଲାଗି ଜନ ସମୁଦ୍ର ଉଦ୍ ବେଳିତ ହୋଇଉଠିଲା ।

 

ଏ ଉଦ୍‌ବେଳିତ ଜନ ସମୁଦ୍ରକୁ ଦର୍ଶନ ସୁଯୋଗ ଦେବା ନିମିତ୍ତ ବୌଦ୍ଧାଚାର୍ଯ୍ୟ ପ୍ରଜ୍ଞା ଓ ଭିକ୍ଷୁବେଶୀ ମହାରାଜଙ୍କୁ ତଥାଗତଙ୍କର ସୁବର୍ଣ୍ଣ ପ୍ରତିମା ସହ ହସ୍ତୀପୃଷ୍ଟରେ ଉପବେଶନ କରି ଲଳିତଗିରିର ରତ୍ନବେଦିକା ପର୍ଯ୍ୟନ୍ତ ଯାତ୍ରା କରିବାକୁ ପଡ଼ିଲା ।

 

“ବୁଦ୍ଧଂ ଶରଣଂ ଗଚ୍ଛାମି’’ର ହର୍ଷୋତ୍‍ଫୁଲ୍ଲ ଧ୍ୱନି ମଧ୍ୟରେ ମହାରାଜାଧିରାଜକର ସ୍କନ୍ଧରୁ ତଥାଗତଙ୍କର ଧ୍ୟାନଗମ୍ଭୀର ମୂର୍ତ୍ତିଟିକୁ ଅବତରଣ କରାଇ ବୌଧାଚାର୍ଯ୍ୟ ପ୍ରଜ୍ଞା ମୂର୍ତ୍ତିଟିକୁ କଉଡ଼ି ନିର୍ମିତ ଏକ ସୁନ୍ଦର ପାତ୍ର ମଧ୍ୟରେ ସ୍ଥାପନ କଲେ ।

 

ତାହାଙ୍କର ନିର୍ଦ୍ଦେଶରେ ଏକ ଅର୍ଦ୍ଧବୃତ୍ତାକାର ପାତ୍ରଟିକୁ ମହାରାଜ ବେଦୀ ପର୍ଯ୍ୟନ୍ତ ବହନ କରିନେଲେ । ବେଦୀ ସମାର୍ଜନ ଓ ପ୍ରତିମସ୍ନାନ ପରେ ମହାରାଜାଧିରଜ ପ୍ରତିମାଟି ପୂର୍ବପରି ପାତ୍ର ମଧ୍ୟରେ ରଖି ବେଦୀ ସଂଲଗ୍ନ ସ୍ତୂପର ଊର୍ଦ୍ଧ୍ୱଦେଶରେ ସ୍ଥାପନ କଲେ । ଉକ୍ତ ପାତ୍ରର ଊର୍ଦ୍ଧ୍ୱଭାଗଟି ଅନାବୃତ ରହିଥିବାରୁ ଧ୍ୟାନରତ ବୁଦ୍ଧଙ୍କର ଶାନ୍ତ ଏବଂ ସମାହିତ ମୁଖମଣ୍ଡଳଟି ଦୂରରୁ ବେଶ୍ ଦୃଶ୍ୟମାନ ହେଉଥାଏ । ଏହାପରେ ଲକ୍ଷ କଣ୍ଠର ସମ୍ମିଳିତ ପ୍ରାର୍ଥନା ସ୍ଵରରେ ଲଳିତଗିରି ବିହାର ଝଙ୍କୃତି ହୋଇ ଉଠିଲା ।

 

ଲଳିତଗିରି ବିହାରରେ ପ୍ରତିମା ସ୍ଥାପନ କରି ରନ୍ନଗିରିରେ ପହଞ୍ଚିବା ସମୟକୁ ସୂର୍ଯ୍ୟାସ୍ତ ହୋଇ ଆସୁଥାଏ ।

 

ଏ ରମଣୀୟ ସୂର୍ଯ୍ୟାସ୍ତର ଅସ୍ତାଲୋକ ମଧ୍ୟରେ ବୌଦ୍ଧାଚାର୍ଯ୍ୟ ପ୍ରଜ୍ଞାଙ୍କର ନିର୍ଦ୍ଦେଶମତେ ମହାରାଜଧିରାଜ ବସୁକଳ୍ପ ରତ୍ନଗିରିବିହାରର ମୁଖ୍ୟ ତୋରଣ ଉଦ୍‍ଘାଟନ ପୂର୍ବକ ଅନ୍ୟ ଏକ କଉଡ଼ି ପାତ୍ର ଗର୍ଭରେ ‘ତଥାଗତଙ୍କର’ ଶୁଦ୍ଧ ସୁବର୍ଣ୍ଣର ଅପର ପ୍ରତିମାଟିକୁ ସ୍ଥାପନ କରି କଉଡ଼ି ନିର୍ମିତ ଏକ ଅର୍ଦ୍ଧଗୋଲାକାର ଢାଙ୍କୁଣୀରେ ସେ ପାତ୍ରଟିର ମୁଖ ମୁଦ୍ରିତ କରିଦେଲେ । ମହାରାଜାଙ୍କର ସ୍ୱାକ୍ଷର ଓ ରାଜକୀୟ ମୁଦ୍ରାଙ୍କିତ ଏ ପାତ୍ରଟି ରତ୍ନଗିରିବିହାରର ପ୍ରାଚୀନ ଓ ବିଶାଳତମ ଆଦି ବୁଦ୍ଧମୂର୍ତ୍ତିଙ୍କର ପାଦଦେଶରେ ପ୍ରୋଥିତ ହେଲା ।

 

ରତ୍ନଗିରିରେ ସ୍ଥାପିତ ସୁଉଚ୍ଚ ସ୍ତୂପ ଉପରେ ଏହାକୁ ସ୍ଥାପିତ ନ କରାଇ ପ୍ରଭୁ ବୁଦ୍ଧଙ୍କର ପାଦଦେଶରେ ପ୍ରୋଥିତ କରାଇବାର ଉଦ୍ଦେଶ୍ୟ କ’ଣ; ତାହା କେବଳ ଆଚାର୍ଯ୍ୟ ପ୍ରଜ୍ଞାଙ୍କୁ ହିଁ ଗୋଚର ଥିଲା । ମହାରାଜ ବସୁକଳ୍ପ ଅବହିତ ଶିଷ୍ୟ ପରି ମହାମାନ୍ୟ ପ୍ରଜ୍ଞାଙ୍କର ଆଦେଶ ଅନୁଯାୟୀ କାର୍ଯ୍ୟକରି ଚାଲିଥିଲେ ।

 

॥ ତେର ॥

 

ପ୍ରଥମ ଦିବସର କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦିତ ହୋଇଥବାରୁ ମହାରାଜାଧିରାଜ ଆନନ୍ଦରେ ଆତ୍ମହରା ହୋଇପଡ଼ିଥାନ୍ତି । ଦ୍ୱିତୀୟ ଦିବସର ପ୍ରାତଃକାଳରେ ଧର୍ମସଭାର କାର୍ଯ୍ୟ ଆରମ୍ଭ ହେଲା ।

 

“ସର୍ବେ ଭଦ୍ରାଣି ପଶ୍ୟନ୍ତୁ

ସର୍ବେ ସନ୍ତୁ ନିରା ମୟାଃ ।”

 

ମହାମାନ୍ୟ ପ୍ରଜ୍ଞାଙ୍କର ଧୀରଗମ୍ଭୀର କଣ୍ଠର ଉଦ୍ଦାତ୍ତ ମାଙ୍ଗଳିକ ଧ୍ୱନି ରତ୍ନସ୍ତୂପ ବେଷ୍ଟନ କରି ବସିରହିଥିବା ଲକ୍ଷ ଲକ୍ଷ ଭିକ୍ଷୁ-ଭିକ୍ଷୁଣୀ ଓ ଅନ୍ୟାନ୍ୟ ନରନାରୀଙ୍କ କଣ୍ଠରେ ଉଦ୍ ବେଳିତ ହୋଇଉଠିଲା ।

 

ରତ୍ନସ୍ତୂପର ଉର୍ଦ୍ଧ୍ୱଦେଶରେ ବୌଦ୍ଧାଚାର୍ଯ୍ୟ ପ୍ରଜ୍ଞାଙ୍କ ସହିତ ପୂର୍ବୋକ୍ତ ବୌଦ୍ଧପଣ୍ତିତ ଚତୁଷ୍ଟୟ ଓ ମହାରାଜାଧିରାଜ ବସୁକଳ୍ପ ତଥା ଅନ୍ୟ ଦେଶାଗତ ବୌଦ୍ଧସଂଘର ଆଶ୍ରମପାଳିମାନଙ୍କ ପାଇଁ ଆସନର ବ୍ୟବସ୍ଥା କରାଯାଇଥାଏ । ଏହା ବ୍ୟତୀତ ରତ୍ନସ୍ତୂପର ପାଦଦେଶରୁ କୋଶ କୋଶ ପରିମିତ ଭୂମିରେ ଅନ୍ୟାନ୍ୟ ଶ୍ରୋତାମାନଙ୍କ ଲାଗି ଆସନ ନିର୍ଦ୍ଧାରିତ ହୋଇଥାଏ ।

 

ଆଚାର୍ଯ୍ୟ ପ୍ରଜ୍ଞାଙ୍କର ଓ ଶାନ୍ତିଃ, ଶାନ୍ତିଃ, ଶାନ୍ତିଃ ଉଚ୍ଚାରଣରେ ଉତ୍‍କୂଳ ଜନସମୁଦ୍ର କ୍ରମେ ଶାନ୍ତ ହୋଇ ଆସିଲା । ପୂର୍ବ ନିର୍ଦ୍ଧାରଣମତେ ଆଚାର୍ଯ୍ୟ ପ୍ରଜ୍ଞା “ଆର୍ଯ୍ୟ ଅଷ୍ଟାଙ୍ଗମାର୍ଗ’ ଉପରେ ପ୍ରବଚନ ଆରମ୍ଭ କଲେ ।

 

ମହାରାଜାଧିରାଜ ବସୁକଳ୍ପ କେଶରୀ ଏବଂ ଲକ୍ଷ ଲକ୍ଷ ଶ୍ରୋତା ତନ୍ମୟ ଚିତ୍ତରେ ବୌଦ୍ଧାଚାର୍ଯ୍ୟଙ୍କର ଏ ଅମୃତମୟୀ ବାଣୀ ଶ୍ରବଣ କରି ନିଜକୁ କୃତ୍ୟ କୃତ୍ୟ ଜ୍ଞାନ କରୁଥିଲେ ।

 

ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗର ଉତ୍ତମ ବିଶ୍ୱାସ, ଉତ୍ତମ ଚିନ୍ତା, ଉତ୍ତମ କର୍ମ, ଉତ୍ତମ ଭାଷଣ ଇତ୍ୟାଦିର ପ୍ରାଞ୍ଜଳ ବ୍ୟାଖ୍ୟା ଶେଷ କରି ‘ଉତ୍ତମଧ୍ୟାନ’ ପ୍ରସଙ୍ଗରେ ମହାମାନ୍ୟ ପ୍ରଜ୍ଞା, ଅହିଂସା, ସତ୍ୟ, ଅସ୍ତେୟ ପ୍ରଭୃତି ପଞ୍ଚ ‘ଯମ’ ନିୟମ ବିଷୟ ଉତ୍‌ଥାପନ କରିବା ସମୟରେ ‘ବିଭୂତି’ ବେଦସମ୍ମତ ପନ୍ଥା ହେଲେ ମଧ୍ୟ ଏହା ବୌଦ୍ଧ ଅଥବା ବ୍ରାହ୍ମଣ କୌଣସି ସାଧକର ଚରମ ଲକ୍ଷ୍ୟ ହେବା ଉଚିତ୍ ନୁହେଁ ବୋଲି ମତଦେଲେ । କାରଣ ‘ବିଭୂତି’କୁ ସାଧନାର ଶେଷ ସିଦ୍ଧି ରୂପେ ଗ୍ରହଣ କରିନେବା ଦ୍ୱାରା ସାଧକ ‘ସମାଧି’ରୁ ବଞ୍ଚିତ ହୋଇଥାଏ ଏବଂ ‘ହଠଯୋଗ’ର ଆଶ୍ରୟ ନେଇ ଅଦ୍ଭୁତ କର୍ମଶକ୍ତି ଓ ଯୌଗିକ ଭୋଜବାଜୀର ବଶୀଭୂତ ହୋଇପଡ଼େ ।

 

ମହାମାନ୍ୟ ପ୍ରଜ୍ଞାଙ୍କର ଏ ଅଭିମତରେ ବୈଶାଳୀର ମହାଯୋଗୀ ବ୍ରାହ୍ମଣ ସୋମଦତ୍ତ ସନ୍ତୁଷ୍ଟ ହୋଇ ପାରୁନଥିଲେ । ହେଲେ ହେଁ ଆଚାର୍ଯ୍ୟପ୍ରବର ପ୍ରଜ୍ଞାଙ୍କର ଅକାଟ୍ୟ ଯୁକ୍ତିକୁ ଖଣ୍ଡନ କରିବାକୁ ସେ ସାହସୀ ହେଲେ ନାହିଁ ।

 

ବୈଦିକ ମତରେ ବୌଦ୍ଧ ଓ ବ୍ରାହ୍ମଣ୍ୟ ମତର ଏକ ସମନ୍ୱୟ ସାଧନ କରି ମହାଯାନୀ ବୌଦ୍ଧାଚାର୍ଯ୍ୟ ପରୋକ୍ଷରେ ବଜଯାନର ହଠକାରିତା ଓ ତନ୍ତ୍ର ମନ୍ତ୍ରର ବ୍ୟଭିଚାରକୁ ଅଶ୍ରଦ୍ଧେୟ ବୋଲି ଘୋଷଣା କରୁଛନ୍ତି–ଏହିପରି ଏକ ଆତ୍ମସନ୍ତୋଷ–ମୂଳକ ମନ୍ତବ୍ୟ ଦେଇ ସେ ଆସନରୁ ଇତ୍‍ଥିତ ହେବା ଅବସ୍ଥାରେ ପୁନରାୟ ଆସନ ଗ୍ରହଣ କରି ବସିପଡ଼ିଲେ ।

 

ତକ୍ଷଶିଳା ବିଶ୍ୱବିଦ୍ୟାଳୟର ବଜ୍ରଯାନୀ ବୌଦ୍ଧ ପଣ୍ତିତ ଧର୍ମପାଳ ମହାମାନ୍ୟ ପ୍ରଜ୍ଞାଙ୍କର ଏ ଅଭିମତରେ ଉତ୍‍ଫଣ ତମ୍ପ ସଦୃଶ ଗର୍ଜନ କରି ଉଠିଲେ ।

 

ବୌଦ୍ଧାଚାର୍ଯ୍ୟ ପ୍ରଜ୍ଞା ବାରମ୍ବାର ସ୍ୱସ୍ତି ବାଣୀ ଉଚ୍ଚାରଣ କଲେ ମଧ୍ୟ ତାହାଙ୍କର ସେ ଅଦମିତ କ୍ରୋଧ ଶାନ୍ତ ହେଲାନାହିଁ । ମହାରାଜାଧିରାଜ ବସୁକଳ୍ପ କେଶରୀ ଓ ଆଚାର୍ଯ୍ୟ ପ୍ରଜ୍ଞାଙ୍କୁ ପ୍ରଚ୍ଛନ୍ନ ବେଦବାଦୀ ବୋଲି ଅଭିଯୁକ୍ତ କରି ସେ ତତ୍‌କ୍ଷଣାତ୍ ସଭାମଣ୍ଡପ ତ୍ୟାଗ କରିବାକୁ ଉଦ୍ୟତ ହୋଇଥିଲେ ।

 

ସ୍ୱୟଂ ମହାରାଜାଧିରାଜ ଓ ଶତ ସହସ୍ର ଭିକ୍ଷୁ-ଭିକ୍ଷୁଣୀମାନଙ୍କ ଅନୁରୋଧରେ ସେ କୌଣସି ମତେ ସଭାସ୍ଥଳରେ ବସିରହିଲେ ।

 

ଏହାପରେ ବୌଦ୍ଧାଚାର୍ଯ୍ୟ ପ୍ରଜ୍ଞାଙ୍କର ନିର୍ଦ୍ଦେଶ କ୍ରମେ ମହାରାଜାଧିରାଜ ବସୁକଳ୍ପ ସର୍ବସମକ୍ଷରେ ଘୋଷଣା କଲେ–ଆଗାମୀ ଦିବସର ଉଦ୍‍ଯାପନ ପର୍ବରେ ସର୍ବପ୍ରଥମେ ପଣ୍ଡିତ ଧର୍ମପାଳଙ୍କୁ ତାହାଙ୍କର ମତ ପ୍ରଖ୍ୟାପନ କରିବାକୁ ସୁଯୋଗ ଦିଆଯିବ । ସେ ମହାମାନ୍ୟ ପ୍ରଜ୍ଞାଙ୍କର ଦୃଢ଼ ଯୁକ୍ତି ଗୁଡ଼ିକୁ ଖଣ୍ତନ କରିବାକୁ ସମର୍ଥ ହେଲେ ସମଗ୍ର ବୌଦ୍ଧଜଗତ ତାହାଙ୍କର ସିଦ୍ଧାନ୍ତକୁ ସାଦରେ ଗ୍ରହଣ କରିନେବାପାଇଁ କୁଣ୍ଠିତ ହେବେ ନାହିଁ ।

 

ବସୁକଳ୍ପଙ୍କର ଏ ଘୋଷଣାରେ ଧର୍ମପାଳଙ୍କର ଦୃଷ୍ଟି ଉଜ୍ଜ୍ୱଳ ହୋଇଉଠିଲା ଏବଂ ଓଷ୍ଠାଧରରେ ସ୍ମିତହାସ୍ୟ ଫୁଟିଉଠିଲା । କିନ୍ତିୁ ବୌଦ୍ଧାଚାର୍ଯ୍ୟ ପ୍ରଜ୍ଞା ଏ ବାଦାନୁବାଦରେ ଆଦୌ ବିଚଳିତ ହୋଇଥିଲା ପରି ବୋଧ ହେଉନଥିଲେ । ତାହାଙ୍କର ମୁଖମଣ୍ତଳ ପୂର୍ବପରି ନିର୍ବିକାର, ପ୍ରସନ୍ନ ଏବଂ ପ୍ରଶାନ୍ତ ରହିଥାଏ ।

 

॥ ଚୌଦ ॥

 

ଗଡ଼ ଅବରୋଧରେ ଜନ୍ମେଜୟଙ୍କର ସୈନ୍ୟବାହିନୀ ତରଫରୁ ଯେଉଁ ତରଫରୁ ଯେଉଁ ସାମାନ୍ୟ ପ୍ରତିରୋଧ ପ୍ରକାଶ ପାଇଥିଲା ମହାବଳାଧିକୃତଙ୍କର ବିଚକ୍ଷଣ ସୈନ୍ୟଚାଳନା ଫଳରେ ତାହା ଅକାଳରେ ନିଷ୍କ୍ରିୟ ହୋଇଯାଇଛି । ହେଲେ ହେଁ ଧର୍ମମେଳାର ଉଦ୍‍ଯାପନ ଦିବସରେ କିଛି ଅସ୍ୱାଭାବିକ କାଣ୍ତ ଘଟାଇବାକୁ ସୋମବଂଶୀମାନେ ହୁଏତ ଚକ୍ରାନ୍ତ କରିପାରନ୍ତି–ଏହି ଆଶଙ୍କାରେ ଆଗୁଆ ବାହିନୀର ଚାଳକ ସମର ସିଂହ ଓ ମହାବଳାଧିକୃତ ଅମିତାଭ ଭଞ୍ଜ ଉଦ୍‌ବିଗ୍ନ ହୋଇ ରହିଥିଲେ ।

 

ଉଦ୍‌ଯାପନ ଉତ୍ସବର ଅବ୍ୟବହିତ ପୂର୍ବରୁ ରତ୍ନସ୍ତୂପର ଚୌଦିଗରେ ଆକସ୍ମିକ ଅଗ୍ନିକାଣ୍ଡର ଭୟାବହ ସମ୍ବାଦ ସାମରିକ ଗୁପ୍ତଚର ମୁଖରୁ ଶୁଣିବା ମାତ୍ରେ ସମର ସିଂହ ଅସ୍ଥିର ହୋଇ ଉଠିଥିଲେ । ଅଶ୍ୱାରୋହୀ ସୈନ୍ୟ ସାହାଯ୍ୟରେ ବାର୍ତ୍ତା ପ୍ରେରଣରେ ବିଳମ୍ବ ଘଟିପାରେ ଭାବି ସେ ବାର୍ତ୍ତାବାହୀ ପାରାବତ ସାହାଯ୍ୟରେ ସୋନପୁର ଗୁପ୍ତଘାଟିରେ ଅବସ୍ଥାନ କରୁଥିବା ମହାବଳାଧିକୃତଙ୍କ ନିକଟକୁ ତତ୍‌କ୍ଷଣାତ୍ ଏ ସମ୍ବାଦ ପ୍ରେରଣ କଲେ ।

 

ଅମିତାଭ ଭଞ୍ଜ ଏ ବାର୍ତ୍ତା ପାଇବା ମାତ୍ରେ କ୍ରୋଧରେ ଅଗ୍ନିଶର୍ମା ହୋଇଉଠିଲେ । ଅବିଳମ୍ଵେ ସମଗ୍ର ଦକ୍ଷିଣ କୋଶଳକୁ ଭସ୍ମୀଭୂତ କରିଦେବାକୁ ସେ ସଂକଳ୍ପବଦ୍ଧ ହୋଇଉଠିଥିଲେ ମଧ୍ୟ ପୁଣି କ’ଣ ଭାବି ତାହାଙ୍କର ନିଷ୍ପତ୍ତି ପରିବର୍ତ୍ତନ କରିବାକୁ ସ୍ଥିର କଲେ ।

 

ଯେଉଁ ମୁଣ୍ତିତ ମସ୍ତକ ବୌଦ୍ଧଭିକ୍ଷୁଟି ଏ କାଣ୍ତ ଘଟାଇଥାଇପାରେ ବୋଲି ସନ୍ଦେହ ପ୍ରକାଶ ପାଉଛି ତାହାର ପ୍ରକୃତ ପରିଚୟ ପାଇବାକୁ ସେ ଅତ୍ୟନ୍ତ ଉଦ୍‌ଗ୍ରୀବ ହୋଇଉଠିଲେ । ଏ ଭିକ୍ଷୁଟି ଦକ୍ଷିଣକୋଶଳର କେହି ଛଦ୍ମବେଶୀ ଚାର ହୋଇଥିଲେ ତ୍ରିକଳିଙ୍ଗର ହୃତ୍‍ପିଣ୍ତ ଉପରେ ଏକାକୀ ଏଭଳି କାଣ୍ତ ଘଟାଇବାକୁ ସେ ଦୁଃସାହସ କରିନଥାନ୍ତା । ହୁଏ ତ ଆଗୁଆ ବାହିନୀର ସତର୍କ ପ୍ରହରା ଓ ଘନ ଘନ ଆକ୍ରମଣ ସତ୍ତ୍ୱେ ଦଳେ ବିଭ୍ରାନ୍ତକାରୀ ସୋମବଂଶୀ ଚର ବୌଦ୍ଧଭିକ୍ଷୁମାନଙ୍କର ଛଦ୍ମବେଶରେ ଘାଟୀର ପ୍ରହରୀମାନଙ୍କୁ ପ୍ରତାରିତ କରି ତ୍ରିକଳିଙ୍ଗରେ ପ୍ରବେଶ କରିଛନ୍ତି ଏବଂ ବୌଦ୍ଧମେଳାରେ ଗୁପ୍ତରହି ଏଭଳି ଅମାନୁଷିକ କାଣ୍ଡ ଘଟାଇଛନ୍ତି । ଅଥବା ବୌଦ୍ଧମାନଙ୍କ ମଧ୍ୟରେ ସଂକୀର୍ଣ୍ଣ ସାମ୍ପ୍ରଦାୟିକ ସ୍ୱାର୍ଥକୁ ଭିତ୍ତିକରି ବର୍ତ୍ତମାନ ଭାରତର ଚତୁର୍ଦ୍ଦିଗରେ ଯେଉଁ ଶ୍ୱାନଯୁଦ୍ଧ ଓ ଉତ୍‍କଟ କଳହ କ୍ରମେ ତୀବ୍ରତର ହୋଇଉଠୁଛି, ତାହାର ସୁଯୋଗ ନେଇ ବ୍ରାହ୍ମଣ୍ୟଧର୍ମର କେତେକ ଦେଶଦ୍ରୋହୀ, ଅହଙ୍କାରୀ ପଣ୍ତିତ ସୋମବଂଶୀ ଗୁପ୍ତଚରମାନଙ୍କ ସାହାଯ୍ୟରେ ଏହା ଘଟାଇଥିବା ଅସମ୍ଭବ ନୁହେଁ ।

 

ଯାହାହେଲେ ମଧ୍ୟ ଏହା ଯେ ଜନ୍ମେଜୟଙ୍କର ହୀନଚକ୍ରାନ୍ତର ବିଭୀଷିକାମୟ ଅଗ୍ରଲେଖ, ଏହା ବୁଝିବାକୁ ତାଙ୍କୁ ଅଧିକ ସମୟ ଲାଗିଲା ନାହିଁ । ଏ ସମସ୍ତର ଏକ ବିଧିବଦ୍ଧ ସାମରିକ ଅନୁସନ୍ଧାନ କରିବା ନିମନ୍ତେ ମହାରାଜାଧିରାଜଙ୍କର ପରାମର୍ଶ ଲୋଡ଼ି ସମର ସିଂହଙ୍କ ନିକଟକୁ ଓ ରତ୍ନଗିରି ରାଜ୍ୟକୁ ଦୁଇଦଳ ଅଶ୍ୱାରୋହୀ ବାର୍ତ୍ତାବହ ପ୍ରେରଣ କଲେ ।

 

॥ ପନ୍ଦର ॥

 

ଉତ୍ସବମୁଖରିତ ରତ୍ନଗିରି ଆଜି ନିସ୍ତବ୍‍ଧ । ବୌଦ୍ଧ–ମେଳାର ଉଦ୍‍ଯାପନ ଦିବସର ଭୟାବହ ଅଗ୍ନିକାଣ୍ଡ ମହାରାଜାଧିରାଜ ବସୁକଳ୍ପଙ୍କୁ ପ୍ରହେଳିକାମୟ ବୋଧ ହେଉଥାଏ । ତାହାଙ୍କର ଚିରପ୍ରସନ୍ନ ମୁଖ ଆଜି ଚିନ୍ତାଗ୍ରସ୍ତ ଓ ଅବସନ୍ନ । ଲକ୍ଷ ଲକ୍ଷ ନିମତ୍ରିତ ବ୍ୟକ୍ତିମାନଙ୍କୁ ବିଦାୟ ଦେଇ ମଧ୍ୟ ଆଚାର୍ଯ୍ୟ ପ୍ରଜ୍ଞାଙ୍କର ଉପସ୍ଥିତ ଯୋଗୁ ସେ ଅବସାଦକର ନିସ୍ତବ୍‍ଧତାର ପୈଶାଚିକ ପ୍ରଭାବ ଆଦୌ ଅନୁଭବ କରିପାରିନଥିଲେ ।

 

ଉତ୍ସବନିଶାନ୍ତର ଏକ ଉଦାସୀ ଚନ୍ଦ୍ର ପରି ତାହାଙ୍କର ଚୌଦିଗରେ ଆର୍ଦ୍ର–ଚନ୍ଦ୍ରିକା ବର୍ଷଣ କରୁଥିଲେ ତାହାଙ୍କର ପ୍ରିୟତମ ଏବଂ ସମ୍ମାନିତ ଅତିଥି ବୌଦ୍ଧାଚାର୍ଯ୍ୟ ପ୍ରଜ୍ଞା ।

 

ମୁହୂର୍ତ୍ତକ ପୂର୍ବେ ରତ୍ନମେଖଳାରୁ ସେ ଏକ ରାଜକୀୟ ପୋତରେ ତାମ୍ରଲିପ୍ତି ଯାତ୍ରା କଲେ । ତାମ୍ରଲିପ୍ତିର ଏକ ଧର୍ମସଭାରେ ଯୋଗଦେଇ ସେ ସେଠାରୁ ଚୀନ୍ ଦେଶକୁ ପ୍ରତ୍ୟାବର୍ତ୍ତନ କରିବେ । ମହାମତି ପ୍ରଜ୍ଞାଙ୍କୁ ବିଦାୟ ଦେବାପରେ ଶତଶତ ଦାସଦାସୀ ଓ ପାରିଷଦ ପ୍ରବେଷ୍ଟିତ ବସୁକଳ୍ପ ସଂପ୍ରତି ନିଜକୁ ଅତ୍ୟନ୍ତ ଅସହାୟ ମନେ କରୁଛନ୍ତି । ଜନ୍ମେଜୟଙ୍କ ବିରୁଦ୍ଧରେ ତ୍ରିକଳିଙ୍ଗର ସଦର୍ପ ଅଭିଯାନକୁ ସେ ଉତ୍ସବର କୋଳାହଳ ମଧ୍ୟରେ ପ୍ରାୟ ବିସ୍ମୃତ ହୋଇ ଆସିଥିଲେ । କିନ୍ତୁ ବର୍ତ୍ତମାନର ଏ ଉଗ୍ର ଅସ୍ୱସ୍ତିକର ମୁହୂର୍ତ୍ତର ରାଶି ରାଶି ଦୁଶ୍ଚିନ୍ତା ମଧ୍ୟରେ ଦକ୍ଷିଣ କୋଶଳର ରଣାଙ୍ଗନ ତାହାଙ୍କର ସ୍ମୃତି-ପଥରେ ଅନନ୍ତ ବିଭୀଷିକାର ଦ୍ୱାର ଉଦ୍‌ଘାଟିତ କରି ଦେଉଥାଏ ।

 

ଦୁଶ୍ଚିନ୍ତାର ତୀବ୍ର ତାଡ଼ନାରୁ ରକ୍ଷା ପାଇବାଲାଗି ସେ କ୍ଳାନ୍ତ ଦୃଷ୍ଟିରେ ରତ୍ନଗିରି ରାଜପ୍ରାସାଦରୁ ପୁଷ୍ପଗିରିର ମୁଖ୍ୟବିହାରକୁ ଚାହିଁରହିଥିଲେ । ପୁଷ୍ପଗିରିର ଭବିତବ୍ୟ କଳନା କରୁକରୁ ତାହାଙ୍କର ନିଷ୍ପ୍ରଭ ଚକ୍ଷୁତାରକା କ୍ରମେ ସ୍ଥିର ଓ ନିବଦ୍ଧ ହୋଇ ଆସୁଥିଲା । ରତ୍ନଗିରିର ମୁଖ୍ୟ ତୋରଣପଥର ଅର୍ଦ୍ଧଦୃଶ୍ୟମାନ ସେହି ଧ୍ୟାନଗମ୍ଭୀର ତଥାଗତଙ୍କର ଚରଣତଳେ ।

 

ଦକ୍ଷିଣ କୋଶଳର ରଣାଙ୍ଗନରୁ ତୁରନ୍ତ ସମ୍ବାଦ ଘେନି ଆସିଥିବା ଅଶ୍ୱାରୋହୀ ସୈନ୍ୟମାନଙ୍କର ସୈନ୍ୟମାନଙ୍କର ଆଗମନ ବାର୍ତ୍ତା ପାଇ ସେ ପ୍ରକୃତ ତଥ୍ୟ କ’ଣ ଜାଣିବାକୁ ଉତ୍ସୁକ ହୋଇଉଠିଲେ । ତାହାଙ୍କର ଧ୍ୟାନ ଭାଙ୍ଗିଆସିଲା ।

 

ମହାବଳାଧିକୃତ ଏବଂ ସମର ସିଂହଙ୍କ ନିକଟକୁ ରାଜାନୁମୋଦନର ବାର୍ତ୍ତା ପଠାଇ ସାରିବା ପରେ ରତ୍ନଗିରି ରାଜ୍ୟ ମଧ୍ୟରେ ଏ ଜଘନ୍ୟ କାଣ୍ଡର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ଚଳାଇବା ନିମନ୍ତେ ଆୟୁକ୍ତକ ଓ ଦଣ୍ତପାଣିକଙ୍କ ନିକଟକୁ ଗୁପ୍ତ ନିର୍ଦ୍ଦେଶମାନ ପ୍ରେରିତ ହେଲା ।

 

ହେଲେ ହେଁ ରହସ୍ୟର ସେ ଯନ୍ତ୍ରଣାମୟ ଜାଲରୁ ନିଷ୍କୃତି ମିଳିଲାନାହିଁ । ରତ୍ନସ୍ତୂପର ଚତୁର୍ଦ୍ଦିଗରେ ଅଗ୍ନିକାଣ୍ଡ ଘଟିବା ପରେ ପରେ ବହୁ ଚାଞ୍ଚଲ୍ୟକର ତଥ୍ୟ ତାହାଙ୍କର ହସ୍ତଗତ ହେଉଛି-

 

ଦକ୍ଷିଣ କୋଶଳ ବିରୁଦ୍ଧରେ ଅତର୍କିତ ଯୁଦ୍ଧଯାତ୍ରା କାଳରୁ ମହାସାମନ୍ତ ସାଦାଶିବଙ୍କର କନ୍ୟା ମଧ୍ୟ ନିରୁଦ୍ଦିଷ୍ଟା । ସେ ତାହାଙ୍କର ମାତୃଲାଳୟକୁ ଯାତ୍ରା କରିଥିବା ଖୁବ୍ ସମ୍ଭବ ବୋଲି ଜେମାମଣିଙ୍କଠାରୁ ସମ୍ବାଦ ପ୍ରକାଶ ପାଇଥିଲେ ମଧ୍ୟ ମହାସାମନ୍ତ ସଦାଶିବ ଏଥିରେ ନିଶ୍ଚିନ୍ତ ରହିପାରୁ ନାହାନ୍ତି । ଭବିଷ୍ୟତର ଏକ କ୍ରୁର ଉପହାସ ସତେ ଯେପରି ରତ୍ନଗିରିର ବୈଭବକୁ ଗ୍ରାସ କରିବା ପାଇଁ ଲେଲିହାନ ଜିହ୍ୱା ବିସ୍ତାର କରି ଧାଇଁ ଆସୁଛି । ପ୍ରଭୁ ବୁଦ୍ଧଙ୍କର କେଉଁ ଉଦ୍ଦେଶ୍ୟ ଏଥିରେ ନିହିତ, ତାହା ତାଙ୍କୁ ହିଁ ଜଣା । ତଥାପି ତ୍ରିକଳିଙ୍ଗର ଅଧିପତି ଭାବରେ ରହସ୍ୟର ଏ ଇନ୍ଦ୍ରଜାଲକୁ ଭେଦ କରିବା ସମସ୍ତ ଦାୟିତ୍ୱ ଯେ ତାହାଙ୍କର, ଏହା ସେ ଅସ୍ୱୀକାର କରିପାରିବେ ନାହିଁ-

ତାହାଙ୍କର ଚିନ୍ତା–ବିଷଣ୍ଣ କପାଳରେ ବିନ୍ଦୁ ବିନ୍ଦୁ ଝାଳ ଫୁଟି ଉଠୁଥିଲା । ସେ ଏ ବିଷୟରେ ଯେତେ ଅଧିକ ଚିନ୍ତା କରୁଥିଲେ ତାହାଙ୍କର ଅସହାୟତା ସେତେ ପରିମାଣରେ ବୃଦ୍ଧିଲାଭ କରୁଥିଲା । ତ୍ରିକଳିଙ୍ଗର ରାଜସିଂହାସନ ଓ ମହାରାଜାଧିରାଜଙ୍କ ଗୌରବ ତାଙ୍କୁ ଅତ୍ୟନ୍ତ ତୁଚ୍ଛ ବୋଧ ହେଉଥିଲା । ରାଜପଣର ଗୌରବ ତଳେ ଆଜିର ନିଃସ୍ଵତାକୁ ସେ ନିବିଡ଼ ଭାବେ ଉପଲବ୍‍ଧି କରୁଥିଲେ । ସତେ କେଡ଼େ ଦୀନହୀନ ସେ ! ତାହାଙ୍କର ସନ୍ତାପିତ ହୃଦୟର ବେଦନା ସେ କାହାକୁ ବୁଝାଇବେ ? କିଏ ଅବା ବୁଝିବାକୁ ଚାହିଁବ ଐଶ୍ଚର୍ଯ୍ୟର ଅଭିଶାପ ତଳେ କ୍ଷୟିଷ୍ଣୁ ଜୀବନର ଏ କରୁଣ ଅବସାଦକୁ ।

ନିଃସଙ୍ଗ ତାରକାର ଅଶ୍ରୁହୀନ ବିଳାପରେ ସେ ଅଥୟ ହୋଇଉଠୁଥିଲେ । ଦୁର୍ବିସହ ଏ ନିର୍ଜନତା ମଧ୍ୟରେ ମନେ ପଡ଼ୁଥିଲା ବସୁଧାରାଙ୍କର ଅତୀତର ସେ ଅମାୟିକ ନିବେଦନ–

“ବାବା, ମୋତେ ଭାରି ଭୟ ଲାଗୁଛି ଏ ଶୂନ୍ୟଉଆସରେ । ମୁଁ ଆପଣଙ୍କ ପାଖେ ପାଖେ ରହିବି !

ଆଉ ମଧ୍ୟ ପ୍ରାଚୁର୍ଯ୍ୟର ଶୂନ୍ୟପୁରୀରୁ ସେଦିନ ମୁକ୍ତି ମାଗିଥିଲେ ରାଜଜେମା । ରାଜକାର୍ଯ୍ୟର ଜଞ୍ଜାଳ ମଧ୍ୟରେ କୁମାରୀଙ୍କର ସେ ଅଶ୍ରୁଳ ନିବେଦନର ପ୍ରକୃତ ଅର୍ଥ ବୁଝିବାକୁ ଅବକାଶ ନଥିଲା ତାଙ୍କର । ଆଜି କିନ୍ତୁ ଶୂନ୍ୟତାର ସେ ତୀବ୍ର ଉପହାସରୁ ସେ ମର୍ମେ ମର୍ମେ ଉପଲବ୍‍ଧି କରୁଛନ୍ତି ପ୍ରାଚୁର୍ଯ୍ୟର ଜତୁଗୃହ, ଯନ୍ତ୍ରଣାର ପ୍ରଚ୍ଛନ୍ନ ଅଗ୍ନିରେ ସନ୍ତାପିତ ହୋଇଉଠୁଛି । ଅଥଚ ସେ ଗୁପ୍ତ ଶିଖାକୁ କେହି ଦର୍ଶନ କରିପାରୁ ନାହାନ୍ତି । କାହାକୁ ଦେଖାଇବାକୁ ମଧ୍ୟ ଶକ୍ତି ନାହିଁ ତାଙ୍କର ।

ଗୋପନରେ ସେ ଜଳିଯିବେ । ପ୍ରାଚୁର୍ଯ୍ୟର ବେଦିକାତଳେ ପଡ଼ିରହିଚି ତାହାଙ୍କର ଭସ୍ମୀଭୂତ କଙ୍କାଳ....ତ୍ରିକଳିଙ୍ଗାଧିପତି ବସୁକଳ୍ପ କେଶରୀର ନିର୍ଯ୍ୟାତିତ ହୃଦୟର ଅଶରୀରୀ କାମନା...ଅତୃପ୍ତିର ଏକ ପ୍ରେତ–ନୃତ୍ୟ ।

‘କାମନାର ବିନାଶରେ ଦୁଃଖର ବିନାଶ’–ବୌଦ୍ଧର ଧ୍ୟାନାଲୋକ ପରି କ୍ରମେ କିପରି ଅସ୍ପଷ୍ଟ ହୋଇଉଠୁଥିଲା ତାହାଙ୍କର ମାନସପଥରେ ।

ମହାରାଜାଧିରାଜ ବସୁକଳ୍ପଙ୍କ ଭିତରୁ ନିରୀହ ପିତୃତ୍ଵର ଏକ ନିର୍ମାଖୀ ବସୁକଳ୍ପ ନିଜକୁ ନିଜେ ଆବିଷ୍କାର କରିବସୁଥିଲା କି ଏକ ନିରୀହ ଆବେଗରେ । ବାସ୍ତବରେ କେଡ଼େ ଦୀନହୀନ ସେ-! ମହାରାଣୀ ଅଂଶୁମାଳୀଙ୍କର ଅକାଳ ବିୟୋଗ ପରେ ଥରେ ହେଲେ ମନଭରି ସେ ବସୁଧାରାଙ୍କୁ ସ୍ନେହ ଦେଇ ପାରିନାହାନ୍ତି । ଆଖି ପୂରାଇ ଦେଖି ନାହାନ୍ତି ସ୍ୱର୍ଗତା ଅଂଶୁମାଳୀଙ୍କର ରକ୍ତମାଂସର ପ୍ରତିଲିପିଟି ବସୁଧାରାଙ୍କ ମଧ୍ୟରେ କେଡ଼େ ଶାନ୍ତ, ସୁନ୍ଦର, ଅଥଚ ନିର୍ବାକ୍ ଓ ମୌନ-!! ଲବଣୀପିତୁଳାର ମୌନତା ଭାଙ୍ଗିବାକୁ ସେ ପସନ୍ଦ କରିନାହାନ୍ତି, ଅବକାଶ ମଧ୍ୟ ପାଇନାହାନ୍ତି-

ତେଣୁ ନିର୍ଜନ ମାଳତୀର ବିବିକ୍ତ ଛନ୍ଦରେ ଗଢ଼ା ସେ ଜୀବନଟି ତାହାଙ୍କର ଅତି ଆପଣାର ହୋଇଥିଲେ ମଧ୍ୟ ଅଦ୍ୟାପି ତାହାଙ୍କ ନିକଟରେ ତାହା ଅଦୃଶ୍ୟ ହୋଇରହିଛି । ବହୁ ଦେଖାଶୁଣା ମଧ୍ୟରେ ହିଁ ସେ ତାହାକୁ ଦେଖି ପାରିନାହାନ୍ତି । ତାହାର ଶାନ୍ତ ସୁଭଗ ଆତ୍ମୀୟତାର ଆକୁଳ ରୂପଟି ଚିରଦିନ ତାଙ୍କ ନିକଟରେ ଅଜ୍ଞେୟ ହୋଇଯାଇଛି । ତାଙ୍କ ଅଜ୍ଞାତରେ ମୌନ ନିରୀହତାର ସେ ଅନ୍ତଃସଲିଳା ଫଲଗୁର ନିର୍ବାକ ତାନକୁ ସେ ଦୂର ଅତୀତରେ ହଜାଇ ଦେଇଛନ୍ତି ।

 

ପ୍ରଜ୍ଞାଙ୍କର କରସ୍ପର୍ଶରେ ତାହାଙ୍କର ନବଜନ୍ମ ଘଟିଛି । ମହାରାଜାଧିରାଜ ବସୁକଳ୍ପଙ୍କ ମେଦମାଂସ ତଳୁ ନିରୀହ ସ୍ରଷ୍ଟା ଆଜି ବିହ୍ୱଳ ଚିତ୍ତରେ ଅନ୍ୱେଷଣ କରୁଛି ତାହାର ସ୍ନିଗ୍ଧସୁନ୍ଦର ସୃଷ୍ଟିର ମଧୁର ତାନକୁ ।

 

ଅତି ନିକଟରେ ହେଲେ ମଧ୍ୟ ତାହା ଆଜି ଅତିଦୂରର । କେଉଁ ଦୂର ବନସ୍ତରେ ଛାଡ଼ିଆସିଥିବା ମୃଗମଦର ଏକ ଅଯତ୍ନ ସୌରଭ । ମାଣିକ୍ୟପୁରୀକୁ ଯାଇ ସେ ତାହାର ଅନୁସନ୍ଧାନ କରିବେ ଓ ତାହାଙ୍କର ଅବହେଳା ଲାଗି କ୍ଷମା ମାଗିନେବେ । ଆଜି ଘଡ଼ି ଘଡ଼ି ଧରି କାଳାତିପାତ କରିବେ ମଣିଷତିଆରୀ କ୍ଷୁଦ୍ରନୀଡ଼ର ସେ ନିବିଡ଼ ଉଷ୍ମତା ମଧ୍ୟରେ । ନିର୍ବେଦ ରାଜଭୋଗଠାରୁ ଶତଗୁଣେ ଶ୍ରେୟସ୍କର ସେ ଉଷ୍ମତା । ବାହ୍ୟ ଦୃଷ୍ଟିରେ ହୋଇପାରେ ତାହା ଅର୍ଥହୀନ ଓ ଅବାଞ୍ଛିତ । ତଥାପି କାଳ କାଳ ଧରି ଭାବରାଜ୍ୟର ଏ ନିଃସଙ୍ଗ ମନୁଷ୍ୟଟି ପାଇଁ କମ୍ ଇପ୍‍ସିତ ନୁହେଁ ସେ ଆଡ଼ମ୍ବରହୀନ ଆଦିମତାର କ୍ଷୁଦ୍ରନୀଡ଼ଟି ।

 

ଯେଉଁଠି ଅଶେଷ ଭୟ ଆଶଙ୍କା ଓ ଅନିଶ୍ଚିତତା ଭିତରେ ମଣିଷ ଖାଲି ବଞ୍ଚିରହିବାର ସ୍ୱପ୍ନ ଦେଖେ । ଅସ୍ତିତ୍ୱ ଓ ଆନନ୍ଦର ତୃପ୍ତିରେ ଭରି ଉଠେ ଜୀବନର ଏ ଚିତ୍ରଶାଳାଟି–ସତେ କେଡ଼େ ମନୋମୁଗ୍‍ଧକର ସେ ଚିତ୍ରପୁରୀ.....ଆଉ କି ନିର୍ବେଦ ଓ ବର୍ଣ୍ଣହୀନ ଏ ରାଜଭୋଗ !!!

 

ଆଉ କାଳବିଳମ୍ବ କରିବାକୁ ଧୈର୍ଯ୍ୟ ନଥିଲା ବସୁକଳ୍ପଙ୍କର । ନଗ୍ନପଦରେ ସେ ତତ୍‍କ୍ଷଣାତ୍‌ ମାଣିକ୍ୟପୁରୀ ଅଭିମୁଖେ ଅଗ୍ରସର ହେଲେ ।

 

॥ ଷୋଳ ॥

 

ମହାରାଜାଧିରାଜଙ୍କର ଏ ଅପ୍ରତ୍ୟାଶିତ ଆଗମନ ଏବଂ ଅଯାଚିତ ସ୍ନେହରେ ବିସ୍ମିତ ହେଉଥିଲେ ରାଜଜେମା । ସଖୀ ରତ୍ନମଞ୍ଜରୀଙ୍କର ଆକସ୍ମିକ ଅନ୍ତର୍ଦ୍ଧାନ ପରେ ତାଙ୍କର ମନର ଗତି କିମ୍ଭୁତ କିମାକାର ହୋଇ ଆସିଥିଲା । ମାଳିନୀ ଓ ଚପଳା ସେମାନଙ୍କର କର୍ତ୍ତବ୍ୟରେ ତ୍ରୁଟି କରୁନଥିଲେ ମଧ୍ୟ ରାଜକନ୍ୟାଙ୍କୁ ଏ ଉଦାସୀନତାରୁ ମୁକ୍ତ କରାଇବା, ସେମାନଙ୍କ ପକ୍ଷରେ ସମ୍ଭବ ନଥିଲା ।

 

ପିତାଙ୍କର ହୃଦୟଖୋଲା ସ୍ନେହରେ ମୁହୂର୍ତ୍ତକ ପାଇଁ ଉଦାସୀନତାର କବରତଳୁ ସେ ଆଖିମେଲାଇ ଚାହିଁଥିଲେ ।

 

ତାଙ୍କର ରୁଦ୍ଧମନର ଦ୍ଵାର ଦେଶରେ ଦେଖା ଦେଇଥିଲେ ରତ୍ନମଞ୍ଜରୀ । ସମର ସିଂହର ବିଜୟର ବାର୍ତ୍ତା ଦେବାପାଇଁ ସେ ହୁଏତ ଆଗେଇ ଆସିଛନ୍ତି । ପୁଣି ଗଡ଼ପ୍ରାନ୍ତରେ ଅଭ୍ୟର୍ଥନାର ଆୟୋଜନ ହେବ । ରାଜନିର୍ଦ୍ଦେଶରେ ସେ ହସି ହସି ପିନ୍ଧାଇଦେବେ ରାଜକୀୟ ଅଭିନନ୍ଦନର ଜୟମାଲ୍ୟ ସ୍ଵତନ୍ତ୍ର ବଳାଧିକୃତ ସମର ସିଂହଙ୍କୁ । ତାଙ୍କର ହୃଦୟର ପ୍ରତ୍ୟୟରେ ବା ରାଜନିର୍ଦ୍ଦେଶର ପ୍ରତିଶ୍ରୁତିରେ–ଏଥିମଧ୍ୟରୁ କେଉଁଥିପାଇଁ ସେ ଜାଣନ୍ତି ନାହିଁ ।

 

ତଥାପି ଶାଳଭଞ୍ଜିକାର ଏକ ବ୍ୟର୍ଥ ସ୍ୱପ୍ନ ନେଇ ସେ ଯନ୍ତ୍ରଚାଳିତ ପ୍ରାୟ ଗାମ୍ଭୀର୍ଯ୍ୟର ପାଷାଣ ସୋପାନ ତଳେ ମୌନ ପ୍ରତୀକ୍ଷା କରି ଆସିଛନ୍ତି । ସଖୀ ରତ୍ନମଞ୍ଜରୀଙ୍କ ପାଇଁ ଏସବୁରେ ଏକ ଅର୍ଥ ଥାଇପାରେ । କିନ୍ତୁ ତାଙ୍କ ମତରେ ନିପାତନର ଅପ୍ରତ୍ୟାଶିତ ସମ୍ଭାବନାରୁ ମୁକ୍ତ ନୁହଁନ୍ତି ଏଗୁଡ଼ିକ । କାରଣ ଆଶା ସହିତ ଏଠି ଆଶଙ୍କାର ସମନ୍ୱୟ ନାହିଁ । ଖାଲି ଅସଂଲଗ୍ନ ଆଶା ଓ ଆଶଙ୍କା । ଧାରାବାହିକତା ଓ ନିପାତନର ମିଶାମିଶି ଏକ ନୀରବ ଗୁଞ୍ଜରଣ । ଭାଷାହୀନ ଭାଷାରେ ଏମାନେ ଝଙ୍କାରିତ ହୋଇ ଆସନ୍ତି ତାଙ୍କର ସ୍ମୃତିର କେଉଁ ତଳିତଳାନ୍ତହୀନ ସମୁଦ୍ର ସେପାରିରୁ । ଦିଗହଜା ସାଗର ସେପାରିର ମାୟାରେ ଏହା ସମ୍ମୋହିତ । ମରିଚୀକା । ପ୍ରଲୋଭନ ଓ ପ୍ରବଞ୍ଚନାର ଆତ୍ମସଂଘର୍ଷ । ଏହାକୁ ସଙ୍ଖାଳି କରି ବଞ୍ଚିବାର ଦୁଃସ୍ୱପ୍ନ ଅସମ୍ଭବ ନ ହେଲେ ମଧ୍ୟ ଦୁଃସାହସିକ ।

 

ଏହାସତ୍ତ୍ୱେ ରତ୍ନମଞ୍ଜରୀଙ୍କର ଆଶ୍ୱାସନାରେ ଆଶାର ମୃଗତୃଷ୍ଣାକୁ ସେ ଅଙ୍ଗୀକାର କରି ନେଇଛନ୍ତି । ସାଗର ସେପାରିର ନୀଳାଭ ମାୟାରେ ବାସ୍ତବକୁ ଦେଖି ନ ଦେଖିଲା ପରି ଅଭିନୟ କରିଛନ୍ତି ସଖୀଙ୍କର ମନତୁଷ୍ଟି ପାଇଁ ।

 

ଅପ୍ରିୟ ହେଲେ ମଧ୍ୟ ବେଶ୍‍ ମନୋମୁଗ୍‍ଧକର ଏ ପ୍ରବଞ୍ଚନାର ପ୍ରତିଶ୍ରୁତି ।

 

ବିଚରା ରତ୍ନମଞ୍ଜରୀ ! ବହୁଶ୍ରମ ଓ ତ୍ୟାଗ ସ୍ୱୀକାର କରିଛନ୍ତି ତାଙ୍କ ପାଇଁ । ଏବେ ବି ସେ ଶ୍ରମର ବିରତି ଘଟିନାହିଁ । ତେଣୁ ସବୁ ବୁଝିବା ମଧ୍ୟରେ କିଛି ନ ବୁଝିବାର ଅଭିନୟ କରି ତାଙ୍କୁ ସୁଖୀ ହେବାକୁ ପ୍ରଶ୍ରୟ ଦେବେ ସେ । ସତେ କ’ଣ ତାଙ୍କ ସୁଖରେ, ସେ ସୁଖିନୀ ? ଯୌବନର ଏ ରୁଦ୍ରାଭିସାରରେ ସତେ କ’ଣ ଚରିତାର୍ଥ ହୋଇଛି ତାହାଙ୍କର ତରୁଣୀ ମନର ସମସ୍ତ କାମନା, ବାସନା ?

 

ଅଳୀକ ! ! ମୌନ ମୃତ୍ୟୁର ଏ ଭୀମ ନିଷ୍ପତ୍ତିରେ ନିଶ୍ଚୟ ବିଳପି ଉଠୁଥିବ ତାହାଙ୍କର ପ୍ରଚ୍ଛନ୍ନ ନାରୀତ୍ୱ । କରୁଣତାର କାକଳିରେ ଫାଟିପଡ଼ୁଥିବ ନୀପବନର ବହୁ ରୋମାଞ୍ଚିତ ସ୍ୱପ୍ନ । ଦଗ୍‍ଧ କଦମ୍ୱର ଉପହାସରେ ସେ ମ୍ରିୟମାଣା ହୋଇଉଠୁଥିବେ ଠିକ୍ ତାଙ୍କରି ପରି ।

 

–ଦେଶର ଏ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ଆଜି ଉପାୟହୀନା । ସତ୍ୟକୁ ସତ୍ୟ ଭାବରେ ପ୍ରକାଶ କରିବାକୁ ଶକ୍ତି ନାହିଁ ତାହାଙ୍କର ।

 

ବସୁଧାରାଙ୍କର ଗଣ୍ତଦେଶରେ ସ୍ୱେଦକଣା କେଇଟି ଫୁଟିଉଠୁଥିଲା । ପିତାଙ୍କର ଉପସ୍ଥିତିରେ ଯେଉଁ ଶୂନ୍ୟତାକୁ ସେ ନିମିଷକ ପାଇଁ ଭୁଲିଯାଇଥିଲେ, ତାହା ପୁଣି ଅଦ୍‌ଭୁତ ତରଙ୍ଗର ଡେଣାପିଟି ମାଡ଼ି ଆସୁଥିଲା । ପ୍ରମାଦ ଗଣୁଥିଲେ ରାଜଜେମା । ଆତ୍ମନିରୀକ୍ଷଣ କରୁ କରୁ ଆତ୍ମହରା ହୋଇ ଆସୁଥିଲେ ନିଶ୍ଚେତନତାର ରାଶି ରାଶି ବରଫ କୁଢ଼ର ଶୀତଳତା ମଧ୍ୟରେ ।

 

॥ ସତର ॥

 

ଅଶ୍ୱାରୋହୀ ସୈନ୍ୟମାନଙ୍କଠାରୁ ରାଜାନୁମୋଦନର ବାର୍ତ୍ତା ପାଇବା ପରେ ମହାବଳାଧିକୃତ ଓ ସ୍ୱତନ୍ତ୍ର ବଳାଧିକୃତଙ୍କର ତତ୍‌ପରତାରେ କୌଣସି ଅଭାବ ପରିଲକ୍ଷିତ ହୋଇନଥିଲା । ଦକ୍ଷିଣ କୋଶଳର ଚତୁଃସୀମାରେ ଗୁପ୍ତ ପ୍ରହରୀମାନେ ସମ୍ପୂର୍ଣ୍ଣ ସଜାଗ । ସାମରିକ ଅନୁସନ୍ଧାନର କୌଣସି ତଥ୍ୟ ଯେପରି ଜନ୍ମେଜୟ ଜାଣି ନପାରନ୍ତି ସେଥିପାଇଁ ସୈନ୍ୟବାହିନୀରେ କଡ଼ା ସତର୍କତା ମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

 

ସମର ସିଂହଙ୍କର ବିଶ୍ୱସ୍ତ ଅନୁଚର ରୂପେ ନିଯୁକ୍ତ ଗୁପ୍ତ ସେନିକଟିକୁ କେନ୍ଦ୍ରକରି ମହାବଳାଧିକୃତ ସୋନପୁର ଘାଟିରୁ ବିଚିତ୍ର ତଥ୍ୟମାନ ପଠାଇଥିଲେ ହେଁ ସମର ସିଂହ ତହିଁରେ ଆସ୍ଥା ସ୍ଥାପନ କରିପାରୁନଥିଲେ । ତାଙ୍କର ସକଳ ନିଷ୍ପତ୍ତିକୁ ଇତସ୍ତତଃ କରି ସ୍ମୃତିପଥରେ ଦଣ୍ଡାୟମାନ ହେଉଥିଲେ ରତ୍ନମଞ୍ଜରୀ । ତାଙ୍କରି ମୁଖମଣ୍ଡଳ, ତାଙ୍କରି କଣ୍ଠସ୍ୱର, ଅବିକଳ ତାଙ୍କର ଢଳ ଢଳ ଚକ୍ଷୁର ନୀରବ ଅନୁଯୋଗ–ଅଥଚ ଅନୁଚରଟି ଯେ ଛଦ୍ମବେଶୀ; ଏପରି ସନ୍ଦେହ କରିବାର କୌଣସି କାରଣ ଦେଖୁନଥିଲେ ସେ ।

 

ଅବଶ୍ୟ ଯୁଦ୍ଧଯାତ୍ରା ପୂର୍ବରୁ ରତ୍ନମଞ୍ଜରୀ ଏଭଳି ଏକ ଅସମ୍ଭବ ପ୍ରାର୍ଥନା କରି ବସିଥିଲେ-। କିନ୍ତୁ ଯୁଦ୍ଧଯାତ୍ରାର ଅବ୍ୟବହିତ ପରେ ପରେ ସେ ତ ତାହାଙ୍କର ମାତୁଳାଳୟକୁ ଯାତ୍ରା କରିଥିବାର ସମ୍ବାଦ ସେ ବିଶ୍ୱସ୍ତ ସୂତ୍ରରୁ ପାଇଅଛନ୍ତି । ତେଣୁ ତାହାଙ୍କର ସୁଖସ୍ୱାଚ୍ଛନ୍ଦ୍ୟ ପାଇଁ ସର୍ବଦା ଯତ୍ନଶୀଳ ଏ ସୈନିକଟିକୁ ଛଦ୍ମବେଶୀ ବୋଲି ଭାବିବା ସମୀଚୀନ ନୁହେଁ ।

 

ଏହାସତ୍ତ୍ୱେ ସେ ମଧ୍ୟ ଅଦ୍ୟାପି ଅପରିଚିତ ଭାବରେ ତାଙ୍କର ସେବାଭାର ଗ୍ରହଣ କରିନାହିଁ । ତାହାର ବିଶଦ ପରିଚୟ ପାଇବା ପରେ ହିଁ ସେ ତାହାକୁ ଏ ଦାୟିତ୍ୱ ଅର୍ପଣ କରିଛନ୍ତି ।

 

ଜନ୍ମେଜୟଙ୍କର ପିତୃପୁରୁଷର ଭୂମି ଶ୍ରୀପୁରଠାରୁ ଅନତିଦୂରରେ ଅବସ୍ଥିତ ସୋମଗଡ଼ରେ ତାହାର ଜନ୍ମ । ଜନ୍ମେଜୟଙ୍କର ବିଷନିଃଶ୍ୱାସରେ ପିତାମାତା ଏବଂ ଭ୍ରାତାଭଗିନୀଙ୍କୁ ହରାଇବାପରେ ତାହାର ପ୍ରିୟପଲ୍ଲୀ ସୋମଗଡ଼ର କେତେ ଚାଖଣ୍ଡ ଭୂମିକୁ ଆପଣାର କହି ସେ ତାହାର ପିତୃଭୂମିରେ ପଡ଼ିରହିଥିଲା । କିନ୍ତୁ ଗତ ଦୁଇବର୍ଷ ତଳେ ମହାନଦୀର ଦକ୍ଷିଣତୀରରେ ସୋମଗଡ଼ ଦୁର୍ଗର ଜୀର୍ଣ୍ଣସଂସ୍କାର କରି ଯେଉଁ ନୂଆ ସୋମଗଡ଼ ନିର୍ମାଣ କରାଗଲା, ତହିଁରେ ତାହାର ଅନିଚ୍ଛାରେ ଦୁର୍ଗ ପରିସର ମଧ୍ୟରେ ମିଶାଇ ନିଆଗଲା ତାହାର ପିତୃପୁରୁଷର ସେହି ପ୍ରିୟ ଭୂମି ଖଣ୍ଡିକୁ । ତାହାର ବହୁ ପିଢ଼ିର ଇତିହାସକୁ ଧୂଳିସାତ୍ କରି ରାଜବଂଶର ଇତିହାସ ଗଢ଼ାହେଲା-। ସାମାନ୍ୟ ପ୍ରତିବାଦର ଫଳ ସ୍ଵରୂପ ରାଜକର୍ମଚାରୀମାନଙ୍କର ଚାବୁକ୍ ପ୍ରହାରରେ ତାହାର ସର୍ବାଙ୍ଗ ରକ୍ତସଲବଲ ହୋଇ ଉଠିଥିଲା ।

 

ରକ୍ତର ଉତ୍ତର ରକ୍ତରେ ଦେବାପାଇଁ ସେ ସେହିଦିନୁ ଜନ୍ମେଜୟଙ୍କର ରାଜ୍ୟଛାଡ଼ି ତ୍ରିକଳିଙ୍ଗଶ୍ୱରଙ୍କର ରାଜ୍ୟରେ ଛଦ୍ମବେଶରେ କାଳାତିପାତ କରିଆସୁଥିଲା । ଜନ୍ମେଜୟଙ୍କ ବିରୁଦ୍ଧରେ ତ୍ରିକଳିଙ୍ଗର ଅଭିଯାନ ବାର୍ତ୍ତା ପାଇବା ମାତ୍ରେ ସେ ସୈନିକ ବେଶରେ ଆଗୁଆ ବାହିନୀରେ ଯୋଗ ଦେଇଥିଲା । ଯୁଦ୍ଧ ପୂର୍ବରୁ ରତ୍ନମଞ୍ଜରୀଙ୍କର ଅଦ୍ଭୁତ ଅନୁଯୋଗ ହେତୁ ସେ ମଧ୍ୟ ରଣଯାତ୍ରା କାଳରେ ବିନା ପ୍ରଶ୍ନରେ ତାହାକୁ ଗ୍ରହଣ କରି ନେଇଥିଲେ । କିନ୍ତୁ ଦକ୍ଷିଣ କୋଶଳ ଅବରୋଧ ପରେ ବୌଦଘାଟିଠାରେ ସେ ବହୁ କଷ୍ଟରେ ତାହାଠାରୁ ତାହାର ଏ ପରିଚୟ ଲାଭ କରିଥିଲେ । ଏ ପରିଚୟ ଅନ୍ୟତ୍ର ପ୍ରକାଶ ନ କରିବାକୁ ସତ୍ୟବଦ୍ଧ ହେବାପରେ ସେ ମୁକ୍ତ କଣ୍ଠରେ ତାଙ୍କ ନିକଟରେ ଏହା ପ୍ରକାଶ କରିଥିଲା ।

 

ମହାବଳାଧିକୃତ ହୁଏତ କୌଣସି ସୂତ୍ରରୁ ତାହାର ଏ ପରିଚୟ ପାଇଥାଇପାରନ୍ତି । ନଚେତ୍‌ ସାମାନ୍ୟ ଏକ ସୈନିକକୁ ମୂଳକରି ସେ ଏଭଳି ଏକ ଚାଞ୍ଚଲ୍ୟକର ତଥ୍ୟମାନ ପ୍ରେରଣ କରିନଥାନ୍ତେ ।

 

ତାହାହେଲେ ଉପାୟ ? ମହାବଳାଧିକୃତଙ୍କର ପରାମର୍ଶ ଅନୁଯାୟୀ ସେ ତାହାକୁ ସାମରିକ କାରାଗାରରେ ନିକ୍ଷେପ କରି ଆଉ କି ଅଧିକ ତଥ୍ୟ ପାଇବେ ତାହାଠାରୁ ?

 

ଆଗୁଆ ବାହିନୀର ସେନାନାୟକ ହେଲେ ମଧ୍ୟ ସେ ମନୁଷ୍ୟ । ସ୍ନେହମାୟାର ବନ୍ଧନକୁ ସେ ପୂରାପୂରି ଅସ୍ୱୀକାର କରିପାରିବେ ନାହିଁ । ହୋଇପାରେ ଏହା ମରୀଚିକା । ସପ୍ତକ୍ରୋଶୀଗଣ୍ଡ ଓ ମହାନଦୀ ତୀରର ପ୍ରକୃତି ପରି ରୁଦ୍ରସୁନ୍ଦର । ତଥାପି ବନ୍ଧୁ ସହୋଦରହୀନ ସମର ସିଂହର ଶୂନ୍ୟ ହୃଦୟକୁ ଶୀତଳ କରିବାପାଇଁ ଏଥିରେ ସୁନ୍ଦରତର ଶାନ୍ତି ଭିନ୍ନ ତ ଆଉ କିଛି ଲକ୍ଷ୍ୟ କରିନାହାନ୍ତି ସେ-

 

ସେଦିନର ସେହି ଅବିସ୍ମରଣୀୟ ନିଶୀଥ...ରତ୍ନଗିରି ଛାଡ଼ିବାର ତାହା ବୋଧହୁଏ ଥାଏ ତୃତୀୟ ଦିବସ । ଜନ୍ମେଜୟଙ୍କର ଗଡ଼ ଅବରୋଧ ପରେ ସେ ଅତ୍ୟଧିକ କ୍ଳାନ୍ତି ଯୋଗୁଁ ଶିବିର ସମ୍ମୁଖରେ ଅର୍ଦ୍ଧଶାୟିତ ଅବସ୍ଥାରେ ଆଗାମୀ କାଲିର ରଣସଜ୍ଜା ବିଷୟ ଚିନ୍ତା କରୁଥାଆନ୍ତି । ସଜାଗ ଚନ୍ଦ୍ରକରରେ ନିଦ୍ରା ଆସୁନଥାଏ ତାହାଙ୍କର । ମହାନଦୀର ସେପାରରୁ ଅଦିନରେ କୋକିଳର କୁହୁତାନ ଭାସିଆସିଲା ।

 

ସେ ଆତ୍ମହରା ହୋଇଉଠିଲେ । ତାହା ପରେ ପରେ ଶୁଣାଗଲା କେଉଁ ବିଷାଦୀର ବଂଶୀସ୍ୱର–ଠିକ୍ ତାହାଙ୍କ ଶିବିରର ନିକଟବର୍ତ୍ତୀ ଶିବିରରୁ... ।

 

“କିଏ ସେହି ବାଦକ ?” –ତାହାଙ୍କର କଡ଼ାଗଳାର ଚିତ୍‍କାରରେ ଶିବିର ପ୍ରହରୀମାନଙ୍କର ତନ୍ଦ୍ରାଭାଙ୍ଗି ଆସିଲା । ସେମାନେ ଖଡ଼୍‍ଗ ଉପରେ ମୁଷ୍ଟିବଦ୍ଧ କରି ଜାଗ୍ରତ ହୋଇଉଠିଲେ ।

 

ବଂଶୀର ଲହର ଥମି ଆସିଲା । ତାଙ୍କୁ ସମ୍ମୁଖରେ ଏ ଅସମୟରେ ଦଣ୍ଡାୟମାନ ହେଲା ଏକ ଛାୟାମୂର୍ତ୍ତି ।

 

"କିଏ ତୁମ୍ଭେ ?"

 

–ଏ ହତଭାଗ୍ୟ ହିଁ ସେହି ବାଦକ, ଯେକି ଛାମୁଙ୍କର ସୁଖନିଦ୍ରାରେ ବ୍ୟାଘାତ ଜନ୍ମାଇଛି । ତେଣୁ ପ୍ରହରୀମାନେ ମୋତେ ଧରି ଆଣିବା ପୂର୍ବରୁ ମୁଁ ସ୍ୱେଚ୍ଛାକୃତ ଭାବରେ ଧାଇଁ ଆସିଛି ମୋର ପ୍ରଭୁଙ୍କ ନିକଟକୁ...ମୋର ଅମାର୍ଜନୀୟ ଅପରାଧର ଶାସ୍ତି ଗ୍ରହଣ କରିବା ପାଇଁ...ଶାସ୍ତି ଦିଅନ୍ତୁ ପ୍ରଭୁ-!!

 

ଜାନୁପାତି ଶାସ୍ତି ଭିକ୍ଷା କରୁଥିଲା କୁମୁଜସିଂହ...ତାଙ୍କର ସ୍ୱତନ୍ତ୍ର ସେବକ ଓ ଦେହରକ୍ଷୀ । ଏ ଜ୍ୟୋତ୍ସ୍ନାସ୍ନାତ ରଜନୀରେ ତାହାର ସାମରିକ ବେଶଭୂଷାତଳୁ କି ଏକ ରମଣୀ ସୁଲଭ କମନୀୟତା ତାହାଙ୍କର ହୃଦୟକୁ ଆର୍ଦ୍ର କରିଦେଲା ।

 

ସେ ସ୍ମିତ କଣ୍ଠରେ ଆଦେଶ ଦେଲେ–ଶାସ୍ତି ? ଖୁବ୍ କଠିନ !! ସେ ଶାସ୍ତି ଗ୍ରହଣ କରି ପାରିବ ତ ?

 

–ଉଦ୍‌ବିଗ୍ନ ହୋଇ ଉଠୁଥିଲା କୁମୁଦ ।

 

–ତୁମେ ପ୍ରତି ନିଶୀଥରେ ଏହିଭଳି ବଂଶୀବାଦନ କରି ତୁମର ସେନାନାୟକର ହୃଦୟକୁ ଶୀତଳ କରିବ ।

 

–ପାରିବି ପ୍ରଭୁ ! –କହି ପ୍ରସ୍ଥାନୋଦ୍ୟତ ହେଲା କୁମୁଦ ସିଂହ ।

 

ସେ ତାକୁ ରହିବାକୁ ଇଙ୍ଗିତ ଦେଲେ ।

 

–ଆଚ୍ଛା କହିପାରିବ କୁମୁଦ ! ଏ ନିସ୍ତବ୍‌ଧ ରାତ୍ରିରେ ତୁମ୍ଭର ଏ ବଂଶୀବିଳାପ କାହିଁକି ?

 

–ତାହା ଏକାନ୍ତ ଗୋପନୀୟ ହେଲେ ମଧ୍ୟ ଛାମୁଙ୍କ ନିକଟରେ ଅପ୍ରକାଶ୍ୟ ନୁହେଁ ।

 

–ତାହାହେଲେ ପ୍ରକାଶ କର ଏହାର ରହସ୍ୟ ।

 

–ତ୍ରିକଳିଙ୍ଗ ଓ ଏହାର ସ୍ୱତନ୍ତ୍ର ସେନାନାୟକଙ୍କର ମଙ୍ଗଳ ପାଇଁ ଶିବାଭିଷେକ ପୂର୍ବରୁ ଏ କରୁଣ ଆଳାପନୀ ।

 

–ଅଦ୍ଭୁତ !

 

–ଅଦ୍ଭୁତ ହେଲେ ମଧ୍ୟ ଅସମ୍ଭବ ନୁହେଁ ପ୍ରଭୁ !

 

ଇତିହାସର ତନ୍ଦ୍ରା ଭଂଗ

–ସାମାନ୍ୟ ସୈନିକ ହେଲେ ମଧ୍ୟ ତୁମେ ପ୍ରଭୁଭକ୍ତ ଓ ସୁଶିକ୍ଷିତ, କମୁଦ ସିଂହ !

 

–ଆପଣଙ୍କ ଆଶୀର୍ବାଦରୁ ।

 

–ଆଚ୍ଛା, କହିପାରିବ କୁମୁଦ, ମଙ୍ଗଳମୟ ଶିବଙ୍କର ଆରାଧନା ପୂର୍ବରୁ ନିଶାର୍ଦ୍ଧରେ ଏ ବିରହର ରାଗିଣୀ କାହିଁକି ?

 

–କାରଣ ସତୀଙ୍କୁ ହରାଇବା ପରେ ଶିବ ଯେ ଚିରବିରହୀ ।

 

–କିନ୍ତୁ ପାର୍ବତୀ–ପ୍ରାପ୍ତି ପରେ ତ ସେ ବିରହର ଅବସାନ ଘଟିଛି ଶିବଙ୍କର ।

 

–ତଥାପି ତ୍ରିକଳିଙ୍ଗର ଯେଉଁ ଶିବ–ମନ୍ଦିରରେ ଏ ନିଶାର୍ଦ୍ଧର ଅଭିଷେକ ଓ ଆରତୀର ଅଧିବାସ, ସେ ଶିବ ଯେ ଚିରବିରହୀ, ପାର୍ବତୀହୀନ ସ୍ଵୟମ୍ଭୂମୂର୍ତ୍ତି ।

 

“ଅର୍ଥାତ୍ ବନ୍ଦରେଶ୍ଵରରେ ?”

 

–ଯଥାର୍ଥ ଅନୁମାନ ପ୍ରଭୁ !

 

କୁମୁଦ ସିଂହର ଏ ଉତ୍ତରରେ ସନ୍ଦିଗ୍‌ଧ ହୋଇ ଉଠୁଥିଲେ ସେ । ଶ୍ରୀପୁରର ଏକ ଗୁପ୍ତ ସୈନିକ । ତ୍ରିକଳିଙ୍ଗ ଓ ତାହାର ସ୍ୱତନ୍ତ୍ର ସେନାନାୟକର ମଙ୍ଗଳପାଇଁ ତାହାର ଶିବାଭିଷେକ ବନ୍ଦରେଶ୍ୱରର ଶିବ ମନ୍ଦିରରେ...ଅଥଚ ପୂର୍ବୋୟୋଜନର ବିରହ–ଆଳାପନୀ ବୌଦ ଘାଟୀର ଏ ସୈନ୍ୟସେନା ପରିବୃତ୍ତ ଯୁଦ୍ଧ–ଛାଉଣୀରେ ?

 

ପ୍ରହେଳିକାମୟ ! ତଥାପି ଆଉ ଅଧିକ ବାକ୍ୟାଳାପ ନ କରି ସେ କୁମୁଦ ସିଂହକୁ ବିଦାୟ ଦେଇ ସେଦିନୁଁ ସତର୍କରେ ତାହାର ଗତିବିଧି ଲକ୍ଷ୍ୟ କରି ଆସୁଥିଲେ ।

 

ହେଲେହେଁ ନିଶାର୍ଦ୍ଧର ସେ ଅଥୟ ବଂଶୀବିଳାପ ବ୍ୟତୀତ ଆଉ କିଛି ନୂତନ ତଥ୍ୟ ପାଇନାହାନ୍ତି ସେ । ଗତ କିଛିଦିନତଳେ ବନ୍ଦରେଶ୍ୱର ଶିବମନ୍ଦିରର ପୂଜକ ଅବଶ୍ୟ ଆକସ୍ମିକ ଭାବରେ ତାଙ୍କର ଦୃଷ୍ଟି ଗୋଚର ହୋଇଥିଲା ।

 

କୁମୁଦ ସିଂହ ତାଙ୍କ ସହିତ ନିଭୃତରେ କିଛିକ୍ଷଣ ପାଇଁ ଆଳାପ କରୁଥିବାର ସେ ଲକ୍ଷ୍ୟ କରିଛନ୍ତି । କୁମୁଦ ସିଂହଙ୍କ ନାମ କହି ବୋଧହୁଏ ପୂଜକଟି କୌଣସି ଏକ ଜରୁରୀ କାର୍ଯ୍ୟରେ ସେନାଛାଉଣୀର ପ୍ରବେଶପଥ ଯାଏ ଆସିଥିବାର ସେ ଅନୁମାନ କରନ୍ତି ।

 

ଏହିପରି ତଥ୍ୟକୁ ମୂଳକରି ମହାବଳାଧିକୃତ ଯଦି କୁମୁଦ ସିଂହଙ୍କୁ କାରାରୁଦ୍ଧ ପୂର୍ବକ କଠିନ ଶାସ୍ତି ଦେବାକୁ ପରାମର୍ଶ ଦେଇଥାଆନ୍ତି, ତାହା ହେଲେ ସେ ତାହାର ସତ୍ୟାସତ୍ୟ ପରୀକ୍ଷା କରି ଯଥୋଚିତ କାର୍ଯ୍ୟାନୁଷ୍ଠାନ କରିବେ । କିନ୍ତୁ ତାହା ପୂର୍ବରୁ ନୁହେଁ ।

 

ସମର ସିଂହଙ୍କର ଏ ସିଦ୍ଧାନ୍ତରେ ସେ ନିଜେ ସନ୍ତୁଷ୍ଟ ହେଉନଥିଲେ ମଧ୍ୟ ରାଶି ରାଶି ପ୍ରହେଳିକା ମଧ୍ୟରେ ଏହା ହିଁ ଥିଲା ତାଙ୍କ ପାଇଁ ଏକମାତ୍ର ଅବଲମ୍ବନ । କର୍ତ୍ତବ୍ୟବୋଧ ଏବଂ ମାନବ ମନର କୃତଜ୍ଞତା ମଧ୍ୟରେ ସେ ଏପରି ଅଣନିଃଶ୍ଵାସୀ ହୋଇ ଉଠିଥିଲେ ଯେ ଏହା ଭିନ୍ନ ଅନ୍ୟ ପନ୍ଥା ଗ୍ରହଣ କରିବାକୁ ଶକ୍ତି ନଥିଲା ତାହାଙ୍କର ।

 

॥ ଅଠର ॥

 

ପରିଶେଷରେ ମହାବଳାଧିକୃତଙ୍କର ପରାମର୍ଶରେ ସେ କୁମୁଦସିଂହକୁ କାରାରୁଦ୍ଧ କରିଛନ୍ତି । ସାମରିକ ରୀତିରେ ତାହାକୁ କାରାଗାରକୁ ନେବା ସମୟରେ ସେ ସାଶ୍ରୁଲୋଚନରେ ତାହାର ସେନାନାୟକଙ୍କୁ ସ୍ମରଣ କରାଇ ଦେଇଥିଲା ତାହାଙ୍କର ପୂର୍ବଦଣ୍ତାଦେଶ–

 

“ତୁମେ ପ୍ରତି ନିଶୀଥରେ ଏହିଭଳି ବଂଶୀବାଦନ କରି ତୁମ୍ଭର ସେନାନାୟକର ହୃଦୟକୁ ଶୀତଳ କରିବ ।”

 

ବଜ୍ରଗମ୍ଭୀର କଣ୍ଠରେ ତାହାର ଏ ଭିକ୍ଷାକୁ ପ୍ରତ୍ୟାଖ୍ୟାନ କରିଥିଲେ ସମର ସିଂହ–

 

“ସାମରିକ ଷଡ଼ଯନ୍ତ୍ରରେ ଅଭିଯୁକ୍ତ କୃତଘ୍ନ କୁମୁଦସିଂହ ପାଇଁ ତାହା ଉଦ୍ଦିଷ୍ଟ ନଥିଲା ।”

 

କାରାଜୀବନର ଯନ୍ତ୍ରଣାଠାରୁ କଠିନତର ଏ ଶାସ୍ତି । କୁମୁଦସିଂହ ଆଉ କିଛି ବାକ୍ୟବ୍ୟୟ ନ କରି ନତମୁଖରେ ଦଣ୍ଡାୟମାନ ହୋଇଥିଲା । ଗଣ୍ଡଦେଶ ପ୍ଳାବିତ କରି ଧାର ଧାର ଅଶ୍ରୁ ତାହାର ଶୃଙ୍ଖଳାବଦ୍ଧ ହସ୍ତ ଉପରେ ବହିପଡ଼ୁଥିଲା–କାରାଗାରର ଭୟରେ ନୁହେଁ, ତାହାର ପ୍ରିୟ ସେନାନାୟଙ୍କର ସେବାରୁ ସେ ବିନାପରାଧରେ ବଞ୍ଚିତ ହେଉଥିବାର ଦୁର୍ଭାଗ୍ୟରେ ।

 

ଏହା ସମର ସିଂହ ବେଶ୍ ଭଲ ଭାବରେ ହୃଦୟଙ୍ଗମ କରିପାରୁଥିଲେ । ହେଲେ ହେଁ ବୌଦ୍ଧ ସମ୍ମିଳନୀ କାଳରେ ବନ୍ଦରେଶ୍ୱର ଶିବମନ୍ଦିରର ପୂଜକ ବୀତିହୋତ୍ର ଜନ୍ମେଜୟଙ୍କର ପୁତ୍ର ବଳାଦିତ୍ୟଙ୍କୁ ଗୋପନରେ ଆଶ୍ରୟ ଦେଇଥିବା ବିଷୟ ସ୍ୱୀକାର କରିବା ପରେ ସେ ତାହାଙ୍କର ବିଶ୍ୱସ୍ତ, ଅନୁଚରଟିକୁ ଆଉ ନିରାପରାଧ ବୋଲି ସାବ୍ୟସ୍ତ କରିପାରୁ ନ ଥିଲେ ।

 

ତେଣୁ ବନ୍ଦୀ ବୀତିହୋତ୍ରଙ୍କଠାରୁ ଏ ରହସ୍ୟର ପୂର୍ଣ୍ଣ ସ୍ୱୀକାରୋକ୍ତି ମିଳିବା ପର୍ଯ୍ୟନ୍ତ କୁମୁଦ ସିଂହକୁ କାରାରୁଦ୍ଧ ହେବାକୁ ପଡ଼ିଥିଲା ।

 

ଆଜି ସ୍ୱୀକାରୋକ୍ତିର ଶେଷ ଦିବସ । ପ୍ରାଣଦଣ୍ଡ ଭୟରେ ବୀତିହୋତ୍ର ଜନ୍ମେଜୟଙ୍କର ଷଡ଼ଯନ୍ତ୍ର ଓ ତାହାଙ୍କର ଉତ୍କୋଚ–ଗ୍ରାହିତାର ସମସ୍ତ ବୃତ୍ତାନ୍ତ ଉଭୟ ସେନାନାୟକଙ୍କ ସମ୍ମୁଖରେ ପ୍ରକାଶ କରିଦେଇଛନ୍ତି ।

 

ଜନ୍ମେଜୟଙ୍କର ଦୂତ ରାଜସଭାରୁ ରୁଦ୍ଧକ୍ଷୁବ୍‍ଧ ହୃଦୟରେ ଦକ୍ଷିଣ କୋଶଳକୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ ବନ୍ଦରେଶ୍ଵରଠାରେ ରାତ୍ରି ଅଧିକ ହୋଇଯାଇଥିବାରୁ ରାତ୍ରିଯାପନ ଉଦ୍ଦେଶ୍ୟରେ ବୀତିହୋତ୍ରଙ୍କର ଅତିଥି ହୋଇଥିଲେ ଏବଂ ସେହି ରାତ୍ରିରେ ସେ ବୀତିହୋତ୍ରଙ୍କୁ ତାଙ୍କର ଭବିଷ୍ୟତ ଚକ୍ରାନ୍ତର ଆଭାସ ପ୍ରଦାନ କରିଥିଲେ ।

 

ତ୍ରିକଳିଙ୍ଗେଶ୍ୱରଙ୍କ ବିରୁଦ୍ଧରେ ଏଭଳି ଷଡ଼ଯନ୍ତ୍ରରେ ଲିପ୍ତ ହେବାକୁ ବ୍ରାହ୍ମଣ ବୀତିହୋତ୍ର ପ୍ରଥମେ ଅସମ୍ମତ ହୋଇଥିଲେ ମଧ୍ୟ ଏକାବେଳେକେ ସହସ୍ର ସ୍ୱର୍ଣ୍ଣମୁଦ୍ରାର ପ୍ରଲୋଭନ ସେ ଏଡ଼ାଇପାରି ନ ଥିଲେ । ବିଶେଷତଃ ଏକ ଶରରେ ଦୁଇଟି ପକ୍ଷୀ ବଧ କଲା ପ୍ରାୟ ଏହାଦ୍ୱାରା ପରୋକ୍ଷରେ ସେ ବୌଦ୍ଧଧର୍ମର ବିନାଶ ଘଟାଇ ବ୍ରାହ୍ମଣ୍ୟ ଧର୍ମର ଉତ୍‍ଥାନ ପାଇଁ ପଥ ପରିଷ୍କାର କରିପାରିବେ ଭାବି ରାତ୍ରିର ଶେଷ ପ୍ରହରକୁ ସେ କୌଣସିମତେ ରାଜଦୂତଙ୍କୁ ତାହାଙ୍କର ସମ୍ମତି ପ୍ରଦାନ କରିଥିଲେ ।

ଫଳତଃ, ବୀତିହୋତ୍ରଙ୍କର ଜ୍ଞାତସାରରେ ଜନ୍ମେଜୟଙ୍କର ମନ୍ତ୍ରଣାଳୟରୁ ବନ୍ଦରେଶ୍ଵର ଯାଏ ସୁଡ଼ଙ୍ଗପଥ ନିର୍ମାଣ କରାଯାଇଥିଲା । ସୋମବଂଶୀ ସେନ୍ୟବାହିନୀର ଶତ ଶତ ଖନିକାର ଦିବାରାତ୍ରି ଏ କର୍ମରେ ନିଯୁକ୍ତ ରହିଥିଲେ । ବୌଦ୍ଧ–ଧର୍ମସଭାର ୨ୟ ଦିବସରେ ସୁଡ଼ଙ୍ଗ କାର୍ଯ୍ୟ ଶେଷ ହୋଇଆସିଲା ଓ ଏହି ସୁଡ଼ଙ୍ଗପଥରେ ବଳାଦିତ୍ୟ ତାହାଙ୍କର ବଛା ବଛା କେତେକ ଅଶ୍ଵାରୋହୀ ସୈନ୍ୟଙ୍କୁ ସଙ୍ଗରେ ଧରି ବନ୍ଦରେଶ୍ୱରରେ ପହଞ୍ଚିଲେ । ଉଦ୍‌ଯାପନ ଦିବସର ଶେଷଭାଗରେ ଅଗ୍ନିକାଣ୍ଡ ଘଟାଇ ତନ୍ମଧ୍ୟରେ ରାଜକନ୍ୟାଙ୍କୁ ଅପହରଣ କରିନେବା ନିମିତ୍ତ ବଳାଦିତ୍ୟ ଘୋଟକ ସହ ବନ୍ଦରେଶ୍ୱର ମନ୍ଦିରରେ ଗୋପନରେ ଅବସ୍ଥାନ କଲେ । ଯେଉଁ ମୁଣ୍ଡିତ ମସ୍ତକ ବୌଦ୍ଧଭିକ୍ଷୁଟିଏ ଅଗ୍ନିକାଣ୍ତରେ ସଂପୃକ୍ତ ବୋଲି ସନ୍ଦେହ କରାଯାଉଥିଲା, ସେ ହେଉଛି ବଳାଦିତ୍ୟଙ୍କର ଜଣେ ଛଦ୍ମବେଶୀ ବିଶ୍ୱସ୍ତ ସହଚର । ତାହା ସଙ୍ଗେ ଅନ୍ୟ ଅନୁଚରମାନେ ଯାଇଥିଲେ ମଧ୍ୟ ସେମାନେ ସାଧାରଣ ଦର୍ଶକମାନଙ୍କ ମଧ୍ୟରେ ମିଶି ରହିଥିବାରୁ ତାହାଙ୍କୁ କେହି ସନ୍ଦେହ କରିବାର ଅବକାଶ ନ ଥିଲା ।

ଉଦ୍‌ଯାପନ ଦିବସରେ ରାଜକନ୍ୟାଙ୍କର ମାନସିକ ଅବସ୍ଥା ଭଲ ନ ଥିବାରୁ ସେ ବୌଦ୍ଧଧର୍ମ ସଭାରେ ଯୋଗ ଦେଇ ନ ଥିଲେ । ତେଣୁ ତାହାଙ୍କୁ ମଣ୍ଡପ ନିକଟରେ ନ ପାଇ ଅଗ୍ନିକାଣ୍ଡ, ପରବର୍ତ୍ତୀ ଉତ୍ତେଜନା ମଧ୍ୟରେ ଯୁବରାଜଙ୍କର ସହଚର ଓ ଅନୁଚରମାନେ କୌଣସିମତେ ଆତ୍ମରକ୍ଷା କରି ପଳାୟନ କରିଥିଲେ ।

ରାଜପୁତ୍ର ବଳାଦିତ୍ୟ ସେମାନଙ୍କଠାରୁ ଏ ନୈରାଶ୍ୟପୂର୍ଣ୍ଣ ସମ୍ବାଦ ପାଇ ଘୋଟକ ପୃଷ୍ଠରେ ତତ୍‍କ୍ଷଣାତ୍ ବନ୍ଦରେଶ୍ୱର ତ୍ୟାଗ କରିଥିଲେ । ତେଣୁ ଅଦ୍ୟାବଧି ବୀତିହୋତ୍ର ତାଙ୍କର ଏ ଦେଶଦ୍ରୋହ କାର୍ଯ୍ୟକୁ ଅନ୍ୟମାନଙ୍କ ଚକ୍ଷୁରୁ ଗୋପନ ରଖିପାରିଥିଲେ ।

 

କିନ୍ତୁ ତ୍ରିକଳିଙ୍ଗର କୋଣାନୁକୋଣ ଓ ଜନ୍ମେଜୟଙ୍କ ରାଜ୍ୟରେ ଏହାର ଅନୁସନ୍ଧାନ ଚାଲିଥିବାର ସମ୍ବାଦ ପାଇ ଏହାର ପରିଣତି ବିଷୟରେ ଉଦ୍‍ବିଗ୍ନ ହୋଇ ମଧ୍ୟେ ମଧ୍ୟେ ବଡ଼ମୂଳ ଘାଟିର ଶିବିରମାନଙ୍କରୁ କିଛି ତଥ୍ୟ ସଂଗ୍ରହ କରିବାକୁ ସେ ଏଠାକୁ ଯାତାୟାତ କରୁଥିଲେ ।

 

ଗତ କେତେଦିନ ତଳେ ସେ ହଠାତ୍ ପ୍ରହରୀମାନଙ୍କର ସତର୍କ ଦୃଷ୍ଟି ଏଡ଼ାଇ ନ ପାରି ଧରା ହେବା ସମୟରେ ସେ ନିଜର ବାସ୍ତବ ପରିଚୟ ପ୍ରଦାନ ପୂର୍ବକ କଳିଙ୍ଗ ସୈନ୍ୟବାହିନୀକୁ ଶିବାଶିଷ ପ୍ରଦାନ କରିବାକୁ ତାଙ୍କର ଆଗମନ ଘଟିଥିଲା ବୋଲି ଜଣାଇଥିଲେ ଓ ଶିବାଭିଷେକର ବିଷୟ ନେଇ ସେନାନାୟକଙ୍କର ବିଶ୍ୱସ୍ତ ଅନୁଚର ସହିତ କଥୋପକଥନ କରିଥିଲେ । ନଚେତ୍ ଏହା ପୂର୍ବରୁ ସେ କୁମୁଦସିଂହଙ୍କୁ ଜାଣନ୍ତି ନାହିଁ ବା କୁମୁଦସିଂହ ଏ ଷଡ଼ଯନ୍ତ୍ରରେ ଲିପ୍ତ ନୁହନ୍ତି–ଏହା ଶ୍ରବଣ କରିବାମାତ୍ରେ ସେନାନାୟକଦ୍ୱୟ ତଟସ୍ଥ ହୋଇ ନିରପରାଧ ସୈନିକଟିକୁ ଅବିଳମ୍ଵେ ମୁକ୍ତି ଦେବା ନିମିତ୍ତ କାରାଗାର ରକ୍ଷକକୁ ସଙ୍ଗେ ସଙ୍ଗେ ଆଦେଶ ପ୍ରଦାନ କରିଥିଲେ ।

 

॥ ଊଣେଇଶି ॥

 

ଯେଉଁ ସୁଡ଼ଙ୍ଗ ପଥରେ ତ୍ରିକଳିଙ୍ଗ ବିରୁଦ୍ଧରେ ଏ ଷଡ଼ଯନ୍ତ୍ରର ଆୟୋଜନ କରାଯାଇଥିଲା, ସେହି ସୁଡ଼ଙ୍ଗ ପଥରେ କଳିଙ୍ଗର ସୈନ୍ୟମାନେ ଗୋପନରେ ସୋମବଂଶର ଅସ୍ତ୍ରାଗାର ଲୁଣ୍ଠନ କରିବାପରେ ଜନ୍ମେଜୟ ଏହାର ଆଭାସ ପାଇ ପ୍ରକାଶ୍ୟ ଯୁଦ୍ଧ ନିମନ୍ତେ ଅଗ୍ରସର ହେଲେ । ହେଲେ ହେଁ ସେତେବେଳକୁ ତାଙ୍କର ସମସ୍ତ ଅସ୍ତ୍ରାଗାର ପ୍ରାୟ ଶୂନ୍ୟ ପଡ଼ିଥିବାରୁ ସେ ଅବରୁଦ୍ଧ ଗଡ଼କୁ ପରିତ୍ୟାଗ କରି ଦାସ ଦାସୀ ଓ କେତେକ ସୈନ୍ୟସେନାଙ୍କ ସହ ଗୋପନରେ ‘ସୋମଗଡ଼’କୁ ପଳାୟନ କଲେ ।

 

ଏ ସମ୍ବାଦ ପାଇ ବୌଦ ଓ ସୋନପୁର ଘାଟିର ମିଳିତ ବାହିନୀର ପ୍ରଚଣ୍ଡ ଦୃଷ୍ଟି ସୋମଗଡ଼ ଉପରେ ନିବଦ୍ଧ ହେଲା । ଯୁଦ୍ଧରେ ବଳାଦିତ୍ୟଙ୍କର ମୃତ୍ୟୁ ସମ୍ୱାଦ ପାଇ ମହାରାଣୀ ଗଡ଼ ମଧ୍ୟରେ ଆତ୍ମବିସର୍ଜନ କଲେ । କ୍ରୋଧାନ୍ଧ ଜନ୍ମେଜୟ ଅସ୍ତ୍ରଶସ୍ତ୍ର ଓ ସୈନ୍ୟସେନାବିହୀନ ହୋଇଥିଲେ ମଧ୍ୟ କେବଳ ଧନୁତୀର ଧରି ତାଙ୍କର ପୁତ୍ରହନ୍ତା ସମର ସିଂହଙ୍କର ଶିରଚ୍ଛେଦ କରିବାକୁ ଉନ୍ମତ୍ତ ହୋଇ ଉଠିଥିଲେ ।

 

ତାହାଙ୍କ ଦ୍ୱାରା ନିକ୍ଷିପ୍ତ ଏକ ପ୍ରଚଣ୍ଡ ଶର ସମରସିଂହଙ୍କ କକ୍ଷ ବିଦ୍ଧ କରିବାକୁ ଆସୁଥିବା ସମୟରେ ସମର ସିଂହଙ୍କୁ ପଶ୍ଚାତ୍ ଦେଶକୁ ଟାଣିନେଇ ତାହାଙ୍କର ବିଶ୍ୱସ୍ତ ଅନୁଚରଟିଏ ଶରର ସମ୍ମୁଖୀନ ଦେଲା । ଗତ ଦିବସରେ କାରାମୁକ୍ତ ଏ ଦୁର୍ବଳ ସୈନିକଟି ସେ ଶରାଘାତରେ ଚିତ୍କାର କରି ସମର ସିଂହଙ୍କର ପାଦଦେଶରେ ଟଳିପଡ଼ିଲା ।

 

ଏଥର ଉତ୍‌କ୍ଷିପ୍ତ ଭାବରେ ଅସିଚାଳନା କରି ସମର ସିଂହ ଜନ୍ମେଜୟଙ୍କୁ ନିହତ କରିବା ଅବସ୍ଥାରେ ମହବଳାଧିକୃତଙ୍କ ନିର୍ଦ୍ଦେଶରେ ସେ ତହିଁରୁ ନିବୃତ୍ତ ହେଲେ ଓ ଅସ୍ତ୍ରଶସ୍ତ୍ରହୀନ ଜନ୍ମେଜୟ ସୋମଗଡ଼କୁ ଭେଟି ଦେଇ ତ୍ରିକଳିଙ୍ଗେଶ୍ୱରଙ୍କର ଶରଣାପନ୍ନ ହେଲେ । ସୋମଗଡ଼ ନାମ ପରିବର୍ତ୍ତେ ଏହି ଗଡ଼ର ନାମ ରଖାଗଲା ଶରଣଗଡ଼ । ତହିଁରେ ତ୍ରିକଳିଙ୍ଗର ବିଜୟପତାକା ଉଡ଼ାଇ କଳିଙ୍ଗବାହିନୀ ମହାନନ୍ଦରେ ସ୍ଵ ସ୍ଵ ଶିବିରକୁ ପ୍ରତ୍ୟାବର୍ତ୍ତନ କରୁଥିଲେ ।

 

ହେଲେ ହେଁ ଶରାହତ ସୈନିକଟିକୁ ଅତି ଯତ୍ନରେ ନିଜ ଅଶ୍ଵପୃଷ୍ଠରେ ସ୍ଥାପିତ କରି ସିକ୍ତନୟନରେ ରଣଭୂମି ତ୍ୟାଗ କଲେ ସମର ସିଂହ ।

 

ସୈନିକଟିର ନିଷ୍ପ୍ରାଣ ଦେହଟିକୁ ଅଶ୍ଵପୃଷ୍ଠରୁ ଓହ୍ଲାଇ ନିଜ ଶିବିରର ଏକ ଶଯ୍ୟା ଉପରେ ଶୁଆଇଦେବା ସମୟରେ ସେ ଯେ ଏକ ତରୁଣୀ ଏହା ବୁଝିବାକୁ ତାଙ୍କର ବାକି ରହିଲା ନାହିଁ । ବହୁକ୍ଷଣ ଚିକିତ୍ସାପରେ ସୈନିକଟି ଆଖି ଫିଟାଇ ସମର ସିଂହଙ୍କୁ ଚାହିଁରହିଲା । ଯୁଗ ଯୁଗର ବହୁ ଅବ୍ୟକ୍ତ ବେଦନା, ବହୁ ଅନୁନୟ ଓ ବହୁ ମିନତିରେ ସେ ଦୃଷ୍ଟି ଆକୁଳ ହୋଇଉଠିଥାଏ । କ’ଣ କହିବାକୁ ଉନ୍ମୁଖ ଥିଲେ ମଧ୍ୟ ପ୍ରାଣଶକ୍ତିହୀନ ସେ କଣ୍ଠରେ ଆଉ ଭାଷା ନ ଥିଲା ।

 

–ମୁଁ ଚାଲିଲି ସମର୍ ! ସଖୀଙ୍କୁ ମୋର ନିରାଶ...... । ବହୁ କଷ୍ଟରେ ଏତିକି ଉଚ୍ଚାରଣ କରିବା ମାତ୍ରେ ତାହାର ତୁଣ୍ଡର କଥା ତୁଣ୍ଡରେ ଅବ୍ୟକ୍ତ ରହିଗଲା ।

 

–ଏଁ କିଏ, କିଏ ତୁମେ ? କୁମୁଦ ସିଂହ ? ନାଁ ନାଁ ତୁମେ ଯେ ମୋର ରତ୍ନ ! –ରତ୍ନ ! ରତ୍ନ !! ଆସ, ମୋର କୋଳକୁ ଆସ । ତୁମେ ଆଉ ମୋ ନିକଟରେ ଆତ୍ମଗୋପନ କରିପାରିବ ନାହିଁ ।

 

ରକ୍ତ ସଲବଲ ଦେହଟିକୁ ଶଯ୍ୟା ଉପରୁ ତୋଳିଧରି ପାଗଳ ପ୍ରାୟ ଚିତ୍କାର କରି ଉଠିଲେ ସ୍ୱତନ୍ତ୍ର ସେନାନାୟକ ସମର ସିଂହ... ।

 

ହେଲେ ହେଁ ତାଙ୍କର ସେହି ବୁକୁଫଟା ବିଳାପରେ, ରତ୍ନମଞ୍ଜରୀଙ୍କର ମୁଦ୍ରିତ ଚକ୍ଷୁ ଆଉ ଖୋଲିଲା ନାହିଁ । ବକ୍ଷଦେଶରୁ ଶରଟିକୁ ଟାଣିନେବା ପରେ ପ୍ରଚୁର ରକ୍ତସ୍ରାବରେ ସେ ଚିରଦିନ ପାଇଁ ଶୋଇ ଆସିଲେ । ପ୍ରାଣହୀନ ଦୁଇଟି ସୁକୁମାର ହସ୍ତରେ ସଦ୍ୟ କାରାଜୀବନର ଶୃଙ୍ଖଳ ଚିହ୍ନ ରକ୍ତ–ସ୍ନାନ ମଧ୍ୟରେ ବି ଅଦ୍ୟାପି ତାଙ୍କର ପରାଜୟରେ ଟହ ଟହ ହୋଇ ହସିଉଠୁଥାଏ । ସମର ସିଂହ ନିର୍ବାକ୍ ଭାବରେ ଜୀବନର ଏ କ୍ରୂର ପରିହାସରେ ସ୍ତମ୍ଭିତ ହୋଇଆସୁଥାନ୍ତି । ସ୍ଵତନ୍ତ୍ର ବଳାଧିକୃତଙ୍କର ବକ୍ଷ ଦେଶରେ ଏ ରକ୍ତଲିପ୍ତ ଶବଟିକୁ ଦର୍ଶନ କରି ତଟସ୍ଥ ହୋଇଉଠୁଥାନ୍ତି । ଆଗୁଆ ବାହିନୀର ସୈନ୍ୟ, ସେନାବୃନ୍ଦ ।

 

॥ କୋଡ଼ିଏ ॥

 

ତ୍ରିକଳିଙ୍ଗର ସୈନ୍ୟସେନା ଦକ୍ଷିଣ କୋଶଳ ଛାଡ଼ି ରତ୍ନଗିରି ଫେରି ଆସିବା ପୂର୍ବରୁ ସମର ସିଂହ ସ୍ୱହସ୍ତରେ ବ୍ରାହ୍ମଣ ବୀତିହୋତ୍ରକୁ ମୁକ୍ତି ଦେଇଥିଲେ । ତାହାଙ୍କୁ କାରାମୁକ୍ତ କରିବା ସମୟରେ ରତ୍ନମଞ୍ଜରୀଙ୍କର ପତ୍ରପୁଷ୍ପଶୋଭିତ ଶବାଧାର ସାମରିକ-ରୀତିରେ ସୈନ୍ୟସେନା ଓ ସେନାପତିଙ୍କର ଶ୍ରଦ୍ଧାଞ୍ଜଳି ନେଇ ଅଶ୍ୱଯୋଚିତ ଏକ ସୁଦୃଶ୍ୟଯାନରେ ରତ୍ନଗିରି ଅଭିମୁଖେ ଅଗ୍ରସର ହେଉଥାଏ ।

 

ଶବାଧାର ପଛରେ ଅସ୍ତ୍ରଶସ୍ତ୍ର ନତକରି ଚାଲିଥାଆନ୍ତି ଅଗଣିତ ସୈନ୍ୟସେନା ଓ ଅମିତାଭ ଭଞ୍ଜ । ତାହାଙ୍କର ଆହୁରି ପଛକୁ ଅସ୍ତ୍ରଶସ୍ତ୍ରବିହୀନ ସମର ସିଂହ ।

 

ବୀତିହୋତ୍ରକୁ ବିଦାୟ ଦେବାବେଳେ ସେ ଶୋକାକୁଳିତ କଣ୍ଠରେ କହି ଉଠିଥିଲେ–

 

ଯାଅ, ବୀତିହୋତ୍ର ! ତୁମର ଶିବାଭିଷେକ ସଫଳ ହୋଇଛି । ମହାନଦୀ ତଟର ବନଭୂମିକୁ କମ୍ପିତ କରି ନିଶୀଥର ସେହି ବିରହ ଆଳାପନୀ ଆଉ କେଉଁ ବିଷାଦୀର ବଂଶୀରେ ଲହର ତୋଳିବ ନାହିଁ ।

 

ସମର ସିଂହଙ୍କର ଚକ୍ଷୁ ବାଷ୍ପାଚ୍ଛନ୍ନ ହୋଇଠିଲା । ତାହାଙ୍କର ଏ ଉକ୍ତିର ବିନ୍ଦୁ ବିସର୍ଗ ସୁଦ୍ଧା ବୁଝିବାକୁ ଅକ୍ଷମ ହେଉଥିଲେ ବୀତିହୋତ୍ର । ତ୍ରିକଳିଙ୍ଗ ସୈନ୍ୟବାହିନୀର ବିପୁଳ ବିଜୟ କାଳରେ ସାମାନ୍ୟ ଏକ ସୈନିକର ମୃତ୍ୟୁରେ ସେନାନାୟକ ଯେ କାହିଁକି ଏପରି ଅସ୍ଥିର ତାହା ବୁଝିବା ମଧ୍ୟ ତାଙ୍କ ପକ୍ଷରେ ସମ୍ଭବ ହେଉ ନ ଥିଲା । ଆସନ୍ନ ପ୍ରାଣଦଣ୍ଡରୁ ମୁକ୍ତିଲାଭ କରିଥିବାର ଆନନ୍ଦରେ ସେ ବରଂ ଅଧିକ ଆତ୍ମହରା ହେଉଥିଲେ ।

 

ଶବାଧାର ଆଗେଇ ଚାଲିଲା । ପଶ୍ଚାତ୍ ଭାଗରେ ତ୍ରିକଳିଙ୍ଗର ସଦ୍ୟ ଅଧିକୃତ ଦକ୍ଷିଣକୋଶଳ ଆଉ ସମ୍ମୁଖକୁ ମହାରାଜାଧିରାଜ ବସୁକଳ୍ପଙ୍କର ପ୍ରାଚୀନ କଳିଙ୍ଗର ଅନନ୍ତ ବୈଭବଘେରା ସମୃଦ୍ଧ ସାମ୍ରାଜ୍ୟ.....ମଧ୍ୟଦେଶରେ ମହାନଦୀର କଙ୍କର ଶର୍ଯ୍ୟାର ପାଷାଣ-ସଙ୍ଗୀତ, ବେଶ୍ କଳକଳ ଆଉ ଛଳଛଳ....ଠିକ୍ ଅଜ୍ଞାତ ବାଦକର ସେହି ନିଶୀଥ ବଂଶୀର ବିଳାପ ପରି ଖୁବ୍ କରୁଣ, ଉନ୍ମନାଃ ଆଉ ଅବ୍ୟକ୍ତ ।

 

॥ ଏକୋଇଶି ॥

 

ଏ ଅକାଳ ଚଡ଼କ ପାତ ପରେ ରତ୍ନଗିରିର ସୁଖସୌଭାଗ୍ୟ ଯେପରି କାଳକାଳ ପାଇଁ ବିପର୍ଯ୍ୟସ୍ତ ହୋଇଆସୁଛି । ରତ୍ନମଞ୍ଜରୀଙ୍କର ଶବସତ୍କାର ସମୟରୁ ସଦାଶିବ ମହାସାମନ୍ତ ବାତୁଳ ପ୍ରାୟ “ରତ୍ନ ! ରତ୍ନ !!” ବୋଲି ପ୍ରଳାପକରି ଶୂନ୍ୟ ଦୃଷ୍ଟିରେ କେତେବେଳେ ଆକାଶ ବା କେତେବେଳେ ମାଣିକ୍ୟପୁରୀ ଆଡ଼କୁ ଅନାଇ ରହୁଛନ୍ତି । ଆକାଶଚାରୀ ପକ୍ଷୀଟି ଡେଣା ହଲାଇ ତାଙ୍କ ପାର୍ଶ୍ଵରେ ଉଡ଼ିଗଲା ବେଳେ ତାହାର ପକ୍ଷ ଶବ୍ଦରେ ସେ କ’ଣ ପାଇଗଲା ପରି ଆଶ୍ୱାନ୍ୱିତ ହୋଇଉଠୁଛନ୍ତି ।

 

–ହେଇ, ମା’ ମୋର ମାଣିକ୍ୟପୁରୀରୁ ଅମାନିଆ ହୋଇ ଧାଇଁଆସୁଛି ତାହାର ପିତାଙ୍କ କୋଳକୁ । କେହି ତୁମେ ଶୁଣିପାରୁ ନାହଁ ବନଝରଣାର ସେ ଲୀଳାଚଞ୍ଚଳ ସଙ୍ଗୀତକୁ ? ମୂର୍ଖ ! ମୂର୍ଖ-!! ନିର୍ବୋଧ !!! ଆ’ ମା, ମୋର କୋଳକୁ ଆ । ମାତୁଳାଳୟରେ ବହୁଦିନ ରହିଗଲୁ ମା’, ତୋର ଏ ବୃଦ୍ଧ ସନ୍ତାନଟିକୁ ଭୁଲି–

 

ବାହୁ ପ୍ରସାରିତ କରି ଆଗେଇ ଯାଉଥିଲେ ସଦାଶିବ । ଶୂନ୍ୟତାକୁ କୋଳକରି ଶାନ୍ତି ପାଇବେ । ପିତୃହୃଦୟର ଦାହ କମାଇ ଶିରଚୁମ୍ବନ କରିବେ ଏକ ଲୋମଶ କାଳପୁରୁଷର । ନବର ପ୍ରାଚୀରରେ ଧକ୍‌କା ଖାଇ ସେ ଭୂମିସାତ୍ ହେଲେ...ଅବୋଧ ବାଳକ ପରି କାନ୍ଦି ଉଠିଲେ ।

 

–ଆରେ ତୁମେ ସବୁ ମୋର ରତ୍ନକୁ ମୋ ଠାରୁ ଛଡ଼ାଇ ନିଅ ନାହିଁ । ଅଭିମାନୀ ପିଲାଟା ମୋର...ରୁଷି ବସିଛି । ତାକୁ ଛାଡ଼ିଯାଅ, କହୁଛି ଛାଡ଼ିଯାଅ । ଛାଡ଼ିବ ନାହିଁ । ଆରେ ଛାଡ଼୍, ଛାଡ଼୍‍–ମହାମାନ୍ୟ ବସୁକଳ୍ପଙ୍କର ଆଦେଶ–ଆରେ ନା, ନାରେ ମୋର ଆଦେଶ୍, ମହାସାମନ୍ତ ସଦାଶିବଙ୍କର ଆଦେଶ ।

 

ଜେମାମଣି ବସୁଧାରାଙ୍କର ଅବସ୍ଥା ମଧ୍ୟ ଶୋଚନୀୟ । ସଖୀଙ୍କର ସମାଧି–ଭୂମିକୁ ଲୋତକାର୍ଦ୍ର କରି ସେ ସେଠାରୁ ଆଉ ଫେରିବାକୁ ଇଚ୍ଛୁକ ନ ଥିଲେ । ସହଚରୀ–ମାଳିନୀ ଏବଂ ଚପଳାଙ୍କର ବହୁ ଚେଷ୍ଟାରେ ତାଙ୍କୁ ମାଣିକ୍ୟପୁରୀ ସମ୍ମୁଖସ୍ଥ ସେ ସମାଧି ପୀଠରୁ ଅନ୍ତଃପୁର ମଧ୍ୟକୁ ଅଣାଯାଇଛି । ସେ ସମୟରୁ ସେ ଶଯ୍ୟାଶାୟିନୀ । ସ୍ୱପ୍ନରେ ବେଳେବେଳେ “ସଖୀ”, “ସଖୀ” ବୋଲି ପ୍ରଳାପ କରି ଉଠୁଛନ୍ତି ।

 

ଏକମାତ୍ର କନ୍ୟାର ଏ ଦୁର୍ଦ୍ଦଶାରେ ମହାରାଜ ବସୁକଳ୍ପ ଆଜି ନିର୍ବେଦ, ମୁକ ପ୍ରାୟ । ରାଜକାର୍ଯ୍ୟ ପରିଚାଳନା କରୁଥିଲେ ମଧ୍ୟ ତାହାଙ୍କର ବିସ୍ଫାରିତ ଓ କୁଞ୍ଚିତ କପାଳରେ ଅସରନ୍ତି ଝଡ଼ର ବିଭୀଷିକା ଲାଗିରହିଛି ।

 

ମହାସନ୍ଧିବିଗ୍ରହୀ ବୈରୀଗଞ୍ଜନ ଶୋକାକୁଳ ଅବସ୍ଥାରେ ମଧ୍ୟେ ରାଜଦର୍ଶନ କରି ତାହାଙ୍କୁ ଆଶ୍ଵାସନା ପ୍ରଦାନ କରୁଥିଲେ । ବର୍ତ୍ତମାନ ତାହାଙ୍କର ଦୁର୍ଦ୍ଦଶା ମଧ୍ୟ ଅକଥନୀୟ । ଇତି ମଧ୍ୟରେ ଗଡ଼ରେ କୌଣସି ସମ୍ବାଦ ନଦେଇ ସମର ସିଂହ କେଉଁଆଡ଼େ ପଳାୟନ କରିଛନ୍ତି । ଏ ନାଟକୀୟ ପ୍ରସ୍ଥାନ ଅତ୍ୟନ୍ତ ବିଚିତ୍ର ହୋଇଥିଲେ ମଧ୍ୟ ରତ୍ନଗିରି-ଭାଗ୍ୟରେ ଏହା ଗୋଟିକ ପରେ ଗୋଟିଏ ନିରବଚ୍ଛିନ୍ନ ଭାବରେ ଘଟିଯାଉଛି ।

 

ବସୁକଳ୍ପ ଦୀର୍ଘନିଃଶ୍ଵାସ ଛାଡ଼ି କାଳର ଏ କୁଟିଳ ଗତିକୁ ନିରୀକ୍ଷଣ କରୁଥିଲେ । ହୃଦୟରେ ଶତ ସହସ୍ର ବୃଶ୍ଚିକଦଂଶନର ଜ୍ୱାଳା ଅନୁଭବ କରୁଥିଲେ ମଧ୍ୟ ତାହାକୁ ଉପଶମ କରିବାର କୌଣସି ଉପାୟ ପାଉ ନ ଥିଲେ ସେ । ତାଙ୍କୁ ବୋଧହେଉଥିଲା ସତେ ଯେପରି କାଳର ଉପହାସରେ ତାଙ୍କର ମଣିମୟ ମୁକୁଟ ଖସିପଡ଼ୁଛି ଖଣ୍ତ ବିଖଣ୍ତ ହୋଇ । ଦୁର୍ଭାଗ୍ୟର ବଜ୍ରାଘାତରେ ରତ୍ନଗିରିର ବିଲୟ ଘଟୁଛି ଅତି ଶୋଚନୀୟ ଭାବରେ । ଇତିହାସର କଙ୍କାଳ ବକ୍ଷରେ ତାଙ୍କ ଆଖିର ଲୁହ କରକା ପାଲଟୁଛି । ପୁଣି କରକା ଗର୍ଭରୁ ଜନ୍ମ ନେଉଛି ଅସରନ୍ତି ରକ୍ତର ଧାରା । ରକ୍ତର ସେ ସ୍ରୋତରେ ଊର୍ଦ୍ଧ୍ୱଶ୍ୱାସ ହୋଇ ସେ ଭାସିଚାଲିଛନ୍ତି ଦୂରଦୂରାନ୍ତକୁ–ଭବିତବ୍ୟର କେଉଁ ଅନ୍ଧଦିଗନ୍ତକୁ ।

 

॥ ବାଇଶି ॥

 

ଅମାତ୍ୟ ଓ ପାରିଷଦମାନଙ୍କର ପରାମର୍ଶ କ୍ରମେ ରାଜଜେମାଙ୍କୁ ଆଚାର୍ଯ୍ୟ ବଜ୍ରସତ୍ତ୍ୱଙ୍କ ଦାୟିତ୍ୱରେ ଛାଡ଼ି ବସୁକଳ୍ପ କିଞ୍ଚିତ୍ ଆଶ୍ୱସ୍ତ ହୋଇଛନ୍ତି । ରାଜାଦେଶ କ୍ରମେ ବସୁଧାରାଙ୍କର ମାନସିକ ପରିବର୍ତ୍ତନ ନିମନ୍ତେ ନାଗାର୍ଜ୍ଜୁନ କୋଣ୍ଡା, ନାଲନ୍ଦା ଓ ତକ୍ଷଶିଳାର ବିଖ୍ୟାତ ବୌଦ୍ଧାଚାର୍ଯ୍ୟମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ଧର୍ମର ମୁଖା ପିନ୍ଧି ଅତୃପ୍ତ ଦେହବାଦ ଏ କାଳକୁ ବଜ୍ରଯାନୀମାନଙ୍କର ଯୌନାଚାର, ବାମାଚାର ଓ ଭ୍ରଷ୍ଟତା ମାଧ୍ୟମରେ ନାଲନ୍ଦା, ତକ୍ଷଶିଳା ଓ ପୁଷ୍ପଗିରି ଇତ୍ୟାଦି ବୌଦ୍ଧପୀଠଗୁଡ଼ିକୁ ସଂକ୍ରମିତ କରିଦେବାକୁ ପ୍ରୟାସ କରୁଥାଏ । ଭିକ୍ଷୁ-ଭିକ୍ଷୁଣୀମାନଙ୍କର ସ୍ୱୈରାଚାର ଫଳରେ ସଂଘାରାମଗୁଡ଼ିକ ନାରକୀୟ ଲୀଳାର କ୍ଷେତ୍ର ହୋଇଉଠୁଥାଏ । ଏ ଅବସ୍ଥାରେ ଭାରତର ମୁଖ୍ୟ ବୌଦ୍ଧବିହାରଗୁଡ଼ିକରେ ମୌଳିକ ବୌଦ୍ଧଧର୍ମକୁ ବଞ୍ଚାଇ ରଖିବା ଲାଗି ଆଚାର୍ଯ୍ୟ ଓ ଉପାଚାର୍ଯ୍ୟମାନେ କଠିନ ସଂଗ୍ରାମ ଚଳାଇଥାନ୍ତି । ଏ ହେତୁ ବସୁକଳ୍ପଙ୍କ ଅନୁରୋଧ ସତ୍ତ୍ୱେ ବାହାରର କୌଣସି ବୌଦ୍ଧପଣ୍ଡିତ ବସୁଧାରାଙ୍କର ଧର୍ମଶିକ୍ଷକ ହେବାକୁ ରତ୍ନଗିରି ଆସିପାରି ନ ଥିଲେ ।

 

ପରିଶେଷରେ ଆଚାର୍ଯ୍ୟ ବଜ୍ରସତ୍ତ୍ୱଙ୍କ ଉପରେ ସେ ଦାୟିତ୍ୱ ନ୍ୟସ୍ତ କରାଗଲା । ଆଚାର୍ଯ୍ୟ ବଜ୍ରସତ୍ତ୍ୱ ନିକଟରେ ତକ୍ଷଶିଳା ଛାଡ଼ି ପୁଷ୍ପଗିରି ବିହାରରେ ଆଶ୍ରୟ ନେଇଥିଲେ । ରାଜକୁମାରୀଙ୍କର ସ୍ୱତନ୍ତ୍ର ଧର୍ମଶିକ୍ଷକର ଭାର ଗ୍ରହଣ କରିବା ପରେ ରତ୍ନସ୍ତୂପର ଅନତି ଦୂରରେ ତାଙ୍କର ସ୍ଥାୟୀ ବସବାସର ବ୍ୟବସ୍ଥା କରିଦିଆଗଲା । ପ୍ରତ୍ୟହ ସକାଳ ଏବଂ ସନ୍ଧ୍ୟାରେ ପ୍ରାୟ ପ୍ରହରକ ପାଇଁ ବୌଦ୍ଧାଚାର୍ଯ୍ୟ ବଜ୍ରସତ୍ତ୍ୱଙ୍କ ମୁଖରୁ ବୁଦ୍ଧଙ୍କର ବରାଭୟ ବାଣୀ ଶ୍ରବଣ କରିବାକୁ ବସୁଧାରା ସଖୀମାନଙ୍କ ସହ ରତ୍ନସ୍ତୂପ ନିକଟକୁ ଯାଉଥିଲେ । ରତ୍ନଗିରି ସମ୍ମୁଖସ୍ଥ ରତ୍ନସ୍ତୂପର ପ୍ରାକୃତିକ ପରିଦେଶରେ ଉକ୍ତ ଅମରବାଣୀ ତାଙ୍କୁ ଚିରଶାନ୍ତି ଦେବ ବୋଲି ତାଙ୍କର ଦୃଢ଼ବିଶ୍ୱାସ ରହିଥିଲା ।

 

ବୌଦ୍ଧଧର୍ମର ଅନ୍ତର୍ବିବାଦ ଓ ପୂର୍ବକଥିତ ଅତି–ଦେହଦାବୀ ବିପ୍ଳବ କାଳରେ ରତ୍ନଗିରି ବେଢ଼ାରେ ମହାଭୈରବଙ୍କର ମନ୍ଦିର ନିର୍ମିତ ହୁଏ । କାଳକ୍ରମେ ଚୁଆସିନ୍ଦୂରର ଉପଚାର ତଳେ ମହାଭୈରବଙ୍କର ମୂର୍ତ୍ତି ସମ୍ପୂର୍ଣ୍ଣରୂପେ ବିଲୀନ ହୋଇ ଆସିଥିବାରୁ ସମୟରେ ତାହା ଭୈରବ ଉପାସନା ପାଇଁ ପ୍ରସିଦ୍ଧ ଥିଲା ।

 

ସୁତରାଂ ବୌଦ୍ଧଧର୍ମର ପ୍ରବଚନ ସାଙ୍ଗ ହେବାପରେ ସଖୀପରିବୃତା ରାଜଜେମା ପ୍ରତିଦିନ ମହାଭୈରବଙ୍କୁ ଦର୍ଶନ କରି ମାଣିକ୍ୟପୁରୀକୁ ପ୍ରତ୍ୟାବର୍ତ୍ତନ କରୁଥିଲେ । ଏ ନିତ୍ୟନୈମିତ୍ତିକତା ତାଙ୍କ ପାଇଁ ଅଳ୍ପ କେତେ ମାସର ହୋଇଥିଲେ ମଧ୍ୟ ସଖୀମଞ୍ଜରୀର ଆକସ୍ମିକ ବିୟୋଗ ଓ ସମର ସିଂହଙ୍କର ନାଟକୀୟ ଅନ୍ତର୍ଦ୍ଧାନ ପରେ ଏହା ହିଁ ତାଙ୍କୁ ବଞ୍ଚିରହିବା ସକାଶେ ପ୍ରେରଣା ଯୋଗାଇଥିଲା । ଏହାଦ୍ଵାରା ମାଣିକ୍ୟପୁରୀର ଆତ୍ମଘାତୀ ନିର୍ଜନତାଠାରୁ ସେ ଅନେକାଂଶରେ ନିଜକୁ ରକ୍ଷା କରିପାରିଥିଲେ ।

 

କୁମାରୀ ବସୁଧାରାଙ୍କର ଏ ମାନସିକ ପରିବର୍ତ୍ତନର ସମ୍ୱାଦ ମହାପ୍ରତିହାରଙ୍କ (ରାଜପ୍ରାସାଦର ରକ୍ଷକମାନଙ୍କର ମୁଖ୍ୟ) ଠାରୁ ଲାଭ କରି ବସୁକଳ୍ପଙ୍କର ମେଘମେଦୁର ହୃଦୟରେ ପୁଣି ଥରେ ଆଶାର ଆଲୋକ ଖେଳିଯାଉଥିଲା । ତାଙ୍କର ଆନନ୍ଦରେ ମହାସନ୍ଧିବିଗ୍ରହୀ ବୈରିଗଞ୍ଜନ ମଧ୍ୟ ପୁତ୍ର–ବିଚ୍ଛେଦର ଦୁଃଖ ଭୁଲିଯିବାକୁ ଚେଷ୍ଟା କରୁଥିଲେ ।

 

ଅଦ୍ୟାପି ରାଜକାର୍ଯ୍ୟରେ ଯୋଗ ଦେବା, ମହାସାମନ୍ତ ସଦାଶିବଙ୍କ ସମ୍ଭବ ହୋଇନଥିଲେ ମଧ୍ୟ ରାଜବୈଦ୍ୟ ଧନ୍ୱନ୍ତରୀଙ୍କର ନିରନ୍ତର ଚିକିତ୍ସା ଫଳରେ ତାଙ୍କର ଅବସ୍ଥାରେ ସନ୍ତୋଷଜନକ ଉନ୍ନତି ଦେଖା ଦେଉଥିଲା ।

 

ତେଣୁ ରତ୍ନଗିରିର ବିଗତ ଦୁର୍ଭାଗ୍ୟକୁ ଭୁଲି ନୈରାଶ୍ୟପୀଡ଼ିତ ମହାରାଜାଧିରାଜ ପୁଣି ଥରେ ସ୍ଵପ୍ନ ଦେଖୁଥିଲେ ଏକ ଅଖଣ୍ଡ ଜୀବନ ଓ ଏକ ଅନାହତ ଅରୁଣୋଦୟର ।

 

॥ ତେଇଶି ॥

 

ସେଦିନୁଁ ପାଞ୍ଚୋଟି ବର୍ଷା–ବସନ୍ତର ବିଧୁରତା ଘେନି ରତ୍ନଗିରି ହାଇମାରୁଛି । ବିରୂପା ଏବଂ ବ୍ରାହ୍ମଣୀର ରତ୍ନଶଯ୍ୟାରେ ବହିଯାଇଥିବା ଅନ୍ଧବତାସର ସମୀକ୍ଷା କରୁଛି ନିଜ ଭିତରେ–ଅତି ସନ୍ତର୍ପଣରେ । ଝଡ଼ ପରେ ପ୍ରାଶାନ୍ତିକୁ ଆଶଙ୍କାପ୍ରବଣ ଚିତ୍ତରେ ଅଙ୍ଗୀକାର କରିନେବାର ସଭୟମୁଦ୍ରା ତାହାର ମୁଦ୍ରିତ ଚକ୍ଷୁରେ ନିତାନ୍ତ ଅସ୍ପଷ୍ଟ ନୁହେଁ । କୁଣ୍ଠିତ ସ୍ଵୀକୃତିର ଜଟିଳ ସ୍ୱଗତୋକ୍ତି ଓ ଅର୍ଦ୍ଧସ୍ୱଗତୋକ୍ତିରେ ତାହାର ବକ୍ଷ ଭାରି ହୋଇଉଠୁଛି । ଅବସନ୍ନ ଓ ଝଞ୍ଜାହତ ଚିତ୍ତବୃତ୍ତିକୁ ସଜାଡ଼ି ନେବାର ଆୟାସ ଅପେକ୍ଷା ମେଘମନ୍ଦ୍ରିତ ଏ ଯାତନାର ଦହନ ହୁଏତ ଅଧିକ ମର୍ମାନ୍ତିକ ।

 

ଇତ୍ୟବସରରେ ରାଜକନ୍ୟା ବସୁଧାରାଙ୍କର ତନୁମନରେ ଘୋର ପରିବର୍ତ୍ତନ ଦେଖାଦେଇଛି । ରାଜକୀୟ ଆଡ଼ମ୍ୱର ପରିବର୍ତ୍ତେ ଭିକ୍ଷୁଣୀସୁଲଭ ଉଦାସୀନତା ତାହାଙ୍କର ନିଜସ୍ୱ ହୋଇଉଠିଛି । ଅଙ୍ଗାଭରଣରେ ‘ଦ୍ରାପି’ ଝୀନବାତ୍ମ ଏବଂ କଞ୍ଚୁଲିକା ଆଜି ଅନାବଶ୍ୟକ ବୋଧ ହେଉଛି । ହସ୍ତର ଲୀଳାପଦ୍ମ କେଉଁକାଳରୁ ଉପେକ୍ଷିତ । ଅଳଙ୍କାର ବା ଆଭୂଷଣ ପ୍ରତି ଏ ବିରାଗ ହେତୁ ସହଚରୀ ଚପଳା, ମାଳିନୀ ଓ ସୈରିନ୍ଧ୍ରୀ ସେ ନେଇ ତାଙ୍କୁ ଆଉ ବିରକ୍ତ କରନ୍ତି ନାହିଁ । ସ୍ଥୂଳତଃ ସନ୍ନ୍ୟାସିନୀ–ସୁଲଭ ହାବଭାବ ଓ ବେଶଭୂଷାରେ ବସୁଧାରାଙ୍କର ପ୍ରଶାନ୍ତ ହୃଦୟର ଛବି ଆଜି ଅତ୍ୟନ୍ତ ମନୋହର । କେଉଁ ନିର୍ଜନ ସରସୀର ଶାନ୍ତ ନୀଳକଇଁଟି ପରି ସଲଜ୍ଜ ଦୃଷ୍ଟିରେ ସେ କେବଳ ଚାହିଁରହିଛନ୍ତି ଦୂର ଆକାଶକୁ–ଆଉ ତାହାର ରାଶି ରାଶି ନୀଳିମାଭରା ସୂର୍ଯ୍ୟସ୍ନାତ ପ୍ରତିଟି ପ୍ରଭାତକୁ ।

 

ପ୍ରଭାତର ସ୍ଵୀକୃତି ଯେପରି କି ଜୀବନରେ ଏକମାତ୍ର ସତ୍ୟ । ମଧ୍ୟାହ୍ନ ଓ ସନ୍ଧ୍ୟା ଅବାସ୍ତବ–ଭବିତବ୍ୟର ଦୁଇଟି ପାଣ୍ତୁର ହସ୍ତଭଳି ଅନିଶ୍ଚିତ....ଯାହା ହୁଏତ କେବେ ଲମ୍ୱି ଆସେନା । କେବଳ ପ୍ରଭାତ । ଅଳସ ଆଖିର କୁଆଁତାରା ଭରା ଆକାଶ । ଉଚ୍ଚକିତ ଆରମ୍ଭ ମାତ୍ର । ଯାହାର ଶେଷ ନାହିଁ ବା ଶେଷ ଥିଲେ ମଧ୍ୟ ଶେଷ ନଥିଲା ପରି ବୋଧହୁଏ ଯେଉଁ କ୍ଳାନ୍ତିକର ଅୟନାଂଶ । ତେଣୁ ମଧ୍ୟାହ୍ନ ଓ ସନ୍ଧ୍ୟାହୀନ ଏକ ଅବିରତ ସକାଳ । ଆପାତ ବିରତି ପର୍ବରେ ନିଝୁମ୍ ଅନ୍ଧକାରଭରା ପୃଥ୍ୱୀ । ସେ ଅନ୍ଧକାର ମଧ୍ୟାହ୍ନର ନା ଉଦାସୀ ସନ୍ଧ୍ୟାର ? କିଛି ବାରିହୁଏନା । ମାପି ହୁଏନା ମନର ଏ କାଳ୍ପନିକ ଛାଇଆଲୁଅକୁ ।

 

ବସୁଧାରା କେବଳ ନିଜକୁ ନିଜେ ବୁଝନ୍ତି । ବୁଝିପାରନ୍ତି ନାହିଁ ତାହାଙ୍କର ଚୌଦିଗରେ ଘୂର୍ଣ୍ଣାୟମାନ ବହୁ ଉନ୍ମନା ମୁହୂର୍ତ୍ତକୁ......ଗତାୟୁ ଓ ଭବିଷ୍ୟତ୍ର ଆଶା ଆକାଂକ୍ଷାମାନଙ୍କୁ । ବର୍ତ୍ତମାନ ହିଁ ତାଙ୍କ ପାଇଁ ନିର୍ଭର ଯୋଗ୍ୟ । ଏହାର ପକ୍ଷତଳେ ବେଶ୍ ଉଷ୍ମତା ଅଛି । ଅନନ୍ତ ଉଷାରେ ବୁଡ଼ିଯିବାର ପ୍ରତିଶ୍ରୁତି ରହିଛି ।

 

“ସଂଙ୍ଘ ଶରଣଂ ଗଚ୍ଛାମି ଧମ୍ମଂ ଶରଣଂ ଗଚ୍ଛାମି”....

 

ସେ ଇତିହାସହୀନ ସକାଳର ଏକ ଏକ ବିଚିତ୍ର ପ୍ରତିଶ୍ରୁତି । ଅତୀତକୁ ଚାହିଁଲେ ଏହା ଉନ୍ମନାଃ କରେ, ଭବିଷ୍ୟତ୍ ଗର୍ଭରେ ଏହା ନୀରବ ନିଷ୍କ୍ରାନ୍ତ ହୋଇଯାଏ । ସୁତରାଂ ଅତୀତ ଓ ଭବିଷ୍ୟତ୍ ବିହୀନ ଏକ ଅସମାପ୍ତ ସକାଳ ହିଁ ଏହାର ନିଟଳ ପରିଚୟ ।

 

ସଂପ୍ରତି ଏହାଠାରୁ ଅଧିକ କିଛି ସେ ବୁଝନ୍ତି ନାହିଁ ।

 

ଗଭୀର ଭାବାବେଶରେ ଭୈରବ ମନ୍ଦିର ଆଡ଼କୁ ଦୃଷ୍ଟି ନିକ୍ଷେପ କଲେ ବସୁଧାରା । ଗତ କେତେଦିନ ହେବ ସେ ସ୍ଥଳରେ ଦେଖାଯାଉଥିବା କାପାଳିକଙ୍କୁ କେନ୍ଦ୍ର କରି ବେଳେବେଳେ ସେ ଉନ୍ମନାଃ ହୋଇ ଉଠୁଥିବାର ଲକ୍ଷ୍ୟ କରାଯାଏ । ତାଙ୍କ ମୁଖମଣ୍ଡଳକୁ ଲକ୍ଷ୍ୟ କଲେ ତାଙ୍କ ଭାବନାର କୂଳକିନାରା ଥିଲା ପରି ବୋଧହୁଏନା । ବୌଦ୍ଧ ସିଦ୍ଧାଚାର୍ଯ୍ୟମାନଙ୍କର ସନ୍ଧ୍ୟା ଭାଷା ତୁଲ୍ୟ ସବୁ ଯେମିତି ଅସ୍ପଷ୍ଟ, ଅସଂଲଗ୍ନ ଓ ସ୍ରଷ୍ଟାର ଏକାନ୍ତ ନିଜତମ ସ୍ୱରରେ ନିରୁଦ୍ଧ ବେଦନାର ଅଗ୍ରଲେଖ । ନବଲବ୍‍ଧ ପ୍ରଶାନ୍ତି ତଳେ ତାହା ଆତ୍ମସମର୍ପଣ କରିବାକୁ ପ୍ରୟାସୀ । ତଥାପି ସମର୍ପଣର ସେ ଭଙ୍ଗୀ ନିତାନ୍ତ ପ୍ରାକୃତିକ ବା ସ୍ଵଚ୍ଛନ୍ଦ ନୁହେଁ ।

 

କାପାଳିକ ଜଣକ ରାଜଜେମାଙ୍କର ଦୃଷ୍ଟିପଥକୁ ଆସିଲେ । ତାହାଙ୍କର ବିଚିତ୍ର ବେଶଭୂଷାତୁଲ୍ୟ, ତାହାଙ୍କର କ୍ରିୟାକଳାପରେ ମଧ୍ୟ ବୈଚିତ୍ର୍ୟ ଥିଲା । ଚିରଜାସ୍ଥାନ (ଯାଜପୁର) ଓ ଗୁହଦେବ ପାଟକ (ପ୍ରାଚୀନ ଯାଜିପୁର ନିକଟବର୍ତ୍ତୀ)ରେ ତାହାଙ୍କୁ କେହି କେହି ଦେଖିଥିବାର ଶୁଣାଯାଏ । ସେଠୁଁ ଭୈରବ ମନ୍ଦିରକୁ ଆସିଲାବେଳେ ତାଙ୍କ ନିକଟରେ ଗୋଟିଏ ଶିବଲିଙ୍ଗ, ଗୋଟିଏ ମହାକାଳୀ ମୂର୍ତ୍ତି ଓ ସିନ୍ଦୁର–ଚର୍ଚ୍ଚିତ ତ୍ରିଶୂଳଟି ଭିନ୍ନ ଆଉ କିଛି ଥିବାର ଅନୁମାନ ହୁଏ ନାହିଁ-। ପାରମ୍ପରିକ ଶିବଲିଙ୍ଗଠାରୁ ଏ ମୂର୍ତ୍ତିଟିର ଭିନ୍ନତା, ଏହାର ନିର୍ମାଣକଳାରେ ପ୍ରକାଶିତ-। ପ୍ରଚଳିତ ଶିବଲିଙ୍ଗ ସହିତ ସ୍ତୂପାକୃତିର ସମନ୍ୱୟ ଫଳରେ ଏହାର ଗଠନ ଶୈଳୀ ଶୈବ ଓ ବୌଦ୍ଧମତର ସମନ୍ୱୟ ପାଇଁ ସତେ ଯେପରି ଉଦ୍ଦିଷ୍ଟ । ବୌଦ୍ଧଧର୍ମର ଏହି ପତନୋନ୍ମୁଖ ଅବସ୍ଥାରେ ଶୈବଧର୍ମ ଓ ଶିବମନ୍ଦିର ପ୍ରତି ବୌଦ୍ଧ ଧର୍ମାବଲମ୍ବୀମାନଙ୍କର ପ୍ରଚଣ୍ଡ ଈର୍ଷା ଓ ଘୃଣା ଦେଖାଯାଉଥିବାରୁ, ଏହାର ଅବସାନ ନିମନ୍ତେ ଏଭଳି ମୂର୍ତ୍ତିର କଳ୍ପନା କରାଯାଇଥାଇପାରେ ।

 

ତେବେ ସେ ଯାହା ହେଉ ଭୈରବ ମନ୍ଦିରର ପଛପଟେ କାପାଳିକ ତାହାଙ୍କର ଆସ୍ଥାନ ଥାପି ଅଧିକାଂଶ ସମୟ ପୂଜାଉଜାରେ ବ୍ୟସ୍ତଥାଆନ୍ତି ।

 

ତାଙ୍କ ଆସ୍ଥାନରୁ ମାଣିକ୍ୟପୁରୀ ଆଡ଼କୁ ସ୍ଥିର ଦୃଷ୍ଟି ନିକ୍ଷେପ କଲେ ପୂର୍ବକୁ ରତ୍ନସ୍ତୂପ ଓ ପଶ୍ଚିମକୁ ରତ୍ନମଞ୍ଜରୀଙ୍କର ସମାଧି ଚକ୍ଷୁରେ ପଡ଼େ । କାପାଳିକ ଗଭୀର ନିଶୀଥରେ ଦକ୍ଷିଣମୁଖା ହୋଇ କ’ଣ ମନ୍ତ୍ର ଜପୁଥିବାର ଶୁଣାଯାଏ । ପୂର୍ବ ବା ପଶ୍ଚିମକୁ ସେ କ୍ୱଚିତ୍ ଦୃଷ୍ଟି ଦିଅନ୍ତି । କେବେ କେମିତି ଏଆଡ଼େ ତାହାଙ୍କର ଦୃଷ୍ଟି ଆକର୍ଷିତ ହେଲେ ସେ ଚମକି ଉଠନ୍ତି ଓ ହଠାତ୍ ଦୃଷ୍ଟି ଫେରାଇ ଆଣନ୍ତି ଅନ୍ୟଦିଗକୁ । ଏହାପରେ ତାହାଙ୍କର ଧ୍ୟାନରେ ବାଧା ଆସିଥିଲା ପରି ବୋଧହୁଏ । ନିକଟରୁ ଦେଖିଲେ, ଏହି ସମୟରେ ସେ ଗଭୀର ଚିନ୍ତାମଗ୍ନ ହୋଇପଡ଼ନ୍ତି ଓ ତାହାଙ୍କର ଅର୍ଦ୍ଧନିମୀଳିତ ଚକ୍ଷୁଦ୍ୱୟ ବାଷ୍ପାଚ୍ଛନ୍ନ ହୋଇଉଠେ ।

 

ଭୈରବ ମନ୍ଦିରରେ ତାହାକୁ ପ୍ରଥମ ଦର୍ଶନ କରିବା ମାତ୍ରେ ବସୁଧାରାଙ୍କର ନିସ୍ତରଙ୍ଗ ହୃଦୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । ସଖୀମାନଙ୍କ ନିକଟରୁ ଏହା ଯେତେ ଲୁଚାଇବାକୁ ଚେଷ୍ଟାକରି ମଧ୍ୟ ସେ ବିଫଳ ହୋଇଥିଲେ । ଚଳତରଙ୍ଗ ମଧ୍ୟରେ ସେ ତାହାଙ୍କର ବନ୍ଧ୍ୟା ଅତୀତ ଓ ସେ ଅତୀତର ଦୁଇଟି ପରିଚିତ ଆଖିକୁ ଯେ ଅନ୍ୱେଷଣ କରିବାକୁ ବ୍ୟଗ୍ର ଥିଲେ, ଏହା ଚପଳା ସର୍ବପ୍ରଥମେ ଆବିଷ୍କାର କରି ହସିଉଠିଲା ।

 

ଚପଳାର ଏ ହାସ୍ୟରେ କାପାଳିକଙ୍କର ଘଡ଼ିକ ପୂର୍ବର ସ୍ନିଗ୍‌ଧ ଦୃଷ୍ଟି ଜବାରୁଣ ହୋଇଉଠିଲା । ଜଟାଜୁଟମଣ୍ତିତ ମସ୍ତକ, ବିଭୂତି ବିଲେପିତ ଶରୀର, ରକ୍ତଚନ୍ଦନ ଚିତା ତଥା ସିନ୍ଦୂର କଲିରେ ଭୟଙ୍କର ଦିଶୁଥିବା ମୁଖମଣ୍ଡଳ ଏବଂ ଗେରିକ ପରିଧାନ ଭିତରୁ ବସୁଧାରାଙ୍କର ଅତୀତକୁ ଅନ୍ୱେଷଣ କରିବା, କେଡ଼େ ମୂର୍ଖତା ତାହା ଉପଲବ୍‍ଧି କରି ରାଜକୁମାରୀ ଲଜ୍ଜିତା ହେଲେ । ଚପଳାର ଏ ପରିହାସ ତାଙ୍କୁ ଅଧିକ ଲାଜୁରା କରିଦେଲା ।

 

ତେଣୁ ସେହି ପ୍ରଥମ ସାକ୍ଷାତ ପରେ ସେ ଭୁଲ୍‌ରେ କେବେହେଲେ ଏହି କାପାଳିକଙ୍କ ଆଡ଼କୁ ଦୃଷ୍ଟି ଦେଇନାହାନ୍ତି । ବିଶେଷତଃ ଗହନ ଶ୍ମଶ୍ରୁର ଅରଣ୍ୟ ଭିତରେ ରଡ଼ ନିଆଁପରି ଦପ୍ ଦପ୍ ହୋଇ ଜଳିଉଠୁଥିବା ତାହାଙ୍କର ସେ ଚକ୍ଷୁତାରକା ଦୁଇଟିକୁ ଚାହିଁବାର ଶକ୍ତି ସେ ଆଜିଯାଏ ସଞ୍ଚୟ କରିପାରିନାହାନ୍ତି । ସୁତରାଂ ନବାଗତ କାପାଳିକଙ୍କର ପ୍ରଥମ ଦର୍ଶନର ରୋମାଞ୍ଚକର ସ୍ମୃତି ସମୟେ ସମୟେ ତାଙ୍କୁ ଆଲୋଡ଼ିତ କରିବାକୁ ଚେଷ୍ଟା କରୁଥିଲେ ହେଁ ବହୁଦିନ ପରେ ତାହା ହ୍ରାସ ପାଇଛି । ମନ୍ଦିର ଭିତରର ଭୈରବଙ୍କ ପରି ତେଣିକି ସେ ତାଙ୍କ ନିକଟରେ ପାଲଟିଛନ୍ତି ଏକ ନିଶ୍ଚେତନ ଜଡ଼ମୂର୍ତ୍ତି–ଯେ ମଣିଷର ଭାବନାକୁ ଆଶ୍ରୟ କରି ବଞ୍ଚେ ଅବା ମରେ । ସ୍ଵତନ୍ତ୍ର ସ୍ଥିତି ବା ସାଧାରଣ ଜୀବନର ସଂଜ୍ଞା ଯାହା ପାଇଁ ପ୍ରଶ୍ନର ବିଷୟ ।

 

॥ ଚବିଶି ॥

 

କଳିଙ୍ଗ–କଙ୍ଗୋଦ–ଉତ୍କଳ ଓ କୋଶଳର ପ୍ରଭୁ ମହାରାଜାଧିରାଜ ବସୁକଳ୍ପ କେଶରୀଙ୍କର ଗୁପ୍ତ ନିର୍ଦ୍ଦେଶରେ ମହାଦଣ୍ଡନାୟକ (ମୁଖ୍ୟ ପୋଲିସ୍ କର୍ମଚାରୀ‍) ଦଣ୍ଡପାଣିକ (ପୋଲିସ ବିଭାଗର ଅଧ୍ୟକ୍ଷ) ଏବଂ ସ୍ଥାନାନ୍ତରିକ ଗଣ (ନିମ୍ନତମ ପୋଲିସ୍‌ କର୍ମଚାରୀ) କାପାଳିକଙ୍କର ଗତିବିଧି ପର୍ଯ୍ୟବେକ୍ଷଣ କରିବା ସଙ୍ଗେ ସଙ୍ଗେ ତାଙ୍କର ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ତୀକ୍ଷ୍‍ଣ ଦୃଷ୍ଟି ରଖିଛନ୍ତି । ଆବଶ୍ୟକ କ୍ଷେତ୍ରରେ ସ୍ଥାନାନ୍ତରିକମାନଙ୍କୁ ଏ କାର୍ଯ୍ୟରେ ସହାୟତା କରିବା ନିମନ୍ତେ ବୃହଦ୍ ଭୋଗିଗଣଙ୍କୁ (ଗ୍ରାମର ପ୍ରଧାନ ବ୍ୟକ୍ତିମାନଙ୍କୁ) ପରାମର୍ଶ ଦିଆଯାଇଛି ।

 

ଭୌମକର ବଂଶର ଅଖଣ୍ତ ବିଶାଳ ରାଜ୍ୟରେ ସାମାନ୍ୟ ଜଣେ କାପାଳିକଙ୍କର ଗତିବିଧି ଉପରେ ଏପରି ସତର୍କ ଦୃଷ୍ଟି ରଖିବା, ବାସ୍ତବରେ କୌତୂହଳଜନକ । ଏ ସମ୍ବନ୍ଧରେ ମହାରାଜାଧିରାଜଙ୍କର ଗୋପନୀୟ ଆଦେଶ ପାଇବା ମାତ୍ରେ ମହାସାମନ୍ତ, ମହାରାଜ ଓ ଆୟୁକ୍ତକମାନେ (ଜିଲ୍ଲା ମାଜିଷ୍ଟ୍ରେଟ୍‍ସ୍ତରୀୟ) ମଧ୍ୟ ବିସ୍ମିତ ହୋଇଥିଲେ । ବିଭିନ୍ନ ଅଧିଷ୍ଠାନଗୁଡ଼ିକରେ (‘ବିଷୟପତି’ ବା ‘ଆୟୁକ୍ତ’ଙ୍କ ମୁଖ୍ୟ କାର୍ଯ୍ୟାଳୟ) ଏହା ଗୋପନ ଆଲୋଚନାର ବିଷୟବସ୍ତୁ ହୋଇଥିଲା ।

 

ଜନ୍ମେଜୟଙ୍କର ଆତ୍ମସମର୍ପଣ ପରେ ଭୌମ ଓ ସୋମବଂଶୀମାନଙ୍କର ସାମ୍ରାଜ୍ୟକୁ ଏକତ୍ର କରି ତହିଁରେ ସର୍ବାଧ୍ୟକ୍ଷ ଭାବରେ ମହାସନ୍ଧିବିଗ୍ରହୀ ବୈରୀଗଞ୍ଜନଙ୍କୁ ନିଯୁକ୍ତ କରାଯାଇଛି । ଗତ ଯୁଦ୍ଧରେ ଅପୂର୍ବ ରଣ କୌଶଳ ପ୍ରଦର୍ଶନ କରିଥିବା ହେତୁ ମହାବଳାଧିକୃତ ଅମିତାଭ ଭଞ୍ଜଙ୍କୁ ମହାବଳାଧିକୃତର ଦାୟିତ୍ୱ ସଙ୍ଗେ ମହାସନ୍ଧିବିଗ୍ରହୀର ଦାୟିତ୍ଵ ଅର୍ପଣ କରାଯାଇଛି । ସେ ଦୁହିଁଙ୍କ ସହ ପରାମର୍ଶ କରି ମଧ୍ୟ ଏ ରହସ୍ୟାବୃତ ଆଦେଶର କୌଣସି ଭିତିରି ଉଦ୍ଦେଶ୍ୟ ଜାଣିବାକୁ କେହି ସମର୍ଥ ହୋଇନାହାନ୍ତି ।

 

ତେବେ ଯେତେଦୂର ଜଣାଯାଏ ଏ ନବାଗତ କାପାଳିକଙ୍କୁ ଗତ ଦୁଇ ତିନିବର୍ଷ ଧରି ଭୌମ ସାମ୍ରାଜ୍ୟର ବହୁ ଘାଟି ସ୍ଥଳରେ ବୁଲୁଥିବାର ଲକ୍ଷ୍ୟ କରି ଏହାଙ୍କୁ କେହି କେହି ଛଦ୍ମବେଶୀ ଜନ୍ମେଜୟ ବୋଲି ସନ୍ଦେହ କରନ୍ତି ।

 

ଲୁପ୍ତ ସାମ୍ରାଜ୍ୟର ପୁନରୁଦ୍ଧାର କରିବାପାଇଁ ଏହା ତାହାଙ୍କର ଏକ ଚମତ୍କାର କୌଶଳ ହୋଇପାରେ । ସୋମବଂଶୀମାନେ ଏଭଳି କୌଶଳରେ ବେଶ ପାରଙ୍ଗମ । ଅଥବା ଭୌମ ସାମ୍ରାଜ୍ୟରୁ ବୌଦ୍ଧଧର୍ମକୁ ସମୂଳେ ଉତ୍ପାଟିତ କରିବା ପାଇଁ ଏହା ମଧ୍ୟ ସୋମବଂଶୀମାନଙ୍କର ବିଧିବଦ୍ଧ ଚକ୍ରାନ୍ତ ହୋଇଥାଇପାରେ । ବିଗତ ବୌଦ୍ଧଧର୍ମ ସମ୍ମିଳନୀ-କାଳରେ ଏହା ପ୍ରମାଣିତ । ଏସିଆର ସର୍ବବୃହତ୍ ଧର୍ମସମ୍ମିଳନୀକୁ ପଣ୍ଡକରି ଦେବାନିମନ୍ତେ ସେମାନେ ଯେଉଁ ହୀନ ଷଡ଼ଯନ୍ତ୍ରର ଆଶ୍ରୟ ନେଇଥିଲେ ତାହା ବାସ୍ତବରେ କଳ୍ପନାତୀତ । ତେଣୁ ଶରଣଗଡ଼କୁ ଭେଟିଦେଇ ଆତ୍ମସମର୍ପଣ କରିବା ପରେ ମଧ୍ୟ ସେମାନେ ସମ୍ପୂର୍ଣ୍ଣ ବିଶ୍ୱାସର ପାତ୍ର ହୋଇନପାରନ୍ତି ।

 

ଆଉ ଏକ ସନ୍ଦେହକୁ ଭିତ୍ତିକରି କାପାଳିକଙ୍କର ଗତିବିଧିର ଟିକିନିଖି ତଥ୍ୟ ଅବଗତ ହେବା ଲାଗି ମହାରାଜାଧିରାଜ ହୁଏତ କୌତୂହଳୀ ହୋଇଥାଇପାରନ୍ତି । ତାହା ହେଉଛି କାପାଳିକଙ୍କର ଆବିର୍ଭାବ ପରେ ଲୋକମୁଖର ବାର୍ତ୍ତା । ଏ ଛଦ୍ମବେଶୀ କାପାଳିକଙ୍କୁ ଅନେକ ସମର ସିଂହ ବୋଲି ସନ୍ଦେହ କରିବା ଫଳରେ ନବନିଯୁକ୍ତ ସର୍ବାଧ୍ୟକ୍ଷ ଓ ମହାସନ୍ଧିବିଗ୍ରହୀ ମଧ୍ୟ ତାହାଙ୍କର ବାସ୍ତବ ପରିଚୟ ପାଇବାକୁ ଉତ୍କଣ୍ଠିତ ହୋଇ ଉଠିଥିଲେ । ବସୁକଳ୍ପଙ୍କର ଅନୁମତି କ୍ରମେ ଦଣ୍ତପାଣିକ ଓ ସ୍ଥାନାନ୍ତରିକଗଣକୁ ଅନୁସନ୍ଧାନ କାର୍ଯ୍ୟରେ ଉପଯୋଗ କରାଯାଇଥିଲା । ହେଲେ ହେଁ ପ୍ରାଥମିକ ଅନୁସନ୍ଧାନର ଫଳାଫଳରୁ ତାହାଙ୍କୁ ସମର ସିଂହ ବୋଲି ସନ୍ଦେହ କରିବାର କୌଣସି କାରଣ ନାହିଁ ବୋଲି ଜଣାପଡ଼ିଛି ।

 

ସୁତରାଂ, ସମ୍ୟକ୍ ଅନୁସନ୍ଧାନର ସୁବିଧା ନିମିତ୍ତ ରତ୍ନଗିରିଭିନ୍ନ ଅନ୍ୟତ୍ର ଯାତ୍ରା କରିବା କାପାଳିକଙ୍କ ପାଇଁ ସାମୟିକ ଭାବରେ ନିଷିଦ୍ଧ କରାଯାଇଛି ।

 

ରାଜାଦେଶ ଘୋଷିତ ହେବାମାତ୍ରେ ତରୁଣ ସାଧକଙ୍କ ପକ୍ଷରୁ ଏହାର କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନଥିଲା । ବରଂ ପ୍ରତି ପ୍ରଭାତ ଓ ପ୍ରଦୋଷ, ତଥା ଅର୍ଦ୍ଧରାତ୍ରିରେ ପୂର୍ବଠାରୁ ଅଧିକ ବଜ୍ରଗମ୍ଭୀର କଣ୍ଠରେ ସେ ଆବୃତ୍ତି କରିଚାଲିଥିଲେ–

 

“ଯା ଦେବୀ ସର୍ବଭୂତେଷୁ ଶକ୍ତିରୂପେଣ ସଂସ୍ଥିତା

ନମୋତସ୍ୟୈ ନମୋତସ୍ୟୈ ନମୋତସ୍ୟୈ ନମୋନମଃ”

 

ଶକ୍ତି ସ୍ଵରୂପିଣୀ ଜନନୀଙ୍କର ଏ ଆବାହନ ଲହରରେ ଭୈରବ ମନ୍ଦିରର ବେଢ଼ା ଲହରିତ ହୁଏ । ମାଣିକ୍ୟ ପୁରୀର ଅଦୂରରେ ଭାସିବୁଲେ ଏହାର ପ୍ରତିଟି ମୂର୍ଚ୍ଛନା ।

 

॥ ପଚିଶି ॥

 

ବସନ୍ତର ବିଦାୟୀ ଅପରାହ୍ନ, ରାଜଜେମାଙ୍କର ଅଳସ ଅତୀତ ଏବଂ ବିପର୍ଯ୍ୟସ୍ତ ଯୌବନର ବୋଝଧରି ଖଞ୍ଜ ପଦରେ ଆଗେଇ ଚାଲିଛି ବୌଦ୍ଧର କେଉଁ ନିରୁକ୍ତ ଶୂନ୍ୟତା ଆଡ଼କୁ । କାଚ କବାଟର ପ୍ରତି ପ୍ରସ୍ଥରେ ଫୁଟିଉଠୁଛି ଅନିଶ୍ଚିତ ଭବିଷ୍ୟତର ବହୁ କୁଟିଳ ରେଖା । ଭଗ୍ନଶିଳାର ଏକ ସୋପାନ ଉପରୁ ସେ କୁଟିଳ ବନ୍ଧନୀର ତର୍ଜମା କରୁଥିଲେ ବସୁଧାରା । ସଖୀ ମାଳିନୀ ଓ ଚପଳା ମହାଯୋଗୀ ବଜ୍ରସତ୍ତ୍ୱଙ୍କର ସଂଘାରାମର ବାଳତରୁ, ପୁଷ୍ପବୀଥିକା ଏବଂ ଲତାପତ୍ରର ସୌନ୍ଦର୍ଯ୍ୟ ଦର୍ଶନରେ ଏତେ ବେଳକୁ ବିହ୍ୱଳ ହୋଇ ଉଠିଥାନ୍ତି ।

 

ମହାସୁଖ ପାଇଁ ଗୁହ୍ୟକ ସମାଜର ଉପାସ୍ୟ ‘ତଥାଗତ ଗୁହ୍ୟଙ୍କ’ କର ମୂର୍ତ୍ତି ସମ୍ମୁଖରେ ସେତେବେଳକୁ ଧ୍ୟାନସ୍ଥ ହେବାକୁ ଚେଷ୍ଟା କରୁଥିଲେ ବଜ୍ରସତ୍ତ୍ୱ ।

 

ସଂଘାରାମର ଦକ୍ଷିଣ ଦିଗରେ କ୍ଷୁଦ୍ର ଶମୀ ତରୁର କୋମଳ ଶାଖାରୁ କୋକିଳଟିଏ ଡାକି ଉଠିଲା ।

 

“ଆଃ !” ସମଗ୍ର ସତ୍ତାରେ କି ଏକ ଅବ୍ୟକ୍ତ ବେଦନା ଲାଭ କରି ବ୍ୟଥିତ ହୋଇ ଉଠିଲେ ମହାଯୋଗୀ ।

 

ରାଜକନ୍ୟାଙ୍କର ସଖୀମାନଙ୍କଠାରୁ ଦୂରରେ ସଙ୍ଘାରାମର ଏକ ପରିତ୍ୟକ୍ତ ଅଂଶରେ ପୁଣି ଥରେ ଆତ୍ମସ୍ଥ ହେଲେ ବଜ୍ରସତ୍ତ୍ୱ ।

 

ପରମ ନିର୍ବାଣ ! ମହାସୁଖ !! କାହିଁ ସେହି ମହାସୁଖ ? ଯୁଗଯୁଗର ବହୁ ନିରୁଦ୍ଧ କାମନା ଆଜି ଉଦବେଳିତ ହୋଇ ଉଠୁଛି ତାହାଙ୍କର ଶୁଷ୍କ ଅନ୍ତରର ବାଲୁକା ଶଯ୍ୟାରେ । ବୈଶାଳୀର କେଉଁ ଜୀର୍ଣ୍ଣ ମନ୍ଦିର ଓ ତକ୍ଷଶିଳାର କେଉଁ ମହାଶ୍ମଶାନରେ ସେଗୁଡ଼ିକୁ ସେ ବର୍ଜନ କରି ଆସିଥିଲେ ।

 

ମହାଯୋଗୀ ଶାନ୍ତିଦେବଙ୍କର ମନ୍ଦ୍ରଗମ୍ଭୀର ସ୍ୱର ଏବେ ବି ତାହାଙ୍କର ଶ୍ରୁତିପଥରେ ବାଜିଯାଉଛି ।

 

–ଏ ଦୁର୍ଦ୍ଦାନ୍ତ ରୂପ–ତୃଷ୍ଣାର ଜୟନିମିତ୍ତ ସପ୍ତ ‘ଅଶୁଭ–ଭାବନାକୁ’ (ବୌଦ୍ଧମତୀୟ, ବିନୀଳକ, ବିଛିଦକ, ଗୁଲବନ ପ୍ରଭୃତି) ବାରମ୍ବାର ଅଭ୍ୟାସ କର ବଜ୍ରସତ୍ତ୍ୱ !

 

ପ୍ରଜ୍ଞାପାରମିତା, ଅବଲୋକିତେଶ୍ଵର ବା ଅମୋଘସିଦ୍ଧି ଓ ତାରାଙ୍କର ଯୁଗନ୍ନଦ୍ଧ ମୂର୍ତ୍ତି ସ୍ମରଣରେ ଶାନ୍ତିଦେବଙ୍କର ସେ ଉପଦେଶ ଅଳୀକ ମନେ ହେଉଛି ।

 

ମହାସୁଖର ଉଦ୍ଦୀପ୍ତ ଆଶା ପ୍ରକାଶ ମାଗୁଛି ! କାହିଁ ତା’ର ଉପଭୋଗ ?? ମୃତ କାମନାର ପଶୁମାନେ ସତେ ଯେପରି ଆଜି ଜୀବନ୍ତ ହୋଇଉଠିଛନ୍ତି ।

 

ତକ୍ଷଶିଳା ତ୍ୟାଗ କରିବାର ଅବ୍ୟବହିତ ପୂର୍ବରୁ ଦୁର୍ବଳତାର ଏ ସରୀସୃପଟା ତାହାଙ୍କର ସମସ୍ତ ଚେତନାକୁ ବିଡ଼ମ୍ୱିତ କରୁଛି ଅତି ଜଘନ୍ୟ ଭାବରେ । ରତ୍ନଗିରି ଆଗମନ ପରେ ମାସ ମାସ ଓ ବର୍ଷ ବର୍ଷ ଧରି ବିଡ଼ମ୍ୱିତ ଚେତନାର ସେ ଅନାହତ କୁଣ୍ଡଳୀ ଗର୍ଭରୁ ଆତ୍ମରକ୍ଷା କରିବା ପାଇଁ କମ୍ ପ୍ରୟାସ କରିନାହାନ୍ତି ସେ । ଏଥିପାଇଁ ମହାଯାନ, ହୀନଯାନ, ବଜ୍ରଯାନ ଓ ଗୁହ୍ୟକ ସମାଜର ବାହୁଛାୟା ତଳେ ସେ ଆଶ୍ରୟ ଖୋଜିଛନ୍ତି । କିନ୍ତୁ ମଗ୍ନ ଅତୃପ୍ତିର ଉପଶମ ପାଇଁ ନିଦାନ କାହିଁ ଏ କୃଚ୍ଛ୍ର ସାଧନାରେ ??

 

କାଲିପରି ମନେ ହେଉଛି । ସେଦିନ ଶରତର ଏକ ଉନ୍ମାଦକ ପ୍ରଭାତ । ବୌଦ୍ଧ (ବୌଦ)ର ପ୍ରାଦେଶିକଙ୍କ କନ୍ୟା ବିନୀତା ସେଦିନ ଭିକ୍ଷୁଣୀ ଭାବରେ ନୂତନ କରି ସଙ୍ଘରେ ଯୋଗଦେଇଥାଆନ୍ତି । ଭାରତର ବହୁ ବୌଦ୍ଧବିହାର ଦର୍ଶନ କରିବାପରେ ସେ ତକ୍ଷଶିଳାରେ ଆଶ୍ରୟ ନେବାକୁ ସ୍ଥିର କରିଥାଆନ୍ତି । କିନ୍ତୁ ପ୍ରଚ୍ଛନ୍ନରେ ‘ଗୁହ୍ୟକ ସମାଜ’ ପ୍ରତିଷ୍ଠା ତାହାଙ୍କର ଲକ୍ଷ୍ୟ ହୋଇଥିବାରୁ ତକ୍ଷଶିଳାର ଆଶ୍ରମପାଳ ମହାଯାନପନ୍ଥା ମହାକାଞ୍ଚନ ତାଙ୍କୁ ତୀକ୍ଷ୍‍ଣ ଦୃଷ୍ଟିରେ ରଖିଥାଆନ୍ତି । ଅବଶ୍ୟ ତକ୍ଷଶିଳା ଏତେବେଳକୁ ବହୁମତବାଦୀ ବୌଦ୍ଧମାନଙ୍କର ସ୍ନାୟୁ ସଂଗ୍ରାମର କେନ୍ଦ୍ର ହୋଇଗଲାଣି ।

 

ଶରତ ପ୍ରଭାତର କମନୀୟ ପଦ୍ମଦଳ ସଦୃଶ ଢଳ ଢଳ ଚକ୍ଷୁରେ ତାଙ୍କର ସ୍ୱେଦବିନ୍ଦୁର ଶିଶିରକଣା ଲାଗି ରହିଥାଏ । ଭିକ୍ଷୁଣୀର ପୀତବସନ ତଳୁ ତାହାଙ୍କର ଅପୂର୍ବ ଲାବଣ୍ୟ ଓ ଯୌବନଶ୍ରୀର ମାଦକତା ସମଗ୍ର ବିହାରକୁ ଉନ୍ମନାଃ କରିଦେଇ ଯାଏ ଯେପରି । ବର୍ଷ ବର୍ଷର ସାଧନା ପରେ ସେ ନିଜକୁ ଅକାତରରେ ଏହି ନୂତନା ଭିକ୍ଷୁଣୀର ଶୂନ୍ୟ ପାତ୍ରରେ ଅଜାଡ଼ି ଦେବାକୁ ତିଳେମାତ୍ର କୁଣ୍ଠିତ ହୋଇନଥିଲେ ।

 

ଦିନେ ବିନୀତାଙ୍କୁ ଏକାନ୍ତରେ ପାଇ ସେ ପ୍ରଶ୍ନ କରିଥିଲେ–

 

“କହିପାରିବ ଭଦ୍ରେ ! ଏ ସୁକୁମାର ବୟସରେ କାହିଁକି ଏ କୃଚ୍ଛ୍ର ସାଧନା ?”

 

ଏ ଅପ୍ରତ୍ୟାଶିତ ପ୍ରଶ୍ନରେ ଭିକ୍ଷୁଣୀଙ୍କର ମୁଖମଣ୍ଡଳ ଆରକ୍ତ ହୋଇ ଉଠିଥିଲା । ସେ ବ୍ରୀଡ଼ାବନତ କଣ୍ଠରେ ଉତ୍ତର ଦେଇଥିଲେ–“ଦୁଃଖ ପାଇଁ ନୁହେଁ ଯୋଗି ! ଦୁଃଖର ନିଦାନ ପାଇଁ”–

 

ଆଶ୍ରମପାଳ ମହାକାଞ୍ଚନଙ୍କର ଆଗମନରେ ବିଦ୍ୟୁତ୍ ବେଗରେ ସେ ସ୍ଥାନ ପରିତ୍ୟାଗ କଲେ ସେ ।

 

କିନ୍ତୁ ସମାପ୍ତ ବସନ୍ତର ଏ କୁହୁତାନଠାରୁ ଅଧିକ ଲୋଳ ଓ କ୍ରୀଡ଼ାଚଞ୍ଚଳ ସେ ବ୍ରୀଡ଼ିତ କାକଳୀ...ଆଜିଯାଏ ତାହାଙ୍କର ସ୍ନାୟୁଶିରାରେ ଏକ ଅପୂର୍ବ ଚମକ ସୃଷ୍ଟି କରିଚାଲିଛି ।

 

କୋକିଳଟି ସେତେବେଳକୁ ଶମୀତରୁ ଶାଖା ଛାଡ଼ି କେଉଁଆଡ଼େ ଉଡ଼ିଯାଇଥିଲା । ହେଲେ ହେଁ ତାହାର ଉଲ୍ଲୋଳ ଆହ୍ଵାନର ପ୍ରତିଟି ଧ୍ୱନି ଗୁଞ୍ଜରିତ ହେଉଥିଲା ସଙ୍ଘାରାମର ଲତାଗୁଳ୍ମ ଓ ତରୁପଲ୍ଲବରେ । ଅତୃପ୍ତ ଦେହବାଦର ପ୍ରତୀକ ଶମ୍ବରମୂର୍ତ୍ତି ସିଦ୍ଧାଚାର୍ଯ୍ୟଙ୍କର ଏ ଦୁର୍ବଳତାରେ ବିଦ୍ରୂପ କରିଉଠୁଥିଲେ ।

 

ଚକ୍ଷୁମେଲି ପ୍ରକୃତିସ୍ଥ ହେବାକୁ ଚେଷ୍ଟା କଲେ ମହାଯୋଗୀ ବଜ୍ରସତ୍ତ୍ୱ ।

 

ରାଜକୁମାରୀ‍ ଓ ତାହାଙ୍କର ସଖୀଦ୍ୱୟ କେତେବେଳୁ ସଂଘାରାମ ଛାଡ଼ି ରତ୍ନସ୍ତୂପକୁ ଚାଲିଗଲେଣି ତାହା ସେ ପ୍ରାୟ ଜାଣନ୍ତି ନାହିଁ ।

 

ମ୍ଳାନସର୍ଯ୍ୟର ରଶ୍ମି ଭୈରବ ମନ୍ଦିରର ଚୂଡ଼ା ଛୁଇଁ ରତ୍ନସ୍ତୂପରେ ହୀରା, ନୀଳା ଓ ମୋତିମାଣିକ୍ୟର ପସରା ମେଲିଦେଲାଣି । ପ୍ରବଚନର ସମୟ ସମାଗତ ପ୍ରାୟ ।

 

ଚୈତ୍ର ଅପରାହ୍ନର ଏ ବିକ୍ଷୁବ୍‍ଧ ପିଙ୍ଗଳତାରୁ ନିଜକୁ ରକ୍ଷା କରିବାଲାଗି ଉପଷୋଥବ୍ରତଧାରୀ ଭିକ୍ଷୁମାନଙ୍କ ପରି ଉଦାତ୍ତ କଣ୍ଠରେ ସେ ଆବୃତ୍ତି କରି ଉଠିଲେ–

 

“ଓଁ–ନମଃ ସମସ୍ତ ବୁଦ୍ଧାନାଂ ଅପ୍ରତିହତ ଶାସନାମ

ଉତ୍ତମୋତ୍ତମ ଆଗତେ ଭବ ତ୍ରୀଂ ଫଟ୍ ସ୍ୱାହା”–

 

ସିଦ୍ଧାଚାର୍ଯ୍ୟ ବଜ୍ରସତ୍ତ୍ୱଙ୍କର ପରାହତ ସାଧନାର ଅସହାୟ ଧାରଣୀ ଆବୃତ୍ତି ସଙ୍ଘାରାମର ପତ୍ରପୁଷ୍ପରେ ମର୍ମରିତ ହୋଇ ଉଠୁଥାଏ ।

 

॥ ଛବିଶି ॥

 

ମହାଭୈରବଙ୍କର ଉପାସନା ବ୍ୟତୀତ ରାଜକୁମାରୀଙ୍କୁ ସକାଳ ସନ୍ଧ୍ୟାରେ ଦେବଦର୍ଶନ କରାଇ ତାହାଙ୍କ ପାଇଁ ଦେବତାଙ୍କର ବରାଭୟ ଭିକ୍ଷାକରିବା, ‘ଭଦ୍ରବାହୁ’ଙ୍କର ଏକ ଦୈନନ୍ଦିନ କର୍ତ୍ତବ୍ୟ ହୋଇପଡ଼ିଥିଲା । ଏହା ବାହାରେ ତାହାଙ୍କର ଅନ୍ୟ କର୍ମ ପ୍ରାୟ କିଛି ନଥାଏ । ତେଣୁ ବସୁଧାରା ରତ୍ନସ୍ତୂପରେ ଥିବା ପର୍ଯ୍ୟନ୍ତ ସେ ଭୈରବ ମନ୍ଦିରର ମୁଖଶାଳାରୁ ଏକ ଧ୍ୟାନରେ କାପାଳିକ ଓ ବଜ୍ରସତ୍ତ୍ୱଙ୍କର ସମସ୍ତ କ୍ରିୟାକଳାପ ଲକ୍ଷ୍ୟ କରୁଥାଆନ୍ତି ।

 

ଏହା କିନ୍ତୁ ଅନ୍ୟମାନଙ୍କର ଅଜ୍ଞାତରେ, ଅତି ଗୋପନରେ ସମ୍ପାଦିତ ହେଉଥିବାରୁ ବସୁଧାରା ବା ତାହାଙ୍କର ସଖୀମାନେ ଏହାର ବିନ୍ଦୁବିସର୍ଗ ସୁଦ୍ଧା ଜାଣିପାରନ୍ତି ନାହିଁ ।

 

ଦଣ୍ଡପାଣିକଙ୍କ ଗୁପ୍ତ ନିର୍ଦ୍ଦେଶରେ ଭୈରବ ମନ୍ଦିରର ଉପାସକ ଭଦ୍ରବାହୁ ଗତ କେତେ ବର୍ଷ ଧରି ଏ କାର୍ଯ୍ୟ ସମ୍ପାଦନ କରୁଥିବା ଅନୁମାନ l ମନ୍ଦିର ପଶ୍ଚାତ୍‌ଭାଗର ଚୂତ କୁଞ୍ଜରେ ବସି ରାଜନଗର ‘ଅମରାବତୀ’ ଓ ରାଣୀ ଅନ୍ତପୁର ‘ମାଣିକ୍ୟପୁରୀ’ର ବାହ୍ୟସୌନ୍ଦର୍ଯ୍ୟ ଉପଭୋଗ କରିବା ବା ପୁଷ୍ପବାଟିକାରୁ ପୁଷ୍ପଚୟନ ପୂର୍ବକ ମହାଭୈରବଙ୍କ ନିମିତ୍ତ ମନୋରମ ମାଳାରଚନା କରିବା ଇତ୍ୟାଦିରେ ଚପଳା ଓ ମାଳିନୀର ସମୟ ଅତିବାହିତ ହେଉଥିବାରୁ ଭଦ୍ରବାହୁଙ୍କର ଏ କର୍ମ ସେ ଦୁହିଙ୍କର ଦୃଷ୍ଟିକୁ ଆସେନାହିଁ । ତେଣୁ ସମସ୍ତଙ୍କ ଅଲକ୍ଷ୍ୟରେ ରାଜଜେମାଙ୍କର ବିଶ୍ୱସ୍ତ ଅଙ୍ଗରକ୍ଷୀତୁଲ୍ୟ ଭଦ୍ରବାହୁ ଏ ଗୁରୁତର ଦାୟିତ୍ୱ ସମ୍ପାଦନରେ ବ୍ରତୀ ଥାଆନ୍ତି ।

 

ସେଦିନ ‘ମହାନିର୍ବାଣ’ ଓ ‘ମହାସୁଖ’ ବିଷୟରେ ସମ୍ୟକ୍ ଆଲୋଚନା କରିବାକୁ ବସୁଧାରା ଆଚାର୍ଯ୍ୟ ବଜ୍ରସତ୍ତ୍ୱଙ୍କୁ ଅନୁରୋଧ ଜଣାଇଥିଲେ ।

 

ରାଜକୁମାରୀଙ୍କର ଏ ପ୍ରଶ୍ନରେ ମହାଯୋଗୀଙ୍କର କେଉଁ ଗୋପନତମ ଅନ୍ତରରେ ଏକ ପ୍ରଚଣ୍ଡ ଆଘାତ ଲାଗିଲା ପରି ସେ ଅନୁଭବ କଲେ । ପିଣ୍ଡିତ ଅସ୍ତିରେ ଛଟପଟ ହୋଇ ସେ କାତର ଦୃଷ୍ଟିରେ ରାଜକୁମାରୀଙ୍କ ଆଡ଼କୁ ଅନାଇ ରହିଥିଲେ ।

 

ତାହାଙ୍କର ଏ ଅସ୍ୱସ୍ତିକର ଅବସ୍ଥା ଲକ୍ଷ୍ୟ କରି ପ୍ରଶ୍ନ କରିଉଠିଲେ ବସୁଧାରା–

 

–“ଗୁରୁଦେବଙ୍କର ଆଜି ସର୍ବାଙ୍ଗୀନ କୁଶଳ ତ ?”

 

–“ହଁ ଭଦ୍ରେ ! ସମସ୍ତ କୁଶଳ”–ଅବ୍ୟକ୍ତର ଦାହକୁ ଯଥାସମ୍ଭବ ଗୁପ୍ତରଖି ଉତ୍ତର ଦେଲେ ସିଦ୍ଧାଚାର୍ଯ୍ୟ ।

 

ଏହାପରେ ଜୈନ, ବୌଦ୍ଧ ଓ ହିନ୍ଦୁ ଧର୍ମଗ୍ରନ୍ଥମାନଙ୍କରୁ ଉଦାହରଣ ସହ ସେ ତାହାଙ୍କର ଭାଷ୍ୟ ଆରମ୍ଭ କଲେ । ହିନ୍ଦୁ ଦର୍ଶନର ‘ଚିତ୍ତବୃତ୍ତି ନିରୋଧଃ’ ବା ଜୈନମତୀୟ ଓ ‘କୈବଲ୍ୟ’ ମହାନିର୍ବାଣର ଉଦ୍ଦେଶ୍ୟ ନୁହେଁ । ବରଂ ଏହାଦ୍ୱାରା ‘ମହାନିର୍ବାଣ’ ଓ ‘ମହାସୁଖ’ର ପନ୍ଥା ଦୁର୍ଲଭ ହୋଇଥାଏ । କାରଣ ସବୁଥିରେ ଥାଇ କାହାରି ସହିତ ନ ଥିବା ଅବସ୍ଥା କୈବଲ୍ୟ-ସମ୍ମତ ହେଲେ ହେଁ ଏ ସଂସାରରେ ତାହା କଳ୍ପନାତୀତ । ତେଣୁ ଯୋଗର ପୂର୍ବପଦ ବା ଯୋଗାଙ୍ଗ ‘ପଞ୍ଚଯମ’ (ଅହିଂସା, ସତ୍ୟ, ଅସ୍ତେୟ । ବ୍ରହ୍ମଚର୍ଯ୍ୟ, ଅପରିଗ୍ରହ), ବାହ୍ୟଶୁଚି (କ୍ଷିତି, ଅପ୍, ତେଜ୍, ମରୁତ୍, ବ୍ୟୋମ) ସାହାଯ୍ୟରେ ଓ ଅନ୍ତଃଶୁଚି (ସନ୍ତୋଷ, ତପସ୍ୟା, ସ୍ୱାଧ୍ୟାୟ, ଭାବ ଶୁଦ୍ଧି, ଈଶ୍ଵରଚିନ୍ତା)ର କଳ୍ପନା ଅବାନ୍ତର ।

 

ବୁଦ୍ଧକଥିତ ‘କାମନାର ବିନାଶରେ ଦୁଃଖର ବିନାଶ’, ବହୁଚିନ୍ତା ପରେ ଭ୍ରାନ୍ତମତ ବୋଲି ପ୍ରମାଣିତ ହୋଇଛି । ବାସ୍ତବରେ ମହାନିର୍ବାଣ ବା ମହାସୁଖ ଲୀଳାର ଆରମ୍ଭ ହୁଏ କାମନାର ପରିତୃପ୍ତିରେ ।

 

ବୁଦ୍ଧ–ବାଣୀର ଏ ବିରୁଦ୍ଧ ବ୍ୟାଖ୍ୟାରେ ବସୁଧାରାଙ୍କର ଚକ୍ଷୁ ଆରକ୍ତ ହୋଇଉଠୁଥାଏ । ତଥାପି ଶାଳୀନତା ଦୃଷ୍ଟିରୁ କୌଣସି ପ୍ରତିବାଦ ନ କରି ଆଚାର୍ଯ୍ୟ ବ୍ରଜସତ୍ତ୍ୱଙ୍କର ମନମୁଖୀ ଭାଷ୍ୟ ଶୁଣିବା ପାଇଁ ସେ ଧୀରସ୍ଥିର ଚିତ୍ତରେ ବସିରହିଥାଆନ୍ତି ।

 

ବଜ୍ରସତ୍ତ୍ୱ କହି ଚାଲିଥିଲେ–କାମନାର ସ୍ୱଚ୍ଛନ୍ଦ ପରିତୃପ୍ତି ଲାଗି ଯାଗ, ଯଜ୍ଞ, ହୋତା, ଅଧ୍ୱର୍ଯ୍ୟୁ, ଉଦ୍‌ଗାତା ବା ଭଟ୍ଟର କୌଣସି ଆବଶ୍ୟକତା ନାହିଁ । ବଜ୍ରଗୁରୁଙ୍କ ସାହାଯ୍ୟରେ ବଜ୍ରତନ୍ତ୍ରର ଗୂଢ଼ାର୍ଥକୁ “ସୁଖେନ ସାଧାୟେତ୍ ବୋଧିଃ” ଉପଲବ୍‍ଧି କରିବା ହିଁ ବାସ୍ତବ ସୁଖ, କିନ୍ତୁ ଶରୀରକୁ ପୀଢ଼ା ଦେଇ ନୁହେଁ । ଗୁହ୍ୟ ସମାଜର ‘ତଥାଗତ ଗୁହ୍ୟକ’ ଏ ମିଳନ । ଧର୍ମ ହେଉଛି ପ୍ରଜ୍ଞା, ବୁଦ୍ଧ ପାରମିତା ଓ ସଂଘ ହିଁ ମହାସୁଖର ସ୍ଥଳ ।

 

ଉକ୍ତ ତତ୍ତ୍ୱଗର୍ଭିତ ବାଣୀକୁ ଅଧିକ ସରଳ କରି ‘ପ୍ରଜ୍ଞା’କୁ ସ୍ତ୍ରୀ ଓ ‘ପାରମିତା’କୁ ‘ପୁରୁଷ ବୋଲି ଚିହ୍ନିତ କରାଯାଇପାରେ । ଦୁହିଁଙ୍କର ଦୈହିକ ମିଳନରେ ମହାସୁଖ, ମହାଶାନ୍ତି । ଏଥିପାଇଁ ଅବଲୋକିତେଶ୍ୱର, ପ୍ରଜ୍ଞାପାରମିତା, ଅମୋଘସିଦ୍ଧି ଓ ତରା, ଅକ୍ଷୋବା ଓ ଲୋଚନା ପ୍ରଭୃତି ଯୁଗଳ ବୌଦ୍ଧମୂର୍ତ୍ତିର କଳ୍ପନା କରାଯାଇଛି । ଏମାନେ ହେଲେ ମହାସୁଖ ଲୀଳାର ଏକ ଏକ ବିଚକ୍ଷଣ ସାଙ୍କେତିକ ।

 

ପ୍ରବଚନ ମଧ୍ୟରେ ନିଜ ଆଡ଼କୁ ଓ କେବେ ରାଜକୁମାରୀଙ୍କ ଆଡ଼କୁ ଏକ ଲୋକ ଦୃଷ୍ଟି ପକାଇ ଉତ୍ତପ୍ତ ନିଃଶ୍ଵାସ ଛାଡ଼ୁଥିଲେ ବଜ୍ରସତ୍ତ୍ୱ ।

 

ତାହାଙ୍କର ଉଷ୍ଣ ନିଃଶ୍ୱାସରେ ବସୁଧାରା ପୋଡ଼ି ଗଲାପରି ଅନୁଭବ କରୁଥିଲେ ମଧ୍ୟ ହଠାତ୍ ସେ ସ୍ଥାନ ତ୍ୟାଗ କରି ପଳାଇ ଆସିବା ତାଙ୍କ ପକ୍ଷେ ସମ୍ଭବ ହେଉ ନ ଥିଲା ।

 

ମହାଯୋଗୀ ପୁଣି କହି ଉଠିଲେ–“ସୁତରାଂ, ଶାସ୍ତ୍ର କହେ–

 

କିନ୍ତୋ ମନ୍ତେ, କିନ୍ତୋ ତନ୍ତେ,

କିନ୍ତୋରେ ଝଣେ ବଖାଣେ,

ଅପଇଠାନ ମହାସୁଖ ଲୀଲେ

ଦୁଲଖ ପରମ ନୀବାଣେ–

 

ଅର୍ଥାତ୍ ମନ୍ତ୍ର, ତନ୍ତ୍ର, ଧ୍ୟାନ ବ୍ୟାଖ୍ୟାନରେ କିଛି ଲାଭ ନାହିଁ; ସବୁ ରହିଛି ମହାସୁଖ ଲୀଳାରେ, ବଜ୍ରଗୁରୁଙ୍କ ନିକଟରେ ପୂର୍ଣ୍ଣ ଆତ୍ମସମର୍ପଣରେ...କିନ୍ତୁ ଦୁଃଖରେ, ନୈରାଶ୍ୟରେ, ଯୌବନକୁ ତିଳ ତିଳ ଦଗ୍‍ଧ କରି ନୁହେଁ”–କହି ସିଦ୍ଧାଚାର୍ଯ୍ୟ ରାଜକନ୍ୟାଙ୍କର ଅକ୍ଷତ ଯୌବନଶ୍ରୀ ଉଦ୍ ବେଳିତ ଦେହକୁ ଲୋଲୁପ ଦୃଷ୍ଟିରେ ଅନାଇ ରହିଥିଲେ ।

 

ତାଙ୍କ ନିକଟରୁ କୌଣସିମତେ ପଳାୟନ କରିବା ନିମିତ୍ତ ସଖୀ ମାଳିନୀ ଓ ଚପଳ ଉଦ୍ଦେଶ୍ୟରେ ପଶ୍ଚାତ୍‍ଭାଗକୁ ଦୃଷ୍ଟି ନିକ୍ଷେପ କଲେ ରାଜକନ୍ୟା ।

 

ସେ ଦୁହେଁ ଦୃଷ୍ଟିପଥକୁ ଆସିଲେ ନାହିଁ । ଭୈରବ ମନ୍ଦିରର ପୁଷ୍ପୋଦ୍ୟାନରେ ସେ ଦୁହେଁ ହୁଏତ ପୁଷ୍ପଚୟନରେ ରତ ଥିଲେ ଏଯାଏ ।

 

କ୍ରମେ କ୍ରମେ ବଜ୍ରସତ୍ତ୍ୱଙ୍କର ଦୃଷ୍ଟି ଆହୁରି ଉଗ୍ର ଓ କାମନାଜର୍ଜର ହୋଇ ଉଠିଲା । ତାହାଙ୍କର ପ୍ରସାରିତ ବାହୁଦ୍ୱୟ ରାଜକୁମାରୀଙ୍କ ଆଡ଼କୁ ବ୍ୟଗ୍ରଗତିରେ ଅଗ୍ରସର ହେଲା । ତାହାଙ୍କ ଚକ୍ଷୁର ଲେଲିହାନି ଶିଖାରେ ଜଳିଗଲାପରି ଅନୁଭବ କଲେ ବସୁଧାରା ।

 

ଆତ୍ମରକ୍ଷା ନିମନ୍ତେ ‘ପ୍ରଭୁ ତଥାଗତ’ ‘ପ୍ରଭୁ ବୋଧିସତ୍ତ୍ୱ ରକ୍ଷାକର’ କହି ରତ୍ନସ୍ତୁପ ଉପରେ ଦୂରକୁ ଘୁଞ୍ଚିଯାଉ ଯାଉ ସେ ହଠାତ୍ ସ୍ତୂପତଳକୁ ଖସିପଡ଼ିଲେ । ଖସିପଡ଼ିବା ଅବସ୍ଥାରେ ଥରଟିଏ ମାତ୍ର ‘ମାଳିନୀ’ ବୋଲି ସେ ଚିତ୍‌କାର କରି ଉଠିଥିଲେ । ତାହା ପରେ ତାହାଙ୍କର ସଂଜ୍ଞାହୀନ ଶରୀରଟା ସ୍ତୂପତଳର ଭୂମି ସ୍ପର୍ଶ କରି ଶାନ୍ତି ପାଇବାକୁ ଚେଷ୍ଟା କରୁଥିଲା ।

 

॥ ସତେଇଶି ॥

 

ଆସନ୍ନ ସନ୍ଧ୍ୟାର ଏ କୁଟିଳ ମୁହୂର୍ତ୍ତରେ ଭଦ୍ରବାହୁ ମହାଭୈରବଙ୍କର ଆଳତୀ ନିମିତ୍ତ ବ୍ୟସ୍ତ ଥିଲେ ମଧ୍ୟ ଭ୍ରଷ୍ଟ ବଜ୍ରଯାନୀ ଆଚାର୍ଯ୍ୟଙ୍କ ମୁଖରେ ବୁଦ୍ଧବାଣୀ ଓ ଆର୍ଯ୍ୟ ଅଷ୍ଟାଙ୍ଗମାର୍ଗ (ଉତ୍ତମ ବିଶ୍ଵାସ, ଉତ୍ତମ ଚିନ୍ତା, ଉତ୍ତମ ଏକାଗ୍ରତା, ଉତ୍ତମ କର୍ମ, ଉତ୍ତମ ଭାଷଣ, ଉତ୍ତମ ଜୀବିକା, ଉତ୍ତମ ପ୍ରଚେଷ୍ଟା ଏବଂ ଉତ୍ତମ ଧ୍ୟାନ) ଇତ୍ୟାଦିର ନିନ୍ଦା ଓ ସହଜଯାନର ଦେହବାଦୀ ବ୍ୟାଖ୍ୟା ଶ୍ରବଣରେ କୁମାରୀ ବସୁଧାରାଙ୍କର ମୁଖରେ କ୍ରୋଧ ଏବଂ ବିରକ୍ତିର ଲକ୍ଷଣ ପରିସ୍ପୁଟ ହେଉଥିବାର ଆଭାସ ପାଇପାରୁଥିଲେ । ଠିକ୍ ଠିକ୍ କହିଲେ ରାଜକନ୍ୟାଙ୍କର ଆରକ୍ତ ମୁଖମଣ୍ଡଳ ପରିଷ୍କାର ଭାବେ ତାହାଙ୍କର ଦୃଷ୍ଟିଗୋଚର ହେଉ ନ ଥିଲେ ମଧ୍ୟ ଝାପ୍‌ସା ଭାବରେ ତହିଁରେ ସେ ଯାହା ଲକ୍ଷ୍ୟ କରୁଥିଲେ ତାହା ସବୁଦିନ ଭଳି ପ୍ରସନ୍ନ, ପ୍ରଶାନ୍ତ ବା ହର୍ଷୋତ୍‍ଫୁଲ୍ଲ ନ ଥିଲା । କିପରି ଏକ ଅପ୍ରତ୍ୟାଶିତ ବିଷଣ୍‍ଣତା, ବିରକ୍ତି ଓ ରୁକ୍ଷତା ଆଜି ସେ ବଦନଶ୍ରୀକୁ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତିତ କରିଦେଇଥାଏ ।

 

ଆଚାର୍ଯ୍ୟଙ୍କର ତତ୍ ପରବର୍ତ୍ତୀ କ୍ରିୟାରେ ସେ ଆଉ ଧୈର୍ଯ୍ୟ ଧରି ନ ପାରି ବସୁଧାରାଙ୍କର ରକ୍ଷା ପାଇଁ ରତ୍ନସ୍ତୂପ ଆଡ଼କୁ ଦୌଡ଼ି ଚାଲିଲେ । କୁମାରୀଙ୍କର ଅସହାୟ ‘ମାଳିନୀ’ ଡାକ ତାଙ୍କ କର୍ଣ୍ଣରେ ପଡ଼ିବାବେଳକୁ ସେ ରତ୍ନସ୍ତୁପ ନିକଟରେ ପହଞ୍ଚି ଯାଇଥିଲେ । ହେଲେହେଁ ସମସ୍ତ ଘଟଣା ବୈଦ୍ୟୁତିକ ତରଙ୍ଗ ଭଳି ଚଞ୍ଚଳ ଓ କ୍ଷିପ୍ରଗତିରେ ଘଟିଯାଉଥିବାରୁ ସେ ବସୁଧାରାଙ୍କୁ ଭୁଲୁଣ୍ଠିତ ହେବାରୁ ରକ୍ଷା କରିପାରିଲେ ନାହିଁ ।

 

ସ୍ତୂପତଳକୁ ଦୃଷ୍ଟିଦେଲେ ଭଦ୍ରବାହୁ । ଯାହା ଦେଖିଲେ ତାହା ବିଶ୍ୱାସ କରିପାରିଲେ ନାହିଁ-। ସେ ରତ୍ନସ୍ତୂପରୁ ତଳକୁ ଓହ୍ଲାଇ ଯିବା ପୂର୍ବରୁ ପୂର୍ବୋକ୍ତ କାପାଳିକ ଝଡ଼ବେଗରେ ସେଠାରେ ପ୍ରବେଶ କରି ରାଜକନ୍ୟାଙ୍କର ନିଶ୍ଚଳ ଦେହଟିକୁ ହଠାତ୍ ସ୍ତୁପ ପାର୍ଶ୍ୱରୁ ଉଠାଇନେଲେ-। ତାହାଙ୍କର ଧୂଳିଧୂସର ଦେହରୁ ଧୂଳିମାଟି ଝାଡ଼ି ଦେଇ ତାହାଙ୍କୁ କୋମଳ ଘାସର ଶଯ୍ୟା ଉପରେ ଶୁଆଇଦେଲେ । ତାହାପରେ ପାର୍ଶ୍ଵସ୍ଥ ଜଳାଶୟରୁ ଜଳ ଆଣି ତାଙ୍କ ମୁଖରେ ଛିଞ୍ଚିବାକୁ ଆରମ୍ଭ କଲେ ଓ ବହୁ କଷ୍ଟରେ ରାଜକନ୍ୟାଙ୍କର ପାଟି ଖୋଲି ତହିଁରେ ଢୋକେ ଦି’ଢୋକ ଜଳ ଦେଲେ-

 

କ୍ଷଣକ ପାଇଁ ରାଜକନ୍ୟା ସଂଜ୍ଞାଲାଭ କଲେ । ଥରଟିଏ ମାତ୍ର ଚକ୍ଷୁ ମେଲି ସେ କ’ଣ କହିବାକୁ ଚେଷ୍ଟା କରୁଥିଲେ, ହେଲେହେଁ ତାହାଙ୍କର ତୁଣ୍ତର କଥା ତୁଣ୍ତରେ ମିଳାଇଗଲା । ସେ ପୁଣି ଶୋଇ ଆସିଲେ । ବୌଦ୍ଧର ଧ୍ୟାନାଲୋକ ପରି ବେଶ୍ ପ୍ରସନ୍ନ ଓ ପ୍ରଶାନ୍ତ, ତଥା ମହାନିର୍ବାଣ ପରି ଶୂନ୍ୟ ଓ ନିରୁକ୍ତ ଏ ସୁଷୁପ୍ତି ।

 

କାପାଳିକଙ୍କର ଚକ୍ଷୁ ଭେଦାଇ ଦୁଇଧାର ଅଶ୍ରୁ ରାଜକନ୍ୟାଙ୍କର ଗଣ୍ତଦେଶରେ ବହିପଡ଼ିଲା । ପୁଣି ଥରେ ପ୍ରାଣସ୍ପନ୍ଦନରେ ସତେ ଯେପରି ସ୍ପନ୍ଦିତ ହେଲା କୁମାରୀଙ୍କର ତନୁଲତାଟି-। ତାହାପରେ ସବୁ ଯେମିତି ନୀରବ, ନୀଥର ।

 

ଭଦ୍ରବାହୁ ଓ ରାଜଜେମାଙ୍କର ସଖୀଦ୍ୱୟ ସେତେବେଳକୁ କୁମାରୀଙ୍କର ନିଶ୍ଚଳ ଦେହ ନିକଟରେ ପହଞ୍ଚିଗଲେଣି । ସେମାନଙ୍କୁ ଦେଖିବାମାତ୍ରେ କାପାଳିକ ତତ୍‍କ୍ଷଣାତ୍ ସେ ସ୍ଥାନ ତ୍ୟାଗ କରି ଅନ୍ଧକାର ମଧ୍ୟରେ କେଉଁଠି ମିଳାଇଗଲେ । ଯିବା ସମୟରେ ତାଙ୍କ ହସ୍ତର ତ୍ରିଶୁଳଟି ପ୍ରତିହିଂସାରେ ଅଧୀର ହୋଇଉଠିଥିଲା ପରି ଜଣାଯାଏ ଓ ମୁହୂର୍ତ୍ତକ ପୂର୍ବର କରୁଣ ଦୃଷ୍ଟି କ୍ରୋଧ ଓ ଉତ୍ତେଜନାରେ ହିଂସ୍ର ବୋଧ ହେଉଥାଏ ।

 

ଭୈରବ ମନ୍ଦିରର ଶୀର୍ଷାଲୋକ ରତ୍ନସ୍ତୂପର ଛାୟାଭେଦ କରି ଜେମାଙ୍କର ଅଚଳ ଦେହାୟତନ ଉପରେ ଛାୟାଲୋକର ଏକ ବିଚିତ୍ର ଜ୍ୟାମିତିକ ବୃତ୍ତ ଅଙ୍କନ କରୁଥାଏ । ଦୁଃଖାନ୍ତକ ନାଟକର ଏ କରୁଣ ପାଦପ୍ରଦୀପରେ ଆସନ୍ନ ସନ୍ଧ୍ୟାରୁ ଏ ପର୍ଯ୍ୟନ୍ତ ଘଟିଯାଇଥିବା ଘଟଣାଗୁଡ଼ିକ ଦର୍ଶନ କରି ଅପ୍ରତ୍ୟାଶିତ ନୈରାଶ୍ୟ, ଭୟ, ବିସ୍ମୟ ଓ ଉତ୍କଣ୍ଠାରେ ସ୍ତମ୍ଭୀଭୂତ ହୋଇଆସୁଥିଲେ ରାଜକୁମାରୀଙ୍କର ସଖୀଦ୍ୱୟ, ତଥା ମହାଭୈରବ ମନ୍ଦିରର ଉପାସକ ଭଦ୍ରବାହୁ ।

 

ରତ୍ନଗିରିର ତୋରଣ ପାର୍ଶ୍ଵସ୍ଥ ବଟବୃକ୍ଷରୁ କପୋତଟିର ନିର୍ଜନ ବିଳାପ ଭାସିଆସିଲା ।

 

ରାତ୍ରି କ୍ରମେ ଗଭୀର ହେଉଥାଏ । ଶୀତଳତା ନିଶିର ଶିଶିରକଣିକା ଜେମାଙ୍କର ମୁଖମଣ୍ଡଳରେ ଶାନ୍ତି ଓ ସ୍ଵସ୍ତ୍ୟୟନର ମୁଦ୍ରା ଲେଖିଯାଇଥାଏ । ଜେମାଙ୍କର ପ୍ରତ୍ୟାବର୍ତ୍ତନରେ ଅସ୍ୱାଭାବିକ ବିଳମ୍ୱ ଘଟିଥିବାରୁ ଉତ୍‍କଣ୍ଠିତ ରାଜନବରରୁ ମଶାଲଧାରୀ ଜଣେ ଅଶ୍ୱାରୋହୀ ତୀରବେଗରେ ଏଆଡ଼େ ଛୁଟିଆସୁଥିଲେ ।

 

॥ ଅଠେଇଶି ॥

 

ବଜ୍ରସତ୍ତ୍ୱଙ୍କର ହତ୍ୟା ଘଟଣା ସମଗ୍ର କଳିଙ୍ଗ–କଙ୍ଗୋଦ–ଉତ୍କଳ ଏବଂ କୋଶଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । କାପାଳିକଙ୍କର ସ୍ୱୀକୃତି ଅନୁଯାୟୀ ପ୍ରାଥମିକ ବିଚାରରେ ତାଙ୍କୁ ହତ୍ୟାକାରୀ ବୋଲି ଧରିନିଆଯାଇଥିଲେ ମଧ୍ୟ ତାହାଙ୍କର ସ୍ୱୀକୃତିର ବହୁଦିଗ ଅଦ୍ୟାପି ଜଟିଳ ଓ ରହସ୍ୟାବୃତ ବୋଧହେଉଥିବାରୁ ବ୍ୟାବହାରିକଙ୍କ (ମୁଖ୍ୟ ବିଚାରକ) ଅନୁରୋଧରେ ଚୂଡ଼ାନ୍ତ ବିଚାର ପର୍ଯ୍ୟନ୍ତ ତାଙ୍କୁ ସମ୍ମାନିତ ରାଜବନ୍ଦୀର ମର୍ଯ୍ୟାଦା ଦିଆଯାଇଛି ।

 

କାପାଳିକ ନିଜକୁ ରାଜଜେମା ଓ ବଜ୍ରସତ୍ତ୍ୱ, ଏ ଉଭୟଙ୍କର ହତ୍ୟାକାରୀ ବୋଲି ଘୋଷଣା କରୁଥିଲେ ହେଁ ମହାଭୈରବ ମନ୍ଦିରର ପୂଜକ ଭଦ୍ରବାହୁଙ୍କ ସାକ୍ଷ୍ୟରୁ ଏହା ଅନେକାଂଶରେ ଅମୂଳକ ପ୍ରମାଣିତ ହୋଇଛି । ତେଣୁ ହସି ହସି ମୃତ୍ୟୁଦଣ୍ତ ଭିକ୍ଷା କରୁଥିବା ଏ ଅଦ୍ଭୁତ କାପାଳିକଙ୍କୁ ରାଜାଦେଶରେ ସ୍ୱତନ୍ତ୍ର କାରାକକ୍ଷରେ କେବଳ ମାତ୍ର ଅଟକ ରଖାଯାଇଛି । ଅଟକବନ୍ଦୀଙ୍କୁ ଶୃଙ୍ଖଳାବଦ୍ଧ କରିବା ମଧ୍ୟ ଆବଶ୍ୟକ ପଡ଼ି ନାହିଁ । କାରା କକ୍ଷରେ ଥିବାଯାଏ ତାହାଙ୍କର ପୂଜାଉପାସନା, ଦୈନନ୍ଦିନ କର୍ତ୍ତବ୍ୟ ବା ଖାଦ୍ୟପାନୀୟରେ ଯେପରି କୌଣସି ଅସୁବିଧା ନ ହୁଏ, ସେଥିପାଇଁ ମହାରାଜାଧିରାଜଙ୍କ ପକ୍ଷରୁ ସଂପ୍ରତି ଶାସନର ସମସ୍ତ ଦାୟିତ୍ୱରେ ଥିବା ସର୍ବାଧ୍ୟକ୍ଷଙ୍କର ନିର୍ଦ୍ଦେଶ ରହିଛି । ସୁତରାଂ, ବୃଦ୍ଧ ପ୍ରଶାସ୍ତ୍ରୀ (କାରାଗାରର ମୁଖ୍ୟ କର୍ମ‍ଚାରୀ) ଏ ବିଷୟରେ ଅତ୍ୟନ୍ତ ସଜାଗ ।

 

ମହାମାନ୍ୟ ବସୁକଳ୍ପଙ୍କର ରାଜଛତ୍ର ତଳେ ସମଗ୍ର ବୌଦ୍ଧଜଗତର ଶତ୍ରୁ ଜଣେ କାପାଳିକଙ୍କୁ ମୃତ୍ୟୁଦଣ୍ତ ପରିବର୍ତ୍ତେ ଏଭଳି ଅବାଞ୍ଛିତ ଓ ବିସ୍ମୟଜନକ ରାଜ ସମ୍ମାନ ଦିଆଯାଉଥିବାରୁ ପୁଷ୍ପଗିରି, ତକ୍ଷଶିଳା, ନାଲନ୍ଦା ଓ ପାଲୁର୍ ପ୍ରଭୃତିରେ ଏହାର ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି ।

 

ଇତ୍ୟବସରରେ ଏକଦା ଆତ୍ମସମର୍ପଣକାରୀ ଜନ୍ମେଜୟ ମହାରାଜ ତାହାଙ୍କର କେତେକ ତୋଷାମଦକାରୀ ପାର୍ଶ୍ୱଚରମାନଙ୍କ କୁପରାମର୍ଶରେ ଲୁପ୍ତ ରାଜ୍ୟର ପୁନରୁଦ୍ଧାର ନିମନ୍ତେ ଦିବାସ୍ୱପ୍ନ ଦେଖୁଥିବାର ଶୁଣାଯାଏ ।

 

ସେ ଯାହାହେଉ ଭୌମକର ସାମ୍ରାଜ୍ୟର ସାମରିକ ଶକ୍ତି ଅଦ୍ୟାପି ସୁଦୃଢ଼ ଥିବାରୁ ରାଜ୍ୟ ମଧ୍ୟରେ ବା ବାହାରେ କୌଣସି ଆକ୍ରମଣ ବା ରାଜନୈତିକ ଅଶାନ୍ତିର ଆଶଙ୍କା ନାହିଁ । ଏହା ସତ୍ତ୍ୱେ ରତ୍ନଗିରିର ଭାଗ୍ୟାକାଶ ସମ୍ପୂର୍ଣ୍ଣ ମେଘମୁକ୍ତ ନୁହେଁ । ପ୍ରାଣାଧିକା କନ୍ୟାର ଆକସ୍ମିକ ବିୟୋଗ ପରେ ମହାରାଜାଧିରାଜ ବସୁକଳ୍ପ ରାଜକର୍ମରୁ ଅବ୍ୟାହତି ନେଇ ‘ଅମରାବତୀ’ରେ ବୌଦ୍ଧଭିକ୍ଷୁର ଜୀବନ ଯାପନ କରୁଛନ୍ତି । ମସ୍ତକ ମୁଣ୍ଡିତ, ପରିଧାନ ପୀତବସ୍ତ୍ର । ରାଜଦଣ୍ଡ ଓ ଛତ୍ର ପରିବର୍ତ୍ତେ ଦଣ୍ଡ, ଚୀବର ଓ ଭିକ୍ଷାପାତ୍ର ତାହାଙ୍କର ଭୂଷଣ ହୋଇପଡ଼ିଛି ।

 

ସର୍ବାଧ୍ୟକ୍ଷ ବୈରିଗଞ୍ଜନ ଓ ମହାସାମନ୍ତ ସଦାଶିବ ତାହାଙ୍କୁ ଏ ନିଷ୍ଠୁର ସଂକଳ୍ପରୁ ନିବୃତ୍ତ ହେବାପାଇଁ ବାରମ୍ବାର ଅନୁରୋଧ ଜଣାଇଥିଲେ । କିନ୍ତୁ ବସୁଧାରାଙ୍କର ମୃତ୍ୟୁ ପରେ ଉନ୍ମନା ମହାରାଜାଧିରାଜଙ୍କର ମାନସିକ ଅବସ୍ଥା କ୍ରମେ ସାଂଘାତିକ ହୋଇଉଠୁଥିବାରୁ ତାହାଙ୍କର ଅନ୍ତରଙ୍ଗମାନଙ୍କର ପରାମର୍ଶ କ୍ରମେ ବୌଦ୍ଧ ପଣ୍ତିତ ‘ପ୍ରଜ୍ଞାଙ୍କୁ’ ଜରୁରୀ ଆହ୍ୱାନ କ୍ରମେ ଅମରାବତୀକୁ ଅଣାଯାଇଥିଲା ।

 

ବୌଦ୍ଧାଚାର୍ଯ୍ୟ ପ୍ରଜ୍ଞା ନାଳନ୍ଦାରେ ଶିକ୍ଷା ଶେଷ କରି ଯୋଗ ଶିକ୍ଷା କରିବା ନିମିତ୍ତ ପୁଷ୍ପଗିରି ବିହାରରେ ସ୍ଥାୟୀ ବସବାସ କରୁଥିଲେ ମଧ୍ୟ ସୂଚିତ ସମୟରେ ସେ ନିଜର ଜନ୍ମଭୂମି ଦର୍ଶନଭେ କାବୁଲ ନିକଟସ୍ଥ କପିଶାତୀରକୁ ଯାତ୍ରା କରିଥିଲେ । ସ୍ୱତନ୍ତ୍ର ବାର୍ତ୍ତାବହ ସାହାଯ୍ୟରେ ତାଙ୍କୁ ଶୀଘ୍ର ରତ୍ନଗିରିକୁ ଫେରାଇ ଆଣିବାର ବ୍ୟବସ୍ଥା କରାଯାଇଥିଲା ।

 

ପ୍ରଜ୍ଞାଙ୍କର ପ୍ରତ୍ୟାବର୍ତ୍ତନ ପରେ ବସୁକଳ୍ପଙ୍କର ମାନସିକ ଅବସ୍ଥାରେ ସାମାନ୍ୟ ପରିବର୍ତ୍ତନ ଦେଖା ଦେଇଥିଲା । ଆପ୍ରତ୍ୟାଶିତ ଭାଗ୍ୟବିଦ୍ରୂପର ଏ ଧକ୍‍କାରେ ଭାଙ୍ଗି ନ ପଡ଼ିବାକୁ ପ୍ରଜ୍ଞାଙ୍କର ମଧୁର ଉପଦେଶ ତାହାଙ୍କୁ ଯଥେଷ୍ଟ ଶକ୍ତି ଯୋଗାଇଥିଲା । ହେଲେ ହେଁ ଭଗ୍ନସ୍ୱପ୍ନର ଏକ ପିରାମିଡ଼୍ ତଳୁ ଜେମାଙ୍କର ବିଷଣ୍ଣ ଜୀବନ–ନାଟକ ଓ ତାହାଙ୍କର ଶେଷ ପଦଟି ତାହାଙ୍କୁ ବାରମ୍ବାର ବ୍ୟାଥାହତ କରୁଥିଲା । ଲକ୍ଷ ଲକ୍ଷ ବାର ଧାରଣୀଆବୃତ୍ତି ମଧ୍ୟରେ ଶୁଭିଯାଉଥିଲା ସେ ଅମୃତବୋଳା ତାନ....‘‘କାପାଳିକ !!” ...ସବୁ ବିସ୍ମୃତି ଭିତରେ ଅଶ୍ରୁଳ ଅଧିତ୍ୟକାର ଏକ ବିଡ଼ମ୍ୱିତ ସ୍ମାରକୀ ସେ ପଦଟି । ବାସ୍ ଏତିକି....ଏହାପରେ ସବୁ ଶେଷ ହୋଇଗଲା ।

 

ବସୁଧାରାଙ୍କର ଅଚେତ ଶରୀର ମାଣିକ୍ୟପୁରୀକୁ ଆନୀତ ହେବାପରେ ରାଜବୈଦ୍ୟ ଧନ୍ୱନ୍ତରୀଙ୍କର ଅକ୍ଳାନ୍ତ ଚେଷ୍ଟାରେ ସେ ଥରଟିଏ ମାତ୍ର ସଂଜ୍ଞା ଲାଭ କରି ଅନୁଚ୍ଚ କଣ୍ଠରେ ସେତିକି ମାତ୍ର ଉଚ୍ଚାରଣ କରିଥିଲେ । ସେଥିରୁ କ’ଣ ଅବା ବୁଝନ୍ତେ ସେ ?

 

ଏ ଅବସ୍ଥାରେ ସକଳ ରହସ୍ୟର ଉଦ୍‍ଘାଟନ ଦାୟିତ୍ୱ ସର୍ବାଧ୍ୟକ୍ଷଙ୍କ ଉପରେ ନ୍ୟସ୍ତ କରି ସେ ‘ତଥାଗତ’ଙ୍କର ଧ୍ୟାନ ଧାରଣାରେ ଶାନ୍ତି ପାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ କାହିଁ ସେ ଶାନ୍ତି-? କାହିଁ ସେ ବରାଭୟ ?? ଅମରାବତୀ ଓ ମାଣିକ୍ୟପୁରୀର ମେଘନାଦ ପାଚେରୀ ତଳେ ନା ପୁଷ୍ପଗିରିର ପ୍ରାର୍ଥନା–ମନ୍ଦିରରେ ? କେଉଁଠି ରହିଛି ତଟନିରଞ୍ଜନା ଓ ବୋଧିଦ୍ରୂମର ସେ ପ୍ରଶାନ୍ତ ସଙ୍ଗୀତ ???

 

ଜୀବନର ଘଞ୍ଚ ଉରୁବିଲ୍ୱରେ ବହୁ ପ୍ରତୀକ୍ଷାର ସେ ଆଲୋକକୁ ଅନ୍ଵେଷଣ କରି ଆସିଛନ୍ତି । ସେ ଆଜିଯାଏ ପ୍ରତି ନିଶି ଓ ନିଶୀଥିନୀର ନିଶ୍ଚଳତା ମଧ୍ୟରେ....ଅର୍ହତ ଅର୍ହତା ଏବଂ ଭିକ୍ଷୁଭିକ୍ଷୁଣୀଙ୍କର ନିରନ୍ତର ଅନୁସନ୍ଧାନର ଘଟାନ୍ତରୀ ସନ୍ଧ୍ୟା ସକାଳରେ । କିନ୍ତୁ, କାହିଁ, କାହିଁ ତାହାର ପ୍ରାପ୍ତି ??

 

ବସୁକଳ୍ପ ଓ ବସୁଧାରାର ଅଗଣିତ ଅବଶୋଷ ପରି ଗହନ ମାୟାବୀ ଓ ପଳାତକ, ଇତିହାସର ସେ ତନ୍ଦ୍ରାଚ୍ଛନ୍ନ ଭାଷା । ଅଶ୍ରୁସ୍ତବକିତ ପଞ୍ଜରରେ ତାକୁ ଖୋଜିବାକୁ ହୁଏ । ଶୂନ୍ୟରୁ ଶୂନ୍ୟ... ଆହୁରି ମହାଶୂନ୍ୟରେ ସେ ନିର୍ବେଦ ନିର୍ବାଣର ଇତିବୃତ୍ତ ଲେଖାହୁଏ...ବହୁ ଶୂନ୍ୟ ଆଖିର ବେଦନାମଥିତ ପରିଭାଷାରେ...ରତ୍ନମଞ୍ଜରୀ ଏବଂ ବସୁଧାରାଙ୍କର ସମାଧି ପଥରର ଉଷର ଶଯ୍ୟାରେ । ଯେଉଁ ଉଷରରେ ତନ୍ଦ୍ରାବାଉଳା ଇତିକଥାର ଅଭିସାର ବାଷ୍ପୀଭୂତ ହୋଇମିଳାଇ ଯାଏ କେଉଁ ମହାଶୂନ୍ୟରେ...ଯାତନା–ଜର୍ଜର ଅନ୍ତରୀକ୍ଷରେ ମହାପ୍ଲାବନ ଭୂମିରେ ।

 

ବିକ୍ଷିପ୍ତ ଭାବନାରେ ଉତ୍ତେଜିତ ହୋଇ ଉଠୁଥିଲା ଭିକ୍ଷୁ ବସୁକଳ୍ପଙ୍କର ସମସ୍ତ ସ୍ନାୟୁକେନ୍ଦ୍ର-

 

ଓଁ ନମଃ ସମସ୍ତ ବୁଦ୍ଧନାଂ....ଆବୃତ୍ତି କରୁ କରୁ ଶୀତଳ ପ୍ରଶାନ୍ତିରେ ସେ ମଗ୍ନ ହୋଇଯିବାକୁ ଚେଷ୍ଟା କରୁଥିଲେ ।

 

॥ ଅଣତିରିଶ ॥

 

ସ୍ୱତନ୍ତ୍ର କାରାକକ୍ଷର ଗବାକ୍ଷ ପଥରେ ଶୁକ୍ଳା ନବମୀର ଚନ୍ଦ୍ରିକା ଝରି ଆସୁଥିଲା । ବୈଶାଖର ହା’ହୁତାଶମୟ ବକ୍ଷରେ ବିଞ୍ଚି ହୋଇ ପଡ଼ିଥିବା ଜ୍ୟୋତ୍ସ୍ନାକଣାର ବୟସ କଳନା କରିବା ପାଇଁ ପ୍ରୟାସ କରୁଥିଲେ କାପାଳିକ । କେଉଁ ଆଲୋକବର୍ଷରେ ବା ଚାନ୍ଦ୍ର ସମ୍ବତ୍ସରର ଶୀତଳ ମାୟାରେ ସେ ଆଦିମ ଆଲୋକର ଆୟ କଷାହୁଏ । ଆକାଶର ବହୁ ଊର୍ଦ୍ଧ୍ୱରେ ସକାଳ ସନ୍ଧ୍ୟାକୁ ନିଃଶେଷ କରି ଅନନ୍ତ କାଳର ଗୁଡ଼ାଏ ଅସରନ୍ତି ଖିଅ ଗୁଡ଼େଇ ତୁଡ଼େଇ ହୋଇଯାଆନ୍ତି ଜ୍ୟୋତ୍ସ୍ନାର ସେହି ବିକ୍ଷିପ୍ତ କଣିକାଗୁଡ଼ାକ ଉପରେ ।

 

ମାଣିକ୍ୟପୁରୀ ସମ୍ମୁଖର ସମାଧି ଦୁଇଟିରେ ନଷ୍ଟ ଚନ୍ଦ୍ରିକାର ପରାଗମାନେ ମୃତ ବାଦୁଡ଼ିର ଡେଣାପରି ଝୁଲି ରହିଥିଲେ । ଯେତେଦୂର ସମ୍ଭବ, ଦୃଷ୍ଟି ପ୍ରସାରିତ କରି ସେ ସମାଧି ଦୁଇଟିକୁ ଦେଖି ନେଉଥିଲେ କାପାଳିକ ।

 

ପ୍ରାୟ ଏକମାସ ହେବ କାରାକକ୍ଷରେ ଆବଦ୍ଧ ହେଲାଦିନୁ ପ୍ରତିଦିନ ଏହିପରି ଦୃଷ୍ଟିରେ ସେ ସମାଧି ଦୁଇଟାକୁ ଅନାଇ ରହନ୍ତି l କୃଷ୍ଣା ରଜନୀର ଅନ୍ଧକାର ବା ଚାନ୍ଦ୍ରରଜନୀର ବେପରୁଆ ଆଲୋକ କିଛି ପରିବର୍ତ୍ତନ ଆଣେ ନାହିଁ ଅପଲକ ନେତ୍ରର ସେ ଗଭୀରତାରେ ।

 

ସେ ତନ୍ଦ୍ରାଚ୍ଛନ୍ନ କି ଜାଗ୍ରତ କିଛି ବୁଝିପାରନ୍ତି ନାହିଁ । ବାତାୟନ ପଥରେ ରାତି ରାତି ଓ ଦିନ ଦିନ ସେଆଡ଼େ ଚାହିଁ ଚାହିଁ ସମୟର ଖିଅଗୁଡ଼ାକୁ ଅଡ଼ୁଆ ତଢ଼ୁଆ କରିବାରେ ସେ ନିଜକୁ ହଜାଇ ଦେଇଥାଆନ୍ତି ।

 

ମାସାବଧି ଆହାର ବା ନିଦ୍ରା ନାହିଁ । କେବଳ ସାମାନ୍ୟ ଜଳ ଟିକେ ଟିକେ ପାନ କରି ସେ ବଞ୍ଚି ପାରିବାର ଅଦ୍ଭୁତ ଖିଆଲରେ ବଞ୍ଚି ରହିଛନ୍ତି । ତାଙ୍କୁ ଏ ଖିଆଲରୁ ନିବୃତ୍ତ କରାଇବାକୁ ସ୍ଵୟଂ ପ୍ରଶାସ୍ତ୍ରୀ ବହୁତ ଉଦ୍ୟମ କରିଥିଲେ, କିନ୍ତୁ ତାହାଙ୍କର ସମସ୍ତ ଚେଷ୍ଟା ବିଫଳ ହୋଇଛି ।

 

ଏଥି ମଧ୍ୟରେ କାପାଳିକଙ୍କୁ ଏକାଧିକବାର ସ୍ୱତନ୍ତ୍ର ବିଚାରାଳୟକୁ ନିଆଯାଇଛି । ଦରବାର ଗୃହର ଏକ ନିଭୃତ ଅଂଶରେ ସ୍ୱତନ୍ତ୍ର ବିଚାର କକ୍ଷ । ମଧ୍ୟଦେଶରେ ରାଜକୀୟ ଆଡ଼ମ୍ୱର ଓ ମର୍ଯ୍ୟାଦାରେ ବିଭୂଷିତ ଭୌମକର ବଂଶର ନ୍ୟାୟ ସିଂହାସନ । ପାର୍ଶ୍ୱରେ ରାଜଦଣ୍ତ ଓ ମଣିମୟ ରାଜଛତ୍ର...ଏବେ ଶ୍ରୀହୀନ ହୋଇପଡ଼ିଛି । ରାଜସିଂହାସନର ଅଦୂରରେ ସର୍ବାଧ୍ୟକ୍ଷଙ୍କ ଆସନ । ସର୍ବାଧ୍ୟକ୍ଷଙ୍କ ଆସନ ପରେ ବ୍ୟାବହାରିକଙ୍କ ପାଇଁ ଆସନ ନିର୍ଦ୍ଧାରିତ ।

 

ଉକ୍ତ ବିଚାର ସମୟରେ ମଧ୍ୟବର୍ତ୍ତୀ ଆସନଟି ଶୂନ୍ୟ ପଡ଼ିଥିବାରୁ ବିଚାରାଳୟରେ ସର୍ବାଧ୍ୟକ୍ଷ ଏବଂ ବ୍ୟାବହାରିକଙ୍କ ଭିନ୍ନ ସାକ୍ଷୀ ଭଦ୍ରବାହୁ, ଦଣ୍ଡପାଣିକ, ସ୍ଵତନ୍ତ୍ର କାରାଗାରର ରକ୍ଷୀ, ପ୍ରଥମ କାୟସ୍ଥ (ମୁଖ୍ୟ କିରାଣୀ ସଦୃଶ) ଓ ପୁସ୍ତକପାଳ (କାଗଜପତ୍ର ରକ୍ଷକ କର୍ମଚାରୀ) ଉପସ୍ଥିତ ରହିଥିବାର ଦେଖାଯାଏ ।

 

ଦଣ୍ତପାଣିକଙ୍କର ସମସ୍ତ ଅଭିଯୋଗରେ କାପାଳିକଙ୍କର ନିର୍ବିବାଦ ସ୍ୱୀକୃତି ବ୍ୟାବହାରିକଙ୍କୁ ମହା ସମସ୍ୟାରେ ପକାଇଛି । ଭଦ୍ରବାହୁଙ୍କର ସାକ୍ଷ୍ୟ ଭିତ୍ତିରେ ଚୂଡ଼ାନ୍ତ ରାୟ ଦେବା, ତାଙ୍କ ପକ୍ଷରେ ସମ୍ଭବ ହେଉ ନାହିଁ । ଏ ସମସ୍ୟାରେ ଭିକ୍ଷୁବ୍ରତଧାରୀ ମହାରାଜାଧିରାଜଙ୍କର ପରାମର୍ଶ ଲୋଡ଼ାଯାଇଥିଲେ ମଧ୍ୟ ତାଙ୍କ ଆଖିର ନୀରବ ମୁଦ୍ରାରୁ ବ୍ୟାବହାରିକ କିଛି ଥଳକୂଳ ପାଉ ନାହାନ୍ତି ।

 

ଏଥର ‘ସମର’ ନାମାଙ୍କିତ ଏକ ରକ୍ଷାକବଚ ଦଣ୍ତପାଣିକଙ୍କର ହସ୍ତଗତ ହୋଇଛି । ସେ ତାହା, ତାହାଙ୍କର ଜଣେ ଗୁପ୍ତଚରଠାରୁ ପାଇଥିବା ବିଷୟ ମାନ୍ୟବର ବ୍ୟାବହାରିକଙ୍କ ନିକଟରେ ସ୍ୱୀକାର କରିଅଛନ୍ତି । ବଜ୍ରସତ୍ତ୍ୱ ହତ୍ୟାଘଟଣାର ପରଦିନ ସେ ଗୁପ୍ତଚରଟି ପଦାକାକୃତି ଏ ରକ୍ଷାକବଚଟିକୁ ସଙ୍ଘାରାମରୁ ପାଇଥିଲେ ବୋଲି ଜଣାଯାଏ । ବିଚାରାଳୟକୁ ନୂତନ ଆଲୋକ ଦେଖାଇବାରେ ଏ କବଚଟିର ମୂଲ୍ୟ କଳନାତୀତ ବୋଲି ସର୍ବାଧ୍ୟକ୍ଷ ମଧ୍ୟ ବିଚାରପତିଙ୍କ ସହିତ ଏକମତ ।

 

ବ୍ୟାବହାରିକଙ୍କ ହସ୍ତରୁ ଏ ରକ୍ଷାକବଚଟି ନେଇ ତନ୍ନ ତନ୍ନ କରି ପରୀକ୍ଷା କରୁଥିଲେ ସର୍ବାଧ୍ୟକ୍ଷ । ହଠାତ୍ ତାହାଙ୍କର ଚକ୍ଷୁ ବାଷ୍ପାଚ୍ଛନ୍ନ ହୋଇଉଠିଲା । ଉଦ୍‌ଗତ ଅଶ୍ରୁ ଓ କୋହ ଚାପି ସେ ସମ୍ୱନ୍ଧରେ ଅଭିଯୁକ୍ତ କାପାଳିକଙ୍କଠାରୁ ବିବୃତ୍ତି ନେବାକୁ ସେ ବ୍ୟାବହାରିକଙ୍କୁ ଇଙ୍ଗିତ ଦେଲେ ।

 

ବ୍ୟାବହାରିକଙ୍କ ପ୍ରଶ୍ନର ଉତ୍ତରରେ ରକ୍ଷାକବଚଟି ତାହାଙ୍କର ଗୁପ୍ତସମ୍ପତ୍ତି ବୋଲି କାପାଳିକ ଅଙ୍ଗୀକାର କଲେ । ଏହାପରେ ଆଉ କିଛି ନୂତନ ତଥ୍ୟ ପ୍ରାପ୍ତି ଆଶାରେ ବ୍ୟାବହାରିକ ଏବଂ ଦଣ୍ଡପାଣିକଙ୍କର ଚକ୍ଷୁ ଉଜ୍ଜଳ ହୋଇଉଠିଲା । ହେଲେ ହେଁ କାପାଳିକଙ୍କର ସ୍ୱୀକୃତି ପରେ ସର୍ବାଧ୍ୟକ୍ଷ ବୈରିଗଞ୍ଜନ ଆଉ ଦରବାର ଗୃହରେ ସ୍ଥିର ହୋଇ ରହିପାରିଲେ ନାହିଁ । ବିଚାରର ଅବଶିଷ୍ଟାଂଶରେ ଉପସ୍ଥିତ ରହିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ବ୍ୟାବହାରିକଙ୍କୁ ଜଣାଇଦେଇ ସେ ଝଡ଼ ବେଗରେ ଦରବାର ଗୃହରୁ ପ୍ରସ୍ଥାନ କଲେ ।

 

କାପାଳିକ ଯେ ନିଃସନ୍ଦେହ ଭାବରେ ବଜ୍ରସତ୍ତ୍ୱଙ୍କର ହତ୍ୟାକାରୀ ଏହା ରକ୍ଷାକବଚ ଓ ରକ୍ତଲିପ୍ତ ତ୍ରିଶୂଳ ତଥା ଭଦ୍ରବାହୁଙ୍କର ସାକ୍ଷ୍ୟରୁ ପ୍ରମାଣିତ ହେବା ପରେ କେଉଁ ପରିସ୍ଥିତିରେ ଏ ହତ୍ୟାକାଣ୍ଡର ସୃଷ୍ଟି ତାହା ହିଁ ବର୍ତ୍ତମାନ ବିଚାର୍ଯ୍ୟ । ଏଥିନିମନ୍ତେ ଭୈରବ ମନ୍ଦିରର ପୂଜକଙ୍କର ସାକ୍ଷ୍ୟ କେତେଦୂର ନିର୍ଭରଯୋଗ୍ୟ, ତାହା ସମ୍ୟକ୍ ରୂପେ ପରୀକ୍ଷା କରି ଚୂଡ଼ାନ୍ତ ରାୟ ଦେବାକୁ ବ୍ୟାବହାରିକ ରାଜସିଂହାସନ ନିକଟରୁ ଆଉ ମାତ୍ର ପାଞ୍ଚଦିନ ସମୟ ଭିକ୍ଷା କରି ସେଦିନ ପାଇଁ ବିଚାର ସ୍ଥଗିତ ରଖିଲେ ।

 

ଦରବାର–ବିରତିର ଶେଷ ଘଣ୍ଟାନାଦରେ ମାନ୍ୟବର ବ୍ୟାବହାରିକ ସ୍ୱତନ୍ତ୍ର ବିଚାର କକ୍ଷର ସୋପାନ ପରେ ସୋପାନ ଅବତରଣ କରୁଥିଲେ ଏକାନ୍ତ ନିବିଷ୍ଟ ଓ ଚିନ୍ତାମଗ୍ନ ଭାବରେ ।

 

॥ ତିରିଶି ॥

 

କମ୍ପଗଡ଼ ଉଆସର ଏକ ମୂର୍ଚ୍ଛିତା ରାତ୍ରି । ଅତୀତର ସେହି ରାତ୍ରିପରି ବେଦନାହତା ଓ ସହସ୍ର ଆଶଙ୍କାରେ ଗର୍ଭବତୀ ।

 

ଚେଇଁ ଚେଇଁ ସ୍ୱପ୍ନ ଦେଖୁଥିଲେ ବୈରିଗଞ୍ଜନ.....ଆସନ୍ନ ଭବିଷ୍ୟତର ଓ କଙ୍ଗୋଦ ପୁନରୁଦ୍ଧାରର । ଏ ଅଭିଯାନରେ ଦକ୍ଷିଣ କୋଶଳକୁ ବିପର୍ଯ୍ୟସ୍ତ କରି କଙ୍ଗୋଦକୁ ପୁନରୁଦ୍ଧାର କରିବାକୁ ହେବ ଏବଂ କାଳ କାଳ ପାଇଁ ଜନ୍ମେଜୟଙ୍କୁ ଏପରି ଶିକ୍ଷା ଦିଆଯିବ ଯେ ସେ ଯେପରି ଆଉ ଭୌମସାମ୍ରାଜ୍ୟର ସୀମା ସ୍ପର୍ଶ ନ କରନ୍ତି ।

 

ଭୌମ ଓ ସୋମବଂଶୀମାନଙ୍କର ସାମରିକ ଘାଟିଗୁଡ଼ିକ ତାହାଙ୍କର କଳ୍ପନା ନେତ୍ରରେ ଭାସିଯାଉଥିଲା । ସାମାନ୍ୟ ଜଣେ ପଦାତିକ ସୈନ୍ୟରୁ ମହାସନ୍ଧି ବିଗ୍ରହୀର ପଦମର୍ଯ୍ୟାଦା ଲାଭ କରିବା ପର୍ଯ୍ୟନ୍ତ କଳିଙ୍ଗ, କଙ୍ଗୋଦ, ଉତ୍କଳ ଓ କୋଶଳର କେତେ ଅନାମୀ ବନପର୍ବତରେ ତାହାଙ୍କର ଲହୁଲୁହ ଝରିପଡ଼ିଛି ଦେଶମାତୃକା ପାଇଁ । ସିଂହର୍ବଶର ବୀର ଶିଶୁଭାବରେ ହସି ହସି ସେ ସର୍ବଦା ଆଗୁଆ ବାହିନୀରେ ସମ୍ମୁଖ ସମରକୁ ଲମ୍ଫ ଦେଇଛନ୍ତି । ଜନ୍ମଭୂମିର ଟେକ ନିକଟରେ ଜୀବନ, ଯୌବନ ଓ ପତ୍ନୀପୁତ୍ରର ମାୟା ତୁଚ୍ଛ ବୋଧ ହୋଇଛି ।

 

ସାମାନ୍ୟ ପଦାତିକ ଅବସ୍ଥାରୁ ମହାବଳାଧିକୃତର ଆସନକୁ ଉନ୍ନୀତ ହେବାଯାଏ ମହାମାନ୍ୟ ବସୁକଳ୍ପ କେଶରୀଙ୍କର ଉତ୍ସାହମୟୀବାଣୀ ବହୁ ସଙ୍କଟଜନକ ଅବସ୍ଥାରେ ତାହାଙ୍କର ପଥପ୍ରଦର୍ଶକ ହୋଇଛି ।

 

ଶୟନ କକ୍ଷର ଦ୍ୱାରଦେଶରେ କାହାର ପଦଶବ୍ଦ ଶୁଣି ସେ ଚମକି ଉଠିଲେ ।

 

ପ୍ରବେଶ ପାଇଁ ତାହାଙ୍କର ଅନୁମତି ଭିକ୍ଷା କରୁଥିଲା ଅନ୍ତଃପୁରର ପରିଚାରିକା ସଲିଳା ।

 

“ମଣିମା !” ...ରାତ୍ରିଶେଷର ଏ ଅସତର୍କ ମୁହୂର୍ତ୍ତରେ ସେ କଣ୍ଠସ୍ଵର ଶୁଣି ଉଦ୍‌ବିଗ୍ନ ହୋଇଉଠିଲେ ବୈରିଗଞ୍ଜନ ।

 

ଶୟନ କକ୍ଷର ପ୍ରବେଶ ପଥକୁ ଦୃଷ୍ଟିଦେଲେ ସେ ।

 

–କି ସଲୀଳା, ଅନ୍ତଃପୁରରେ ସମସ୍ତ କୁଶଳ ତ ?

 

ତାଙ୍କୁ ଅଭିନନ୍ଦନ ଜଣାଇ ସଲୀଳା ଉତ୍ତର ଦେଲା–

 

“ସର୍ବକୁଶଳ ମଣିମା !!! ମହାଦେବୀ ଶ୍ରୀଛାମୁଙ୍କୁ ସ୍ମରଣ କରିଛନ୍ତି ।”

 

–ମହାଦେବୀ ? ଏ ଅସମୟରେ......ବିସ୍ମୟ ବିସ୍ଫାରିତ ନେତ୍ରରେ ମନକୁ ମନ ଗୁଣି ହେଉଥିଲେ ସେ ।

 

–ଆଚ୍ଛା, ଯାଅ । ଦେବୀଙ୍କୁ ସମ୍ବାଦ ଦିଅ, ଶ୍ରୀଛାମୁ ବିଜେ କରୁଛନ୍ତି ।

 

ସଲୀଳା ପ୍ରସ୍ଥାନ କଲା ।

 

ସେ ଦେଖୁଥିଲେ–ଆସନ୍ନପ୍ରସବା ଅନଙ୍ଗମଞ୍ଜରୀଙ୍କର ପାଣ୍ତୁର ମୁଖମଣ୍ତଳ ତାହାଙ୍କର ପ୍ରତୀକ୍ଷାରେ ବ୍ୟଗ୍ର ହୋଇଉଠିଛି ।

 

ଆଃ, ଅନଙ୍ଗମଞ୍ଜରୀ !! ବହୁ ପ୍ରତୀକ୍ଷାର ଏକ ମୂର୍ଚ୍ଛିତ ଦୀପଶିଖା ।

 

ଯୁଦ୍ଧବିଗ୍ରହର ଏ ଅତଟ ଜୀବନରେ ଖୁବ୍ କମ୍ ସମୟ ପାଇଁ ସେ ତାହାଙ୍କ ବିଷୟ ଚିନ୍ତା କରିଛନ୍ତି । ତଥାପି ଦୁଃଖ ନାହିଁ ତାହାଙ୍କର । ଆନନ୍ଦାଶ୍ରୁରେ ଗଣ୍ଡପ୍ଳାବିତ କରି ପ୍ରତିଥର ସେ ତାଙ୍କୁ ବୀରବେଶରେ ସଜାଇ ଦେଇଛନ୍ତି । କିନ୍ତୁ ଏଥର ? ସେ ଶଯ୍ୟା-ଶାୟିନୀ, ଆସନ୍ନ ପ୍ରସବା ।

 

ତାହାଙ୍କର ଆର୍ଦ୍ରଚକ୍ଷୁପଥରେ ବନ୍ଦାଣଥାଳୀ ଧରି ଉଭା ହେଉଥିଲେ ବଞ୍ଚିତା ଅନଙ୍ଗମଞ୍ଜରୀ । ମୁହୂର୍ତ୍ତକ ନିମନ୍ତେ ଗର୍ଭବେଦନାର ସମସ୍ତ କଷ୍ଟ ଯେପରି ବିସ୍ମୃତ ହୋଇଯାଇଥିଲେ ସେ ।

 

ଅନ୍ତଃପୁର ଅଭିମୁଖେ ବ୍ୟଗ୍ରପଦରେ ଗତି କରୁଥିଲେ ସେ । କାହିଁ ? ନବଜାତ ସନ୍ତାନର କୁଆଁ କୁଆଁ ସ୍ୱରରେ ଉତ୍ସବ ମୁଖରିତ ହେଉ ନାହିଁ ତ ଅନ୍ତଃପୁରୀ ?

 

ତାହାହେଲେ ଏ ଅସମୟରେ ମହାଦେବୀ କାହିଁକି ସ୍ମରଣ କଲେ ତାହାଙ୍କୁ ? କେତେ କ’ଣ ଅଶୁଭ ଆଶଙ୍କାରେ ଅସ୍ଥିର ହୋଇଉଠୁଥିଲେ ସେ ।

 

କୁମ୍ଭାଟୁଆ ଡାକରେ ପାହାନ୍ତି ତାରାର ନିତ୍ୟ ଜନ୍ମୋତ୍ସବର ଶୁଭଶଙ୍ଖ ବାଜିଉଠିଲା ।

 

ସେ ବ୍ୟସ୍ତପଦରେ ଅନ୍ତଃପୁରରେ ପ୍ରବେଶ କଲେ । ଛାମୁ ବିଜେ କରିବାର ସୁସମ୍ବାଦରେ ଶରୀରର ସବୁ ପୀଡ଼ା ଭୁଲି ଶଯ୍ୟାରୁ ଉତ୍‍ଥିତା ହେଲେ ଅନଙ୍ଗମଞ୍ଜରୀ ।

 

କଙ୍ଗୋଦ–ଅଭିଯାନର ଭେରୀ, ତୁରୀ ଓ କାହାଳୀ ବାଜିଉଠିଲା । ଦାମାମା ନିର୍ଘୋଷରେ ଓଡ଼ିଆ ବାହିନୀର ହର୍ଷୋଲ୍ଲାସର ଧ୍ୱନି ରତ୍ନଗିରିଠାରୁ କମ୍ପଗଡ଼ ପର୍ଯ୍ୟନ୍ତ ଅଞ୍ଚଳ ମୁଖରିତ କରି ଗଗନ ପବନ ମଥିତ କରିଦେଉଥାଏ ।

 

–“ମୋତେ ସ୍ମରଣ କରିଥିଲେ ଦେବୀ ? କିନ୍ତୁ ମୁଁ ବଡ଼ ଦୁଃଖିତ ଯେ ଏ ଅସମୟରେ ମୁଁ କଙ୍ଗୋଦ ପଥର ଅଭିଯାତ୍ରୀ । ସୈନ୍ୟ ସୈନା ପ୍ରସ୍ତୁତ । ବିଦାୟ ଦିଅନ୍ତୁ ମହାଦେବୀ ।”

 

“ପୁଣି ବିଦାୟ !”–ଚମକି ଉଠିଲେ ଅନଙ୍ଗମଞ୍ଜରୀ ।

 

ତାହାଙ୍କର ନିସ୍ତେଜ ଚକ୍ଷୁ ଦୁଇଟି ଯୁଗ ଯୁଗର ଅଶ୍ରୁରେ ଟଳମଳ ହୋଇଉଠିଲା ।

 

ଅଶ୍ରୁ ପୋଛି ସେ ହସିବାକୁ ଚେଷ୍ଟା କରୁଥିଲେ ।

 

–“ଶ୍ରୀଛାମୁଙ୍କୁ ସ୍ମରଣ କରିଥିଲି ବୋଧହୁଏ, ବିଦାୟର ଏହି ଚିରନ୍ତନ ବାର୍ତ୍ତା ଶୁଣିବା ପାଇଁ ।”

 

ସେ ନିର୍ବାକ୍ ହୋଇଉଠିଥିଲେ ।

 

–“ଗର୍ଭସ୍ଥ ସନ୍ତାନର ପିତା ଆପଣ । ଅଥଚ ଏ ଅସମୟରେ....”ଆଉ କିଛି କହିପାରିଲେ ନାହିଁ ଅନଙ୍ଗମଞ୍ଜରୀ ।

 

–“ମୁଁ ନିରୁପାୟ ଦେବୀ ! ମୋତେ କ୍ଷମା କର । ପ୍ରଭୁ ତଥାଗତଙ୍କର ଆଶୀର୍ବାଦରୁ ଏ ଗର୍ଭର ସନ୍ତାନ ନିଶ୍ଚୟ ପୁତ୍ର ହେବ । ମୁଁ ସ୍ୱପ୍ନ ଦେଖିଛି, ଦେବି ! ବିଶ୍ଵାସ କର ।”

 

–“ପୁତ୍ର ??” ଅଦ୍ୟାପି ଅନପତ୍ୟା ଅନଙ୍ଗମଞ୍ଜରୀଙ୍କର–ରିକ୍ତ ମାତୃତ୍ୱ ବିଳପି ଉଠୁଥିଲା ବହୁ ଅବ୍ୟକ୍ତ ବେଦନାରେ ।

 

ସୈନ୍ୟ ସେନାଙ୍କର ଉନ୍ମାଦକର ଯାତ୍ରା ସଙ୍ଗୀତରେ ବୈରିଗଞ୍ଜନ ଅଥୟ ହୋଇଉଠିଥିଲେ ।

 

–“ଆଉ କାଳବିଳମ୍ବ ନ କରି ବିଦାୟ ଦିଅ ଦେବି ! ନବଜାତକକୁ ଏ ଅସମୟରେ ମୋର ସମର ଯାତ୍ରାର ଅଶ୍ରୁଳ ସଙ୍କେତ ସ୍ୱରୂପ ‘ସମର’ ନାମାଙ୍କିତ ଏ ରକ୍ଷାକବଚଟି ଦେଇଯାଉଛି-। ନବଜାତକର ବାହୁରେ ତାହା ପିନ୍ଧାଇ ଦେବ । ସମର–ବିଳାସୀ ପିତାର ଏହା ହିଁ ନବଜାକ ପାଇଁ ଏକମାତ୍ର ଉପହାର ।”

 

ତାହାଙ୍କର କଣ୍ଠ ବାଷ୍ପାଚ୍ଛନ୍ନ ହୋଇ ଆସିଲା ।

 

ମଥାରେ ବିଜୟତିଳକ ଦେଇ ତାଙ୍କ ଉଦ୍ଦେଶ୍ୟରେ ପ୍ରଣତି ବାଢ଼ିଥିଲେ ଅନଙ୍ଗମଞ୍ଜରୀ । ତାହା ହୁଏତ ଥିଲା ତାହାଙ୍କର ଅନ୍ତିମ ପ୍ରଣତି ।

 

କଙ୍ଗୋଦ–ଅଭିଯାନରେ ସେଥର ସେ ବିଜୟୀ ହେଲେ । ତାହାଙ୍କର ଅପୂର୍ବ ରଣଚାଳନାର ପୁରସ୍କାର ସ୍ୱରୂପ ମହାବଳାଧିକୃତରୁ ମହାସନ୍ଧିବିଗ୍ରହୀର ନୂତନ ପଦାଧିକାର ଲାଭ କଲେ । କିନ୍ତୁ ତାହାଙ୍କର ଏ ସୁଦିନରେ ଭାଗୀ ହେବାକୁ ଦେବୀ ଅନଙ୍ଗମଞ୍ଜରୀ ଆଉ ଏ ପୁରରେ ନ ଥିଲେ । କୁମାର ସମରକୁ ଜନ୍ମଦେବାର ସପ୍ତମ ଦିବସରେ ସେ ଆରପୁରକୁ ଯାତ୍ରା କଲେ ।

 

କଙ୍ଗୋଦ ପ୍ରାନ୍ତର ଏକ ଗୁପ୍ତ ଘାଟିରେ ସେ ଏ ଦୁଃସମ୍ବାଦ ପାଇଲାବେଳକୁ ରଣୋନ୍ମାଦନା, ଏହାର ଚରମ ପର୍ଯ୍ୟାୟରେ ଥାଏ । ତେଣୁ ପ୍ରିୟତମା ଅନଙ୍ଗମଞ୍ଜରୀଙ୍କ ପାଇଁ ପ୍ରାଣଭରି ଅଶ୍ରୁ, ଝୋପିଏ ନିଗାଡ଼ି ଦେବାକୁ ଅବସର ପାଇ ନ ଥିଲେ ସେ । ରଣପିପାସୁର ପ୍ରାଣହୀନ ପଞ୍ଜରରେ ସେ କେବଳ ଯୁଦ୍ଧ ପରେ ଯୁଦ୍ଧ ଲଢ଼ିଚାଲିଥିଲେ ।

 

ଭାଗ୍ୟହୀନ ସମର ସେହିଦିନୁଁ ସଲୀଳାର ଉତ୍ସଙ୍ଗରେ ଲାଳିତ ପାଳିତ ହେଲେ । ତାହାଙ୍କୁ ଦେଖିଲେ ମଞ୍ଜରୀଙ୍କର ନିଖୁଣଛବି ତାହାଙ୍କର ସ୍ମୃତିପଟରେ ଭାସିବୁଲେ ।

 

–ଆଜିକୁ ତେଇଶି ବର୍ଷତଳର ପାଇବା ହଜାଇବାର ଏକ ତନ୍ଦ୍ରିଳ ଇତିହାସ ସେ । ଅତୀତର ସେ ତନ୍ଦ୍ରାଭଙ୍ଗ କରିବାରେ ସୁଖ ଅପେକ୍ଷା ଦୁଃଖର ମାତ୍ରା ହୁଏତ ଅଧିକ ।

 

କିନ୍ତୁ ସମର୍ ?? ନା...ନା ..କାପାଳିକ ! ଆଜି ସେ ଗୁପ୍ତ ଘାତକ !! ହତ୍ୟାକାରୀ !! ବୌଦ୍ଧଜଗତର ଶତ୍ରୁ !! ସ୍ୱତନ୍ତ୍ର ବିଚାରାଳୟର ଅଭିଯୁକ୍ତ ବ୍ୟକ୍ତି !! ତାକୁ ପୁତ୍ର ବୋଲି ଡାକିବାର ଦମ୍ଭ ସେ ହରାଇଛନ୍ତି ।

 

ତାହାଙ୍କର ବକ୍ଷ ଥରାଇ ଦୀର୍ଘଶ୍ୱାସଟିଏ ବାହାରି ଆସିଲା । ସେ କାତର କଣ୍ଠରେ ଡାକି ଉଠୁଥିଲେ–ସମର୍ ! ସମର୍ !!

 

ସିଂହବଂଶର କୁଳପ୍ରଦୀପ ସମର୍ ସେତେବେଳକୁ କରାକକ୍ଷର କେଉଁ ନିଷ୍ପ୍ରାଣତା ମଧ୍ୟରେ ସ୍ୱର୍ଗତା ଜନନୀଙ୍କର ବଞ୍ଚିତ ନାରୀତ୍ୱର ଚୁକ୍ତିପତ୍ର ଲେଖୁଥିଲେ ପ୍ରତୀକ୍ଷାର ନବାକ୍ଷରରେ......ଜୀବନ ଲାଗି ଜୀବନକୁ ତିଳ ତିଳ ଓ ପଳ ପଳ କରି ଝରାଇଦେବାର ଦୂରନ୍ତ ଅଭିଳାଷ ମଧ୍ୟରେ... ।

 

॥ ଏକତିରିଶି ॥

 

ଏଥର ସ୍ୱତନ୍ତ୍ର ବିଚାରାଳୟରୁ ଫେରିବା ପରେ କାପାଳିକଙ୍କର ଦେହମନର ଅବସ୍ଥା କ୍ରମେ ସାଂଘାତିକ ହୋଇଉଠୁଛି । ରାଜବୈଦ୍ୟ ଧନ୍ୱନ୍ତରୀଙ୍କ ପରାମର୍ଶ କ୍ରମେ ସେ ଗତକାଲି ସାମାନ୍ୟ ତରଳ ଖାଦ୍ୟପଦାର୍ଥ ଗ୍ରହଣ କରିଥିଲେ । ହେଲେ ହେଁ ଏହାପରେ ତାହାଙ୍କର ଅବସ୍ଥା ଉଦ୍ ବେଗଜନକ ହେଉଥିବାର ଲକ୍ଷ୍ୟ କରାଯାଏ ।

 

ଦେହରେ ସାମାନ୍ୟ ଜ୍ୱର ଥିବାରୁ ଏହାର ଉପଶମ ନିମନ୍ତେ ଧନ୍ୱନ୍ତରୀ ଔଷଧ ଓ ପାଚନ ସେବନର ବ୍ୟବସ୍ଥା କରିଯାଇଥିଲେ । ବନ୍ଦୀଙ୍କ ଦ୍ୱାରା ତାହା ଉପେକ୍ଷିତ ହୋଇଛି ।

 

ସାନ୍ନିପାତିକ ତୃଷାରେ ଅସ୍ଥିର ହୋଇ ସେ ଗତ ରାତ୍ରିରୁ ‘ଜଳ’ ‘ଜଳ’ ବୋଲି ଚିତ୍କାର କରୁଥିଲେ ।

 

ବର୍ତ୍ତମାନ ତୃଷାର ସେ ଜ୍ୱାଳା ଆଉ ନାହିଁ ।

 

ବିକ୍ଷୁବ୍‌ଧ ସମୁଦ୍ରରେ ପ୍ରଶାନ୍ତି ଆସିଛି ।

 

ଶୂନ୍ୟ ଦୃଷ୍ଟିରେ ଦୂରଦିଗ୍ ବଳୟ ଆଡ଼କୁ ଚାହିଁରହିଥିଲେ ବନ୍ଦୀ । ଅତୀତର ସେହି ଚଇତ ପାହାନ୍ତିର ସୁଲୁସୁଲୁ ପବନ ତାହାଙ୍କର ଦେହ ଆଉ ମନରେ ଶିହରଣ ସୃଷ୍ଟି କରୁଥାଏ ।

 

ବେଗବାନ୍ ଅଶ୍ୱ ଦୁଇଟି ଛୁଟି ଚାଲିଲେ ଉଲ୍ଲାସିନୀ ଗୁମ୍ପା ଅଭିମୁଖେ–

 

ତାହାପରେ ? ତାହାପରେ ??

 

ସ୍ମୃତିର ସୂତ୍ର ଛିନ୍ନ ହୁଏ । ଝାପ୍‌ସା ଦୃଷ୍ଟିପଥରେ ଭାସିଯାଏ ଗୁଡ଼ାଏ କିଲିବିଲି ଛାଇ ଆଉ ଅନ୍ଧକାର । ଜନ୍ମେଜୟଙ୍କ ସହିତ ଦୀର୍ଘକାଳ ଯୁଦ୍ଧପରେ ରକ୍ତଲିପ୍ତ ଶରୀରରେ ସେ ମୃତ୍ୟୁର ଅପେକ୍ଷା କରୁଥାନ୍ତି । କିନ୍ତୁ କିଏ ସେହି କରୁଣାମୟୀ ମୂର୍ତ୍ତି, ଯିଏ ତାଙ୍କୁ ଅକ୍ଳାନ୍ତ ସେବା ଶୁଶ୍ରୁଷା କରି ବଞ୍ଚାଇରଖିଲା ??

 

ରତ୍ନ ! ନା, ନା, ବସୁଧାରା !! ଧାତ୍ରୀ ସଲୀଳା, ଜନନୀ ସଲୀଳା !!!

 

ଯେ ତାଙ୍କୁ ବକ୍ଷର ରକ୍ତ ଦେଇ ବଞ୍ଚାଇ ରଖିଥିଲା, ଯେ ତାଙ୍କୁ କୋଳରେ ଧରି ନିର୍ମାଖୀ ଜୀବନର ସବୁ ଦୁଃଖ କଷ୍ଟ ଭୁଲିଯିବାକୁ ଚେଷ୍ଟା କରିଥିଲା । ସେ ଉଦାର ମାତୃମୂର୍ତ୍ତି ! ! ଆଜି ତାକୁ ଶେଷ ଦର୍ଶନ କରନ୍ତେ । ତାହାର ପ୍ରସାରିତ ପଣତ ତଳୁ ମାଗି‍ନିଅନ୍ତେ ଅନ୍ତିମ ଯାହା ପାଇଁ ଯେତେ କିଛି ପାଥେୟ !

 

–ନିଷ୍ଫଳ ! ନିଷ୍ଫଳ ଏ ଉଦ୍‌ଭ୍ରାନ୍ତ କାମନା ! ନିଜକୁ ନିଜେ ଉପହାସ କରିଉଠିଲେ ବନ୍ଦୀ ।

 

କରାକକ୍ଷର ନିର୍ବେଦ ତମସା ମଧ୍ୟରେ କିଏ ଆଣିଦେବ ତାହାଙ୍କୁ ସେ ଆଲୋକ ?

 

ଗବାକ୍ଷ ପଥରେ ବହୁ ଆଲୋକ ଝରିଆସୁଛି । କିନ୍ତୁ ଏ ଆଲୋକ କ’ଣ ଘୁଞ୍ଚାଇପାରିବ ହୃଦୟର ସେ ଅନ୍ଧକାରକୁ ?

 

ପ୍ରଳାପ କଲାପରି ନିଜକୁ ନିଜେ ପ୍ରଶ୍ନ କରୁଥିଲେ ବନ୍ଦୀ ।

 

ହଠାତ୍ ତାହାଙ୍କର ଶୂନ୍ୟ ଦୃଷ୍ଟିପଥରେ ପ୍ରଭୁ ବୁଦ୍ଧଙ୍କର ଧ୍ୟାନଗଭୀର ମୂର୍ତ୍ତି ଭାସିଉଠିଲା । ଉଷାର ରଙ୍ଗୀନ୍ ମେଘ ଫାଙ୍କରୁ ଝରିପଡ଼ିଲା ରାଶି ରାଶି ଆଲୋକ । ଜ୍ୟୋତିଃର ବନ୍ୟାରେ କାରାକକ୍ଷ ପ୍ଲାବିତ ହେଲା, ଆଉ ସେ ପ୍ଲାବନର ତାଳେ ତାଳେ ଦୁଇ ଜଣ ଭିକ୍ଷୁଣୀ ମିଳିତ କଣ୍ଠରେ ଗାଇଉଠିଲେ–

 

ବୁଦ୍ଧଂ ଶରଣଂ ଗଚ୍ଛାମି

ସଂଙ୍ଘ ଶରଣଂ ଗଚ୍ଛାମି

ଧମ୍ମଂ ଶରଣଂ ଗଚ୍ଛାମି ।

 

ବନ୍ଦୀଙ୍କର ଦୃଷ୍ଟି ଅର୍ଦ୍ଧନିମୀଳିତ ହୋଇଆସିଲା । ଘଡ଼ିକ ପୂର୍ବର ସବୁ କ୍ଳାନ୍ତି ଓ ଶାନ୍ତି ଭୁଲି ସେ ପଦ୍ମାସନରେ ବସିଲେ । ସେ ଅଶରୀରୀ ଧ୍ୱନି ସହିତ ତାଳ ମିଳାଇ ସେ ଆବୃତ୍ତି କରି ଚାଲିଲେ–

 

ବୁଦ୍ଧଂ ଶରଣଂ ଗଚ୍ଛାମି

ସଂଙ୍ଘ ଶରଣଂ ଗଚ୍ଛାମି ।

 

ଆଲୋକର ଦୋଳାରେ ଦୋଳାୟିତ ହୋଇ ସେ କେଉଁ ମହାଶୂନ୍ୟକୁ ଉଠୁଥିବାର ଅନୁଭବ କଲେ ।

 

ତାହାଙ୍କର କଣ୍ଠର ସ୍ୱର କ୍ରମେ କ୍ଷୀଣରୁ କ୍ଷୀଣତର ହୋଇଆସିଲା ।

 

ପ୍ରଚଣ୍ଡ ଶବ୍ଦ କରି କାରାଗାରର ଦ୍ୱାର ଉନ୍ମୁକ୍ତ ହେଲା ।

 

ବନ୍ଦୀଙ୍କର ଚକ୍ଷୁ ପୂର୍ଣ୍ଣ ନିମୀଳିତ । ବାହ୍ୟ ଜଗତର କୌଣସି କୋଳାହଳ ସେତେବେଳକୁ ଆଉ ତାହାଙ୍କୁ ସ୍ପର୍ଶ କରୁ ନ ଥାଏ ।

 

କାପାଳିକଙ୍କର କବର ତଳୁ ନିର୍ଦ୍ଦୋଷ ସମର ସିଂହଙ୍କୁ ମୁକ୍ତି ଦେବାପାଇଁ ଚୂଡ଼ାନ୍ତ ରାୟର ପ୍ରତିଲିପି ଘେନି ଆସିଥିଲେ ସ୍ୱୟଂ ମହାରାଜଧିରାଜ, ସର୍ବାଧ୍ୟକ୍ଷ, ପ୍ରଶାସ୍ତ୍ରୀ ଓ ବ୍ୟାବହାରିକ ।

 

କିନ୍ତୁ ବହୁତ ବିଳମ୍ବରେ ଆସିଲେ ସେମାନେ । ଛଦ୍ମବେଶୀ ସମର ସିଂହଙ୍କର ପ୍ରାଣବାୟୁ ସେତେବେଳକୁ ମୁକ୍ତବିହଙ୍ଗ ପରି ପକ୍ଷ ମେଲାଇ କେଉଁ ଅନନ୍ତ ଦିଗ୍‌ବଳୟରେ ମିଶିଯାଇଥିଲା ।

 

ବସୁକଳ୍ପ ଓ ବୈରିଗଞ୍ଜନଙ୍କର “ସମର ! ସମର !!” ଡାକରେ କାପାଳିକଙ୍କର ସେ ଯୋଗନିଦ୍ରା ଆଉ ଭାଙ୍ଗିଲା ନାହିଁ ।

 

ଲୋକମୁଖରୁ ବାର୍ତ୍ତା ପାଇ କମ୍ପଗଡ଼ ଉଆସର ନିର୍ଜନ କାରାରୁ ଛୁଟି ଆସିଥିଲା ପାଗଳିନୀ ସଲୀଳା । ଦୀର୍ଘ ବ୍ୟବଧାନ ପରେ କାରାମୁକ୍ତ କାପାଳିକଙ୍କୁ ‘ପୁତ୍ର’ ‘ପୁତ୍ର’ ଡାକି ବକ୍ଷରେ ଚାପିଧରିବାକୁ । କିନ୍ତୁ କାହିଁ ତା’ର ପୁତ୍ର ? କାହିଁ ତାହାର ସମର୍ ???

 

କାରାକକ୍ଷର ପାଷାଣ ପ୍ରାଚୀରରେ ପିଟି ହୋଇଗଲା ତାହାର ଦେବନାନ୍ତ ମାତୃତ୍ଵର ବହୁ ବିମଥିତ ସଙ୍ଗୀତ ।

 

ଆଜି ବୁଦ୍ଧଜୟନ୍ତୀ ଓ ଚନ୍ଦନ ପୂର୍ଣ୍ଣିମା । ପରମ ବୁଦ୍ଧ ଜଗନ୍ନାଥଙ୍କର ଦର୍ଶନ ପାଇଁ ଯାତ୍ରୀ ସ୍ରୋତ ଅଦ୍ୟାପି ଶ୍ରୀକ୍ଷେତ୍ର ଅଭିମୁଖରେ ଆଗେଇ ଚାଲିଥାଏ । ବୁଦ୍ଧଜୟନ୍ତୀ ମହୋତ୍ସବ ନିମନ୍ତେ ପୁଷ୍ପଗିରି ଲୋକାରଣ୍ୟ । କିନ୍ତୁ ବହିର୍ଜଗତର ଏ ଶୋଭାଯାତ୍ରାରୁ ସମ୍ପୂର୍ଣ୍ଣ ବଞ୍ଚିତ୍, ହତଚକିତ ବସୁକଳ୍ପ ଏବଂ ବୈରିଗଞ୍ଜନ ସମର ସିଂହଙ୍କର ନିଷ୍ପ୍ରାଣ ଶରୀର ନିକଟରେ ଦୁଇଟି ନିଶ୍ଚଳ ପାଷାଣ ମୂର୍ତ୍ତିପରି ଦଣ୍ଡାୟମାନ ହୋଇଥିଲେ ।

 

କାରକକ୍ଷର ଅଦୂରରେ ଉନ୍ମାଦିନୀ ସଲୀଳାର କରୁଣ କଣ୍ଠରେ ‘ପୁତ୍ର’......‘ପୁତ୍ର’ର ଅନନ୍ତ ଆକୁଳତା, ସମଗ୍ର ରତ୍ନଗିରିକୁ ଆନ୍ଦୋଳିତ କରୁଥାଏ ।

 

ମହାନିର୍ବାଣ ଓ ପରମ ପ୍ରଶାନ୍ତିର ବହୁ ଊର୍ଦ୍ଧ୍ୱରେ ଜନନୀତ୍ୱର ଏ ଚିରନ୍ତନ ବିଳାପ ସତେ ଯେପରି ଚିର ଅସମାହିତ ।

 

॥ ବତିଶି ॥

 

ଛଦ୍ମବେଶୀ କାପାଳିକଙ୍କର ମୃତ୍ୟୁ ପରେ ବୌଦ୍ଧଧର୍ମପୀଠଗୁଡ଼ିକରେ ସୃଷ୍ଟି ହୋଇଥିବା ଉତ୍ତେଜନା କ୍ରମେ କ୍ରମେ ହ୍ରାସ ପାଇ ଆସୁଅଛି । କିନ୍ତୁ ସମର ସିଂହଙ୍କର ମୃତ୍ୟୁସମ୍ବାଦ ପ୍ରଚାରିତ ହେବାଦିନରୁ ଦକ୍ଷିଣ କୋଶଳ ସୀମାରେ ମଧ୍ୟେ ମଧ୍ୟେ ଅଶାନ୍ତି ଓ ଉପଦ୍ରବ ଦେଖାଦେଇଛି । ଏହା ଜନ୍ମେଜୟଙ୍କର ଗୁପ୍ତଚରମାନଙ୍କର କାର୍ଯ୍ୟ ବୋଲି ସନ୍ଦେହ କରାଯାଉଥିଲେ ମଧ୍ୟ ମହାସନ୍ଧିବିଗ୍ରହୀ ଅମିତାଭ ଭଞ୍ଜ ଏ ସମ୍ୱନ୍ଧରେ କୌଣସି ପ୍ରତିକ୍ରିୟା ପ୍ରକାଶ କରୁ ନ ଥିବା, ବାସ୍ତବରେ ବିସ୍ମୟଜନକ ।

 

କେବଳ କୋଶଳ ସୀମା କାହିଁକି ଭୌମ ସାମ୍ରାଜ୍ୟର ଅନ୍ୟତ୍ର ମଧ୍ୟ ଶାନ୍ତିଭଙ୍ଗର ଅଗ୍ରସୂଚନା ଦେଖାଗଲାଣି । ଦେଶର ଅଖଣ୍ତତା ପ୍ରତି ଏଭଳି ବିପଦ ଘନେଇ ଆସୁଥିବା ବେଳେ ସୈନ୍ୟବାହିନୀ ମଧ୍ୟରେ ଅନ୍ତର୍ବିବାଦର ଆଳ ଦେଖାଇ ମହାସନ୍ଧିବିଗ୍ରହୀ ଓ ମହାବଳାଧିକୃତ ଅମିତାଭ ତାହାଙ୍କର ଦାୟିତ୍ଵରେ ଅବହେଳା ପ୍ରକାଶ କରୁଥିବାରୁ ସର୍ବାଧ୍ୟକ୍ଷ ବୈରିଗଞ୍ଜନ ଅତ୍ୟନ୍ତ ବିବ୍ରତ ହୋଇପଡ଼ିଛନ୍ତି ।

 

ପୁତ୍ରଶୋକର ଦୁଃଖ ଅପେକ୍ଷା ଅମିତାଭଙ୍କର ଏ ଆତ୍ମଘାତୀ ଭୂମିକା ତାଙ୍କୁ ଅଧିକ ବ୍ୟଥାଦାୟକ ବୋଧ ହେଉଛି ।

 

ଗୁପ୍ତସମ୍ୱାଦରୁ ଏହା ଏକ ସାମରିକ ବିଦ୍ରୋହର ପୂର୍ବାଭାସ ବୋଲି ଜଣାଯାଉଥିଲେ ମଧ୍ୟ ଭୌମ ସାମ୍ରାଜ୍ୟର ଏ ଦୁର୍ଦ୍ଦିନରେ ସୈନ୍ୟସେନାମାନଙ୍କର ଏ ହୀନ ଷଡ଼ଯନ୍ତ୍ର କାହିଁକି ? କାହାର ନେତୃତ୍ୱରେ ଏହା ପରିଚାଳିତ ?

 

ମହାବଳାଧିକୃତ ଅମିତାଭ ? ଯେଉଁ ଉଚ୍ଚାଶା ବା ଉଦଗ୍ର କାମନାର ଦର୍ଶନରେ ସେ ଏପରି ନୀଚ କର୍ମରେ କ୍ଷତ୍ରିୟର ମର୍ଯ୍ୟାଦା କଳଙ୍କିତ କରିବେ ?

 

ଅବଶ୍ୟ ଯୁଗଯୁଗର ରାଜନୀତି ଶାସ୍ତ୍ରରେ ନୀଚତା ଆଉ ଉଚ୍ଚାତାର ଏ ପ୍ରଶ୍ନ ହୁଏତ ନିତାନ୍ତ ମୂଲ୍ୟହୀନ । ରାଜନୈତିକ ସୁବିଧାବାଦର ମହାରଣ୍ୟରେ ସ୍ୱାର୍ଥଲେହୀ ମାନବର ସ୍ୱରୂପ ଚିର ବୀଭତ୍ସ । ତାହାର ବ୍ୟାଧିତ ଲାଳସା ନିକଟରେ କାର୍ଯ୍ୟ, କାରଣ ଦୟା, ମାୟା, ମମତା ଓ ସ୍ୱଦେଶପ୍ରୀତିର କୌଣସି ଅର୍ଥ ନାହିଁ ।

 

ତାହାଙ୍କର ଆକସ୍ମିକ ପଦୋନ୍ନତି ଓ ସ୍ୱର୍ଗତ ସମରର ସ୍ୱତନ୍ତ୍ର ବଳାଧିକୃତର ମର୍ଯ୍ୟାଦା ସଙ୍ଗେ ଅମିତ ରାଜାନୁଗ୍ରହ, ବଳାଧିକୃତଙ୍କର ଚକ୍ଷୁଶୂଳ ହୋଇଥାଇପାରେ । ହେଲେ ହେଁ ସେ ତ ତାହା ମୁକ୍ତ କଣ୍ଠରେ ପ୍ରକାଶ କରିପାରିଥାନ୍ତେ । ଭୌମକର ବଂଶର ଗୌରବୋଜ୍ଜ୍ୱଳ ଇତିହାସକୁ ଅକ୍ଷୁଣ୍ଣ ରଖିବାପାଇଁ ଆବଶ୍ୟକ ହୋଇଥିଲେ ସେ ହସି ହସି ସର୍ବାଧ୍ୟକ୍ଷର ଆସନ ତ୍ୟାଗକରି ଓହ୍ଲାଇଯାଇଥାନ୍ତେ ସାମାନ୍ୟ ଜଣେ ସୈନିକର ଆସନକୁ । ପତ୍ନୀପୁତ୍ର ଓ ମହାରାଜାଧିରାଜଙ୍କର ସ୍ନେହ ସୌଜନ୍ୟ ହରାଇଦେବା ପରେ ସେ ଆସନ ହିଁ ଥିଲା ତାହାଙ୍କର ଏକାନ୍ତ କାମ୍ୟ । ଦେଶମାତୃକା ଲାଗି ଶେଷ ରକ୍ତବିନ୍ଦୁଟି ଝରାଇଦେଇ ସେ ଶେଷ ନିଦ୍ରାଯାଇଥାନ୍ତେ ବଡ଼ମୂଳ, ସପ୍ତକ୍ରୋଶୀ, ମହେନ୍ଦ୍ରାଚଳ, ମାଲ୍ୟବନ୍ତ ବା ଚିଲିକା କୂଳର କେଉଁ ସାମରିକ ଘାଟିରେ ।

 

ଆଉ ଅଧିକ ଚିନ୍ତା କରିପାରିଲେ ନାହିଁ ବୈରିଗଞ୍ଜନ । ଶତଶତ ହିଂସ୍ର ଚକ୍ଷୁ ତାହାଙ୍କୁ ଚୌଦିଗରୁ ଆଗୁଳି କରି ରଖିଲାପରି ସେ ଅନୁଭବ କଲେ । ଏ ଅସମୟରେ, ମହାରାଜାଧିରାଜ ବସୁକଳ୍ପଙ୍କର ଉପଦେଶ ଭିକ୍ଷା କରିବାକୁ ପ୍ରାଣ ତାହାଙ୍କର ବ୍ୟାକୁଳ ହୋଇଉଠୁଥିଲେ ମଧ୍ୟ କ’ଣ ଭାବି ସେ ତହିଁରୁ ନିବୃତ୍ତ ହେଲେ ।

 

–ନା ଥାଉ, ଜୀବନରେ ସବୁ ଦିଗରୁ ରିକ୍ତ ଓ ବଞ୍ଚିତ ସେ ପିତୃକଳ୍ପ ପୁରୁଷଙ୍କର ସାଧନାରେ ସେ ଆଉ ବିଘ୍ନ ସୃଷ୍ଟି କରିବେ କାହିଁକି ?

 

ଅଦୂରରୁ ଉଚ୍ଛୃଙ୍ଖଳ ସୈନ୍ୟସେନାଙ୍କର ମିଳିତ କୋଳାହଳ ଭାସିଆସିଲା । ଉତ୍କଟ କ୍ଷମତା–ମୋହର ଏ ହିଂସ୍ର ତୂର୍ଯ୍ୟନାଦରେ ସର୍ବାଧ୍ୟକ୍ଷ ବୈରିଗଞ୍ଜନ ପ୍ରମାଦ ଗଣିଲେ । ସେ ଅଥୟଭାବରେ ରାଜମାର୍ଗକୁ ଦୃଷ୍ଟିଦେଲେ ।

 

ଦଳଦଳ ଅଶ୍ୱାରୋହୀ ସୈନ୍ୟ ମଶାଲ ହସ୍ତରେ ତାଙ୍କ ଆଡ଼କୁ ଛୁଟି ଆସୁଛନ୍ତି । ସେମାନଙ୍କ ମଧ୍ୟରେ କେହି ଶତ୍ରୁପକ୍ଷୀୟ ସୈନ୍ୟ ନୁହନ୍ତି । ସମସ୍ତେ ଏହି ମାଟିର, ଏହି ପାଣିପବନର-। ସମ୍ମୁଖରେ ସେମାନଙ୍କର ଅଗ୍ରଣୀ ସ୍ୱୟଂ ମହାବଳାଧିକୃତ ଅମିତାଭ ଭଞ୍ଜ ।

 

ଗୁପ୍ତଚର ମୁଖର ସମ୍ୱାଦ ତାହାହେଲେ ମିଥ୍ୟା ନୁହେଁ ।

 

ଆଉ କାଳବିଳମ୍ୱ ନ କରି ପାଷାଣ–କାବ୍ୟର ଅନ୍ତିମ ସର୍ଗ ନିଜ ହାତରେ ନିଜେ ଲେଖିଦେବାପାଇଁ ପ୍ରସ୍ତୁତ ହୋଇଗଲେ ବୈରିଗଞ୍ଜନ ।

 

॥ ତେତିଶି ॥

 

ବିଦ୍ରୋହୀମାନଙ୍କର ମଶାଲନିଆଁରେ ରତ୍ନଗିରି ଜଳୁଛି । ଜଳିପୋଡ଼ି ଭସ୍ମ ହୋଇଯାଉଛି ଭୌମକର ବଂଶର ସୁଦୀର୍ଘ ଇତିହାସ ।

 

ରାଜନବର ତ୍ୟାଗ କରି ମହାରାଜା ଏହି କାଳରେ ପୁଷ୍ପଗିରିରେ ଆଶ୍ରୟ ନେଇଥିଲେ । ପୁଷ୍ପଗିରିବିହାର ମଧ୍ୟ ବିଦ୍ରୋହୀମାନଙ୍କର କବଳରୁ ରକ୍ଷା ପାଇପାରି ନାହିଁ । ବିପର୍ଯ୍ୟସ୍ତ ପୁଷ୍ପଗିରିରୁ ସାଶ୍ରୁଳ ନେତ୍ରରେ ଅନାଇ ରହିଥିଲେ ଭିକ୍ଷୁ ବସୁକଳ୍ପ । ତାହାଙ୍କର କ୍ଷୁବ୍‌ଧ ହୃଦୟର ଦଇନି ଉଲ୍ଲାସିନୀ ଗୁମ୍ଫାରେ ପ୍ରତିଧ୍ୱନି ତୋଳୁଥିଲା । ଇତିହାସ ଏ ଜଘନ୍ୟ ପୁନରାବୃତ୍ତିରେ ମହାମାୟା, ମହାଭୈରବୀଙ୍କର ନିର୍ନିମେଷ ଚକ୍ଷୁଧାରରୁ ଉକୁଟି ଉଠୁଥିଲା ବିଦ୍ରୂପର ହାସ୍ୟ ।

 

ଅମିତାଭ ଭଞ୍ଜ ବର୍ତ୍ତମାନ ଭୌମସାମ୍ରାଜ୍ୟର ସର୍ବେସର୍ବା । ସେ ମହାରାଜାଧିରାଜ, ସର୍ବାଧ୍ୟକ୍ଷ ଓ ମହାସନ୍ଧିବିଗ୍ରହୀ । ଦୀର୍ଘଦିନ ଧରି ତାହାଙ୍କର ଅବଚେତନରେ କୁହୁଳୁଥିବା ଈର୍ଷା ଓ କ୍ଷମତାଲୋଭର ଏ ବିସ୍ଫୋରଣ ଏତେ ଅତର୍କିତ ଓ ଆକସ୍ମିକ ଯେ ରତ୍ନଗିରିକୁ ଏ ଦୁର୍ଦ୍ଦିନରୁ ରକ୍ଷା କରିବାପାଇଁ ଜଣେ ହେଲେ ସୈନିକ ବୈରିଗଞ୍ଜନଙ୍କର ପଶ୍ଚାଦେଶରେ ନ ଥିଲେ । ତେଣୁ ସେ ଏକାକୀ ରକ୍ତମୁଖା ବିଦ୍ରୋହୀମାନଙ୍କର ସଙ୍ଗେ ଲଢ଼ି ଲଢ଼ି ଶେଷକୁ କାରାରୁଦ୍ଧ ହୋଇଥିଲେ ।

 

ଆଜି ଚିତ୍ରକ ଅମାବାସ୍ୟା । କ୍ଷମତାନ୍ଧ ଅମିତାଭଙ୍କର ସାମରିକ ଶାସନତନ୍ତ୍ରର କଳଙ୍କିତ ଅଧିବାସ ଦିବସ । ଏତେ ଅକ୍ଳେଶରେ ତାହାଙ୍କର କ୍ଷମତାଲିପ୍‍ସାର ଏ ଅପ୍ରତିରଥ ବିଜୟ ଘଟିବ ବୋଲି ସେ ନିଜେ ସୁଦ୍ଧା କଳ୍ପନା କରିପାରି ନ ଥିଲେ । ତେଣୁ ସେ ନିଜର ଅପ୍ରତ୍ୟାଶିତ କୃତିତ୍ୱରେ ଆତ୍ମହରା ହୋଇ ଐଶ୍ୱର୍ଯ୍ୟର ଶ୍ମଶାନ ମାଣିକ୍ୟପୁରୀ ଓ ଅମରାବତୀ ଆଡ଼କୁ ଦୃଷ୍ଟି ନିକ୍ଷେପ କରୁଥିଲେ ।

 

ନିର୍ଜନ ରାଜନବର ଓ ଶୂନ୍ୟ ରାଣୀଅନ୍ତଃପୁରର ରୁଧିରାକ୍ତ ପଞ୍ଜରାରେ ତାହାଙ୍କର ହୃଦୟହୀନ ବିଜୟର ଚରମପତ୍ର ଲେଖା ହେଉଥିଲା କେତେ କେଜାଣି ଅଦୃଶ୍ୟ ଓ ଅବ୍ୟକ୍ତ ଅନ୍ତର୍ଲିପିରେ ।

 

ଅର୍ଦ୍ଧଦଗ୍‌ଧ ରାଜପୁରୀ ହା–ହା–କାର କରି ଉଠୁଥିଲା । ପାରାବତ ପାଳିକାରେ ପାରାବତମାନଙ୍କର ଘୁମୁରିବାର ଶବ୍ଦ କେଉଁ ଏକ ଦୈତ୍ୟର କରସ୍ପର୍ଶରେ ନୀରବି ଆସିଥିଲା କାଳ କାଳ ପାଇଁ । ଚତୁର୍ଦ୍ଦିଗରେ ପୈଶାଚିକ ନୀରବତା । ଏ ଦୁରନ୍ତ ନୀରବତାର ବକ୍ଷଭେଦ କରି ସର୍ବହରା ବସୁକଳ୍ପ ଓ ବୈରିଗଞ୍ଜନଙ୍କର ଦୀର୍ଘନିଃଶ୍ୱାସ ଭାସିଆସୁଥିଲା ବ୍ରାହ୍ମଣୀ, ବୈତରଣୀ ଓ ଖରସ୍ରୋତାର ବନ୍ୟା ବିକ୍ଷୁବ୍‌ଧ ବକ୍ଷକୁ ଅଧିକ ବ୍ୟଥିତ ଓ ମଥିତ କରି ।

 

ପୁଷ୍ପଗିରି ବିହାର ଓ ରତ୍ନଗିରିର କାରାକକ୍ଷ...ଦୁଇ ବିପରୀତ ଦିଗରୁ ଚାରୋଟି ଶୂନ୍ୟ ଚକ୍ଷୁ ନିଷ୍ପଲକ ଦୃଷ୍ଟିରେ ରତ୍ନଗିରି କାବ୍ୟର ଏ ବିୟୋଗାନ୍ତକ ପର୍ବକୁ ଅଧ୍ୟୟନ କରିବାକୁ ଚେଷ୍ଟା କରୁଥିଲେ ।

 

ଶ୍ରାବଣ ଅମାବାସ୍ୟାର ଚିତ୍ରକ ପିଷ୍ଟକରେ ପିତୃଦେବ ପୂଜନର ଆବଶ୍ୟକତା ନ ଥିଲା ଆଉ ଏ ମହାଶ୍ମଶାନରେ । ନାରକୀୟ କ୍ଷମତାଲୋଭର ବିଭୀଷିକା କି ପୁର କି ପଲ୍ଲବାସୀ, ସମସ୍ତଙ୍କୁ ତଟସ୍ଥ କରିଦେଇଥିଲା ।

 

ତଥାପି ଭିକ୍ଷୁ ବସୁକଳ୍ପଙ୍କର ସ୍ମୃତିକୁ ଆସୁଥିଲା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ସୁବର୍ଣ୍ଣ ଚିତାଲାଗି ଦିବସର ସେ ରୋମାଞ୍ଚକର ଅନୁଭୂତି । ପାଟ ମହାଦେଈ ଅଂଶୁମାଳୀଙ୍କ ଗହଣରେ ସେଥର ସେ ନୀଳାଚଳ ଧାମକୁ ଯାତ୍ରା କରିଥିଲେ । ପରମବୁଦ୍ଧ, ଜଗନ୍ନାଥଙ୍କର ଦର୍ଶନ ସାରି ମଧ୍ୟାହ୍ନ ସମୟରେ ରତ୍ନଗିରି ଅଭିମୁଖେ ପ୍ରତ୍ୟାବର୍ତ୍ତନ କରୁଥିଲେ ସେମାନେ ।

 

ଅମାବାସ୍ୟାର ଦୁଇଦିନ ପୂର୍ବରୁ ଗଡ଼ରୁ ଯାତ୍ରା କରିବା ସମୟରେ ପଞ୍ଚଗ୍ରହକୂଟର ସମସ୍ତ ଲକ୍ଷଣ ପ୍ରକାଶ ପାଇଥାଏ । ଅମାବାସ୍ୟା ଦିବସରେ ମଙ୍ଗଳ, ବୃହସ୍ପତି, ଶନି, ରାହୁ ଓ ଚନ୍ଦ୍ର ସିଂହ ରାଶିରେ ଅବସ୍ଥାନ କରୁଥିବା ହେତୁ ରାଜା ଓ ରାଜ୍ୟ ପକ୍ଷେ ଭୟଙ୍କର ଅନିଷ୍ଟ ଦେଖାଦେବ ବୋଲି ପାଟ ଜ୍ୟୋତିଷୀ ଭବିଷ୍ୟତ୍ ବାଣୀ କରିଥିଲେ । ଏ ଦୁର୍ଯୋଗରେ ମହାପ୍ରଭୁଙ୍କ ଦର୍ଶନ ସ୍ଥଗିତ ରଖିବାପାଇଁ ସେ ତାଙ୍କୁ ବାରମ୍ବାର ଅନୁରୋଧ ଜଣାଇଥିଲେ । ହେଲେ ହେଁ ପରମ ସୌଗତ ବୁଦ୍ଧଦେବଙ୍କର ନାମ ସ୍ମରଣ କରି ସେ ନବର ଛାଡ଼ିଥିଲେ ଅତି ନିର୍ଭୀକ ଭାବରେ ।

 

ଚିତ୍ରକ ଅମାବାସ୍ୟାର ପରଦିନ । ବେଗଗାମୀ ଅଶ୍ୱଯୋଚିତ ଯାନରେ ମହାରାଜ ଓ ମହାରାଣୀ ନିର୍ବିଘ୍ନରେ ମହାନଦୀକୂଳରେ ପହଞ୍ଚିପାରିଥିଲେ । ବନ୍ୟା–ବିହ୍ୱଳା ମହାନଦୀ ଅତିକ୍ରମ କଲାବେଳକୁ ରାତ୍ରିର ପ୍ରାୟ ଶେଷଯାମ । ହଠାତ୍ ବଜ୍ର, ବିଦ୍ୟୁତ୍ ଓ ଘଡ଼ଘଡ଼ିର ପ୍ରମତ୍ତ କୋଳାହଳ ମଧ୍ୟରେ ରାଜକୀୟ ଯାନ ସହ ତାଙ୍କ ନୌକାଟି ଟଳମଳ ହେବାକୁ ଲାଗିଲା ।

 

ଦେହରକ୍ଷୀ ଓ ନାବିକମାନେ ପ୍ରମାଦ ଗଣିଲେ । ମହାଭୈରବୀଙ୍କୁ ସ୍ମରଣ କରି କୌଣସି ମତେ ନୌକାଟିକୁ କୂଳରେ ଲଗାଇବା ପାଇଁ ସେମାନେ ଆପ୍ରାଣ ଉଦ୍ୟମ କରୁଥାନ୍ତି ।

 

ପ୍ରକୃତିର ଏ ରୁଦ୍ରାଭିଯାନରେ ମହାଦେଈ ଅଂଶୁମାଳୀ ପ୍ରାୟ ଚେତାହୀନ ହୋଇ ଆସିଥାନ୍ତି । ସୁ–ସୁ–ଶବ୍ଦ କରି ଭୟଙ୍କର ବାତ୍ୟା ଛୁଟିଆସିଲା । ତମ୍ପ ସାପର ହିଂସ୍ର ଜିହ୍ୱା ହଲାଇ ଭୟଙ୍କରୀ ଚିତ୍ରୋତ୍ପଳା ସେଦିନ ରାଜତରୀଟିକୁ ଗ୍ରାସ କରିଦେବାକୁ ଅସ୍ଥିର ହୋଇଉଠିଥାଏ ।

 

ନୌକା ତୀରଦେଶ ସ୍ପର୍ଶ କରିବାକୁ ଆଉ ଅଳ୍ପ ସମୟ ଅଛି । ଏକ ଭୟଙ୍କର ଜଳାବର୍ତ୍ତ ମଧ୍ୟରେ ପଡ଼ି ତାହା ନିଶ୍ଚିହ୍ନ ହୋଇଗଲା ।

 

ତାହାପରେ କ’ଣ ଘଟିଲା ସେ ଜାଣନ୍ତି ନାହିଁ । ନାବିକମାନେ ପ୍ରାଣପାତ କରି ତାଙ୍କୁ ବଞ୍ଚାଇଥିବାର ସମ୍ବାଦ ସେ ଶଯ୍ୟାଶାୟୀ ଅବସ୍ଥାରେ ଶୁଣିବାକୁ ପାଇଲେ । କିନ୍ତୁ ଅଂଶୁମାଳୀ ??

 

ମହାରାଣୀ ଅଂଶୁମାଳୀ ଆଉ ଫେରିଲେ ନାହିଁ ।

 

ବସୁକଳ୍ପଙ୍କର ଚକ୍ଷୁ ଆର୍ଦ୍ର ହୋଇଆସିଲା । କାମନାବର୍ଜିତ ଭିକ୍ଷୁର ହୃଦୟରେ ପୁଣି କାହିଁକି ଏ ଝଡ଼ ?? ନିଜର ଅସହାୟତାରେ ନିଜେ ମ୍ରିୟମାଣ ହୋଇଉଠିଲେ ବସୁକଳ୍ପ ।

 

ଲୋତକ ପୋଛି ଆଶ୍ଵସ୍ତ ହେବାକୁ ଚେଷ୍ଟା କଲେ ।

 

ଆଜି ବି ସେହି ଚିତ୍ରକ ପର୍ବ । ଗ୍ରହବିପ୍ରଙ୍କର ନିଷ୍ଠୁର ଭବିତବ୍ୟ ବାଣୀରେ ପୁଷ୍ପଗିରି ସମେତ ସମଗ୍ର ରତ୍ନଗିରି ରାଜ୍ୟ ଆଜି ତଟସ୍ଥ । ଅତୀତର ସେହି ପଞ୍ଚଗ୍ରହ କୂଟଠାରୁ ଅଧିକ ବିତ୍ପାତ୍ତ ଘଟିବ । କଳିଙ୍ଗ, କଙ୍ଗୋଦ ଓ ଉତ୍କଳକୁ ଏହା ସମୂଳେ ଧ୍ୱଂସକରି ଦେଇପାରେ । ବିଶେଷତଃ ରାଜଧାନୀ ରତ୍ନଗିରିରେ ଏହାର ପ୍ରଭାବ ପ୍ରବଳରୁ ପ୍ରବଳତର ହୋଇପାରେ ।

 

ପୁଷ୍ପଗିରିର ବାତାୟନ ପଥରୁ ଅସ୍ପଷ୍ଟ ସୂର୍ଯ୍ୟାଲୋକରେ ବ୍ରାହ୍ମଣୀ ନଦୀର ସ୍ଫୀତ ବକ୍ଷ ଦର୍ଶନ କରି ଭୀତତ୍ରସ୍ତ ହୋଇଉଠିଲେ ଭିକ୍ଷୁ ।

 

ଶତ ସହସ୍ର ତରଙ୍ଗର ଉଚ୍ଛୃଙ୍ଖଳ ଫଣା ମେଲାଇ ରତ୍ନଗିରିକୁ ଗ୍ରାସିବା ଲାଗି ବ୍ରାହ୍ମଣୀ ସତେ ଯେପରି ଉତ୍‌କୂଳା । ଖରସ୍ରୋତା ଓ ବୈତରଣୀରେ ଅଦ୍ଭୂତପୂର୍ବ ବନ୍ୟା ।

 

ଖୁବ୍ ଜୋର୍ ରେ ଦମକାଏ ଥଣ୍ତାପବନ ବହି ଆସିଲା । ତାହା ସଙ୍ଗକୁ ମୂଷଳଧାରାରେ ବର୍ଷା ଓ ପ୍ରଚଣ୍ଡ ଘଡ଼ଘଡ଼ି । ରତ୍ନଗିରି ଓ ପୁଷ୍ପଗିରିର ଊର୍ଦ୍ଧ୍ୱଦେଶରେ ତ୍ରିପଣ୍ଡ କୃଷ୍ଣମେଘର ବିଭୀଷିକା କ୍ରମେ ଗାଢ଼ ହୋଇଉଠୁଛି । ବିଜୁଳି ଝଲକରେ ନିଜର ପ୍ରିୟ ଭୂମିକା ଆଉଥରେ ଦେଖିନେବାକୁ ବ୍ୟଗ୍ର ହୋଇଉଠୁଥିଲେ ଭିକ୍ଷୁ ।

 

ଗୁରୁ ଗୁରୁ ବଜ୍ରପାତ ଧ୍ୱନିରେ ସମଗ୍ର ବିହାରର ଆମୂଳଚୂଳ କମ୍ପିତ ହେଉଥିବାର ସେ ଅନୁଭବ କଲେ । ତାହାପରେ ଭୂଗର୍ଭର ବହୁ ନିମ୍ନରୁ ଏକ ଭୟଙ୍କର ଘଡ଼ଘଡ଼ି ଶବ୍ଦ ତାହାଙ୍କର ବକ୍ଷ ଥରାଇ ଦେଲା ।

 

ଅଦୂରରେ ଦୁମ୍‍ଦାମ୍, ଭୁଷ୍‍ଭାଷ୍ ଓ ଭାଙ୍ଗିରୁଜି ଛିନ୍‍ଛତ୍ର ହୋଇଯିବାର କେତେ କେଜାଣି ବିଚିତ୍ର ଶବ୍ଦ ।

 

ତଟସ୍ଥ ହୋଇଉଠିଲେ ଭିକ୍ଷୁ । ଚଣ୍ଡବତାସ ସତ୍ତ୍ୱେ ସେ ଗବାକ୍ଷ ନିକଟରେ ଦଣ୍ଡାୟମାନ ହୋଇଥିଲେ ।

 

ଘଡ଼ିକ ପୂର୍ବର ସୌରକର ଏ କ୍ଷଣି ସୂଚୀଭେଦ୍ୟ ତମସା ତଳେ ଆତ୍ମଗୋପନ କଲାଣି । କାଳିନିଶିର ଅନ୍ଧକାର ଚିରି ମନଶ୍ଚକ୍ଷୁରେ ବ୍ରହ୍ମପ୍ରଳୟର ଏ ଭୀଷଣ ରୂପ ଦେଖିବାକୁ ତଥାପି ଚେଷ୍ଟିତ ଥିଲେ ଭିକ୍ଷୁ ।

 

ଆକାଶରୁ ଧୂମକେତୁ ସଦୃଶ ଏକ ଜ୍ୟୋତିଃପିଣ୍ତ ପ୍ରଚଣ୍ତ ବେଗରେ ଭୂମି ସ୍ପର୍ଶ କଲା ।

 

ହଠାତ୍ ପଶୁପକ୍ଷୀ ଓ ଜୀବଜନ୍ତୁମାନଙ୍କର ମିଳିତ ଚିତ୍କାରରେ ସେ ଆତଙ୍କିତ ହୋଇଉଠିଲେ । ବଡ଼ ବଡ଼ ବୃକ୍ଷମାନ ପବନ ବେଗରେ ଉଡ଼ିଆସି ପୁଷ୍ପଗିରିର ପ୍ରାଚୀର ଦେହରେ ପିଟି ହୋଇଯାଉଥିବାର ସେ ଅନୁଭବ କଲେ ।

 

ବହୁ ଭୟାର୍ତ୍ତକଣ୍ଠରେ କିଳିକିଳା ଧ୍ୱନିରେ ସେ ସ୍ତବ୍‌ଧ ହୋଇଆସିଲେ ।

 

ପୂର୍ବଦିଗରୁ ରକ୍ତଶୋଷୀ ଶୀତଳତାର ପ୍ରବାହ ମାଡ଼ିଆସୁଛି । ମଧ୍ୟେ ମଧ୍ୟେ ବିଦ୍ୟୁତ୍ ଝଲକରେ ସେ ଯାହା ଦେଖିଲେ, ଚକ୍ଷୁକୁ ବିଶ୍ଵାସ କରିପାରିଲେ ନାହିଁ ।

 

ନଦୀ ସମୁଦ୍ର ଏକାକାର ହୋଇଛି । କୂଳପ୍ଲାବିନୀ ସମୁଦ୍ର ଧାଇଁଛି ରତ୍ନଗରିକୁ ତାହାର କରାଳ ଗର୍ଭରେ ବିଲୀନ କରିଦେବାକୁ । ମହା ମହା ଦ୍ରୁମମାନେ ସେ ଆକାଶସ୍ପର୍ଶୀ ପ୍ଲାବନରେ ବିଲୁପ୍ତ ହୋଇଆସିଲେଣି । ଜୀବମାନବର ଆକୁଳ କ୍ରନ୍ଦନ ଆଉ ଶୁଭୁ ନାହିଁ ।

 

କ୍ରମାଗତ ବିଜୁଳି, ଘଡ଼ଘଡ଼ି ଓ ଭୂମିକମ୍ପରେ ଆତଙ୍କିତ ହୋଇଉଠିଲେ ଦସୁକଳ୍ପ । ପୁଷ୍ପଗିରି ଓ ରତ୍ନଗିରି ତଳର ଭୂମି କ୍ରମେ ତଳକୁ ତଳ ଦବିଯାଉଥିବାର ସେ ଅନୁଭବ କଲେ ।

 

ସନ୍ଧ୍ୟା ଉତ୍ତୀର୍ଣ୍ଣ ହେବାପରେ ବାତ୍ୟା, ବର୍ଷା ଓ ମହାପ୍ଲାବନର ବେଗ ବଢ଼ିଚାଲିଲା ।

 

ସର୍ବାଧ୍ୟକ୍ଷ କାରାରୁଦ୍ଧ ହୋଇଛନ୍ତି ବୋଲି ସେ ଶୁଣୁଥିଲେ ।

 

–ହାୟ, ବୈରିଗଞ୍ଜନ ! –ସମ୍ବେଦନାର ଊର୍ଦ୍ଧ୍ୱଶ୍ୱାସ ତାହାଙ୍କର ବୁକୁ ଫଟାଇ ବାହାରିଯିବାକୁ ପ୍ରୟାସ କରୁଥିଲା ।

 

ରତ୍ନମେଖଳା ଅତିକ୍ରମ କରି ଉଲ୍ଲୋଳ ସମୁଦ୍ର ରତ୍ନଗିରିକୁ ତାହାର ଗର୍ଭରେ ଆଶ୍ରୟ ଦେଇସାରିଲାଣି । ପ୍ରଳୟର କ୍ରୁଦ୍ଧ ପ୍ଲାବନ ପୁଷ୍ପଗିରିର ଅର୍ଦ୍ଧେକ ଜଳମଗ୍ନ କରି ସାରିଲାପରେ ପଦତଳେ ଜଳର ସ୍ପର୍ଶ ଲାଭ କରି ସେ ତଟସ୍ଥ ହୋଇଉଠିଲେ । ଏକ ଦୀର୍ଘକାୟ ଜଳଜନ୍ତୁ ତାହାଙ୍କର ପାଦଦେଶରେ ପିଟି ହୋଇଗଲା ପରି ସେ ଅନୁଭବ କଲେ । ବିକଟ ଅନ୍ଧକାର ମଧ୍ୟରେ ଅଣ୍ଡାଳି ଅଣ୍ଡାଳି ସେ ନିଜର ସ୍ଥିତି ସମ୍ବନ୍ଧରେ ସଚେତନ ହେଲେ ।

 

କ୍ରମେ ଜଳରାଶି ତାହାଙ୍କର କଟି ସ୍ପର୍ଶ କଲା । ନିକଟସ୍ଥ ଅଳିନ୍ଦଗୁଡ଼ିକରୁ ଭିକ୍ଷୁ-ଭିକ୍ଷୁଣୀ ଓ ଆଚାର୍ଯ୍ୟମାନଙ୍କର ବିକଳ କଣ୍ଠରେ ‘ତ୍ରାହି’ ‘ତ୍ରାହି’ ଚିତ୍କାରରେ ସେ ଅଥୟ ହୋଇଉଠିଲେ ।

 

ଆଶଙ୍କା ଓ ଉଦ୍‌ବେଗ ଜଡ଼ିତ ଦୃଷ୍ଟିରେ ସେ ଅପେକ୍ଷା କରୁଥିଲେ ଅନ୍ତିମ ମୁହୂର୍ତ୍ତର ସେହି ଶୀତଳ ସ୍ପର୍ଶକୁ ।

 

ହଠାତ୍ ଭୟଙ୍କର ଶବ୍ଦ କରି ବିହାର ସମ୍ମୁଖର ଭୂମି ଦ୍ୱିଧାଗ୍ରସ୍ତ ହେଲା ।

 

ସେ ଭୟବିଜଡ଼ିତ ଦୃଷ୍ଟିରେ ଅନାଇ ରହିଥିଲେ । ଅନ୍ଧକାରର ଯବନିକା ଚିରି କ୍ରୂର ଭବିତବ୍ୟର ବହୁ ଘନକୃଷ୍ଣ ଛାୟା ତାହାଙ୍କର ସମ୍ମୁଖରେ ନୃତ୍ୟ କରିଚାଲିଲା ।

 

ରତ୍ନଗିରି ଜଳାର୍ଣ୍ଣବ ହୋଇଛି । ଅସହାୟଭାବରେ ଧ୍ୱଂସର ତାଣ୍ଡବକୁ ପ୍ରତୀକ୍ଷା କରୁଛି ପୁଷ୍ପଗିରି । ତାହାଙ୍କର ପ୍ରକୋଷ୍ଠର ଆମୂଚୂଳ ଦୋଳାୟିତ କରି ପାର୍ଶ୍ଵସ୍ଥ ଅଳିନ୍ଦଗୁଡ଼ିକ ଭୂମିସାତ୍ ଦେଲେ ।

 

ତୁହାକୁ ତୁହା ବର୍ଷା ଓ ବତାସ ମଧ୍ୟରେ ଲକ୍‌ଲକ୍ ବିଜୁଳି ଜିହ୍ୱା ହଲାଇ ତାଙ୍କୁ ଡାକ ଦେଉଛି । ସେ ଯିବେ । ମହାରାଣୀ ଅଂଶୁମାଳୀ ଅପେକ୍ଷା କରୁଛନ୍ତି । ଦୀର୍ଘ ବ୍ୟବଧାନପରେ ଦୁଇଟି ତୃଷିତ ଆତ୍ମାର ମିଳନ ଘଟିବ ।

 

ଆବକ୍ଷ ଜଳ ମଧ୍ୟରେ ଦଣ୍ଡାୟମାନ ହୋଇ ପୁଷ୍ପଗିରି ଓ ତାହାଙ୍କର ବିଲୟ ମୁହୂର୍ତ୍ତକୁ ଅପେକ୍ଷା କରୁଥିଲେ ଭିକ୍ଷୁ । ତାହାଙ୍କର ଚୌଦିଗରେ ଅସହାୟ ଇଚ୍ଛାର ଭ୍ରୂଣମାନେ ବିକଟ ଚିତ୍କାର କରିଉଠିଲେ । ବନ୍ଧ୍ୟା ଆଶାର ବିକଳ ବିଳାପରେ ତାହାଙ୍କର ପିଞ୍ଜରା ଥରାଇ ନିଃସଙ୍ଗତାର ତାନ ବାଜିଉଠିଲା । ସମଗ୍ର ପୁଷ୍ପଗିରି ଥରିଉଠିଲା ଏକାନ୍ତ ନିର୍ଜନତାର ସେ ଯାତନାମୟ ସ୍ୱରଗ୍ରାମରେ ।

 

‘ପ୍ରଭୁ ତଥାଗତ’ କହି ଶାନ୍ତିରେ ନିଦ୍ରା ଯିବାକୁ ଚେଷ୍ଟା କରୁଥିଲେ ଭିକ୍ଷୁ ।

 

ପୁଷ୍ପଗିରି ବିହାରର ଅନ୍ୟପ୍ରକୋଷ୍ଠଗୁଡ଼ିକରୁ ଭିକ୍ଷୁ-ଭିକ୍ଷୁଣୀ ଓ ଆଚାର୍ଯ୍ୟ ଉପାଚାର୍ଯ୍ୟମାନଙ୍କର ଆର୍ତ୍ତ କଣ୍ଠରେ ଚିତ୍କାର କେତେବେଳୁ ମିଳାଇଗଲାଣି ।

 

ପ୍ରଳୟର ଜଳାର୍ଣ୍ଣବ ମଧ୍ୟରେ ସେ କେବଳ ଏକାନ୍ତ କାଳପୁରୁଷପରି ଲୟବିଲୟର ପଞ୍ଜିକା ଲେଉଟାଇ ଚାଲିଥିଲେ ।

 

ଅଶାନ୍ତ, ଉଦ୍‌ବିଗ୍ନ ଓ ଆତଙ୍କିତ ଜୀବନର ଏ ପ୍ରତିଟି ମୁହୂର୍ତ୍ତ ତାହାଙ୍କୁ ବାସ୍ତବ ମୃତ୍ୟୁଠାରୁ ଯାତନାମୟ ବୋଧ ହେଉଥିଲା ।

 

ଅବଶୋଷୀ ଆତ୍ମାର ବ୍ୟସ୍ତବେହାଗ୍ ରେ ପୂର୍ଣ୍ଣଚ୍ଛେଦ ଟାଣିଦେଇ କରାଳ ଲହରୀଟିଏ ମାଡ଼ିଆସିଲା । ଅନତିଦୂରରେ ସମୁଦ୍ର ଓ ନଦୀର ମିଳିତ ଗର୍ଜନ... । ବସୁକଳ୍ପଙ୍କର ପ୍ରକୋଷ୍ଠର ଊର୍ଦ୍ଧ୍ୱରେ ଭୟଙ୍କର ଶବ୍ଦ କରି ବଜ୍ରପାତ ଘଟିଲା ।

 

“ବୁଦ୍ଧଂ ଶରଣଂ ଗଚ୍ଛାମିଂ...” ପୂର୍ଣ୍ଣଭାବରେ ଉଚ୍ଚାରଣ କରିବାକୁ ଭିକ୍ଷୁ ଅବକାଶ ପାଇଲେ ନାହିଁ । ମହାପ୍ଳାବନର ଏକ ଚଣ୍ଡତରଙ୍ଗରେ ତାହାଙ୍କର ଚେତାହୀନ ଶରୀରଟି, ଧ୍ୱସ୍ତବିଧ୍ୱସ୍ତ କକ୍ଷର ବହିର୍ଭାଗକୁ ନିକ୍ଷିପ୍ତ ହେଲା ।

 

ଗଭୀର ନିଶୀଥ ।

 

ରତ୍ନଗିରି ପୁଷ୍ପଗିରି ସହିତ ସମଗ୍ର ଭୌମକର ସାମ୍ରାଜ୍ୟ ମହାପ୍ଳାବନର ଜଳତଳେ ଆଶ୍ରୟ ନେଇଛି । ଝଞ୍ଜାବତାସି ସ୍ଥିର ହୋଇଆସୁଛି ।

 

ମେଘମେଦୁର ଆକାଶରେ କାଁ ଭାଁ ତାରାଟିଏମାନ ଫୁଟିଉଠିଲେଣି । ଆକାଶ ଓ ପୃଥିବୀ ନୀରବ, ନିଷ୍ପନ୍ଦ । ଝିଙ୍କାରୀର ଶବ୍ଦଟିଏ ସୁଦ୍ଧା ସେ ମହାନୀରବତାର ତନ୍ଦ୍ରା ଭାଙ୍ଗିବାକୁ ସାହସ କରୁ ନାହିଁ । ମହାପ୍ରଶାନ୍ତିର ଏ କରାଳ ଆଳତୀ ମଧ୍ୟରେ ମଣିଷ ଗଢ଼ା ଇତିହାସ ମହାନିଦ୍ରାଯାଇଥାଏ ଅତି ଗୋପନରେ ଓ ସନ୍ତର୍ପଣରେ.... ।

 

ମହାନବମୀ, ବୁଧବାର

ପଥଛାୟା

୭–୧୦–୮୧

Image